ଲେଖା: ନିରଞ୍ଜନ ସାହୁ
ବିଂଶ ଶତାବ୍ଦୀର ପ୍ରଥମ ଭାଗ ଓଡ଼ିଶାରେ ରେନେସାଁ କାଳର ଏକ ଉଲ୍ଲେଖନୀୟ ସମୟ । ଭାଷା ଭିତ୍ତିରେ ରାଜ୍ୟ ଗଠନର ଆବଶ୍ୟକତା ଯେତିକି ଥିଲା, ସେତିକି ଥିଲା ଭାଷାକୁ ଭାରତୀୟ ସାହିତ୍ୟରେ ଉପଯୁକ୍ତ ମାନ୍ୟତା ଦେବା ପାଇଁ ସାଂସ୍କୃତିକ ଆନ୍ଦୋଳନ । ନଅଙ୍କ ଦୁର୍ଭିକ୍ଷ ପରେ ଆରମ୍ଭ ହୋଇଥିବା ଜାଗରଣ ଆହୁରି ଆଗକୁ ବଢ଼ିବାକୁ ସମସ୍ତେ ଏକାଠି ହୋଇଯାଉ ଥିଲେ । ଏହି ସମୟରେ ଉତ୍କଳସାହିତ୍ୟର ଉନ୍ନତି ସକାଶେ ଆରମ୍ଭ ହୋଇଥିଲା ଉତ୍କଳ ସାହିତ୍ୟ ସମାଜ । ୧୯୦୩ ମସିହା ମେ ମାସ ୭ ତାରିଖ ଦିନ କଟକର ନର୍ମାଲ୍ ସ୍କୁଲରେ ବସିଥିଲା ଏହାର ପ୍ରଥମ ବୈଠକ। ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ଓଡ଼ିଆପ୍ରେମୀଙ୍କୁ ନେଇ ଏହି ସଭାରେ ସଭାପତିତ୍ବ କରିଥିଲେ କବିବର ରାଧାନାଥ ରାୟ । ସେହି ଦିନ ସଭାପତି ଅଭିଭାଷଣ ଦେବାକୁ ଯାଇ କବିବର ଯାହା ଭାଷଣ ମାଧ୍ୟମରେ ପ୍ରଦାନ କରିଥିଲେ ତାହା ଆଜି ମଧ୍ୟ ଆମ ସାହିତ୍ୟର ଉନ୍ନତି ପାଇଁ ପ୍ରଯୁଜ୍ୟ । ସେହି ଭାଷଣ ଥିଲା ହୃଦୟର ବେଦନା ଓ ଶ୍ରଦ୍ଧା ଏ ଜାତିର ଭବିଷ୍ୟତର ସାହିତ୍ୟିକମାନଙ୍କ ପାଇଁ ।
“ଉପସ୍ଥିତ ସଭ୍ୟମହୋଦୟଗଣ,
ଏ ସଭାର ଅଥବା କୌଣସି ସଭାର ସଭାପତି ପଦ ସକାଶେ ମୁଁ ଆପଣାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବିବେଚନା କରେଁ। ସଭାପତିର ଗୁଣମାନଙ୍କ ମଧ୍ୟରେ ବାକ୍ପଟୁତା ଅପରିହାର୍ଯ୍ୟରୂପେ ଆବଶ୍ୟକ, ଏହା ସର୍ବବାଦିସମ୍ମତ କଥା । ଦୀର୍ଘକାଳସ୍ଥାୟୀ ଶ୍ଵାସଯନ୍ତ୍ରର ପୀଡ଼ା ହେତୁରୁ ଏହି ସଦଗୁଣ ଆୟତ୍ତ କରିବା ସକାଶେ ମୁଁ କେବେ ଚେଷ୍ଟା କରି ନାହିଁ । ପୁଣି ବୟୋବୃଦ୍ଧି ସହିତ ସେ ପୀଡ଼ା ବର୍ଦ୍ଧିତ ହୋଇ ମୋତେ ନିତାନ୍ତ ଅକର୍ମଣ୍ୟ କରିଅଛି । ବିଶେଷତଃ ଏ ସଭାର ଇତିହାସଏବଂ ଅନୁଷ୍ଠାନାଦି ସମ୍ବନ୍ଧରେ ମୋହୋର ଜ୍ଞାନ ନିତାନ୍ତ ସୀମାବଦ୍ଧ । ଏହି କାରଣରୁ ସଭାପତିର ଆସନ ଗ୍ରହଣ କରିବା ସକାଶେ ମୁଁ ପୁନଃ ପୁନଃ ଅନିଚ୍ଛା ପ୍ରକାଶ କରିଥିଲି । କେବଳ ସ୍କୁଳଭାବରେମୋହର ମନ୍ତବ୍ୟ ମୁଁ ଲିପିବଦ୍ଧ କରିବି ଏବଂ ତାହା ଅପରକର୍ତ୍ତୁକ ସଭାରେ ପଠିତ ହେବ, ଏହି ଆଶ୍ଵାସ ପାଇ କେବଳ ବନ୍ଧୁମାନଙ୍କ ଅନୁରୋଧର ସମ୍ମାନ ରକ୍ଷା ନିମନ୍ତେ ମୁଁ ଏ ପଦ ଗ୍ରହଣ କରିଅଛି ।
ଯେଉଁମାନେ ଏହି ସଭାରେ ଯୋଗଦାନ କରନ୍ତି, ସେମାନଙ୍କ ମଧ୍ୟରେ ଅନେକ ସୁଶିକ୍ଷିତ ଏବଂ ସୁଯୋଗ୍ୟ ବ୍ୟକ୍ତି ଅଛନ୍ତି । ଉତ୍କଳସାହିତ୍ୟର ଉନତି ସମ୍ବନ୍ଧରେ ମୋ ଅପେକ୍ଷା ସେମାନଙ୍କର ମନ୍ତବ୍ୟ ଅଧିକତର ମୂଲ୍ୟବାନ ହୋଇଥାନ୍ତା, ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ସେମାନେ ବହୁକାଳ ଏହି ସଭାର ଅନୁଷ୍ଠାନାଦିରେ ଯୋଗଦାନ କରିଅଛନ୍ତି ଏବଂ ସଭାର ଉଦ୍ଦେଶ୍ୟ କି ଉପାୟରେ ସାଧିତ ହୋଇପାରେ, ସେ ବିଷୟରେ ମୋହୋ ଅପେକ୍ଷା ଅଧିକ ଚିନ୍ତା କରିଅଛନ୍ତି । ସୁତରା ମୋହୋପରି ଅକର୍ମଣ୍ୟ ଆଳଙ୍କାରିକ ସଭାପତି ପରିବର୍ତ୍ତରେ ସେମାନଙ୍କ ମଧ୍ୟରୁ କେହି ସଭାପତି ହୋଇଥିଲେ, ତାହାଙ୍କଠାରୁ ଆପଣମାନେ ଯାହା ଶୁଣିଥାନ୍ତେ, ତଦ୍ଦ୍ଵାରା ଆପଣମାନଙ୍କ ମୂଲ୍ୟବାନ୍ ସମୟର ଅପଚୟ ହୋଇନଥାନ୍ତା ।
ବାବୁ ଅଭିରାମ ଭଞ୍ଜ, ବାବୁ ବିଶ୍ଵନାଥ କର ପ୍ରଭୃତିଙ୍କର ସାରଗର୍ଭ ବକ୍ତୃତା ପରେ ମୋହୋର ଅଧିକ କିଛି କହିବାର ନାହିଁ । କେବଳ ପ୍ରଚଳିତ ପ୍ରଥାନୁଯାୟୀ ମୁଁ ଅତି ସଂକ୍ଷିପ୍ତ ଭାବରେ ଦୁଇ ଚାରି କଥା କହିବି ।
ଜାତିକୁ ଉନ୍ନତ କରିବାକୁ ହେଲେ ଉନ୍ନତ ଜାତୀୟ ସାହିତ୍ୟ ନିତାନ୍ତ ପ୍ରୟୋଳନୀୟ । ନବ୍ୟଶିକ୍ଷିତମାନଙ୍କ ମଧ୍ୟରେ ସମୟସମୟରେ ଏପରି ମତବାଦ ମଧ୍ୟ ଶୁଣାଯାଏ ଯେ, ସାହିତ୍ୟ ଚର୍ଚ୍ଚା କିମ୍ବା ସାହିତ୍ୟୋନ୍ନତିର ଚେଷ୍ଟାର ଆବଶ୍ୟକତା ନାହିଁ, ବିଜ୍ଞାନ ଆମ ମାନଙ୍କର ଏକମାତ୍ର ଶିକ୍ଷା ଏବଂ ଆଲୋଚନାର ବିଷୟ ହେବାର ଉଚିତ । ମୁଁ ଯଦିଚ ଜୀବନରେ ବିଜ୍ଞାନଚର୍ଚ୍ଚାର ସୁବିଧା ପାଇ ନାହିଁ, ସେଥର ଫଳୋପଧାୟକତା ମୁଁ ଅବଶ୍ୟ ଉପଲବ୍ଧ କରିବାକୁ ସମର୍ଥ । ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ପ୍ରାତୀଚ୍ୟ ବିଜ୍ଞାନ ବିଶେଷତଃ ପ୍ରାତୀଚ୍ୟ ଜଡ଼ବିଜ୍ଞାନର ଶିକ୍ଷା ଭାରତବର୍ଷୀୟ ଲୋକଙ୍କ ପକ୍ଷରେ କେବଳ ଯେ ବାଞ୍ଛନୀୟ ତାହା ନୁହେଁ, ପ୍ରତ୍ୟୁତ ଆନ୍ତର୍ଜାତିକ ଜୀବନ ସଂଗ୍ରାମରେ ଆତ୍ମରକ୍ଷା ସକାଶେ ଅପରିହାର୍ଯ୍ୟରୂପେ ପ୍ରୟୋଜନୀୟ । ମାତ୍ର ବିଜ୍ଞାନର ଦୋହି ଦେଇ ମୁଁ ସାହିତ୍ୟକୁ ଏକାବେଳକେ ଅଧିକୃତ କରିବାକୁ ପ୍ରସ୍ତୁତ ନୁହେଁ । ଏକଦେଶଦର୍ତ୍ତୀ ହୋଇ ଯେଉଁମାନେ ସାହିତ୍ୟକୁ ଏକାବେଳକେ ଏହିପରି ଅଧଃକୃତ କରନ୍ତି, ସାହିତ୍ୟର ମୂଳ କେଉଁଠାରେ, ତାହା ସେମାନେ ସମ୍ପୂର୍ଣ୍ଣରୂପେ ବିସ୍ମୃତ ହୋଇଯାନ୍ତି । ମନୁଷ୍ୟ କେବଳ ମସ୍ତିଷ୍କବାନ ନୁହେଁ, ମନୁଷ୍ୟଙ୍କ ଆତ୍ମା ଏବଂ ହୃଦୟ ମଧ୍ୟ ଅଛି । ସେହି ଆତ୍ମା ଏବଂ ହୃଦୟକୁ ସାହିତ୍ୟର ମୂଳ ସ୍ବରୂପ ନିର୍ଦ୍ଦେଶ କରାଯାଇପାରେ । ଆତ୍ମା ଏବଂ ହୃଦୟର ଅସ୍ଥିତ୍ଵ ଲୋପ ନହେବା ପର୍ଯ୍ୟନ୍ତ ସାହିତ୍ୟର ଲୋପ ହେବ ନାହିଁ, ଏହା ବୋଲିବାର ବାହୁଲ୍ୟ । ମସ୍ତିଷ୍କର କର୍ଷଣ ଏବଂ ଆତ୍ମା ଏବଂ ହୃଦୟର କର୍ଷଣ ଏ ଉଭୟର ସମବାୟ ପୂର୍ଣ୍ଣ ମନୁଷ୍ୟତା ଲାଭ ସକାଶେ ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ପ୍ରଯୋଜନୀୟ, ସୂକ୍ଷ୍ମଦର୍ଶୀ ବ୍ୟକ୍ତିମାତ୍ରକେ ଏହା ସ୍ବୀକାର କରିବେ ।
ଓଡ଼ିଆ ସାହିତ୍ୟର ବର୍ତ୍ତମାନ ଅବସ୍ଥାରେ ତାହାକୁ କୌଣସି ୟୁରୋପୀୟ ସାହିତ୍ୟ କିମ୍ବା ଆମ୍ଭମାନଙ୍କର ପ୍ରାଚୀନ ସଂସ୍କୃତ ସାହିତ୍ୟ ସହିତ ତୁଳନା କରିବାର ବାତୁଳତା ମାତ୍ର । ତେବେ ଭାରତବର୍ଷର ଭିନ୍ନ ଭିନ୍ନ ପ୍ରଦେଶର ସାହିତ୍ୟ ସହିତ ଉତ୍କଳୀୟ ସାହିତ୍ୟର ତୁଳନା କିୟତ ପରିମାଣରେ ସମ୍ବବପର । ଏ ତୁଳନା ମଧ୍ୟ ଉତ୍କଳୀୟ ସାହିତ୍ୟର ଅନୁକୂଳ ନୁହେ । ବିଶେଷତଃ ଆଧୁନିକ ଉତ୍କଳସାହିତ୍ୟ ଆଧୁନିକ ବଙ୍ଗୀୟ କିମ୍ବା ହିନ୍ଦୀ ସାହିତ୍ୟର ନାନାବିଷୟରେ ବହୁ ପଶ୍ଚାଦବର୍ତ୍ତୀ, ଏହା ନିର୍ବିବାଦରେ ବୋଲାଯାଇପାରେ । ବଙ୍ଗୀୟ ସାହିତ୍ୟର ତ କଥା ନାହିଁ, ହିନ୍ଦୀ ସାହିତ୍ୟ ମଧ୍ୟ ଯେପରି କ୍ଷିପ୍ରଗତିରେ ଅଗ୍ରସର ହେଉଅଛି, ତାହାର ତୁଳନାରେ ଓଡ଼ିଆ ସାହିତ୍ୟକୁ ଜଡବତ ସ୍ଥାଣୁ କହିଲେ ଅତ୍ୟୁକ୍ତି ହେବନାହିଁ । ଆମମାନଙ୍କର ସାହିତ୍ୟାନୁରାଗର ଅଭାବ ଏହାର ଏକମାତ୍ର କାରଣ ଅଟେ । ଉତ୍କଳସାହିତ୍ୟର ଉନ୍ନତି ସକାଶେ ଆପାତତଃ ଆମ୍ଭମାନଙ୍କର ଯାହା କର୍ତ୍ତବ୍ୟ, ସେ ସମ୍ବନ୍ଧରେ ସ୍ଥୁଳରେ ବର୍ତ୍ତମାନ ମୁଁ ଦୁଇ ଚାରି କଥା କହିବାକୁ ଇଚ୍ଛାକରେ । ନିମ୍ନଲିଖିତ ଚାରୋଟି ଉପାୟ ଆମ୍ଭମାନଙ୍କର ଅବଲମ୍ବନୀୟ ।
୧ । ସାଧାରଣ ଓଡ଼ିଆ ପୁସ୍ତକାଳୟ ସ୍ଥାପନ ଏବଂ ପ୍ରାଚୀନ ପାଣ୍ଡୁଲେଖ୍ୟ ସଂଗ୍ରହ ।
୨ । ନବ୍ୟ ଲେଖକମାନଙ୍କ ଉତ୍ସାହ ସକାଶେ ଗୋଟିଏ ପାଣ୍ଠି ସଂସ୍ଥାପନ ।
୩ । ଉତ୍କଳଭାଷାର ଇତିହାସ ପ୍ରଣୟନ ।
୪ । ପ୍ରାଚୀନ ଉତ୍କଳସାହିତ୍ୟର ଆଲୋଚନା ।
ଏହି ଚାରୋଟି ଉପାୟ ମଧ୍ୟରେ ପ୍ରଥମ ଏବଂ ଦ୍ବିତୀୟ ଉପାୟ ସମଧିକ ଅର୍ଥସାପେକ୍ଷ । ସୁତରାଂ କୌଣସି ରାଜା କିମ୍ବା ବୃତ୍ତୀଶ୍ବର ବ୍ୟତୀତ ଅନ୍ୟଲୋକଦ୍ବାରା ଏହା ଅନୁଷ୍ଠିତ ହୋଇ ପାରିବ, ଏହା ମୋତେ ସମ୍ଭବପର ବୋଧ ହେଉ ନାହିଁ । ଆଜିକାଲି ରାଜା ଏବଂ ବୃତ୍ତୀଶ୍ଵରମାନଙ୍କ ମଧ୍ୟରେ କଦାଚିତ କାହାରି କାହାରି ସାହିତ୍ୟାନୁରାଗର ଯେପରି ଅଙ୍କୁରୋଦ୍ଗମ ଲକ୍ଷିତ ହେଉଅଛି, ସେଥିରୁ ଏପରି ଆଶା ହୁଏ ଯେ, ଆମମାନଙ୍କ ଜୀବଦଶାରେ ନହେଉ, ସୁଦୂର ଭବିଷ୍ୟତରେ ଏହା କେବେହେଲେ କାର୍ଯ୍ୟରେ ପରିଣତ ହେବାର ସୂତ୍ରପାତ ହେବ ।
ପ୍ରାଚୀନ ଉତ୍କଳସାହିତ୍ୟର ଇତିହାସ ପ୍ରଣୟନ ମଧ୍ୟ ସହଜସାଧ୍ୟ ବ୍ୟାପାର ନୁହେଁ । ବଙ୍ଗୀୟ-ସାହିତ୍ୟ-ଇତିହାସ-ପ୍ରଣେତା ଶ୍ରୀ ଦିନେଶଚନ୍ଦ୍ର ସେନଙ୍କ ସୁପ୍ରସିଦ୍ଧ ଗ୍ରନ୍ଥ ତାହାଙ୍କର ଜୀବନବ୍ୟାପୀ ପରିଶ୍ରମର ଫଳ । ଏ ପ୍ରଦେଶରେ ସେପରି ଅଧ୍ୟବସାୟର ନିତାନ୍ତ ଅଭାବ; ଯାହା ମଧ୍ୟ ଅଛି , ତାହାକୁ ଭସାହ ଦେବାର ଲୋକ ନାହିଁ । ବଙ୍ଗୀୟ ରାଜା ଏବଂ ବୃତ୍ତୀଶ୍ଵରମାନେ ସ୍ବଦେଶୀୟ ସାହିତ୍ୟୋନ୍ନତି ସାଧନ ବିଷୟରେ ଆସ୍ଥାହୀନ ହୋଇ ସୁଦ୍ଧା ଯାହା କରିଅଛନ୍ତି, ଓଡ଼ିଶାରେ ସେ ଶତାଂଶ ଆଶା କରାଯାଇ ନପାରେ । ଓଡ଼ିଶାରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସୁପଣ୍ଡିତ ଶ୍ରୀଯୁକ୍ତ ବାବୁ ଶ୍ୟାମସୁନ୍ଦର ରାଜଗୁରୁ B.A, ମହାଶୟ ଏ ବିଷୟରେ ପ୍ରଶଂସନୀୟ ଅଧ୍ୟବସାୟ ପ୍ରଦର୍ଶନ କରି ଆମ୍ଭମାନଙ୍କର ଧନ୍ୟବାଦାର୍ହ ହୋଇଛନ୍ତି । ମାତ୍ର ଏପରି ଦୁର୍ବହ ଭାର ତାହାଙ୍କ ଉପରେ ଅଥବା ଅପର କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ କରି କେବଳ ଧନ୍ୟବାଦ ଦେଇ ନିଶ୍ଚିନ୍ତ ରହିଲେ ଚଳିବ ନାହିଁ । ଖାଲି କଥାରେ ଚୁଡ଼ା ତିନ୍ତିବ ନାହିଁ । ଏପରି ବିଷୟରେ କଥା ଅପେକ୍ଷା ଅଧିକତର ସାରବାନ ଉତ୍ସାହର ନିତାନ୍ତ ଲୋଡ଼ା । ସାଧାରଣଙ୍କର ଉଚିତ ଯେ ସମବେତ ହୋଇ ତାହାଙ୍କୁ ଅଥବା ଅପର କୌଣସି ଯୋଗ୍ୟ ଲେଖକଙ୍କୁ ଏପରି ମହୋପକାରୀ ବିଷୟରେ ପର୍ଯ୍ୟାପ୍ତ ଅର୍ଥ ସାହାଯ୍ୟ କରିବେ । ଯେଉଁ ବ୍ୟକ୍ତି ଏହି ମହାବ୍ରତଧାରୀ ହେବେ, ତାହାକୁ କେତେ ପୁସ୍ତକ ସଂଗ୍ରହ, କେତେ ଅଧ୍ୟୟନ, କେତେ ପର୍ଯ୍ୟଟନ, କେତେ ଗବେଷଣା, କେତେ ଚିନ୍ତା, କେତେ ପରିଶ୍ରମ, କରିବାକୁ ହେବ, ତାହା ଆପଣମାନଙ୍କ ପରି ଜ୍ଞାତସାର ବ୍ୟକ୍ତିମାନଙ୍କୁ କହିବାର ବାହୁଲ୍ୟ । କେହି ଅବା କହିବେ ଯେ, ଏପରି ବିଷୟରେ ବ୍ୟକ୍ତିବିଶେଷଙ୍କୁ କାହିଁକି ସାହାଯ୍ୟ ଦିଆଯିବ ? ପ୍ରୟୋଜନ-ଆୟୋଜନର (Demand and Supply) ନିୟମ ଦ୍ଵାରା ଏହା ମଧ୍ୟ ନିୟମିତ ହେବାର ଇଚିତ । ଯେ ପୁସ୍ତକ ସଙ୍କଳନ କରିବେ, ପୁସ୍ତକର କାଟତିଦ୍ବାରା ସେ ପୁରସ୍କୃତ ହେବେ । ପୁସ୍ତକର ଯେବେ ସାଧାରଣରେ କାଟତି ନହେଲା, ଏପରି ପୁସ୍ତକ ଲେଖିବାର ଆବଶ୍ୟକତା କ’ଣ ? ଇଉରୋପୀୟ ଆମଦାନୀ ଅର୍ଥନୀତିର ସୂତ୍ରଗୁଡ଼ିକ ଆମେମାନ ସମୟ ସମୟରେ ଶୁଆପରି ଏହି ରୀତିରେ ଆବୃତ୍ତି କରିଥାଉଁ , ମାତ୍ର ପ୍ରକୃତ ପକ୍ଷରେ ଏଭଳି ଉକ୍ତି ଅର୍ଥନୀତିଜ୍ଞତାର ପରିଚାୟକ ନୁହେଁ; ବରଂ ଏହା ଆମ୍ଭମାନଙ୍କର ଅଜ୍ଞତା, ହୃଦୟହୀନତା ଏବଂ ବଦ୍ଧମୁଷ୍ଟିକତାର ପରିଚାୟକ । ଯେଉଁ ଇଉରୋପରୁ ଏହି ସୂତ୍ରଗୁଡ଼ିକର ଆମଦାନୀ ହୋଇଅଛି, ସେହି ଇଉରୋପ ପ୍ରୟୋଜନ ଏବଂ ଆୟୋଜନ ସମ୍ବନ୍ଧୀୟ ନିୟମର ଦୋହି ଦେଇ ଜାତୀୟ ସାହିତ୍ୟୋନ୍ନତି ସାଧନ ବିଷୟରେ ଔଦାସୀନ୍ୟ ଅବଲମ୍ବନ କରି ନାହିଁ । ସେପରି ହୋଇଥିଲେ ନବ୍ୟ ଜର୍ମାନ୍ ଏବଂ ଇଟାଲୀୟ ସାହିତ୍ୟ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ପୃଥିବୀର ଗଣନୀୟ ସାହିତ୍ୟ ବୋଲି ପରିଗଣିତ ହୋଇନଥାନ୍ତା ।
ପ୍ରାଚୀନ ଉତ୍କଳସାହିତ୍ୟ ଯେଉଁ ପରିମାଣରେ ଆମ୍ଭମାନଙ୍କର ଆଲୋଚନା କରିବାର ଉଚିତ, ଆମେମାନେ ତାହାର ଶତାଂଶ କରିନାହୁଁ । ଅନ୍ତତଃ ଏ ବିଷୟରେ ମୁଁ ମୋର ନିଜର ତ୍ରୁଟି ଉତ୍ତମରୂପେ ଉପଲବଧି କରିଅଛି । ଏ ପ୍ରଦେଶରେ ବଙ୍ଗୀୟ ସାହିତ୍ୟ ପ୍ରଚାର ହୋଇ ପ୍ରଭୃତ ଶ୍ରେୟଃ ସହିତ ପ୍ରଭୃତ ଅନିଷ୍ଟ ମଧ୍ୟ ସାଧିତ ହୋଇଅଛି । ଅନିଷ୍ଟ ସକାଶେ ବଙ୍ଗୀୟ ସାହିତ୍ୟ ଦାୟୀ ନୁହେଁ, ଆମେମାନେ ଦାୟୀ । ଭାରତବର୍ଷୀୟ ପ୍ରାଦେଶିକ ସାହିତ୍ୟର ଆଲୋଚନା ଆମ୍ଭମାନଙ୍କ ପକ୍ଷରେ ସୁଫଳୋପଧାୟକ, ଏହା ଅବଶ୍ୟ ସ୍ବୀକାର୍ଯ୍ୟ, ମାତ୍ର ଆମମାନଙ୍କର ଅବକାଶର ଅଧିକାଂଶ ସମୟ ଉତ୍କଳସାହିତ୍ୟାଲୋଚନାରେ ବ୍ୟୟିତ ହେବାର ଉଚିତ । ବଙ୍ଗସାହିତ୍ୟ ଚର୍ଜାଦ୍ଵାରା ଆମମାନଙ୍କର ଜ୍ଞାନର ପ୍ରସାର ହୋଇଅଛି ସତ୍ୟ, ମାତ୍ର ମୌଳିକତା ବହୁ ପରିମାଣରେ ନଷ୍ଟ ହୋଇଅଛି । ଆଧୁନିକ ଉତ୍କଳସାହିତ୍ୟରେ ବଙ୍ଗୀୟ ସାହିତ୍ୟର କେବଳଭାବ ନୁହେଁ, ଭାଷା ମଧ୍ୟ ଅଯଥା ପରିମାଣରେ ପ୍ରବେଶ କରି ସେଥିରେ ବ୍ୟକ୍ତିଗତ ଭାବ କ୍ରମଶଃ ହୀନରୁ ହୀନତର କରିପକାଉଅଛି ।
ସଭା ସମିତିରେ ଲିଖିତ ମନ୍ତବ୍ୟ ଶ୍ରୋତାମାନଙ୍କର ପ୍ରୀତିକର ହୁଏନାହିଁ, ଅଧିକନ୍ତୁ ତାହା ସେମାନଙ୍କ ଧୈର୍ଯ୍ୟକୁ ଦାରୁଣ ପରୀକ୍ଷାରେ ନିକ୍ଷିପ୍ତ କରେ । ଏହା ମୁଁ ଅବଶ୍ୟ ବୁଝିପାରୁଅଛି ଏବଂ ବୁଝିପାରି ଏହିଠାରେ ମୋହୋର ମନ୍ତବ୍ୟର ଉପସଂହାର ଏବଂ ଆପଣମାନଙ୍କୁ ମୋହୋର ଏହି ଅକିଞ୍ଚିତକର ଉକ୍ତି ଶ୍ରବଣରୁ ମୁକ୍ତି ପ୍ରଦାନ କଲି ।”
କହିବା ବାହୁଲ୍ୟ, ଉତ୍କଳସାହିତ୍ୟର ଉନ୍ନତି ନିମନ୍ତେ କବିବର ଙ୍କ ଅବଦାନ ନିଶ୍ଚିତ ଭାବେ ଅତୁଳନୀୟ । ତେବେ ଦୁଃଖର କଥା ପର ପିଢ଼ି କିନ୍ତୁ ସେ ସବୁର ମୂଲ୍ୟ ବୁଝିଲା ନାହିଁ ! ଏବେକା ସମୟରେ ସେହି ଉତ୍କଳସାହିତ୍ୟର ଉନ୍ନତି ନିମନ୍ତେ ନା କାହାର ଚିନ୍ତା ଅଛି ନା ହୃଦ କାନ୍ଦୁଛି !
ଆଧାର: କବିବର ରାଧାନାଥ ଗ୍ରନ୍ଥାବଳୀ