ବିରହିଣୀ

ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ
ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ‘ବିରହିଣୀ’ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ।
~ ବିରହିଣୀ ~
ବରଷା ଆଜି ନଭେ ବ୍ୟଥିତ ହିଆ ସମ
ପରାଣେ ମମ ଆହା ବାଧିଲା
ପଉଷେ ଏ ପବନ ଅବଶ ଦେହ ମନ 
ସହିତେ ସେ କି ବାଦ ସାଧିଲା,
ମଉଳା ଫୁଲ ଅବା ଶୁଷ୍କ ମରୁଭୂଇଁ
ତେସନେ ବିରଜରେ ଚାହିଁଛି ଆଜି ମୁହିଁ
କିଏ ଗୋ ସେ ନିଠୁର ମୋ ସୁଖ କରି 
ଜ୍ଵର ଚାତକ ଘନ ପ୍ରାଣ ବାନ୍ଧିଲା
ପରାଣେ ମମ ଆହା ବାଧିଲା।୧।
ଶୂନ୍ୟ ମୋର ଘର ଆଜିରେ ଖରତର ତିମିର
ହାଣେ ସର ସଜନି !
କି କଥା ନୀରବତା କହି ଜାଳଇ ବ୍ୟଥା ନ ଦିଶେ
ଦୂର ପ୍ରିୟ ସରଣୀ,
ଆଜିରେ ପଥ ଚାହିଁ ନୟନେ ନିଦ ନାହିଁ,
ପୀୟୂଷ ବୋଲି ଅବା ଗରଳ ଗଲି ଖାଇ
ନୟନୁ ବହେ ପାଣି ଚପଳା ଯାଏ ହାଣି କେସନେ 
ବିତେ କାଳ ରଜନୀ
ନ ଦିଶେ ଦୂର ପ୍ରିୟ ସରଣୀ । ୨  
ଭାଳିଲି ତନୁ ଅଳି କି ହେବଟି ପଖାଳି ଜୋଛନା
ଜଳେ ସେ ଯେ ଅନଳ,
ସେ ଦୂର ବଳାହକ ଆତୁର ମୁଁ ଚାତକ 
ଅମର ସୁରଧୁନୀ କମଳ,
ସଜନୀ ପ୍ରୀତି କହ କି ନୋହେ ନିଦାରୁଣ
ଶୂନ୍ୟ ପୁରେ ଥାଇ ବସାଇ ଲୁଚେ ଗୁଣ,
ବିରହେ ମାଗେ ଧନ ଆକୁଳ ଦେହ ମନ କରିବ
ବୋଲି ତାକୁ ଅମର,
ଅମର ସୁରଧୁନୀ କମଳ । ୩ ।
ଉପସ୍ଥାପନା: ଅମୃତେଶ ଖଟୁଆ

Leave a Comment

Your email address will not be published. Required fields are marked *

Scroll to Top