ଲେଖା: ଦେଵ ତ୍ରିପାଠୀ
୧୯୧୭ ମସିହା, କଟକ ।
ଓଡ଼ିଆ ବଜାରର ସେଇ ଦୁଇ ମହଲା ପ୍ରାସାଦର ନିରୋଳା କୋଠରୀରେ ବସି ପରାଧୀନ ଭାରତର ବାସ୍ତବ ରୂପକୁ ନିରେଖି ଦେଖୁବାକୁ ଚେଷ୍ଟା କରୁଥିଲା ୨୦ ବର୍ଷର ଯୁବକ ଜଣେ ! ଏ ଜତିର ଗତିକୁ ନେଇ ସେ ଥିଲା ବ୍ୟଥିତ, ବିବ୍ରତ !
ପ୍ରଥମ ଥର ପାଇଁ ଏକ ଭିନ୍ନ ଚେତନାର ଅଭ୍ୟୁଦୟ ଘଟିଥିଲା ସେଇ ଯୁବକ ମନରେ ! ପରିଣତି ସ୍ବରୂପ ରଚିତ ହେଲା ଏକ ସ୍ବର୍ଣ୍ଣାଭ ଇତିହାସ ! ନିଜ ଦେଶ ଓ ଜାତିକୁ ପରାଧୀନତାର ଶୃଙ୍ଗଳରୁ ମୁକ୍ତ କରିବା ପାଇଁ . . ରକ୍ତ ବଦଳରେ ସ୍ବାଧୀନତା ଆଣି ଦେବା ପାଇଁ ସେ ଦେଲା ବଜ୍ର ଆହ୍ୱାନ !
କଟକ ମାଟିର ସୁକୁମାର ଯୁବକ ଦିନେ ବନିବଲା ବିଶ୍ୱବୀର !
ଏଇଠି, ଏଇ ସହରର ମାଟି, ପାଣି ଓ ପବନ ସେଇ ବିଶ୍ୱବୀରଙ୍କୁ ପ୍ରଥମ କରି କହିଥିଲା ପରାଧୀନ ଭାରତବର୍ଷର କଥା ଏବଂ ଦୃଢ଼ ଉନ୍ନତ ରାଷ୍ଟର ସ୍ବପ୍ନ ଦେଖାଇଥିଲା !
ସେ ମାଟି, ସେମିତି ରହିଛି, ଆଜି ମଧ୍ୟ, ସଦର୍ପେ ଦୃଶ୍ୟମାନ ସେଇ ଦ୍ଵିତଳ ପ୍ରାସାଦ; ମଣିଷଟି ଯାହା ରତ୍ନ ପାଲଟି ସାରିଛି କେଉଁ କାଳରୁ ! ସେ ଭବନର ନାମ ଜାନକୀନାଥ ଭବନ, ଯେଉଁଠି ଜନ୍ମିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ! ଓଡ଼ିଶା ମାଟିର ଖାଣ୍ଟି ଓଡ଼ିଆ ପୁଅ !
ତାଙ୍କ ଜନ୍ମ, ବାଲ୍ୟ, ତାରୁଣ୍ୟ ଓ ଯୌବନର ଅୟମାରମ୍ଭକୁ ବହନ କରି ସେଇ ଜାନକୀନାଥ ଭବନ ହୋଇଛି ଏ ମାଟିର ଏକ ପୁଣ୍ୟପୀଠ !
ଏଇ ପୂଜ୍ୟସ୍ମାରକୀରେ ଥରେ ପାଦଦେଲେ କାନରେ ବାଜେ ମହାନ ଦେଶପ୍ରେମୀ ନେତାଜୀଙ୍କ ତ୍ୟାଗ, ବୀରତ୍ୱ, ଶୌର୍ଯ୍ୟ ଓ ଗାରିମାର ଗାଥା, ଏଠି ପଢିହୁଏ ଦେଶ ପାଇଁ, ଜାତି ପାଇଁ, ମୁକ୍ତି ପାଇଁ ତାଙ୍କ ଆତ୍ମିକ ବିକାଶ ଓ ପ୍ରସ୍ତୁତିର କାହାଣୀ . .
ତେବେ ଆଶ୍ଚର୍ଯ୍ୟ ଲାଗେ, ନେତାଜୀ ଏ ମାଟିକୁ କ’ଣ ନ ଦେଇଛନ୍ତି ! ଓଡ଼ିଆଏ ତାଙ୍କୁ କ’ଣ ବା ଦେଇପାରିଛନ୍ତି !ଜୟ କଟକ ।।
ବନ୍ଦେ ଉତ୍କଳ ଜନନୀ ।।
ଜୟ ଭାରତ ।।