ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ
ସାରାଦିନର ଶ୍ରମପରେ ଘରକୁ ଫେରି ଆସେ ପକ୍ଷୀ, ଶ୍ରମଜୀବୀ । ସୂର୍ଯ୍ୟ ଢଳିଯାଏ ପଶ୍ଚିମାଚଳର ବିସ୍ତାରିତ ଦିଗନ୍ତରେ, ସିନ୍ଦୁରିମାର ସନ୍ତକ ଛାଡ଼ି । କ୍ଲାନ୍ତ ପୃଥିବୀ ଘୋଡି ହୁଏ ସଞ୍ଜ ଅନ୍ଧାର । ଠାକୁର ଘରେ ଧୂପ, ଆଳତିର ବାସ୍ନା । ଓଡ଼ିଆ ଘର ବୋହୂ ସଞ୍ଜବତୀ ଦିଏ ଘରର ଦୁଆରବନ୍ଧ ଉପରେ । ଉପାସନା, ଆବାହନ କରେ ତେତିଶ କୋଟି ଦେବାଦେବୀଙ୍କୁ, ପରିବାର ଓ ବିଶ୍ୱର ଶୁଭ ମନାସି ।
ଓଡ଼ିଆ ଘର ପରମ୍ପରାରେ ଦେବୀ ଵୃନ୍ଦାବତୀ ଆରାଧ୍ୟା । ଘରର ଅଗଣାରେ ସୂଚୀମନ୍ତ ପଲ୍ଲୀବଧୂ ଲୁଗାକାନି ବେକ ଚାରିପଟେ ଗୁଡେ଼ଇ ଭକ୍ତିପୂତ ମନରେ ଜାଳିଦିଏ ସଞ୍ଜଦୀପ । ‘ସଭିଙ୍କର ମଙ୍ଗଳ ହେଉ’ କାମନା ଓ ସଞ୍ଜସଳିତାର ଶାନ୍ତ ଆଲୋକ ରହି ରହି ଦୂରେଇ ଦିଏ ତମସା । ଆପେ ଜଳି ଅନ୍ୟକୁ ଆଲୋକିତ କରିବାର ଭାବ ମନ ଭିତରେ ବସା ବାନ୍ଧେ । ସଞ୍ଜ ଲାଗେ ଆପଦଶୂନ୍ୟ, ଆଶ୍ରାମୟ ।
ଆଜି କିନ୍ତୁ ସଞ୍ଜସଳିତା ଜଳୁନାହିଁ ସହରୀ ଜୀବନର କଙ୍କ୍ରିଟ କୋଠାର ପରିଛନ୍ନ ପଥରର ଅଗଣାରେ । ବିଜୁଳି ଆଲୋକର ରୋଷଣୀ ଭିତରେ ସତରେ କଣ ମିଳେ ସଞ୍ଜସଳିତାର ଶାନ୍ତ ପରଶ ?
Image: Social Media