ଭାରତଲୀଳା ଗାରିମାମୟ ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ (ଲୀଳାନାଟକ ଶୈଳୀ) । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତଲୀଳା କୁହାଯାଏ । ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀନାଟ ମଧ୍ୟ କୁହାଯାଏ । ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରାହରଣ ନାଟ ମଧ୍ୟ କୁହାଯାଏ ।
ଗଞ୍ଜାମରେ ଭାରତଲୀଳା ଯୋଗୁଁ ଉପକୂଳ ଓଡ଼ିଶାର ବହୁଳ ପ୍ରଚାରିତ ପାଲା ପ୍ରସାର ଲାଭ କରିପାରିନାହିଁ ଏହାର ଅନ୍ୟ ଏକ କାରଣ ଭାରତଲୀଳାରେ ନିଜସ୍ୱ ବିଷୟବସ୍ତୁ ସହ ପାଲା, ଦାସକାଠୀଆ, ଘୁଡୁକି ଭଳି ଅନେକ ଲୋକନାଟ୍ୟ ମଝିରେ ମଝିରେ ପ୍ରଦର୍ଶନ କରାଯାଏ । ଭାରତ ଲୀଳାରେ ବ୍ୟବହୃତ ପାରମ୍ପରିକ ବାଦ୍ୟ, ଆଞ୍ଚଳିକ ଭାଷା, ଲୋକସଙ୍ଗୀତ ଓ କୌତୁକପ୍ରଦ ଅଭିନୟ ଯୋଗୁଁ ଏହା ବେଶ ଜନାଦୃତ ହୋଇପାରିଛି । ଭାରତ ଲୀଳାର ସମ୍ପୂର୍ଣ୍ଣ ପ୍ରଦର୍ଶନ ୧୦-୧୨ ଘଣ୍ଟା ଧରି ଅନୁଷ୍ଠିତ ହୁଏ । ବାଦି ପ୍ରତିଯୋଗିତାରେ ଅଧିକ ସମୟ (୨୪ ଘଣ୍ଟାରୁ ଉର୍ଦ୍ଧ୍ବ) ଲାଗିଥାଏ । ଆଜିକାଲି ଆଧୁନିକ ମଞ୍ଚପ୍ରଦର୍ଶନର ବନ୍ଧନ ଯୋଗୁଁ ଏହା ୨-୩ ଘଣ୍ଟା ଭିତରେ ମଧ୍ୟ ପରିବେଷଣ କରାଯାଉଛି ।
ଭାରତଲୀଲାର ସୃଷ୍ଟି ୧୯ଶ ଶତାବ୍ଦୀରେ ବୋଲି ଅଧିକାଂଶ ଗବେଷକ ମତ ଦିଅନ୍ତି । କିନ୍ତୁ ସ୍ୱର୍ଗତ ଧୀରେନ ଦାଶ ଏହା ୧୫ଶ ଶତାବ୍ଦୀର ବୋଲି କୁହନ୍ତି । ଗବେଷଣାରୁ ଜଣାଯାଏ ଯେ, କଲ୍ୟାଣପୁରର (ଗଞ୍ଜାମ) ଦୀନବନ୍ଧୁ ଦାସ ଜୀବିକା ଅର୍ଜନ ନିମନ୍ତେ ୧୯ଶ ଶତାବ୍ଦୀରେ ଆସାମ ଓ ରେଙ୍ଗୁନର ଚାହାବଗିଚା ଏବଂ ହୁଗୁଳି ଜିଲ୍ଲାର ଚଟକଳରେ କାର୍ଯ୍ୟ କରିବା ସମୟରେ ସୁଭଦ୍ରା ହରଣ ସୁଆଙ୍ଗ ରଚନା କରିଥିଲେ । ନିଜର ସହକର୍ମୀମାନଙ୍କ ସହଯୋଗରେ ରେଙ୍ଗୁନ ଓ ହୁଗୁଳି ଅଞ୍ଚଳରେ ମଞ୍ଚସ୍ଥ କରି ନିଜ ଗ୍ରାମକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ଭାରତଲୀଳା ପରିବେଷଣ କରିଥିଲେ । ଏଣୁ ପ୍ରଥମାବସ୍ଥାରେ ଗଞ୍ଜାମରେ ଏହା ହୁଗୁଳି ଭାରତ ବୋଲି ଲୋକତୁଣ୍ଡରେ ବସିଯାଇଥିଲା । ଅଦ୍ୟାବଧି ମୁଖ୍ୟ ଚରିତ୍ର ଦୁଆରୀଙ୍କ ବେଶ ପୋଷାକରେ ସେହି ସମୟର ଚାହା ବଗିଚାରେ କାମ କରୁଥିବା ମାଙ୍ଗୋଲିୟଙ୍କର ବେଶର ଶୈଳୀ ପରିଲକ୍ଷିତ ହୁଏ ।
ଦୀନବନ୍ଧୁ ଦାସ ବର୍ତ୍ତମାନ ବ୍ୟବହୃତ ଗୀତିନାଟ୍ୟର କବି ହୋଇଥିଲେ ହେଁ, ତାଙ୍କ ପୂର୍ବରୁ ମଧ୍ୟ ସୁଭଦ୍ରାପରିଣୟ ଆଧାରିତ ଅନେକ ନାଟକ ପରିବେଷିତ ହେଉଥିଲା । ଏଣୁ ଦୀନବନ୍ଧୁ ଦାସ ଭାରତ ଲୀଳାର ଆଦ୍ୟସ୍ରଷ୍ଟା ନୁହନ୍ତି, ବରଂ ଭାରତଲୀଳାକୁ ନିଜ ଶୈଳୀରେ ପୁନଃ ଗଢ଼ି ବିଷୟବସ୍ତୁକୁ ନବଜୀବନ ଦେଇଥିଲେ । ସ୍ବର୍ଗତ ଧୀରେନ ଦାଶଙ୍କ ମତରେ ଭାରତଲୀଳା ୧୫ଶ ଶତାବ୍ଦୀରୁ ଗଞ୍ଜାମରେ ଚାଲି ଆସିଛି ।
ଭାରତଲୀଳାରେ ମହାଭାରତର ସୁଭଦ୍ରାପରିଣୟ ବା ହରଣ ବିଷୟଟି ମଞ୍ଚସ୍ଥ କରାଯିବା ସହ ଅର୍ଜୁନଙ୍କ ଦଶଗୋଟି ନାମ କେଉଁ ଜାଗରେ କେମିତି ଦିଆହୋଇଛି ତାହା ଉପସ୍ଥାପନା କରାଯାଇଥାଏ । ଏହି ପ୍ରସଙ୍ଗଟିର ନାଟକୀୟତା ଯୋଗୁଁ ଏହା ବିଶେଷ ପ୍ରସିଦ୍ଧି ଲାଭ କରିଛି । ଏହି ଲୀଳାର ସଂଳାପ ଗ୍ରାମ୍ୟଶୈଳୀରେ ଥିବାରୁ ଲୋକଙ୍କୁ ସହଜରେ ବୋଧହୁଏ । ପୁଣି ଶୃଙ୍ଗାରଧର୍ମୀ ହାସ୍ୟରସରେ ପରିପୂର୍ଣ୍ଣ ହୋଇଥାଏ ଏହି ଲୀଳା ।
ଭାରତଲୀଳାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଦୀନକୃଷ୍ଣ ଦାସ, ବନମାଳୀ ଦାସ ଆଦି ପ୍ରାଚୀନ ଓଡ଼ିଆ କବିମାନଙ୍କ ରଚନା କଥାଛଳରେ ପରିବେଷିତ ହୁଏ । କବିସୂର୍ଯ୍ୟନଗର ଗୁଡ଼ିଆପାଲିର ଶ୍ରୀ ରଙ୍କନିଧି ବେହେରା ଭାରତଲୀଳାର ଜଣେ ଜଣାଶୁଣା ନାଆଁ । ସେ ନିଜେ ଦୁଆରୀ ଚରିତ୍ରର ଅଭିନୟ ନିମନ୍ତେ ପ୍ରସିଦ୍ଧ ।
ଭାରତ ଲୀଳାରେ ଦୁଆରୀ, ଅର୍ଜ୍ଜୁନ, ସୁଭଦ୍ରା ଓ ସତ୍ୟଭାମା ଏହି ଚାରିଜଣ ମୁଖ୍ୟ ଚରିତ୍ର । ଗୌଣ ଭୂମିକାରେ ଆଉ ଦୁଇଜଣ ଅଂଶଗ୍ରହଣ କରିଥାନ୍ତି । ଅତୀତରେ ଏଥିରେ କେବଳ ପୁଅମାନେ ଅଂଶଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନ ଝିଅପିଲାଙ୍କୁ ନିଆଯାଉଛି । ଅଭିନୟ ପାଇଁ ମୁଖ୍ୟତଃ ସଜ୍ଜିତ ମଞ୍ଚ ଓ ଗୋଟିଏ ମାତ୍ର ଚଉକି ବ୍ୟବହାର କରାଯାଇଥାଏ । ଆବଶ୍ୟକ ଅନୁଯାୟୀ ଚଉକିଟି ବିଭିନ୍ନ ଚରିତ୍ରମାନଙ୍କଦ୍ୱାରା ବ୍ୟବହାର କରାଯାଏ । ମଞ୍ଚଠାରୁ ବେଶଘର (ଗ୍ରୀନରୁମ) ପର୍ଯ୍ୟନ୍ତ ଯିବାପାଇଁ ଥିବା ପଥକୁ ‘ପୁଷ୍ପ-ପଥ‘ କୁହାଯାଏ । ମଞ୍ଚର ଗୋଟିଏ ପାଖରେ ସଙ୍ଗୀତ ପରିବେଷଣକାରୀମାନେ ବସିଥାନ୍ତି ।
ବ୍ୟବହୃତ ବାଦ୍ୟଯନ୍ତ୍ର ମଧ୍ୟରୁ ହାରମୋନିୟମ, ଯୋଡ଼ିନାଗରା, ଝୁମୁକା, ଘୁଡ଼ୁକି, ଦାସକାଠୀ, ଆଦି ପ୍ରମୁଖ । ପ୍ରମୁଖ ଚରିତ୍ର ଦ୍ୱାରୀ ବା ଦୁଆରୀ ନାମରେ ପରିଚିତ । ଏହି ଚରିତ୍ରଟି ସଂସ୍କୃତ ନାଟକର ସୂତ୍ରଧାର ଭଳି ଅଟେ । ଦୁଆରୀ ବିଭିନ୍ନ ଅଭିନୟ ଦ୍ୱାରା ଲୋକଙ୍କୁ ହସାଇବା ସହ ଗୀତଗୁଡ଼ିକର ପାଣ୍ଡିତ୍ୟପୂର୍ଣ୍ଣ ବ୍ୟାଖ୍ୟା ପ୍ରଦାନ କରିଥାଏ । ଏଣୁ ଦୁଆରୀ ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତି ଶାସ୍ତ୍ରରେ ନିପୁଣ ଅଟନ୍ତି ।ସାଧାରଣତଃ ଦଳର ଗୁରୁମାନେ ଗୀତ ରଚନା ଓ ନିର୍ଦ୍ଦେଶନା କରିବା ସହ ନିଜେ ଏହି ଭୂମିକାରେ ଅଭିନୟ କରିଥାନ୍ତି । କହିବାର ଶୈଳୀ ଓ ଉଦ୍ଦାମ ନୃତ୍ୟ ଯୋଗୁଁ ଦର୍ଶକ ବେଶ ଆନନ୍ଦିତ ହୁଅନ୍ତି । ଦୁଆରୀ ହାତରେ ରୁମାଲ ଖଣ୍ଡେ ଧରି ତାକୁ ନାନାବିଧ ପ୍ରକାର ନାଟକରେ ବ୍ୟବହାର କରନ୍ତି । ପାଲାରେ ଯେପରି ଚାମରକୁ ଗାୟକ ନାଟର ପ୍ରପ (prop) ଭାବେ ବ୍ୟବହାର କରନ୍ତି, ଠିକ ସେହିପରି ଭାରତଲୀଳାର ଦୁଆରୀ ରୁମାଲ ବ୍ୟବହାର କରୁଥିଲେ । ଏଥିରେ ଇଙ୍ଗିତ କରି ଲୁହ ପୋଛିବା, ବନ୍ଧନ ହେବା ଆଦି ନାଟକୀୟ ଭଙ୍ଗୀ କରାଯାଏ ।
ଦୁଆରୀ ଚରିତ୍ର ଅର୍ଜୁନଙ୍କୁ ନାନା ପ୍ରକାରେ ଉପହାସ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଶାସ୍ତ୍ର ଆଦି ବିଭିନ୍ନ ଜିନିଷ ବିଷୟରେ ବୁଝାଏ । ଦୁଆରୀ-ଅର୍ଜୁନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ହୋଇ ଦୁଆରୀ ଅର୍ଜୁନଙ୍କ ଠାରୁ ନିଜକୁ ବଡ଼ ବୋଲି ଦେଖାଇ ତାଙ୍କର ଉପହାସ କରିଥାଆନ୍ତି । ପାପମୋଚନ ଲାଗି ଅର୍ଜୁନଙ୍କୁ ସତ୍ୟଭାମାଙ୍କ ଠାରୁ କ୍ଷମାପ୍ରାର୍ଥନା କରାଇ ପରେ ପରେ ଅର୍ଜୁନଙ୍କୁ ‘ଉଲା’ ଡାକି ଉପହାସ କରନ୍ତି ।
ସୁଭଦ୍ରା କରୁଣଭରେ କାନ୍ଦିବା ଦୃଶ୍ୟରେ ଦୁଆରୀ ହିଁ ତାଙ୍କ ପ୍ରତି ସମବେଦନା ଦେଖାଇ ଅର୍ଜୁନଙ୍କ ସଙ୍ଗେ ବୁଝାସୁଝା କରନ୍ତି । ଏଣୁ ଦୁଆରୀ ଚରିତ୍ର ନିର୍ବାହ କରିବା ପାଇଁ ଭଲ ଅଭିନୟ ସଙ୍ଗେ ସଙ୍ଗେ ଶାସ୍ତ୍ରଜ୍ଞ ଓ ସଙ୍ଗୀତଜ୍ଞ ବ୍ୟକ୍ତି ଆବଶ୍ୟକ ।
ସତ୍ୟଭାମା ଆସିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣଙ୍କ ଠାରୁ ଫଳ ଆଣିଛନ୍ତି ବୋଲି କୁହନ୍ତି । ଶ୍ରୀକୃଷ୍ଣ ନଟକୂଟିଆ ପୁରୁଷ, କାଳେ ବିଷଫଳ ପଠାଇଥିବେ ଏହି ଭୟରେ ଅର୍ଜୁନ ଫଳ ଗ୍ରହଣ କରନ୍ତି ନାହିଁ । ଦୁଆରୀଙ୍କ ବୋଧ ପରେ ଅର୍ଜୁନ କେଉଁ ଫଳ ଆଣିଛନ୍ତି ଏହା ଜାଣିବା ପାଇଁ ଦୁଆରୀଙ୍କୁ ପ୍ରେରଣ ଏବଂ ତାହା ହସ୍ତରେ ଧରି ଆଣିବା ପାଇଁ, ଚକ୍ଷୁରେ ଦେଖି ଆସିବା ପାଇଁ ବା ଅସ୍ତ୍ର ନେଇ ଚୋପା ଟିକେ ଆଣିବାକୁ ଆଦେଶ କରନ୍ତି । କିନ୍ତୁ ଏସବୁ କଲେ ମହାପାପ ଲାଗିବ ଓ ଚୋପା କର୍ତ୍ତନ କଲେ ରୁଧିର ବହିବ ବୋଲି ଝିଅମାନେ (ସତ୍ୟଭାମା/ସୁଭଦ୍ରା) କୁହନ୍ତି ।
ଅର୍ଜୁନଙ୍କ ଚରିତ୍ର ଲୀଳାରେ ଅତି ଅଜ୍ଞ, ନିଷ୍ଠୁର ଓ କୋପୀ ବ୍ୟକ୍ତି ଭାବେ ଦେଖାଯାଇଛି । ଦୁଆରୀ ଏହାଙ୍କୁ ବାରମ୍ବାର ଉପହାସ କରିବା ସଙ୍ଗେ ସଙ୍ଗେ ତାଙ୍କଠୁଁ ନିଜକୁ ବଡ଼ ଦର୍ଶାନ୍ତି । ପୁଣି ଅର୍ଜୁନ ସୁଭଦ୍ରାଙ୍କୁ କଳଙ୍କିନୀ ବୋଲିବାରୁ ଦୁଆରୀ ଅର୍ଜୁନଙ୍କ ପଣିଗୋସେଇଁବାପା ପରାଶର ମୁନି, ଗୋସେଇଁବାପା ବ୍ୟାସ, ବାପା ଇନ୍ଦ୍ର, ମାଆ କୁନ୍ତୀ ଆଦି ସମସ୍ତ ବଂଶର କଳଙ୍କ ଫେଡ଼ିଣ କହନ୍ତି । ଅର୍ଜୁନଙ୍କ ଚରିତ୍ର କଥା କଥାକେ ସୁଭଦ୍ରାଙ୍କୁ ହତ୍ୟା କରିଦେବି କହିବାରୁ ଦୁଆରୀ ତାଙ୍କୁ ସ୍ତିରୀହତ୍ୟା କଲେ କେଡ଼େ ବଡ଼ ପାପ ବୁଝାଇଦିଅନ୍ତି । ଶ୍ରୀକୃଷ୍ଣଙ୍କୁ ନଟକୂଟିଆ ବୋଲିବାରୁ ତାଙ୍କୁ ବୁଝାସୁଝା କରି ଶ୍ରୀକୃଷ୍ଣଙ୍କୁ ନିନ୍ଦା ନ କରିବାକୁ କହନ୍ତି । ସୁଭଦ୍ରାଙ୍କୁ ବେଶ୍ୟା ବୋଲି ନିଷ୍ଠୁର ଭାବେ କହିବାରୁ ଦୁଆରୀ ପରୀକ୍ଷା କରି ଅର୍ଜୁନଙ୍କ ଆଶଙ୍କାକୁ ଭୁଲ ପ୍ରମାଣିତ କରନ୍ତି । ଅର୍ଜୁନଙ୍କ ନୃତ୍ୟ ମୁଖ୍ୟତଃ ସାହସିକ ଓ ବୀରତ୍ୱର ପ୍ରଦର୍ଶନ ।
ସୁଭଦ୍ରା ଓ ସତ୍ୟଭାମାଙ୍କ ଚରିତ୍ର ମୁଖ୍ୟତଃ ଦୁଆରୀଙ୍କ ସଙ୍ଗେ ସଂଳାପ କରି ତାଙ୍କ ଆସିବା ଉଦ୍ଦେଶ୍ୟ କହନ୍ତି । ସେମାନେ ସଙ୍ଗୀତ ବେଳେ ନୃ୍ତ୍ୟ ମଧ୍ୟ ପରିବେଷଣ କରନ୍ତି । ବେଳେବେଳେ ବିଭିନ୍ନ ଶୃଙ୍ଗାରଧର୍ମୀ ଇଙ୍ଗିତ ପ୍ରଦର୍ଶନ କରନ୍ତି । ଏପରି ଭଙ୍ଗୀ ସଖୀନାଚର ପ୍ରଭାବରୁ ଆସିଛି ବୋଲି ଧୀରେନ୍ଦ୍ରନାଥ ପଟ୍ଟନାୟକ ନିଜ ଆଲେଖ୍ୟରେ ଲେଖିଛନ୍ତି ।
ଏବେ ଭାରତଲୀଳାର ୨୦ରୁ ଅଧିକ ଦଳ ଗଞ୍ଜାମ ଜିଲ୍ଲାରେ ଅଛନ୍ତି । ପ୍ରତ୍ୟେକ ଦଳରେ ଦଶରୁ ପନ୍ଦର ଜଣ ଶିଳ୍ପୀ ଥାଆନ୍ତି । ଏମାନଙ୍କ ମଧ୍ୟରେ ମଞ୍ଚ ଅଭିନେତା, ଗାୟକ, ବାଦ୍ୟଶିଳ୍ପୀ ଓ ସହାୟକ ଅନ୍ୟତମ । ୧୯୯୮ ବେଳେ ଗୋଟିଏ ରାତିର ଲୀଳା ନିମନ୍ତେ ୧୦୦୦ରୁ ୧୫୦୦ ଟଙ୍କା ଦେୟ ଥିଲା । ବର୍ତ୍ତମାନ ଏହା ୧୫୦୦୦ ରୁ ୨୦୦୦୦ ପର୍ଯ୍ୟନ୍ତ ଦେୟ ପଡିଥାଏ । ଲୀଳା କେଉଁଠି କରାଯିବ ଓ ଯାତାୟାତ ଖର୍ଚ୍ଚ ଅନୁସାରେ ସ୍ଥିର ହୁଏ ।
ଆସ୍କା ନିକଟବର୍ତ୍ତୀ ମାଗୁରାର ୰ଭୀମ ପଣ୍ଡା, ପଞ୍ଚମା ଗ୍ରାମର ଶ୍ରୀନାଥ ପଟ୍ଟନାୟକ, ୰ତ୍ରିନାଥ ପଟ୍ଟନାୟକ, ୰ଶ୍ୟାମସୁନ୍ଦର ସାବତ ଗତ ଶତକର ପ୍ରମୁଖ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ । ଅଧୁନା ଶୁକଦେବ ଜେନା , ବାସନ୍ତୀ ପରିଡା (ମହିଳା ଦୁଆରୀ), ହରେକୃଷ୍ଣ ବିଶ୍ବାଳ ଏବଂ ଶ୍ରୀ ଭୀମ ପଣ୍ଡାଙ୍କ ଶିଷ୍ୟ କବିସୂର୍ଯ୍ୟନଗରର ଶ୍ରୀ ନବଘନ ପରିଡ଼ାଙ୍କ ଦଳ ସବୁଠାରୁ ଉତ୍ତମ ଓ ପ୍ରସିଦ୍ଧ ଦଳ ଭାବେ ଖ୍ୟାତି ଲାଭ କରିଛି ।