ଲେଖା: ଅକ୍ଷୟ ଓଝା
ପ୍ରକୃତି କୋଳରେ ବସି ଥିବା ପଲ୍ଲୀ ଅଞ୍ଚଳରେ କିଛି ଦୂରତା ବ୍ୟବଧାନରେ ଗାଆଁଟିଏ ପରେ ଗାଆଁ । ସାଇକେଲରେ କିମ୍ବା ପାଦ ଚଲା ରାସ୍ତାରେ ଯାଇ ପରିଜନ ମାନଙ୍କୁ ମିଳିବା ଓ ବନ୍ଧୁ କର୍ତ୍ତବ୍ୟ ପୁରା କରିବା ଏକ ଅଭିନ୍ନ ଅଙ୍ଗ ହେଇଥାଏ ଗ୍ରାମ୍ୟ ଜୀବନରେ ।
ଆମ ଗାଆଁରୁ ତଳବନ୍ଧ ରାସ୍ତା ଦେଇ ଅନ୍ୟ ପଡୋଶୀ ଗାଆଁକୁ ଲମ୍ବିଛି ଏ ରାସ୍ତା । ପାଦଚଲା ରାସ୍ତାଟିଏ । ଅଳ୍ପ ଚଉଡ଼ାର । ଘାସ ବିଞ୍ଚା ମାଟି ମଝିରେ ଧୂଳିଆ ରାସ୍ତା । କେବେ କେମିତି ସାଇକଲ ଟିଏ ଦୋୖଡିବାର ଦେଖାଯାଏ ତ କେତେବେଳେ ପୁରା ପରିବାର ସହିତ ସମ୍ପତି ଚାଲି ଚାଲି ଯାଉଥିବାର ଦୃଶ୍ୟ । କେତେବେଳେ ଗଣ୍ଠିଲିଟିଏ ବାନ୍ଧି ବେପାରୀଟିଏ ଏଇ ରାସ୍ତା ମାପେ । ବେଳେ ବେଳେ କ୍ଷେତ ଆଡକୁ ବଳଦ ହଳେ ମୁହେଁଇ ଥାଆନ୍ତି କ୍ଷେତ ଆଡକୁ । ମଝିରେ ମଝିରେ ଶଗଡ଼ଟିଏ ଝୁଲି ଝୁଲି ଚାଲେ ।
ଦୁଇ କଡ଼ରେ ଧାନ କିଆରୀ । ମଝିରେ ଏ କଚ୍ଚା ସଡ଼କ ଲମ୍ବିଛି । ପିଲାଦିନେ ବୋଉ ସହିତ ମାମୁଁ ଘରକୁ ଯାଉଥିଲୁ । ବେଶ୍ ଖୁସିରେ ଆଗ ଆଗେ ଦୋୖଡି ଦୋୖଡି । ନାଚିକୁଦି ଚାଳୁଥିଲି ଆନନ୍ଦ ଉନ୍ମାଦରେ । ବର୍ଷାଦିନେ ଏହି ସଡ଼କ କାଦୁଆ ହେଇଯାଏ । ବିଲରେ ପାଣି ଭରିଯାଏ। ଚଳିବାରେ ଅସୁବିଧା ହେଲେବି ଭାରି ସୁନ୍ଦର ଲାଗେ ପରିବେଶ । ବର୍ଷାର ଆନନ୍ଦରେ ଛତା ଉଡେଇ ଖୁବ୍ ମଜା ଲାଗେ ବେଳେ ବେଳେ ତୋଫାନରେ ଡର ଲାଗେ ଏ ରାସ୍ତା । ସାଇଁ ସାଇଁ ପବନ ବୁକୁ ଥରାଏ । ପ୍ରବଳ ବର୍ଷାରେ ରାସ୍ତା କଡ଼କୁ ଜମି ଆସେ ପାଣି ।
ଶୀତଦିନେ କୁହୁଡି ବୋଳା ଘାସର ଗୋଡ଼ଘସରା ରାସ୍ତା ବାଲିମାଟି ବୋଳା ଚପଲରେ ରାସ୍ତା ଚାଲିବାର ଅନନ୍ୟ ଅନୁଭବ ଆଜି ଆଉ ନାହିଁ । ଝାପ୍ସା ସୂର୍ଯ୍ୟର କିରଣ, ଶୀତୁଆ ଥଣ୍ଡା ପବନରେ ବାଟୋଇ ଶୁକୁଟି ଯାଏ ଯେମିତି ଏଇ ରାସ୍ତାରେ । ବେଳେ ବେଳେ ଧାନକଟା ଦୃଶ୍ୟ, ଖାଲି ପଡିଆ ପଡିଥିବା ଦୃଶ୍ୟ, ଗୋଧନ ମେଳି, ଗାଈଆଳ ପିଲାଙ୍କ ବଇଁଶୀ ସ୍ୱନ ଖୁବ୍ ଶୁଣାଯାଏ ଏଇ ଶର୍ପିଳ ରାସ୍ତାରେ । ବାଟୋଇ ବେଶ ଆନନ୍ଦ ନିଏ । ବରଗଛ ତଳ ନିଶୁନ ପଡ଼ିଥାଏ ଶୀତଦିନେ ।
ଖରାଦିନେ ଟାଇଁ ଟାଇଁ ଖରାରେ ବରଗଛ ତଳେ ବାଟୋଇ ଆଶ୍ରୟ ନିଅନ୍ତି । ଗଛରେ କୋଇଲି, କାଉ, ଗୁଣ୍ଡୁଚି ନାନା ପଶୁପକ୍ଷୀଙ୍କ କଳରବରେ ଉଛୁଳି ପଡେ ବାତାବରଣ । ବାଟୋଇ ଗାମୁଛା ପାରି ଶୋଇପଡେ଼ ଥଣ୍ଡା ପବନରେ ଘଡ଼ିଏ । ଭାରି ଭଲ ଲାଗେ ଏହି ଏକାନ୍ତର ଉନ୍ମୁକ୍ତ ପାନ୍ଥଶାଳା । ପୁଣି ବାଟୋଇ ରାସ୍ତା ମାପେ।
ଗ୍ରାମ୍ୟ ସଂଯୋଗ ସଡ଼କ । ୟାକୁ ନେଇ ଅନେକ ବିଶେଷ ଅନୁଭୂତି ଅଛି ମୋ ପିଲାବେଳର। ଆମ ମାମୁଁ ଘରକୁ ପଡିଛି ଏଇ ରାସ୍ତା । ସକାଳୁ ସକାଳୁ ବାହାରି ପଡୁ ବୋଉ ସାଥୀରେ, ବଡ଼ବୋଉ ବି ଆମ ସହିତ ଯାଏ କାରଣ ତାଙ୍କ ବାପ ଘର ବି ସେଇ ଆଗ ଗାଁରେ । କିଛି ବାଟ ଚାଲିଲା ପରେ ଏଇ ବରଗଛ ମୂଳେ କିଛି ସମୟ ବିଶ୍ରାମ ନେଉ । ପୁଣି ଆଗକୁ ବଢୁ । ସେ ସମୟରେ ଗାଡ଼ି ଘୋଡାର ସୁବିଧା ଏତେଟା ନଥିଲା । ଏଇ ରାସ୍ତାର କିଛି ଆଗକୁ ଏକ ବିରାଟ ନିକାଞ୍ଚନ ପାଟ ଆସେ । ସେଇ ପାଟ ପାରି ହେଲେ ବୈତରଣୀ ନଦୀ କୂଳ ଆସେ । ପତଳା ସରୁ ଧାରଟିଏ । ନଈ ପାର ହେବା ମାତ୍ରେ ଶୈବପୀଠ ଆଖଣ୍ଡଳ ମଣି ଧାମ ଆସେ । ରାତିରୁ ଉଠି ଏଇ ରାସ୍ତା ହେଇ ବହୁଲୋକ ପ୍ରତିଦିନ ଆଖଣ୍ଡଳମଣି ଦର୍ଶନରେ ବାହାରିଥାନ୍ତି । ସେ ତୀର୍ଥଯାତ୍ରା ଅତି ମନୋରମ ଓ ପବିତ୍ର ଅନୁଭୂତି ହୁଏ ।
ଆଜି ଆଉ ସେ କଚ୍ଚା ସଡ଼କ ନାହିଁ । ପକ୍କା ହେଇଗଲାଣି । ଆମ ଗାଁର କେତେକ ଭୌଗୋଳିକ ସ୍ଥିତି ବଦଳିଗଲାଣି । ସେ ସମୟ, ସେ ଲୋକ, ସେ ଆତ୍ମିୟତା ଆଉ ନାହିଁ ! ମାେ ଗାଆଁ ଅଛି ମାେ ମାଟି ଅଛି।
ପ୍ରକୃତି କୋଳରେ ବସି ଆସିଥିବା ଏକ ଗ୍ରାମ ଓ ଗ୍ରାମ୍ୟ ଜୀବନ ଅତି ସରଳ ନିରାଡମ୍ବର । ଜୀବନ ସହିତ ଜଡ଼ିତ ପ୍ରାକୃତିକ ସର୍ବ ସମାବେଶ ଏହି ପଲ୍ଲୀଜୀବନରୁ ହିଁ ମିଳିଥାଏ । ଆଜି କଂକ୍ରିଟ ରାସ୍ତାରେ ଚାଲିବାକୁ ପଡ଼ୁଥିଲେ ବି ଗାଁର ସେଇ କୋମଳ ରାସ୍ତାକୁ ଭୁଲି ପାରେନି ।