ଲେଖା: ଦେବୀ ପ୍ରସାଦ ଦାସ
୧୮୧୮ ମସିହାର କଥା ।
ଯାଜପୁରରେ ରହୁଥିଲେ ବନ୍ଧୁ ମହାନ୍ତି । ଘୋର ଆର୍ଥିକ ଅନାଟନରେ ଥାଇ କାଳାତିପାତ କରୁଥିଲେ ମଧ୍ୟ ଭକ୍ତ ବନ୍ଧୁ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି କରୁଥିଲେ । ସବୁକଥାରେ ସେ ତାଙ୍କ ସ୍ତ୍ରୀଙ୍କୁ ପୁରୀରେ ତାଙ୍କର ଏକ ବନ୍ଧୁ ଅଛନ୍ତି ଏବଂ ସେ ହିଁ ଆମର ସବୁକିଛି ଦୁଃଖ ଦୂର କରିପାରିବେ ବୋଲି କହନ୍ତି । ଏକଦା ଘରେ ଚାଉଳ ନ ଥିବାରୁ ଚୂଲି ଜଳି ନ’ପାରି ଦୁଇ ସନ୍ତାନଙ୍କ ସହିତ ତାଙ୍କ ପରିବାର ଭୋକ ଉପବାସରେ ଦୁଇଦିନ ରହିଲେ ।
ବନ୍ଧୁ ମହାନ୍ତି ଜଗନ୍ନାଥଙ୍କୁ ନିଜର ସଖା ତଥା ବନ୍ଧୁ ଭାବରେ ଭକ୍ତି କରୁଥିଲେ। ଦିନେ ସେ ମନ ବଳାଇଲେ ଶ୍ରୀକ୍ଷେତ୍ର ଦର୍ଶନ ପାଇଁ । ରାତିରେ ନିଜ ପତ୍ନୀଙ୍କୁ କହିଲେ କି ଶୁଣ ଆମେ କାଲି ସକାଳୁ ପୂରୀ ଯିବା, ତମେ ଶ୍ରୀଘ୍ର ଶୋଇ ଜଲଦି ଉଠିବ ।
ସକାଳ ହେଲା । ବନ୍ଧୁ ମହାନ୍ତି ସ୍ତ୍ରୀପିଲାଙ୍କ ସହ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲେ । ଶ୍ରୀକ୍ଷେତ୍ରରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇ ଯାଇଥାଏ, ତେଣୁ ସେ କାଳବିଳମ୍ବ ନକରି ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁ କରୁ ଜଣେ ସେବାୟତ ପଛରୁ ଚିଲ୍ଲାଇଲେ, ହାଁ ହାଁ ହାଁ… ଅଟକାଅ ତାକୁ, ଭିକାରିଟା ମନ୍ଦିର ଭିତରକୁ ପଶି ଯାଉଛି ! କିଛି ସେବାୟତ ବନ୍ଧୁ ମହାନ୍ତିଙ୍କୁ ଅଟକାଇଲେ । ତାଙ୍କ ପତ୍ନୀ କହିଲେ ଚାଲ ଘରକୁ, ତୁମ ବନ୍ଧୁ ତୁମକୁ ତ ତାଙ୍କ ପାହାଚରୁ ହି ତଡି ଦେଲେ ! ଚାଲ !
ବନ୍ଧୁ ମହାନ୍ତି କହିଲେ “ଯଦି କାଳିଆ ମତେ ଏମିତି ତଡି ଦେବ ତା ହେଲେ ମୁଁ ଯିବି କୁଆଡେ ! ଏଇଠି ବସିବି, ତାକୁ ପଚାରିବି, ମୁଁ ନୀଚ ଜାତି ଯଦି ସେ ମୋ ସହ ବନ୍ଧୁତା କଣ ପାଇଁ କଲା ? ଏଇ କଣ ତା ବନ୍ଧୁ ପ୍ରେମ ! ମୁଁ ଏଇ ପେଜନଳା ପାଖରେ ବସିଲି, ଯିବିନି କୁଆଡ଼େ . . “
ସ୍ୱାମୀ ସ୍ତ୍ରୀ ପିଲା ବସିରହିଲେ ପେଜ ନଳା ପାଖରେ, ଯେଉଁଠି ଭଗବାନଙ୍କର ରୋଷ ଘରୁ ରନ୍ଧନ ପରେ ପେଜ ସେହି ନଳାରେ ବାହାରି ଯାଏ ।
ରାତି ଅଧରେ ବନ୍ଧୁ ମହାନ୍ତିଙ୍କ ପୁଅକୁ ବହୁତ ଭୋକ ଲାଗିଲା ଓ ସେ କାନ୍ଦିଲା.. ବନ୍ଧୁ ମହାନ୍ତି ବହି ଯାଉ ଥିବା ପେଜରୁ କିଛି ପୁଅକୁ ଦେବାକୁ ଯାନ୍ତେ ଜଣେ କେହି ଡାକିଲା “ହୋ ବନ୍ଧୁ ! ରୁହ !”
କିଏ ସେ ବୋଲି ପଛକୁ ବୁଲି ଚାହିଁବାରୁ ଗୋଟେ ଛୋଟ ଛୁଆଟେ ବଡ ଥାଳି ଧରି ତାଙ୍କ ପଛରେ ଠିଆ ହୋଇଛି । ସେ ତାଙ୍କୁ ଦେଖୁ ଦେଖୁ କହିଲା – “ଛି ଛି ଏ ଅପରିଷ୍କାର ପେଜ କୁ କିଏ କଣ ପିଏ !”
ବନ୍ଧୁ ମହାନ୍ତି କହିଲେ, “ତୁମେ କିଏ , ତୁମେ ମୋ ନା କେମିତି ଜାଣିଲ ?”
ପିଲାଟି ଉତ୍ତର ଦେଲା, “ହେଇ ନିଅ, ତମ ସାଙ୍ଗ ଦେଇଛି, ସେ ମତେ କହିଲା, ତମେ ସେଇ ନାଳ ପାଖରେ ବସିଛ ତମକୁ ଏଇ ଖାଇବା ଦେଇ ଆସିବାକୁ ।
ବନ୍ଧୁ ମହାନ୍ତି ପଚାରିଲେ, “କିଏ ସେ, ମୋର ତ ପୁରୀରେ ଏମିତି ସାଙ୍ଗ ନାହାନ୍ତି !” ସେ ପିଲାଟି ହସିଲା ଓ କହିଲା ତୁମେ ଆଗ ଖାଇ ଦିଅ, ତା ପରେ ପ୍ରଶ୍ନ ପଚାର !”
ବନ୍ଧୁ ମହାନ୍ତିଙ୍କୁ ବହୁତ ଭୋକ ଲାଗୁଥିଲା, ସ୍ଵାମୀ, ସ୍ତ୍ରୀ, ପୁଅ ବଡ ଶାନ୍ତିରେ ଖାଇଲେ । ଖାଇବା ଶେଷ ହେଲା ବେଳକୁ ସେ ପିଲା ନଥିଲା !
ଏପଟେ ସେ ଯୋଉ ଥାଳିରେ ଖାଇବା ଆଣିଥିଲା ସେଇ ଥାଳି ରେ ଜଗନ୍ନାଥଙ୍କ ନୀଳଚକ୍ରର ଚିତ୍ର ଅଙ୍କା ହୋଇଥିଲା, ଆଉ ସାଙ୍ଗ ଦେଇଛି କଥା ବି ସେ ବୁଝିଲେ ! ତାଙ୍କ ସ୍ତ୍ରୀଙ୍କୁ କହିଲେ କି ଦେଖ ତମେ ଜାଣିଛ ମୋର କେହି ସାଙ୍ଗ ନାହାନ୍ତି ପୁରୀରେ, ତା ମାନେ, କଣ ସେ ପିଲା ମୋ ଜଗା ଥିଲା ? କାନ୍ଦି ପକେଇଲେ ସ୍ୱାମୀ ସ୍ତ୍ରୀ !
ଏମିତି କଥା ହେଉ ହେଉ ସକାଳ ହେଇଛି, ସେପଟେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସୁନାଥାଳି ଗାୟବ ବୋଲି ହୁରି ପଡିଯାଇଛି, କିଏ ଗୋଟେ ରାଜା ଗଜପତିଙ୍କ ପାଖରେ ଖବର ଦେଇ ଦେଲା କି ସେଇ ଯୋଉ ପେଜନାଳ ପାଖରେ ଭିକାରି ବସିଛି ତା ପାଖରେ ସେ ଥାଳି ଅଛି !
ରାଜା ସଙ୍ଗେସଙ୍ଗେ ସୈନ୍ୟ ପଠାଇ ଧରି ଆଣିଲେ ବନ୍ଧୁ ମହାନ୍ତି ଓ ତାଙ୍କ ପିଲାକୁ, ସୈନ୍ୟ ଟଣାଓଟରା କରି ଆଣି ବାର ଦୃଶ୍ୟ ଦେଖି ସେବାୟତ କହୁଥାନ୍ତି, “ଦେଖ ! ଏଟା ସତରେ ଚୋରଟା ହୋ, ଶେଷରେ ଭଗବାନଙ୍କୁ ବି ଛାଡ଼ୁନି ! ପାପୀ ! ଏମିତି ଚୋରି କରୁଛି ବୋଲି ଭିକାରି ଆଉ ନୀଚ ଜାତିରେ ଜନ୍ମ ହେଇଛି ! ଛି ଛି ଛି !”
ବହୁତ ବାଧିଲା ବନ୍ଧୁ ମହାନ୍ତିଙ୍କୁ, କାନ୍ଦ କାନ୍ଦ ଆଖିରେ ଚିଲ୍ଲେଇ କହିଲେ “ମୋ ଘରେ ସବୁ ପଛେ ଉପାସରେ ମରିଯିବେ ହେଲେ ଚୋରି କରିବେନି ! ମୋତେ ଏଇ ଥାଳି କାଲି ଗୋଟେ ପିଲା ଦେଲା, ଆଉ ସେ ମୋତେ କହିଲା ମୋ ସାଙ୍ଗ ଦେଇଛି, ମୁଁ ଖାଇବାକୁ ମନା କଲି ହେଲେ ସେ କହିଲା ତମେ ନଖାଇଲେ ସେ ବି ଖାଇବନାହିଁ, ମୁଁ ଖାଇଲି ହେଲେ ସେ ପିଲା କୁଆଡେ ଚାଲି ଗଲା ମୁ ଖାଉ ଖାଉ, ମୁଁ ଚୋର ନୁହେଁ, ମତେ ବିଶ୍ୱାସ କର, ଜଗନ୍ନାଥଙ୍କ ରାଣ ମୁଁ ସୁନାଥାଳି ଚୋରି କରିନି . . “
ଗଜପତି ରାଗିଗଲେ, “ତୋର ସାହାସ କେମିତି ହେଲା ଜଗନ୍ନାଥଙ୍କ ରାଣ ନେଇ ମିଛ କହିବାକୁ, ସିପାହି ଆକୁ କାରାଗାରରେ ପକେଇ ଦିଅ !
ସିପାହି ମାନେ ତା ପିଲାକୁ ଘୋଷାରି ଘୋଷାରି ନେଇଗଲେ, ତା ସ୍ତ୍ରୀ ର ଲୁଗା ଚିରି ଟଣା ଓଟରା କରୁଥିଲେ ! ଏସବୁ ଦେଖି ବନ୍ଧୁ ମହାନ୍ତି ଭାଙ୍ଗି ପଡିଲେ ।
କାରାଗାରରେ ଥାଇ କହିଲେ, “ପ୍ରଥମେ ଖାଇବାକୁ ଦେଲୁ ! ଆଉ ଏବେ ମାଡ ମାରିଲୁ, ମୋ ପୁଅ ମୋ ସ୍ତ୍ରୀ ସହ ଏମିତିକା ବ୍ୟବହାର କଲୁ ! କଣ ଜଗା ଏଟା ତୋର ବନ୍ଧୁ ପଣିଆ ! କହ ! ତୋ ସହ ବନ୍ଧୁ ବାନ୍ଧିଲି ବୋଲି କଣ ମତେ ତୁ ଏମିତି କହିବୁ ! ମୁ ଚୋର ? ମୁ ତୋ ସୁନା ଥାଳି ଚୋରି କରିଛି ନା ! ହଉ ହେଲା କାଳିଆ, ମତେ ଦଣ୍ଡ ଦେ ମୋର ଛୋଟ ଛୁଆ ଆଉ ସ୍ତ୍ରୀ ଙ୍କୁ ମାରନା, ସେମାନେ ନିର୍ଦ୍ଦୋଷ, ତାଙ୍କୁ ତ ମୁଁ ଡାକିକି ଆଣିଥିଲି ତୋ ଦର୍ଶନ ପାଇଁ . . “
ଏମିତି କହୁଥାନ୍ତି ବନ୍ଧୁ ମହାନ୍ତି, ଏପଟେ ଜଗନ୍ନାଥ ଙ୍କୁ ବି କଷ୍ଟ ହେଉଥାଏ ! ନିଜ ସାଙ୍ଗକୁ ମାଡ ଗାଳି ଦିଆ ହେଉ ଥିବ ଆଉ ସେ କେମିତି ଶାନ୍ତିରେ ରହିବେ !
ସେ ବି ଖାଇବା ଛାଡିଦେଲେ, ବଡ ପଣ୍ଡା ପ୍ରସାଦ ଦେବା ପୂର୍ବରୁ ହାତ ପାପୁଲିରେ ଥିବା ପାଣିରେ ଜଗନ୍ନାଥଙ୍କ ଦର୍ଶନ କରନ୍ତି ଓ ତାହା ଜଗନ୍ନାଥ ଗ୍ରହଣ କଲେ ବୋଲି ଜଣାଯାଏ, କିନ୍ତୁ ସେଦିନ ଜଗନ୍ନାଥ ଜମା ଦର୍ଶନ ଦେଲେନି !
ବଡପଣ୍ଡା ବହୁତ ଚେଷ୍ଟା କରି ଆଖିବନ୍ଦ କରି ଦେଖିବାକୁ ଚେଷ୍ଟା କଲେ ବି ଦର୍ଶନ ଦେଲେନି, ସେ କହି ଉଠିଲେ, “ଏ କଣ ପ୍ରଭୁ, କଣ ପାଇଁ ତୁମେ ଦର୍ଶନ ଦେଉନ, ଆମେ କିଛି ଭୁଲ କରିଛୁ କି ମଣିମା, କାନ୍ଦି ପକେଇ ସେ ଗଜପତିଙ୍କୁ ଖବର ଦେଲେ, ସେତେବେଳକୁ ଦୁଇ ପହର ହେଲାଣି ଜଗା ଉପାସରେ, ସ୍ନାନ ବି କଲେନି, ଆଖିଆ ଅପିଆ ମହାବାହୁ ବସିଛନ୍ତି ଯେମିତି ଅନଶନରେ !
ଗଜପତି ଯେମିତି ଶ୍ରୀମନ୍ଦିର ପହଁଚିଲେ ଜଗନ୍ନାଥଙ୍କ ଦେହରେ ସେମିତି ସେଇ ରାତିର କପଡା, ପାଖରେ ଭୋଗ ଥାଳି, ତୁଳସୀ ଚନ୍ଦନ ସବୁ ଥୁଆ ହୋଇଛି, ତାଙ୍କୁ ଦେଖି ବଡପଣ୍ଡା କହିଲେ, “ମହାରାଜ ଦେଖନ୍ତୁ, ସକାଳୁ ମହାବାହୁ କିଛି ସ୍ପର୍ଶ କରିନାହାନ୍ତି, ସବୁ ଜିନିଷ ସେମିତି ଥୁଆ ହୋଇଛି, ଆଜି ସେ ମତେ ବି ଦର୍ଶନ ଦେଇ ନାହଁନ୍ତି !
ଗଜପତି କହିଲେ “ତୁମେ ସବୁ ବାହାରକୁ ଯାଇ ବାହାର ପଟୁ କବାଟ ଦେଇ ଦିଅ, ମୁଁ ଯେପର୍ଯ୍ୟନ୍ତ ନ କହିଛି ଖୋଲିବନି !”
ସେଇଆ ହେଲା ! ଗଜପତି କହିଲେ, “ହଉ କାଳିଆ ତୁ ଖାଇବୁନୁ ଯଦି ମୁ ବି ଖାଇବିନି, ଯେ ପର୍ଯ୍ୟନ୍ତ ତୁ ମତେ କହିନୁ କଁ ପାଇଁ ତୁ ଏମିତି ରାଗିଛୁ ଅଭିମାନ କରିଛୁ ମୁ ବି ଏମତି ବସି ରହିଲି !”
ଗଜପତିଙ୍କୁ ଶୂନ୍ୟବାଣୀ ହେଲା, “ମୋ ସାଙ୍ଗକୁ ତୁମେ କାରାଗାରରେ ରଖିଛ, ଆଉ ମତେ କହୁଛ ମୁଁ ଖାଇବି? ସେ ମତେ ଯେପର୍ଯ୍ୟନ୍ତ ନିଜ ହାତରେ ଖାଇବାକୁ ନ ଦେଇଛି ମୁଁ ଖାଇବିନି, ତାକୁ ଚୋର କହି ଏତେ ଅସମ୍ମାନ କଲ ତମେ, ତାକୁ ମୁଁ ଦେଇଛି ସେ ଥାଳି, ସେ ନିର୍ଦ୍ଦୋଷ।
ଗଜପତି କହିଲେ, “ପ୍ରଭୁ ତ୍ରାହି ମାଂ, ତ୍ରାହି ମାଂ, ମୁ ଭୁଲ କରିଛି ମଣିମା, ଦୋଷ କ୍ଷମା କର . . ” ଗଜପତି ଶ୍ରୀମନ୍ଦିରରୁ ଦଉଡି ଦଉଡି ଯେମିତି ବାହାରିଲେ ବଡ଼ପଣ୍ଡା ଓ ସେବାୟତ ବି ତାଙ୍କ ପଛରେ ଧାଇଁଲେ,
ସିପାହିକୁ ଖବର ଦିଆଗଲା ବନ୍ଧୁ ମହାନ୍ତିଙ୍କୁ ସସମ୍ମାନେ ଶ୍ରୀମନ୍ଦିର ନିଆ ଯାଉ !
ବନ୍ଧୁ ମହାନ୍ତିଙ୍କୁ ଗଜପତି କହିଲେ, “କ୍ଷମା କର ବନ୍ଧୁ ! ତୁମେ ସତରେ ମହାନ, ଦେଖ ତମ ସାଙ୍ଗ କିପରି ଅନଶନ କରିଛନ୍ତି, ମତେ କହୁଛନ୍ତି ବନ୍ଧୁଙ୍କୁ କୁହ ମତେ ନିଜ ହାତରେ ଖାଇବାକୁ ଦେବେ, ତାହାଲେ ମୁ ଖାଇବି ।
ବନ୍ଧୁ ମହାନ୍ତି ନିଜେ ଭୋଗ ଲଗାଇଲେ ଜଗନ୍ନାଥଙ୍କୁ, ଯେଉଁମାନେ କହୁଥିଲେ ନୀଚ ଭିକାରି ତାଙ୍କୁ ବି ବହୁତ ଲଜ୍ଜ୍ୟା ଲାଗିଲା, ସେମାନେ ବି ନିଜକୁ ଜଗନ୍ନାଥଙ୍କ ପାଖରେ ଦୋଷୀ ଭାବୁଥିଲେ
ବନ୍ଧୁ ମହାନ୍ତି ଜଗନ୍ନାଥଙ୍କ ପାଖକୁ ଯାଇ କହିଲେ, “ସତରେ ଜଗା, ତୁ କେତେ ଭଲ ! ମୋ ପାଇଁ ତୁ ଉପାସରେ ରହିଲୁ ! ମୋର ତ ଉପାସରେ ରହିବାର ଅଭ୍ୟାସ ଅଛି, ହେଲେ ତତେ ତ ଛପନ ଭୋଗ ବି ନିଅଣ୍ଟ, ତୁ ମୋ ପାଇଁ ଉପାସ ରହିଲୁ ! ହଉ ଏବେ ଖା କହି ସେ ଜଗନ୍ନାଥଙ୍କୁ ଚନ୍ଦନ ଓ ତୁଳସୀ ପାଣିରେ ଗାଧେଇ ଦେଲେ ।
ପରିଶେଷରେ ମହାରାଜା ଭକ୍ତ ବନ୍ଧୁ ମହାନ୍ତିଙ୍କୁ ନିଜ ଦରବାରରେ ସସମ୍ମାନରେ ଚାକିରି ପ୍ରଦାନ କରି ପୁରୀରେ ରହିବାର ବ୍ୟବସ୍ଥା ମଧ୍ୟ କରିଦେଲେ । ପ୍ରକୃତରେ କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’ । ଜୀବନରେ ସତ୍କାର୍ଯ୍ୟ କରୁଥିବା ସହିତ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୂହୁର୍ତ୍ତରୁ ତ୍ରାହି ମିଳିପାରିବ । ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’ । ଯୁଗେ-ଯୁଗେ ଭକ୍ତର ଦୃଢ ବିଶ୍ୱାସ ତଥା ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ସ୍ୱୟଂ ଭଗବାନ ।