ଲେଖା: ଦେଵ ତ୍ରିପାଠୀ
୧୯୧୦ ମସିହା, କଲିକତା ବିଶ୍ଵବିଦ୍ୟାଳୟ ।
ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ପତ୍ରଟିଏ ପାଇଲେ ଅର୍ଥନୀତିର ଛାତ୍ର ଗୋଦାବରୀଶ । ଢେବା ଢେବା ଅକ୍ଷରରେ ଲେଖା ଯେଉଁ ପତ୍ରଟି ତାଙ୍କ ହାତରେ ଥିଲା, ସେ ପତ୍ର ଆସିଥିଲା ବାଲେଶ୍ଵର ମାଟିରୁ ! ଲେଖିଥିଲେ ଓଡ଼ିଆ ସାହିତ୍ୟର ମଉଡ଼ମଣି ଫକୀରମୋହନ ! ପତ୍ରଟି ପଢି ଗୋଦାବରୀଶ ଅନୁଭଵ କରିଥିଲେ ସତେ ଅବା ପରମାତ୍ମାଙ୍କ ଆଶୀର୍ବାଦ ଲଭିଛନ୍ତି ସେ ସେଇ ପତ୍ର ମାଧ୍ୟମରେ ! ପତ୍ରଟିର ଉତ୍ତର ଦେବାକୁ ହେବ ! ମାତ୍ର କି ଉତ୍ତର ବା ଦେଇପାରିବେ ସେଇ ପୁରୁଷଶ୍ରେଷ୍ଠଙ୍କୁ, ସେଇ ଦିବ୍ୟାତ୍ମାଙ୍କୁ ?
“ଉତ୍କଳ ସାହିତ୍ୟ” ପତ୍ରିକାରେ ଗୋଦାବରୀଶଙ୍କ ‘ସରସ୍ବତୀ ଆବାହନ‘ କବିତାର ପ୍ରକାଶନ ପରେ ଭାବଗଦଗଦ ଭାବେ ପ୍ରଶସ୍ତିମୂଳକ ଯେଉଁ ପତ୍ରଖଣ୍ଡିକ ପଠାଇଥିଲେ ଫକୀରମୋହନ, ସେ ପତ୍ର ପଢି କିଂକର୍ତ୍ତବ୍ୟବିମୁଢ଼ ଗୋଦାବରୀଶ ଉତ୍ତର ଦେଇ ପାରି ନଥିଲେ I ବରଂ କିଛି ଦିନ ଉତ୍ତାରେ ଅନ୍ୟ ଏକ ପତ୍ର ପାଇଥିଲେ ସେ ଫକୀରମୋହନଙ୍କଠାରୁ ! ଅତି ସଙ୍କୋଚରେ ଏଥର ଉତ୍ତର ଦେଇଥିଲେ ସେ !
ପତ୍ର ପାଇବା ଓ ଉତ୍ତର ଦେବାରେ ଦି’ ପଇସା ଖର୍ଚ୍ଚ, କିନ୍ତୁ ସେଇ ଦି’ ପଇସାର ମୂଲ୍ୟ ବୋଧହୁଏ ଗୋଦାବରୀଶଙ୍କ ପାଇଁ ଥିଲା ଦୁଇ ଲକ୍ଷ ଟଙ୍କାରୁ ଅଧିକ i କାରଣ ଫକୀରମୋହନକ ପରି ମହାସିନ୍ଧୁଙ୍କ ସଙ୍ଗେ ତାଙ୍କ ଜୀବନର କ୍ଷୁଦ୍ର ପାଣିଟୋପାଟିକୁ ନେଇ ମିଶାଇ ପାରିଥିଲା ସେଇ ପତ୍ର ! ଏ କଥା ସ୍ୱୟଂ ଗୋଦାବରୀଶ ସ୍ବୀକାରିଛନ୍ତି ନିଜର “ଥରକର ସ୍ମୃତି” ଆଲେଖ୍ୟରେ ! ଫକୀରମୋହନଙ୍କୁ ଗୁରୁତୁଲ୍ୟ ମାନୁଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ସେଇ ପତ୍ର ଦୁଇଟିକୁ ଜୀବନର ଶ୍ରେଷ୍ଠ ସମ୍ପଦ ଭାବେ ସାଇତି ରଖିଥିଲେ ଶେଷ ସମୟ ପର୍ଯ୍ୟନ୍ତ !
ଗୋଦାବରୀଶଙ୍କ ପୂଜ୍ୟଗୁରୁ ଫକୀରମୋହନ ଥିଲେ ଏପରି ଜଣେ ମହାତ୍ମା, ଯିଏ ଜୀବନର ସାୟାହ୍ନରେ ଯଶଖ୍ୟାତିର ଶୀର୍ଷାରୋହଣ କଲା ପରେ ମଧ୍ୟ ନୂତନ ସ୍ରଷ୍ଟା, ତରୁଣ ଓ ଯୁବକମାନଙ୍କୁ ଉତ୍ସାହିତ କରୁଥିଲେ, ଆଶୀର୍ବାଦ କରୁଥିଲେ ଓ ସ୍ନେହାପ୍ଳୁତ ଦୁଇ ବାହୁ ମେଲି ସେମାନଙ୍କୁ ଏକାନ୍ତ ଆତ୍ମୀୟ ଭାବି କୋଳେଇ ନେଉଥିଲେ !
ତାଙ୍କୁ ଗୁରୁ, ପଥପ୍ରଦର୍ଶକ, ଅଗ୍ରଜତୂଲ୍ୟ ମଣୁଥିବା ଯୁଗପୁରୁଷମାନଙ୍କ ମଧ୍ୟରେ ଥିଲେ ଗୋଦାବରୀଶଙ୍କ ସମେତ ପଞ୍ଚସଖା, ଶତାବ୍ଦୀର ସୂର୍ଯ୍ୟ ମଧୁସୂଦନ, କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ସ୍ବଭାବକବି ଗଙ୍ଗାଧର ପ୍ରମୁଖ !
*** *** ***
୧୯୧୮ ମସିହା, ଜୁନ୍ ୧୩ ତାରିଖ, ପହିଲି ରଜ, ଶାନ୍ତିକାନନ, ବାଲେଶ୍ଵର ।
କାଇଁ କେତେ ଦିନରୁ ଫକୀରମୋହନ ପାଇସାରିଥିଲେ କାଳର ମହାନିମନ୍ତ୍ରଣ ! ରୋଗ ଶଯ୍ୟାରେ ଶୋଇଥାନ୍ତି, ପଲଙ୍କ ଉପରେ ! ନିଶ୍ଚଳ ଶରୀର ! ପାଦ ପାଖରେ ବସିଥିବା ଗୋଦାବରୀଶଙ୍କ ଅନୁରୋଧରେ ନିଜ ପ୍ରିୟ ଓଡ଼ିଆଙ୍କ ପାଇଁ ଥରଥର କଣ୍ଠରେ ଦେଇଥିଲେ ବାର୍ତ୍ତାଟିଏ ! ସପ୍ତାହ ପୂର୍ବରୁ ଲେଖିଥିବା ଜୀବନର ସେଇ ଶେଷ ରଚନା ଜୀର୍ଣ୍ଣପଲ୍ଲବର ସେଇ ପଦଟିକୁ ଗାଇ:
“ଆଶୀର୍ବାଦ, ଆଶୀର୍ବାଦ ନବପତ୍ର ଦଳ,
ଛାୟାଦାନେ ହୁଅ ପାନ୍ଥ, ପାଦପସମ୍ବଳ ।।”
ପରିଣତ ବୟସରେ ଏ ପୃଥିବୀରୁ ବିଦାୟ ନେବା ପୂର୍ବରୁ ନିଜକୁ ଏକ “ଜୀର୍ଣ୍ଣପଲ୍ଲବ” ମନେ କରି ଆଗନ୍ତୁକ ‘ନବପତ୍ର‘ମାନଙ୍କୁ ଆଶୀର୍ବାଦ କରିଥିଲେ ସେଇ ଫକୀରମୋହନ !
ପରଦିନ, ରଜ ସଂକ୍ରାନ୍ତି ! ଅପରାହ୍ଣ !
ମେଜ ଉପରେ ଗଦି ପକାଇ ଶୁଆଇ ଦିଆଯାଇଛି ଫକୀରମୋହନଙ୍କୁ ! ଶତାଧିକ ଶୁଭେଚ୍ଛୁଙ୍କ ମେଳରେ ଚଳଚଞ୍ଚଳ ଶାନ୍ତିକାନନ ! ନିକଟରେ ଗୋଦାବରୀଶ, ମଲ୍ଲୀକାଶପୁରର ବାଲ୍ୟବନ୍ଧୁ ଚିନ୍ତାମଣି ଦାସ ଓଗେର ! ବୋହୂ ହିରଣପ୍ରଭା ଗାଉଛନ୍ତି ବ୍ରାହ୍ମସଙ୍ଗୀତ ! ଅନ୍ୟତମ ବାଲ୍ୟବନ୍ଧୁ ଭଗବାନ ବାବୁ କରୁଛନ୍ତି ବ୍ରାହ୍ମ ଉପାସନା !
ଶାନ୍ତିକାନନକୁ ନିଷ୍ପ୍ରାଣ କରି ଚାଲିଗଲେ ଫକୀରମୋହନ . . . ଚାଲିଗଲେ ଓଡ଼ିଆ ସାହିତ୍ୟର ତ୍ରାଣକର୍ତ୍ତା !
ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ଅଗ୍ରସାରଥୀ, ସାହିତ୍ୟ ସିଂହଦ୍ଵାରର ପ୍ରତିହାରୀ ! ଓଡ଼ିଆ ସାହିତ୍ୟର ଜ୍ଞାନସିଦ୍ଧ ଭୀଷ୍ମ ପିତାମହ !
ଚାଲିଗଲେ ଏ ମାଟିର ଜନମାନସରେ ଚିରସବୁଜ, ଚିରସତେଜ, ସଜଳ ହୋଇ ରହିଥିବା କୋଟି ହୃଦୟର ମଉଡ଼ମଣି, ଦିବ୍ୟପୁରୁଷ ସରସ୍ବତୀ ଫକୀରମୋହନ . . କୋଟି ହୃଦୟକୁ କନ୍ଦାଇଥରାଇ, ଏ ଜାତିକୁ ହୀନିମାନ କରି . .
ଅବିଳମ୍ବେ ବାଲେଶ୍ଵର ନଗରୀରେ ପ୍ରଚାର ହୋଇଯାଇଥିଲା, ଓଡ଼ିଆ ସାହିତ୍ୟର ପ୍ରବାଦପୁରୁଷ ଆଉ ନାହାଁନ୍ତି !
ବ୍ୟାସକବିଙ୍କ ବାସଭବନ ହତାରେ, ବାହାରେ, ରାସ୍ତାରେ, ହଜାର ହଜାର ଜନତାଙ୍କ ଭିଡ଼ ! ସଭିଙ୍କର ପ୍ରଚ୍ଛନ୍ନ ଅଭିଳାଷ, ଦେଖିନେବେ ନିଜର ପ୍ରିୟମଣିଷଙ୍କୁ ଟିକିଏ, ଶେଷଥର ପାଇଁ !
ସୂଚୀଭେଦ୍ୟ ନିରବତା !
ସନ୍ଧ୍ୟା ହେଉ ହେଉ ଫୁଲରେ ସଜ୍ଜିତ ଶବ ଜନସମୁଦ୍ର ଭିତରେ ବୁହା ହୋଇ ଚାଲିଲା ! ଶବ ଆଗରେ ପୁତ୍ର ମୋହିନୀମୋହନ, ନାତୁଣୀଗଣ ! ପଛେ ପଛେ ଅଗଣିତ ଜନତା ! ସେମାନେ ଜଣାଇବାକୁ ଚାହାଁନ୍ତି କେବଳ ସେମାନଙ୍କ ହୃଦୟର ସମ୍ରାଟଙ୍କ ପାଇଁ ଶେଷ ଶ୍ରଦ୍ଧାଞ୍ଜଳି !
ଛତୁଆପୋଖରୀ କୂଳର ଶ୍ମଶାନରେ ଫକୀରମୋହନଙ୍କ ଚିତା ଜଳିଲା ବେଳକୁ ଗୁମୁରି ଗୁମୁରି କାନ୍ଦୁଥିଲା ସାରା ସହର ! ସବୁରି ଅଲକ୍ଷ୍ୟରେ କାନ୍ଦୁଥିଲେ ଉତ୍କଳ ଜନନୀ !
“ସେ ଜଡ଼ଦେହରେ ଆମ ସଙ୍ଗେ ଥା’ନ୍ତୁ ବା ନ ଥା’ନ୍ତୁ, ଦିବ୍ୟଧାମରେ ତାଙ୍କ ଆତ୍ମା ବାସ କରୁଥାଉ ବା ନ ଥାଉ, ତାଙ୍କ ଶାଶ୍ବତ ସର୍ଜନା କିନ୍ତୁ ଚିରଦିନ ଚିରଞ୍ଜିବୀ ହୋଇ ରହିବ ଉତ୍କଳ ଭାରତୀଙ୍କ ସିଂହାସନରେ, ନିଃସନ୍ଦେହରେ . . ।” ଉପସ୍ଥିତ ଜନତାଙ୍କ ଭିତରେ ଗୁଞ୍ଜୁରି ଉଠୁଥିଲା ଏଇ କଥାପଦକ . . !
ସେଇ ଯୁଗସ୍ରଷ୍ଟା ଯୁଗପୁରୁଷ ତଥା ଓଡ଼ିଆ ସାହିତ୍ୟ ସିଂହଦ୍ଵାରର ପ୍ରତିହାରୀ ହିମାଳୟସମ ଉତ୍ତୁଙ୍ଗ ପ୍ରତିଭାଙ୍କୁ ଶତ କୋଟି ଦଣ୍ଡପ୍ରଣାମ କରୁଛି ଅନ୍ତରଙ୍ଗ କଳିଙ୍ଗ ।