ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହା କେବଳ ଏକ ପର୍ବ ନୁହେଁ ଏହା ହେଉଛି ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା,ଐତିହ୍ୟ ତଥା ଗୈାରବମୟ ଇତିହାସର ଏକ ରୂପ । ଓଡ଼ିଶାରେ ଜଗନ୍ନାଥ ହେଉଛନ୍ତି ଆରାଧ୍ୟ ଦେବତା କିନ୍ତୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଦେବୀଙ୍କୁ ଉପାସନା କରାଯାଏ । ଏହି ଅଞ୍ଚଳଟି ଆଦିବାସୀ ବହୁଳ ହୋଇଥିବାରୁ ଏଠାକାର ଚଳଣି, ପରମ୍ପରା ସାଧାରଣତଃ ଭିନ୍ନ । କାର୍ଯ୍ୟ ଆରମ୍ଭରେ ଦେବୀ ଉପାସନା ତଥା କାର୍ଯ୍ୟ ସିଦ୍ଧି ପରେ ମଧ୍ୟ ଦେବୀଙ୍କ ଉପାସନା ଦେଖିବାକୁ ମିଳେ । ଆଗରୁ ରଜା ଶାସନ କାଳରେ ଲୋକମାନେ ସାଧାରଣତଃ କୃଷି ଉପରେ ନିର୍ଭର କରୁଥିଲେ । ଏହି ସମୟରେ ଲୋକେ ଫସଲ ଅମଳ କଲା ପରେ ପ୍ରଥମ ଫସଲ ନିଜର ଇଷ୍ଟଦେବୀଙ୍କୁ ଅର୍ପଣ କରିବା ଆରମ୍ଭ କଲେ, ଯାହାକୁ ଆଜି ଆମେ ନୂଆଁଖାଇ ପର୍ବ ବୋଲି ପାଳନ କରୁଛେ । ପୁରୁଣା ଦିନରୁ ପ୍ରାୟତଃ ଭାଦ୍ରବ ମାସ ସମୟରେ ଧାନ ଅମଳ ହୋଇ ଆଉ ଥରେ ବିଲରେ ଧାନ ରୁଆ ସରିଥାଏ । ଏହି ସମୟରେ ଅମଳ କରାଯାଇଥାଏ ଶସ୍ୟକୁ କରାଯାଇଥାଏ ଖାଦ୍ୟ ଉପୋଯୋଗୀ । ଅଞ୍ଚଳ ଭିତ୍ତିରେ ଏକ ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଦିଷ୍ଟ ସମୟରେ ଦେବୀଙ୍କ ପାଖରେ ଅର୍ପଣ କରାଯାଉଥିଲା ନବାନ୍ନ । ପରେ ପରେ ରାଜା ଲଗ୍ନ ବାହାର କରି ପାଳନ କଲେ ଏହି ପର୍ବକୁ । ଆଗରୁ ସବୁ ପରିବାର ଥିଲା ଯୌଥ କିମ୍ବା ସମସ୍ତେ ଆଖପାଖରେ ରହୁଥିଲେ । ନୂଆଁଖାଇ ପୁର୍ବରୁ ସମସ୍ତେ ଫେରୁଥିଲେ ନିଜ ଗ୍ରାମକୁ । ଘର ଲିପାପୋଛା କରିବା ସହିତ ସଜାଡ଼ି ନେଉଥିଲେ ନିଜର ଆସବାବପତ୍ର । ଭିନ୍ନ ଭିନ୍ନ ପିଠାପଣା ପାଇଁ ଆରମ୍ଭ କରି ଦେଉଥିଲେ ପ୍ରସ୍ତୁତି ପର୍ବ । କେତେକ ସ୍ଥାନରେ ସାହି ସାହି ତଥା ଗାଁର ସମସ୍ତେ ଏକତ୍ରିତ ପାଳନ କରୁଥିଲେ ନବାନ୍ନ । ଗାଁ ଛାଡି ବାହାରେ ରହୁଥିବା ସମସ୍ତ ପରିବାର ତଥା ପିଲାମାନେ ଛୁଟି ଆସୁଥିଲେ ଗାଁକୁ । ଏ ସବୁ ସ୍ଥିତି ସୃଷ୍ଟି କରୁଥିଲା ଭିନ୍ନ ଏକ ପରିବେଶ । ନୂଆଁଖାଇ ପୁର୍ବରୁ ଗାଁ ଦେବୀ ମନ୍ଦିରର ଝାଙ୍କର ଗାଁ ସାରା ବୁଲି ଦେଇ ଆସିଥାଏ ନୂଆଁ ଧାନ । ନୂଆଁଖାଇ ଦିନ ଲୋକେ ନିଜ ନିଜର କ୍ଷେତକୁ ଯାଇ ପୂଜା କରନ୍ତି । ଏହା ପରେ ଘରେ ଥିବା ଗୁହାଳରେ ମଧ୍ୟ ପୂଜାର୍ଚ୍ଚନା କରାଯାଏ ତଥା ଘରେ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୁଜା କରିଥାନ୍ତି ଘରର ମୁରବୀ । ପ୍ରକୃତି ପୂଜା ତଥା ଜୀବଜନ୍ତୁଙ୍କ ପୂଜା ତଥା ସ୍ନେହର ଏହା ହେଉଛି ଏକ ଅପୁର୍ବ ମିଳନ ତଥା ନିଦର୍ଶନ । ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀ ଭାଇକୁ ରାକ୍ଷୀ ପିନ୍ଧାଇ ଥାଆନ୍ତି କିନ୍ତୁ ନୂଆଁଖାଇ ଦିନ ଘରର ମୁରବୀ ଘରର ସବୁ ସଜୀବ ତଥା ନିର୍ଜୀବ ବସ୍ତୁ ମାନଙ୍କୁ ପିନ୍ଧାଇ ଥାଆନ୍ତି ରାକ୍ଷୀ । ଏହା ସମର୍ପଣ ତଥା କୃତଜ୍ଞତା ଜ୍ଞାପନ କରିବାର ଏକ ଅପୂର୍ବ ଉଦାହରଣ । ଘରେ ନିଜର ଇଷ୍ଟଦେବୀ ଦେବତାଙ୍କ ପାଖରେ ନବାନ୍ନ ଅର୍ପଣ କରାଯାଇଥାଏ ଧାର୍ଯ୍ୟ ଲଗ୍ନ ଅନୁସାରେ । ପରେ ଘରର ସମସ୍ତେ ଏହାକୁ ଏକତ୍ରିତ ହୋଇ ଭକ୍ଷଣ କରି ଥାଆନ୍ତି । ନୂଆଁ ଚାଉଳ ଚୁରାରୁ ପ୍ରସ୍ତୁତ ଭୋଗ ମଧ୍ୟ ଲାଗିଥାଏ ଠାକୁରଙ୍କ ନିକଟରେ । ଘରର ମୁରବି ସମସ୍ତଙ୍କୁ ଏହି ଚୁରା ତଥା ନବାନ୍ନ ପ୍ରସାଦ ବାଣ୍ଟି ଥାଆନ୍ତି । ନିଜ ଇଷ୍ଟଦେବତା ତଥା ଠାକୁରଙ୍କ ପାଖରେ ଘର, ପରିବାରର ଶୁଭ ମନାସି ପ୍ରାର୍ଥନା କରାଯାଇଥାଏ । ଏହା ପରେ ଆରମ୍ଭ ହୋଇଥାଏ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ । ନୂଆଁ ଖାଇ ସରିବା ପରେ ଘର, ସାହି ତଥା ଗାଁର ବୟସ୍କ ବ୍ୟକ୍ତିଙ୍କ ପାଖକୁ ଧାଇଁ ଯାଆନ୍ତି ନୂଆଁଖାଇ ଜୁହାର ତଥା ଆଶିର୍ବାଦ ଭିକ୍ଷା ପାଇଁ । ଏହା ପରେ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥାଏ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଗାଁ ମାନଙ୍କରେ ବିଭିନ୍ନ ପ୍ରକାରର ଖେଳ ସହିତ ନୃତ୍ୟ ଗୀତର ଆସର ଜମେ । ସ୍ନେହ, ପ୍ରେମ, ଭଲପାଇବା ତଥା ଭ୍ରାତୃଭାବର ଏକ ଅପୁର୍ବ ନିଦର୍ଶନ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପର୍ବ । ବର୍ଷ ୧୯୯୦ – ୧୯୯୧ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦିନରେ ଲୋକେ ଖାଉଥିଲେ ନୂଆଁ । ପରେ ବିଜୁବାବୁଙ୍କ ପ୍ରଚେଷ୍ଟାରେ ସାରା ପଶ୍ଚିମ ଓଡ଼ିଶା ଗୋଟିଏ ଦିନରେ ନୂଆଁ ଖାଇବା ଆରମ୍ଭ କଲା । ଏବେ ମଧ୍ୟ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳ ନିଜ ପାରମ୍ପରିକ ତିଥି ଅନୁସାରେ ଆଜିର ନୂଆଁଖାଇ ପର୍ବର ଅନେକ ଦିନ ପରେ ତଥା ଅନେକ ଦିନ ପୁର୍ବରୁ ଖାଇଥାଆନ୍ତି ନୂଆଁ । ଘର ମାନଙ୍କରେ, ସାହି ତଥା ଗାଁ ମଧ୍ୟରେ ଆଦାନପ୍ରଦାନ ହୋଇଥାଏ ନୂଆଁଖାଇ ଖଞ୍ଜାର । ଭିନ୍ନ ଭିନ୍ନ ଶସ୍ୟ, ପନିପରିବା ସହିତ ଅନେକ ପଦାର୍ଥର ଆଦାନ ପ୍ରଦାନ କରାଯାଏ । ପରିବେଶ, ପ୍ରକୃତି ତଥା ପଶୁପକ୍ଷୀଙ୍କ ପ୍ରତି ସମର୍ପଣ, ସମ୍ମାନ ଏବଂ ଭଲ ପାଇବା ପ୍ରକାଶ କରିବାର ଦିନ ନୂଆଁଖାଇ । ମନରେ ଆଣିଥାଏ ଏକ ଅପୁର୍ବ ପ୍ରେମ, ମିଳନ ତଥା ଭ୍ରାତୃଭାବର ଏକ ସ୍ବତନ୍ତ୍ର ପରିଚୟ । ସାରା ପଶ୍ଚିମ ଓଡ଼ିଶା ହୋଇଥାଏ ଉତ୍ସବ ମୁଖର । ଭିନ୍ନ ଭିନ୍ନ ଅଞ୍ଚଳ ତଥା ଗାଁ, ପରିବାର ସବୁ ନିଜ ନିଜ ଭିତରର ମନାନ୍ତର, ମତାନ୍ତର ଭୁଲେଇ ଏକ କରିଥାଏ ଏହି ନୂଆଁଖାଇ ପର୍ବ । ସାରା ପଶ୍ଚିମ ଓଡିଶାକୁ ଏକ ସୁତ୍ରରେ ବାନ୍ଧି ରଖିଛି ଆମର ଏହି ରଜାପର୍ବ ନୂଆଁଖାଇ । ©️Odisha Stories |
|