ଲେଖା: ଶିଶିର ସାହୁ ମନୋଜ
ଠିକ୍ ଓ ଠିକ ଉଭୟ ଦେଶଜ ଶବ୍ଦ ଏବଂ ଏ ଉଭୟର ଵ୍ୟଵହାର ଓଡ଼ିଆ ତଥା ହିନ୍ଦୀ ଆଦି ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ରହିଛି !
ଓଡ଼ିଆ ଭାଷାରେ ମୌଳିକ ଅକାରାନ୍ତ ଉଚ୍ଚାରଣ ଵିଧି ଥିବାରୁ ଠିକ୍ ଓ ଠିକ ଏ ଉଭୟ ଶବ୍ଦ ସହଜରେ ବାରି ହୋଇପଡନ୍ତି, କିନ୍ତୁ ହିନ୍ଦୀରେ ହଳନ୍ତଵତ୍ ଉଚ୍ଚାରଣ ରହିଥିବାରୁ ଏକା ଉଚ୍ଚାରଣ ଯୋଗୁଁ ଏହାକୁ ଗୋଟାଏ ଶବ୍ଦ ବୋଲି ସାଧାରଣ ହିନ୍ଦୀଭାଷୀର ମନରେ ଭ୍ରମ ଉତ୍ପନ୍ନ ହୋଇଥାଏ ।
ହିନ୍ଦୀ ଏଵଂ ଓଡ଼ିଆ ଭାଷାରେ ଉଭୟ ଶବ୍ଦର ବନାନ ମଧ୍ଯ ଭିନ୍ନ ଭିନ୍ନ । ଆମ୍ଭେମାନେ ଠିକ୍ ଓ ଠିକ ଲେଖିଲାବେଳେ ‛ଠ’ ରେ ହର୍ସ୍ଵ ‘ଇ’ କାର ଦେଇ ଲେଖନ୍ତି କିନ୍ତୁ ହିନ୍ଦୀରେ ଏଠାରେ ଦୀର୍ଘ ‘ଈ’କାର ହୋଇ ठीक ଲେଖା ଯାଇଥାଏ ।
ତେବେ ନେପାଳୀ ଭାଷାରେ ସେହି ସମାନ ଦେଵନାଗରୀ ଲିପି ଵ୍ୟଵହାର ହେଉଥିଲେ ହେଁ ठीक ପରିଵର୍ତ୍ତେ ठिक ଲେଖାଯାଏ ।
ହିନ୍ଦୀ ଅପେକ୍ଷା ଓଡ଼ିଆ ଭାଷାରେ ଠିକ୍ ଓ ଠିକ ଶବ୍ଦ ଦ୍ଵୟର ଵ୍ୟଵହାର ଅଧିକ ପରି ଅନୁଭୂତ ହୁଏ । ଉଭୟ ଭାଷାର ଦୁଇଟି ପ୍ରକାଣ୍ଡକାୟ ଭାଷାକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏଵଂ ହିନ୍ଦୀ ଶବ୍ଦ ସାଗରରେ ଏହି ଶବ୍ଦର ଅର୍ଥ ଓ ଵ୍ୟଵହାର ଉଲ୍ଲେଖରୁ ଏଭଳି ଅନୁମାନ କରାଯାଉଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର ଅନେକ ଅର୍ଥ ରହିଛି । ଓଡ଼ିଆ ଭାଷାରେ ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ତଥା କ୍ରିୟା ଵିଶେଷଣ ଭାବେ ରହିଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର କେଉଁ କେଉଁ ଅର୍ଥ ସହ ଵ୍ୟଵହାର ହୁଏ ତହିଁର ଉଲ୍ଲେଖ କରାଗଲା ।
● ୧.ପ୍ରକୃତ; ଯଥାର୍ଥ — ୧
(ଯଥା—ମୁଁ ଆପଣଙ୍କ ଘଟଣାର ଠିକ୍ ବିବରଣ କହୁଛି; ହିନ୍ଦୀ ରେ ମଧ୍ଯ କୁହନ୍ତି ―तुम्हारी बात ठीक निकली )
● ୨. ଶୁଦ୍ଧ; ଅଭାନ୍ତ
(ଯଥା—ଏ ଛାତ୍ରର ଅଙ୍କ ଖଣ୍ଡିକ ଠକ୍ ହୋଇଛି; ହିନ୍ଦୀରେ କୁହାଯାଏ—आठ में से तुम्हारे कितने सवाल ठीक हैं ?)
● ୩. ଉପଯୁକ୍ତ
(ଯଥା—ଠିକ୍ ସମୟରେ ନ ଶୋଇଲେ ମୋ ଦେହ ବିଗିଡ଼େ;ହିନ୍ଦୀ ରେ କୁହାଯାଏ―उनका बर्ताव ठीक नहीं होता ଵା तुम्हारे लिये कहना ठीक नहीं है )
● ୪. ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ସମୟରୁ କ୍ଷଣମାତ୍ର ବେଶି ବା କମ୍ ନୁହେଁ
(ଯଥା—ସେ ଠିକ୍ ୧୨: ବେଳେ ଆସି ପହଞ୍ଚି ଗଲା; ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ ନାହିଁ)
● ୫. ତଚ୍ଛରୂପ; ସ୍ୱାଭାବିକ
(ଯଥା—ବିରାଡ଼ିଟା ଠିକ୍ ବାଘଛୁଆ ପରି ଦିଶୁଛି; ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ ନାହିଁ)
● ୬. ସତ୍ୟ
(ଯଥା—ସାକ୍ଷୀ ହାକିମଙ୍କ ଆଗରେ ହଲପ ନେଇ ଠିକ୍ କଥା କହି ଗଲା)
● ୭.ଅବିକଳ
(ଯଥା—ଏ ପିତଳ ଖଣ୍ଡିକ ଠିକ୍ ସୁନା ପରି ଦେଖାଯାଉଛି)
● ୮. ନିଶ୍ଚିତ
(ଯଥା—ହଜି ଥିବା ବଳଦର ଠିକ୍ ଖବର ମୁଁ ପାଇଲି ନାହିଁ)
● ୯. ସ୍ଥିର; ନିଶ୍ଚଳ
(ଯଥା—ଘୋଡ଼ା ପିଠିରେ ଠିକ୍ ଆସନ୍ନ ଜମାଇ ବସି ନ ପାରିଲେ ତୁମେ ଖସି ପଡ଼ିବ)
● ୧୦.ନ୍ୟାୟପର; ସତ୍
(ଯଥା—ରାଜା ଠିକ୍ ବିଚାର କଲେ)
● ୧୧. ସ୍ଥିରୀକୃତ; ନିଶ୍ଚିତ
(ଯଥା—ମକରମାସର ୮ ଦିନକୁ ବିବାହ ଠିକ୍ ହେଲା; ହିନ୍ଦୀରେ ଵ୍ୟଵହାର―काम करने के लिये आदमी ठीक करना, गाड़ी ठीक करना, भाड़ा ठीक करना, विवाह ठीक करना ଇତ୍ୟାଦି)
● ୧୨. ଦୋଷଶୂନ୍ୟ
(ଯଥା—ଏ ପିଲାଟାର ଆଚରଣ ଠିକ୍ ଅଟେ)
● ୧୩. ଅପରିବର୍ତ୍ତନୀୟ; ଅଟଳ
(ଯଥା—ଆମ ସାଆନ୍ତଙ୍କ ଜବାବ୍ ଠିକ୍ ଅଟେ)
● ୧୪. ଆଚ୍ଛା; ସୁନ୍ଦର; ଉତ୍ତମ
(ଯଥା—ଛାମୁଙ୍କ ମିଞ୍ଜାସ୍ ଠିକ୍ ଥିଲାବେଳେ ମୋ ଗୁହାରିଟା ଛାମୁରେ ପଡ଼ିଗଲା; ହିନ୍ଦୀରେ କୁହାଯାଏ―हमारी तबीयत ठीक नहीं है )
● ୧୫.ସୁଶାସିତ
(ଯଥା—ଚାବୁକସୁଅର ଦୁଷ୍ଟ ଘୋଡ଼ାକୁ ଠିକ୍ କରିଦେଲା)
● ୧୬. ସୁଧାରାକୁ ଆନୀତ; ସୁଧୁରିଥିବା
(ଯଥା—ଘଡ଼ିବାଲା ବିଗିଡ଼ିଥିବା ଘଣ୍ଟାକୁ ଠିକ୍ କରି ଦେଲା)
● ୧୭.ସୁବ୍ୟବସ୍ଥିତ — ୧୭
ଠିକ୍ ଶବ୍ଦର କ୍ରିୟାଵିଶେଷଣ ଭାବରେ ମଧ୍ଯ ଵ୍ୟଵହାର ହୋଇଥାଏ,
ଯଥା
■ଠିକ୍ ଶବ୍ଦର କ୍ରି. ବିଶେଷଣ ଭାବେ ଅର୍ଥ■
● ୧. ସତ୍ୟରେ; ସତେ ସତେ
● ୨. ସମ୍ପୂର୍ଣ୍ଣରୂପେ
● ୩. ନିଶ୍ଚିତରୂପେ; ନିର୍ଦ୍ଦିଷ୍ଟରୂପେ
● ୪. ନିୟମିତରୂପେ
● ୫. ପ୍ରକୃତିରେ
● ୬. ଅବିକଳ
● ୭. ନ୍ୟାୟତଃ
● ୮. ଅବିକଳ
● ୯. ଉପଯୁକ୍ତରୂପେ
● ୧୦. ଅଭ୍ରାନ୍ତରୂପେ
● ୧୧. କ୍ଷଣମାତ୍ର ଆଗପଛ ନକରି
● ୧୨. ସମାନ ଭାବରେ
● ୧୩. ସୁନ୍ଦର ଭାବରେ
ସେହିପରି ହିନ୍ଦୀ ଭାଷାରେ କେଵଳ ଅଵିକଳ ଵା ଉପଯୁକ୍ତ ପ୍ରଣାଳୀ ଅର୍ଥରେ ଠିକ୍ ଶବ୍ଦର କ୍ରିୟାଵିଶେଷଣ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗରରେ ଉଲ୍ଲେଖ ରହିଛି ।
ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ଭାବେ ଅଧିକ ହେଉଥିବା ବେଳେ ଠିକ ଶବ୍ଦର ଉଭୟ ଵିଶେଷ୍ୟ ଓ ଵିଶେଷଣ ଭାବେ ପ୍ରାୟ ସମପରିମାଣରେ ଵ୍ୟଵହାର ରହିଛି ।
ଦେଶଜ ‛ଠିକ’ ଶବ୍ଦର ଅର୍ଥ ଓ ଅର୍ଥ ଆଧାରରେ ଵ୍ୟଵହାର ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ ଶବ୍ଦର ଵ୍ୟଵହାର ଅନୁସାରେ ଯେଉଁ ଅର୍ଥଗୁଡି଼କ ଉଲ୍ଲେଖ ରହିଛି, ସେଗୁଡ଼ିକ ହେଲା:
କ. ନିଶ୍ଚୟ
ଖ. ସମଷ୍ଟି
“ଗରଭ ହୋଇଥିବା ଗାଈଟି ମାନଙ୍କ
ନାମ ପକାଇଲେ କରଣେ କରି ଠିକ”
(କୃଷ୍ଣଚନ୍ଦ୍ର ମହାଭାରତ)
ଗ. ସ୍ଥିରତା
ଘ. ସାରକଥା;ସଂକ୍ଷିପ୍ତ
“ଯେତେ କହିଲ ଵେଦ ଠିକ”
(ପ୍ରାଚୀ ନିର୍ଗୁଣ ମହାତ୍ମ୍ୟ)
ସେଇଭଳି ଦେଶଜ ଠିକ ଶବ୍ଦର ଵିଶେଷଣ ଭାବେ ମଧ୍ଯ ଵ୍ୟଵହାର ରହିଛି, ଯଥା:
କ. ସାର; ବହୁମୁଲ୍ୟଵାନ କଥା
(ଠିକ କଥା ପଦେ ଏ ସମୟରେ ଶୁଣାଯାଉନାହିଁ)
ଖ. ସୁନ୍ଦର; ମନୋହର
“ଆରେ ଠିକହାସି !
ଠକପଣ ପୁଣି କିଛି ଥାଏ ମିଶି !”
(କଵିସୂର୍ଯ୍ୟ ସଙ୍ଗୀତ)
ଗ―ସମ୍ପୂର୍ଣ୍ଣ;ଅକ୍ଷୁର୍ଣ୍ଣ
“ଠିକ ଠ ଵର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ”
(କଵିସୂର୍ଯ୍ୟ କିଶୋରୀ ଚମ୍ପୁ ଠ ଗୀତ)
ଓଡ଼ିଆ ଭଳି ହିନ୍ଦୀ ଭାଷାରେ ମଧ୍ଯ ଓଡ଼ିଆ ଶବ୍ଦ ଠିକ ପରି ठीक ଶବ୍ଦର ନିୟତି,ନିଶ୍ଚୟ,ଯୋଗ ଓ ଭୂଲେଇବା(ଆନ ଲୋକକୁ ଠକିବା) ଅର୍ଥରେ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷରୁ ଜଣାଯାଏ କିନ୍ତୁ ଓଡ଼ିଆ ଭାଷାରେ ଠିକ ଶବ୍ଦର ଵିଶେଷଣ ଵ୍ୟଵହାର ଆମ୍ଭ ଭାଷାର ସଂପୂର୍ଣ୍ଣ ନିଜସ୍ଵ ଅଟଇ ।
ଦୁଃଖର ଵିଷୟ ଆଜିକାଲି ଓଡ଼ିଆଲୋକଙ୍କ ବହୁଳ ଭାବରେ
ହିନ୍ଦୀ ଭାଷା ତଥା ତହିଁର ଶାବ୍ଦିକ ଉଚ୍ଚାରଣଗତ ଅନୁକରଣ ଯୋଗୁଁ ଆମ୍ଭେମାନେ ଦୁଇଗୋଟି ଦୋଷ କରୁଅଛନ୍ତି,
୧. ଅନେକ ଲୋକ ଠିକ୍ ଓ ଠିକ ମଧ୍ୟରେ ଭେଦ ଜାଣିନଥିବା ହେତୁରୁ ହିନ୍ଦୀ ଅନୁକରଣରେ ଵ୍ୟାକ୍ୟ ଗଠନ କରିବାକୁ ଯାଇ ଠିକ ଶବ୍ଦର ଉଚ୍ଚାରଣ ହଳନ୍ତଵତ୍ ଠିକ୍ କରିଥାନ୍ତି;
୨. ଉପସର୍ଗ ସହ ଵିଶେଷଣ ଯୁକ୍ତ କରି ଶବ୍ଦ ଗଠନ ଵ୍ୟାକରଣ ନିୟମ ଵିରୁଦ୍ଧ ଥିଲେ ହେଁ ଅନେକ ଲୋକ ସଠିକ ପରି ଅଶୁଦ୍ଧ ଶବ୍ଦର ଵ୍ୟଵହାର କେଵଳ ହିନ୍ଦୀ ଅନୁକରଣରେ କରିଥାଅନ୍ତି । ହିନ୍ଦୀ ଭାଷାରେ ସଟିକ ଶବ୍ଦର ଅନୁକରଣରେ ସଠିକ ଶବ୍ଦର ଵ୍ୟଵହାର ଓଡ଼ିଆ ଭାଷାରେ ଆସି ଚଳୁଅଛି !
© ଶିଶିର ସାହୁ ମନୋଜ