Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅଂଶୁମାନ ମହାରଣା ଗୁପ୍ତ ବୃନ୍ଦାବନ ଭାବରେ ପରିଚିତ ରେମୁଣାରେ ଶ୍ରୀ କ୍ଷୀରଚୋରା ଗୋପୀନାଥଙ୍କ ବିଜେସ୍ଥଳ। ବୃନ୍ଦାବନରେ ତିନୋଟି ଅଲଗା ଅଲଗା ମନ୍ଦିରରେ ରାଧାଗୋପୀନାଥ, ରାଧାଗୋବିନ୍ଦ ଏବଂ ରାଧାମଦନମୋହନ ପୂଜା ପାଉଥିବା ବେଳେ ରେମୁଣାରେ ଗୋଟିଏ ମନ୍ଦିରରେ ଗୋଟିଏ ମଣ୍ଡପରେ ଗୋପୀନାଥ ଗୋବିନ୍ଦ ଏବଂ ମଦନମୋହନ ଏକତ୍ର ପୂଜା ପାଉଥିବା ହେତୁ ଏହା ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଭାବରେ ପରିଚିତ। ![]() ![]() ଶ୍ରୀ ଶ୍ରୀ କ୍ଷୀରଚୋରା ଗୋପୀନାଥ ହେଉଛନ୍ତି ସ୍ବଯମ୍ଭୁ ମୁର୍ତ୍ତି। କୃଷ୍ଣଙ୍କ ଆଗମନ ପୂର୍ବରୁ ତ୍ରେତୟାରେ ଶ୍ରୀରାମ ଶରମୁନରେ ଏହି ମୁର୍ତ୍ତି ଅଙ୍କନ କରି ଦ୍ବାପର ଲୀଳାର ସୂଚନା ଦେଇଥିଲେ। ଚିତ୍ରକୁଟରେ ଅବସ୍ଥାନ ସମୟରେ ଗୋଚାରଣ ଦେଖି ଶ୍ରୀରାମଙ୍କ ସ୍ମିତହାସ୍ୟ ଦେଖି ମାତା ସୀତା କାରଣ ପଚାରିବାରୁ ତାଙ୍କର ଦ୍ବାପରର ଅବତାର ବିଷୟରେ ବର୍ଣ୍ଣନା କରିଥିଲେ। ଶ୍ରୀକୃଷ୍ଣ ଅବତାରର ଆଦ୍ଯମୂର୍ତ୍ତି ହେଉଛନ୍ତି ଶ୍ରୀଗୋପୀନାଥ। ପରବର୍ତ୍ତୀ ସମୟରେ ଉତ୍କଳ ନରେଶ ପ୍ରଥମ ନରସିଂହ ଦେବ ତୀର୍ଥଯାତ୍ରା ସମୟରେ ଲୀଳାମୟଙ୍କ ସ୍ବପ୍ନାଦେଶ କ୍ରମେ ଗୋପୀନାଥଙ୍କୁ ଚିତ୍ରକୂଟରେ ଠାବ କରିଥିଲେ। ଗୋପୀନାଥଙ୍କୁ ନେଇ ରାଜଧାନୀକୁ ଯାତ୍ରା କରିବା ସମୟରେ ପୁନର୍ବାର ନିର୍ଦ୍ଦେଶ କ୍ରମେ ରମଣୀୟ ସ୍ଥାନ ରେମୁଣାର ଗୌଡ଼ଦାଣ୍ଡରେ ପ୍ରତିଷ୍ଠା କଲେ ସ୍ବୟଂମ୍ଭୁ କ୍ଷୀରଚୋରା ଗୋପୀନାଥଙ୍କୁ। ![]() ![]() ୧୫୬୮ରେ କଳାପାହାଡ଼ ଭୟରେ ପୂଜକମାନେ ଶ୍ରୀ ଗୋପୀନାଥଙ୍କୁ ଆର୍ମଳାର ଅନନ୍ତସାଗର ପୋଖରୀ ଲୁଚାଇ ଦେଇ ସେଠାରେ ଅନନ୍ତ ବାସୁଦେବଙ୍କ ମୁର୍ତ୍ତି ବସାଇଦେଲେ। କଳାପାହାଡ଼ ଶ୍ରୀ ଗୋପୀନାଥଙ୍କ ମୂଳ ମନ୍ଦିରକୁ ଭାଙ୍ଗିଦେବା ସହ ଅନନ୍ତ ବାସୁଦେବଙ୍କ ମୁର୍ତ୍ତିକୁ ମଧ୍ଯ ଭାଙ୍ଗିଦେଲା। ସେଇ ଅନନ୍ତ ବାସୁଦେବଙ୍କ ଭଗ୍ନମୁର୍ତ୍ତି ଆଜି ବି ଆର୍ମଳାର ଶିବ ମନ୍ଦିରରେ ଅଛନ୍ତି। ବିଶିଷ୍ଟ ବୈଷ୍ଣବଧର୍ମ ପ୍ରଚାରକ ତଥା ମୟୂରଭଞ୍ଜ ମହାରାଜା ବୈଦ୍ଯନାଥ ଭଞ୍ଜଦେଓଙ୍କ କୁଳଗୁରୁ ରସିକାନନ୍ଦ ଦେବଗୋସ୍ବାମୀଙ୍କ ଗୁରୁ ଶ୍ଯାମାନନ୍ଦ ମହାପ୍ରଭୁ ୧୫୭୦ ରୁ ୧୫୭୫ ମଧ୍ଯରେ ଉଦ୍ଧାର କରି ଗୋପୀନାଥଙ୍କୁ ପୁନଃ ପ୍ରତିଷ୍ଠା କଲେ। ପରବର୍ତ୍ତୀ ସମୟରେ ରସିକାନନ୍ଦ ଦେବଗୋସ୍ବାମୀ ତିହିଡିର ସାମନ୍ତ ରାଜାଙ୍କ ସହାୟତା କ୍ରମେ ଶ୍ରୀଗୋବିନ୍ଦ ଓ ଶ୍ରୀମଦନମୋହନଙ୍କୁ ଗୋପୀନାଥଙ୍କ ସହ ପ୍ରତିଷ୍ଠା କରିଥିଲେ।ବର୍ତ୍ତମାନର କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ମୟୂରଭଞ୍ଜ ମହାରାଜା ବୈଦ୍ଯନାଥ ଭଞ୍ଜଦେଓଙ୍କ ସମୟରେ ନିର୍ମାଣ ହୋଇଥିଲା। ଗୋପୀନାଥଙ୍କ ମନ୍ଦିର ଓ ସିଂହାସନରେ ମୟୂରଭଞ୍ଜ ରାଜ୍ଯର ଚିହ୍ନ ମୟୂରର ପ୍ରତିମା ଦେଖିବାକୁ ମିଳେ। ![]() ଶ୍ରୀ ଗୋପୀନାଥଙ୍କ ନାମ ପୂର୍ବରୁ କ୍ଷୀରଚୋରା ଶବ୍ଦର ସଂଯୋଗ ପଛରେ ଲୀଳାମୟଙ୍କ ଲୀଳା ସନ୍ନିବେଶିତ। ମାଧବାଚାର୍ଯ୍ୟ ସମ୍ପ୍ରଦାୟର ଅଧସ୍ତନ ପଞ୍ଚଦଶତମ ଶିଷ୍ଯ ଭକ୍ତଚୂଡ଼ାମଣି ଶ୍ରୀମାନ ମାଧବେନ୍ଦ୍ର ପୁରୀଙ୍କ ପାଇଁ ଗୋପୀନାଥ କରିଥିଲେ କ୍ଷୀରଚୋରି। ଶ୍ରୀବୃନ୍ଦାବନ ଧାମରେ ଗୋପାଳଙ୍କ ପ୍ରମୁଖସେବକ ମାଧବେନ୍ଦ୍ର ପୁରୀ ସ୍ବପ୍ନାଦେଶ କ୍ରମେ ନୀଳାଚଳକୁ ଆସିଥିଲେ ମଳୟ ଚନ୍ଦନ ପାଇଁ। ଆସିବା ସମୟରେ ରେମୁଣାରେ ଶ୍ରୀ ଗୋପୀନାଥଙ୍କୁ ଦର୍ଶନ କରି କୃତକୃତ୍ୟ ହୁଅନ୍ତି ମାଧବେନ୍ଦ୍ର ପୁରୀ। ଗୋପୀନାଥଙ୍କ ନିକଟରେ ଲାଗି କରାଯାଉଥିବା ଅମୃତକେଳି (କ୍ଷୀରାଭୋଗ) ବିଷୟରେ ଜାଣି ପ୍ରାପ୍ତିର ଇଚ୍ଛା ହେବା ହେତୁ ମାଗିବା ସ୍ବଭାବର ବିରୁଦ୍ଧ ମାଧବେନ୍ଦ୍ର ପୁରୀ ଅନାହାରରେ ଯାଇ ବିଶ୍ରାମ କରନ୍ତି ମନ୍ଦିର ପଛପାଖ ହାଟରେ। ![]() ଭକ୍ତବତ୍ସଳ ଗୋପୀନାଥ ଭକ୍ତର ମନବାଞ୍ଛା ଜାଣି ନିଜ ଅଞ୍ଚଳ ଲୁଗାରେ ଗୋଟିଏ କ୍ଷୀରାଭୋଗ ଭାଣ୍ଡ ଲୁଚାଇ ପୂଜକଙ୍କୁ ସ୍ବପ୍ନାଦେଶ କରନ୍ତି ଉକ୍ତ କ୍ଷୀରାଭୋଗ ଭାଣ୍ଡକୁ ମାଧବେନ୍ଦ୍ର ପୁରୀଙ୍କୁ ଦେବା ପାଇଁ। ସ୍ନାନ ସାରି ମନ୍ଦିର ଆସି ପୂଜକ ଯାହା ଦେଖନ୍ତି ତାହା ଅବିଶ୍ବସନୀୟ ପରି ମନେ ହେଲେ ହେଁ ତାହା ଥିଲା ବାସ୍ତବ ସତ୍ଯ। ଗୋପୀନାଥଙ୍କ ନାମ ଆଗରୁ ଯୋଡ଼ିଗଲା କ୍ଷୀରଚୋରା ଶବ୍ଦ। ପୁରୀ ଶ୍ରୀମନ୍ଦିରରୁ ମଳୟଜ ଚନ୍ଦନ ଆଣି ପ୍ରତ୍ଯାବର୍ତ୍ତନ କଲାବେଳେ ବୃନ୍ଦାବନ ଗୋପାଳଙ୍କ ସ୍ବପ୍ନାଦେଶ କ୍ରମେ ଆଉ ବୃନ୍ଦାବନ ନ ଯାଇ ଗୋପୀନାଥଙ୍କ ଠାରେ ସର୍ବାଙ୍ଗ ଚନ୍ଦନ ଲାଗି କରାଗଲା। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ବର୍ଷରେ ଦୁଇଥର (ଅକ୍ଷୟ ତୃତୀୟା ଏବଂ ଚନ୍ଦନ ପୂର୍ଣ୍ଣିମା) ସର୍ବାଙ୍ଗଚନ୍ଦନ ବେଶ (ଯେପରି ଫଟୋରେ ଦୃଶ୍ୟମାନ) ଅନୁଷ୍ଠିତ ହୋଇଥାଏ। |
|