ଲେଖା: ନିରଞ୍ଜନ ସାହୁ
ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ ନିବିଡ଼ ମମତାବୋଧ, ବୃହତ୍ତର ଜୀବନ ପ୍ରତି ଆନ୍ତରିକତାର ଲକ୍ଷଣ ଏ କାଳରେ ପ୍ରକାଶିତ ହେବା ସ୍ଵାଭାବିକ । ସମାଜ, ଶିକ୍ଷା, ଧର୍ମ, ସାହିତ୍ୟ, ମାତୃଭାଷା ରକ୍ଷଣ, ସଂସ୍କୃତି ଓ ରାଜନୀତି ସକଳ ବ୍ୟାପାରରେ ଅସୀମ ଆଗ୍ରହ, ପୁରୋଦୃଷ୍ଟି ପ୍ରକଟିତ ହେଲା । ଏ ସମସ୍ତ ପ୍ରକାର କଥାକୁ ଆଗେଇ ନେବା ପାଇଁ ଓ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବଳିଷ୍ଠ ଭୂମିକା ନେଲେ ସମ୍ବାଦପତ୍ର ଓ ପତ୍ରିକାସମୂହ ।
ଆଧୁନିକ ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ଜୀବନର ବିଶ୍ଵସ୍ତ ବାର୍ତ୍ତାବହ ହେଉଛି ସଂବାଦପତ୍ର ଏବଂ ପତ୍ରିକା ସମୂହ । ଜାତୀୟ ଜୀବନର ବିଚିତ୍ର ପ୍ରାଣ ପ୍ରବାହ ସଂବାଦପତ୍ର ରୂପୀ ଜଳାଧାରରେ ସମ୍ମିଳିତ ହୁଅନ୍ତି । ପତ୍ରିକା ଓ ସଂବାଦପତ୍ର ସମୂହ ରାଜକୀୟ ଶକ୍ତି ନିକଟରେ ଜନମତର ପ୍ରଖ୍ୟାପକ । ପୁଣି ଶାସନ ବିଧାନର ବାଣୀ ଜନସାଧାରଣରେ ଏହା ଦ୍ବାରା ପ୍ରଚାରିତ ହୁଏ । ସେଇଥିପାଇଁ ଏମାନେ ସମାଜର ଦର୍ପଣ ତଥା ଅପରିହାର୍ଯ୍ୟ ଅଂଗ ବିଶେଷ । ଜୀବନଧର୍ମୀ ଆଭିମୁଖ୍ୟର ସାର୍ଥକ ପ୍ରକାଶଭୂମି ଯେତେବେଳେ ଏହି ପତ୍ରିକା ଓ ସଂବାଦପତ୍ର ସମୂହ , ଓଡ଼ିଶା ସେଥିରୁ ବାଦ୍ ପଡଂତା କେମିତି ?
ଓଡ଼ିଶାରେ ଏହି ଜୀବନଧର୍ମୀ ଆଭିମୁଖ୍ୟର ପରିପ୍ରକାଶ ଘଟିଥିଲା କଟକରୁ ପ୍ରକାଶିତ ଉତ୍କଳ ଦୀପିକା ଓ ବାଲେଶ୍ଵରର ସଂବାଦ ବାହିକା ପତ୍ରିକା ମାଧ୍ୟମରେ ।ଏକ ପକ୍ଷରେ ଓଡ଼ିଆ ଭାଷା ବିଲୋପ ପାଇଁ ଆଂଦୋଳନରେ ଉତ୍କଳ ହିତୈଷିଣୀ ଓ କଟକ ଷ୍ଟାର ଏବଂ ଅନ୍ୟ ପକ୍ଷରେ ଭାଷା ବଂଚାଅ ଆଂଦୋଳନରେ ଉତ୍କଳ ଦୀପିକା ଓ ସଂବାଦବାହିକା ପ୍ରତ୍ୟକ୍ଷ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ । ଭାଷା ବିଲୋପ ଆନ୍ଦୋଳନ କାଳରେ ଓଡ଼ିଆ ଭାଷାର ସ୍ଵକୀୟତା ପ୍ରତିପାଦନ, ଦେଶୀୟ ଭାଷାର ଉନ୍ନତି କାମନା ସହ ଓଡ଼ିଆ ଭାଷା ବିଦ୍ୟାଳୟ ଓ କଲେଜରେ ପ୍ରଚଳନ, ଓଡ଼ିଶାରୁ ବଂଗ ଭାଷା ଉଛେଦ ପାଇଁ ସେଦିନ ସଂବାଦ ପତ୍ରିକା ଉତ୍କଳ ଦୀପିକା ମାଧ୍ୟମରେ ସିଂହରଡି଼ ଦେଇ ଥିଲେ ପୁରୁଷ ସିଂହ, ଉତ୍କଳପ୍ରାଣ କର୍ମବୀର ଗୌରୀଶଙ୍କର ରାୟ । ଏହି ସିଂହରଡ଼ି ସେଦିନ ଓଡ଼ିଶା ଶାସନ ଦାୟିତ୍ୱରେ ଥିବା ବ୍ରିଟିଶ ଶାସକ ତଥା ଅଣଓଡ଼ିଆ ଅମଲାତନ୍ତ୍ରର ଆସ୍ଥାନ ଦୋହଲାଇ ଦେଇଥିଲା ।
ବାବୁ ଗୌରୀ ଶଙ୍କର ରାୟ ! ପୁରୁଷସିଂହ, ଉତ୍କଳପ୍ରାଣ, ସ୍ଵାଭିମାନୀ ଓଡିଆ, ଭାଷା ସୁରକ୍ଷାର ଅଗ୍ରସାରଥି, ତେଜୋଦୀପ୍ତ ସାଂବାଦିକ ଏବଂ କର୍ମବୀର ! ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିବାରେ ଅଗ୍ରପୁରୋଧା ଗୌରୀ ଶଙ୍କର ଥିଲେ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଜାତୀୟତା ଓ ସ୍ଵାଭିମାନର ପୁନରୁଦ୍ଧାର ନିମିତ୍ତ ସଂକଳ୍ପବଦ୍ଧ ପ୍ରମୁଖ ବିନ୍ଧାଣୀ । କଟକ ଜିଲ୍ଲାର ଅସୁରେଶ୍ଵର ପ୍ରଗଣା ଅଂତର୍ଗତ ଦିକ୍ଷୀତପଡ଼ା ଗ୍ରାମରେ ୧୮୩୮ ମସିହା ଜୁଲାଇ ମାସ ୧୩ ତାରିଖ ଦିନ ଭୂମିଷ୍ଠ ହୋଇଥିଲେ ଏହି ଜାତିସ୍ମର ମହାନାୟକ । ସେହି ମହାନ୍ ପ୍ରତିଭାଙ୍କୁ ଜାତୀୟଗୈାରବ ମଧୁସୂଦନ, ଯୁଗସ୍ରଷ୍ଟା ଫକୀରମୋହନ, କବିବର ରାଧାନାଥ ସଭିଏଁ ମାନି ନେଇଥିଲେ ଅଗ୍ରଜ ଓ ଗୁରୁ ଭାବରେ ।
~ ସଂକ୍ଷିପ୍ତ ପରିଚୟ ~
ଚାହାଳୀ ପାଠ ଶେଷ କରି ଏଗାର ବର୍ଷ ବୟସରେ କଟକରେ ନାମ ଲେଖା ।ସତର ବର୍ଷ ବୟସରେ ଏଂଟ୍ରାନସ ପାଶ୍ । ଏହାପରେ କଟକରୁ ଶଗଡ଼ରେ ବାଲେଶ୍ଵର ଓ ସେଠାରୁ ଦଶ ଦିନ ପାଦରେ ଚାଲି ଚାଲି ଉଚ୍ଚ ଶିକ୍ଷା ପାଇଁ ହୁଗୁଳୀରେ ପଦାର୍ପଣ । ହୁଗୁଳୀରୁ ପାଠ ଶେଷ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ ଏବଂ ବାଲେଶ୍ବର ଜିଲ୍ଲା ସ୍କୁଲରେ ଶିକ୍ଷକତା । ସେଇଠି ଫକୀରମୋହନ ସେନାପତି , ରାଧାନାଥ ରାୟ ଓ ବୈକୁଣ୍ଠ ନାଥ ଦେଙ୍କ ସାନିଧ୍ୟ ଲାଭ । ଅଳ୍ପ ଦିନର ଶିକ୍ଷକତା ପରେ ନିଜ ଗାଁକୁ ପ୍ରତ୍ୟାବର୍ତ୍ତନ ।୧୮୫୯ ସାଲରେ କଟକ କମିଶନ ଅଫିସରେ ଚାକିରୀ ଅସ୍ଥାୟୀ ଭାବେ ଓ ପରେ ସ୍ଥାୟୀ ଭାବେ ଅନୁବାଦକ ପଦବୀରେ ନିଯୁକ୍ତି । କୋଡିଏ ବର୍ଷ ଚାକିରୀ ପରେ ୧୮୯୨ ମସିହାରେ ଅବସର । ଏଇଠୁ ଆରମ୍ଭ ହେଲା ଦେଶସେବା , ଓଡ଼ିଶାର ସ୍ବାର୍ଥ ରକ୍ଷା ଓ ସର୍ବସାଧାରଣଙ୍କ ପାଇଁ ସ୍ବତନ୍ତ୍ର ଭାବେ ନିଜକୁ ନିୟୋଜିତ କରିବା । ଚାକିରୀକାଳ ଭିତରେ ଓଡ଼ିଆ ଏବଂ ଓଡ଼ିଶାର ଉନ୍ନତି ଚିନ୍ତା କରି ଯେଉଁ ଯେଉଁ କାର୍ଯ୍ୟମାନ ଚଳାଉଥିଲେ ତାହାର ପୂର୍ଣ୍ଣାଙ୍ଗ ରୂପ ଓ ସେଥିପାଇଁ ଅଧିକ କିଛି କରିବା ପାଇଁ ସମୟ ମିଳିଗଲା ।
~ କଟକରେ ସରକାରୀ ଚାକିରୀ ଆରମ୍ଭ କରିବା ପରେ ~
୧୮୫୯ ମସିହାରେ କଟକ କମିଶନ ଅଫିସରେ ଚାକିରୀ କରିବା ପରେ ପରେ ବଂଗୀୟ ଅମଲା ମାନଙ୍କ ଚଳଣୀ, ବଂଗଳା ଭାଷାରେ କଥୋପକଥନ, ବଂଗଳାରେ ଶିକ୍ଷାଦାନ ଭାରି ବ୍ୟଥିତକଲା ଗୌରୀଶଙ୍କରଙ୍କୁ । ଏହାର ନିରାକରଣ ପାଇଁ ଉପାୟ ଖୋଜିବାକୁ ଲାଗିଲେ ଏହି ସ୍ଵାଭିମାନୀ ଛବିଶ ବର୍ଷୀୟ ଯୁବକ, “ଓଡ଼ିଆ ପାଠ୍ୟପୁସ୍ତକ, ଓଡ଼ିଆ ପତ୍ରପତ୍ରିକା ପ୍ରକାଶ କରିବା ପାଇଁ କୋୖଣସି ଛାପାଖାନା ନ ଥିବାରୁ ଲୋକେ ବାଧ୍ୟ ହୋଇ ବଂଗଳା ପଢ଼ୁଛନ୍ତି “— ଏହି ଚିଂତାର ବୀଜବପନ ହେଲା ୧୮୬୪ ମସିହାରେ ପ୍ରଥମ ଯୌଥ ପ୍ରିଣ୍ଟିଂ କମ୍ପାନୀ, ଯାହା ନାମିତ ହେଲା କଟକ ପ୍ରିଣ୍ଟିଂ କୁମ୍ପାନୀ ନାମରେ । ଏଥିରେ ବୋର୍ଡ ଅଫ ଡାଇରେକ୍ଟର ରହିଲେ ୧୨ ଜଣ ଏବଂ ଅଂଶୀଦାରଙ୍କ ସଂଖ୍ୟା ଥିଲା ୧୦ ଜଣ । ମୋଟ ଅଂଶଧନ ୭୫୦୦ ଟଙ୍କା ଖଟାଇଥିଲେ ଏହି ୧୦ ଜଣ ଅଂଶୀଦାର ।
ପରବର୍ତ୍ତୀ ସମୟରେ ୧୮୬୬ ମସିହାରେ ଓଡ଼ିଆ ପ୍ରେମୀ ବ୍ରିଟିଶ ଶାସକ ଟି. ଇ. ରେଭେନ୍ସା ସାହେବ ଉତ୍ସାହିତ କରିବା ସହ ଏହାର ଅଂଶଧନ ମଧ୍ୟ କ୍ରୟ କରିଥିଲେ । ଅତଏବ ସରକାରୀ ସହଯୋଗ ପାଇ ଆଗେଇ ଚାଲିଲା ଏହି ଛାପାଖାନା, ଯାହା ଓଡ଼ିଶାର ପ୍ରଥମ ପ୍ରେସ୍ । ଓଡ଼ିଆ ଲିପି ବ୍ୟବହାର କରି ଏଠାରୁ ମୁକ୍ତିଲାଭ କରିଥିଲା ପ୍ରଥମ ମୁଦ୍ରିତ ସାପ୍ତାହିକ ସଂବାଦପତ୍ର ଉତ୍କଳ ଦୀପିକା ୧୮୬୬ ମସିହା ଅଗଷ୍ଟ ମାସ ୪ ତାରିଖ ଦିନ । ସେହି ସମୟରେ ମହାନ ଦେଶଭକ୍ତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଏହି ଛାପାଖାନା ପାଇଁ ସୀସା ଅକ୍ଷର କଲିକତାରୁ ଯୋଗାଡ଼ କରି ପଠାଇଥିଲେ ଓ ଶୁଭକାମନା କରିଥିଲେ ।
ଆଲୋଚନାରେ ନିର୍ଭିକତା, ଯୁକ୍ତିନିଷ୍ଠା, ସତ୍ୟ ଓ ନ୍ୟାୟ ପ୍ରତି ଅବିଚଳିତ ଶ୍ରଦ୍ଧା , ଆବେଗମୁକ୍ତ ପ୍ରକାଶ ସଂଯମ ସାଂବାଦିକର ଗଦ୍ୟକୁ ପ୍ରାଣବଂତ ଓ ଚିତ୍ତାକର୍ଷକ କରିଥାଏ ।
“କରଇ ରୋଦନ ଓଡି଼ଶ୍ୟା ବସିଣ
ବହୁ ସନ୍ତାନ ହରାଇ
ଦୁର୍ଭିକ୍ଷ ବିପଦ ଘୋର ପରମାଦ
ଘୋଟିଲା ମତେ କିମ୍ପାଇଁ ।
ନ ଜାଣଇ ମୁଁ କିଛି,
କି ବା ଅପରାଧ କରିଅଛି ।
ବଞ୍ଚିଲେ ଯେ ଜନ ନ ପାଇ ଭୋଜନ
ଉଦର ସମ୍ପୂର୍ଣ୍ଣ ମତେ
କ୍ଷୀଣ ହେଲା ଦେହ ତୁଛ ଚର୍ମମୟ
ଦିଶେ ଅସ୍ଥି ଅଛି ଯେତେ
ଚାଲିବାକୁ ଅକ୍ଷମ,
କରିପାରିବେ ଆଉ କି କର୍ମ ।
ଯଦି କମିସ୍ନର ହୋଇଣ ତତ୍ପର
କରିଥାନ୍ତା ଅନ୍ଵେଷଣ
ପ୍ରକୃତ ଅବସ୍ଥା ଜାଣିପାରିଥାନ୍ତା
ନ ହୁଅନ୍ତା ଏ ମରଣ
ବଡ଼ ଆଳସ୍ୟ କଲା,
ପର କଥାରେ ଭୁଲି ରହିଲା ।”
(କବିତା- ଓଡ଼ିଶ୍ୟା ବିଳାପ/ଉତ୍କଳ ଦୀପିକା ତା ୧୦/୧୧/୧୮୬୬)
ଉତ୍କଳ ଦୀପିକା ପ୍ରକାଶନ ପରେ ଅର୍ଦ୍ଧସୁପ୍ତ ଓଡ଼ିଆ ଜାତି ସଂବିତ୍ ଫେରିପାଇଲା। ‘ଉଡି଼ୟା ସ୍ଵତନ୍ତ୍ର ଭାଷା ନୟ’ ଷଡ଼ଯନ୍ତ୍ର ବିରୁଦ୍ଧରେ ଗୌରୀଶଙ୍କରଙ୍କ ରଣହୁଙ୍କାର ପ୍ରକମ୍ପିତ କରିଦେଲା ବଂଗପ୍ରଦେଶ ତଥା ଓଡ଼ିଆ ଭାଷା ବିରୋଧି ତଥାକଥିତ ବିଜାତୀୟ ବିଦ୍ଵେଷୀ ସଭ୍ୟସମାଜକୁ । ତାଙ୍କର ନିର୍ଭୀକ ସାମ୍ବାଦିକତା ତତ୍କାଳୀନ ବହୁ ସଚେତନ ତଥା ଶିକ୍ଷିତ ଓଡିଶାବାସୀଙ୍କ ମନରେ ଜାତୀୟତାର ଭାବନା ସଂଚାରିତ ହେଲା । ଜନଜାଗରଣ ସୃଷ୍ଟି ହେଲା। ସରକାରୀ ଉଦାସୀନତା, ଓଡ଼ିଆ ଭାଷା ପ୍ରଚଳନ, ଅପସଂସ୍କୃତି, ପାଠ୍ୟ ପୁସ୍ତକ ପ୍ରଣୟନ, ନଅଙ୍କ ଦୁର୍ଭିକ୍ଷର ଭୟାବହତା, ରିଲିଫ ବ୍ୟବସ୍ଥା, ରାଜ୍ୟର ବିଭିନ୍ନ ଦାବୀ, ଭବିଷ୍ୟତର ପ୍ରତିକାର ଉପରେ ପ୍ରଶ୍ନ ଉଠାଇଲା ଉତ୍କଳ ଦୀପିକା । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ସ୍ଵର ଶୁଣିବାକୁ ମିଳିଲା ଏହାରି ମାଧ୍ୟମରେ । କ୍ରମଶଃ ଉଜ୍ଜିବିତ ହେଉଥିଲା ଦୀପିକା ଏବଂ ଦଳମତ ନିର୍ବିଶେଷରେ ଏହା ହୋଇଉଠିଲା ଓଡ଼ିଆଙ୍କ ସ୍ଵାର୍ଥରକ୍ଷା କବଚ ।
ସେହିଠାରେ କିନ୍ତୁ ଅଟକି ଗଲେ ନାହିଁ କର୍ମବୀର ଗୌରୀଶଙ୍କର । ଆଗକୁ ଆଗେଇ ଆସିଲେ ଜନହିତକର କାର୍ଯ୍ୟ ନିମନ୍ତେ, ନିଜର ସଂଚିତ ଧନର ଉପଯୋଗ କରି ଯାହା କେବଳ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଥିଲା !
~ କିଛି ପ୍ରମୁଖ କାର୍ଯ୍ୟ, ଯାହା ଏବେ ବି ସ୍ମରଣୀୟ ~
* ୧୯୦୩ ମସିହାରେ ଗଠିତ ଉତ୍କଳ ସମ୍ମିଳନୀର ଜଣେ ସଂପାଦକ ଭାବେ ମନୋନୀତ;
* ୧୯୦୬ ମସିହା ଉତ୍କଳ ସମ୍ମିଳନୀରେ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଓଡ଼ିଶାରେ ମିଶ୍ରଣ ପାଇଁ ଚିଠା ପ୍ରସ୍ତୁତ ଓ ମାନ୍ଦ୍ରାଜ ଗବର୍ଣ୍ଣମେଂଟକୁ ପ୍ରେରଣ;
* ୧୯୦୯ ମସିହାରେ ନିଜ ଅର୍ଥରେ କଟକ ଟାଉନ ହଲ୍ ପ୍ରତିଷ୍ଠା
* ନିଜ ଅର୍ଥରେ କଟକର କାଠଗଡ଼ା ସାହିରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କାୟସ୍ଥ ଛାତ୍ରାବାସ ନିର୍ମାଣ;
* ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଦ୍ଵାରା ସ୍ଥାପିତ ହାଇସ୍କୁଲ ପି. ଏମ୍. ଏକାଡେମୀର ଛାତ୍ରାବାସ ନିର୍ମାଣ ପାଇଁ ବହୁ ଅର୍ଥଦାନ;
* ନିଜ ଗାଁ ଦିକ୍ଷୀତପଡ଼ାରେ ବାଳିକା ବିଦ୍ୟାଳୟ ଓ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ବହୁ ଅର୍ଥଦାନ;
* ପୁରୀରେ ସାମଂତ ଚଂଦ୍ରଶେଖର ସ୍ମୃତି ମଂଦିର ନିର୍ମାଣ;
* ୧୮୭୨ ମସିହାରେ ଉତ୍କଳୋଲ୍ଲାସିନୀ ସଭା ଗଠନ (ଓଡ଼ିଶାର ସ୍ବାର୍ଥ ପାଇଁ);
* କଟକ ମେଡିକାଲ ସ୍କୁଲ, ସର୍ଭେ ସ୍କୁଲ ଓ ନର୍ମାଲ୍ ସ୍କୁଲ ପ୍ରତିଷ୍ଠା ପାଇଁ ବହୁ ଅର୍ଥଦାନ;
* ୧୮୮୨ ରେ ଉତ୍କଳ ସଭା ଗଠନ;
* ଓଡ଼ିଆ ପାଠ୍ୟପୁସ୍ତକ ଅଭାବ ଦେଖି ବିଦ୍ୟାଳୟରେ ପଢ଼ିବା ପାଇଁ ଭୂଗୋଳ ତତ୍ତ୍ୱ ପୁସ୍ତକ ରଚନା ଓ ସରକାରୀ ସ୍ଵୀକୃତି;
* ୧୯ ଅଧ୍ୟାୟ ବିଶିଷ୍ଟ ରଘୁବଂଶ ଗଦ୍ୟଗ୍ରଂଥ ରଚନା;
* ଓଡ଼ିଶାର ପ୍ରଥମ ମୁଦ୍ରିତ ପାଂଜି ଲୋକାର୍ପିତ ହେଲା କଟକ ପ୍ରିଣ୍ଟିଂ କୁମ୍ପାନୀ ମାଧ୍ୟମରେ;
* ଜନହିତକର କାର୍ଯ୍ୟ ଯଥା – ବହୁ କୂପଖନନ, ପୁଷ୍କରିଣୀ ପଂକୋଦ୍ଧାର, ଓଡ଼ିଶାର ବହୁ ଜୀର୍ଣ୍ଣ ମଂଦିର ପୁନରୁଦ୍ଧାର ଓ ସାହିତ୍ୟସଂସ୍କୃତି ଚର୍ଚ୍ଚା ପାଇଁ ସଭାସମିତି ମାନଂକୁ ବିପୁଳ ଅର୍ଥ ଦାନ ।
କର୍ମବୀର ଗୌରୀଶଙ୍କର ଥିଲେ ଅତ୍ୟନ୍ତ ଧୀର ଓ ସ୍ପଷ୍ଟବାଦୀ । ଓଡ଼ିଆ ଭାଷା ବିଦ୍ଵେଷୀମାନଂକ ପାଇଁ ସେ ଥିଲେ ଅଗ୍ନିବର୍ଧକ ସ୍ଫୁଲିଂଗ ! ଓଡ଼ିଆ ଏବଂ ଓଡ଼ିଶା ବିରୁଦ୍ଧରେ କେହି ସ୍ଵର ଉଠାଇଲେ, ତାହାକୁ ଶତସିଂହର ପରାକ୍ରମରେ ପ୍ରତିରୋଧ କରିବା ଥିଲା ତାଙ୍କର ଧର୍ମ । ଓଡ଼ିଆ ଭାଷା ବିଲୋପ ପାଇଁ ଅଂଟା ଭିଡି଼ଥିବା କାଂତିଚଂନ୍ଦ୍ର ଭଟ୍ଟାଚାର୍ଯ୍ୟ, ରାଜେନ୍ଦ୍ରଲାଲ୍ ମିତ୍ର ଓ ଏହି ଦୁଇ ଜଣଙ୍କ ଦ୍ଵାରା ପ୍ରଭାବିତ ଓଡ଼ିଶାର ତତ୍କାଳୀନ ଡି.ପି.ଆଇ. ଅଟକିନସନ ସାହେବଙ୍କୁ ୧୮୭୪ ମସିହାରେ ନାମିତ କଲେ ଭାଷା ଧ୍ଵଂସକାରୀ କଳାପାହାଡ଼ ନାମରେ, ଯାହା ଦୀପିକା ମାଧ୍ୟମରେ ବିଷୋଦଗାର ହୋଇଥିଲା । ଭାଷାସୁରକ୍ଷା ପାଇଁ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ଆମର କର୍ମବୀର, ତାହା ସର୍ବଦା ଓଡ଼ିଆ ଭାଷା ହିତୈଷୀ T.E.Ravenshaw ଓ John Beams ମହୋଦୟଙ୍କ ଦ୍ଵାରା ସମର୍ଥିତ ହୋଇ ଆସୁଥିଲା । ଏସବୁ ସତ୍ତ୍ୱେ ଓଡ଼ିଶାର ନାଯ୍ୟ ଦାବି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଥିଲା ତାଙ୍କର ପ୍ରଥମ ଓ ପ୍ରଧାନ କାର୍ଯ୍ୟ ।
“ଏତେଗୁଡ଼ାଏ ଲୋକ ଏତେ ଦିନ ଯାଏଁ ପରିଶ୍ରମ କରି ଯେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ, ଏହା ବଡ଼ ସନ୍ତାପର ବିଷୟ । କଟକରେ କଲେଜ ସ୍ଥାପନ ଏ ସନ୍ତାପରୁ ଉଦ୍ଧାର ହେବାର ଏକମାତ୍ର ଉପାୟ। ବଂଗଳାରେ ବହୁତ କଲେଜ ଅଛି, କିନ୍ତୁ ଓଡ଼ିଶା କି ଦୋଷ କରିଅଛି ଯେ, ଗୋଟିଏ ସୁଦ୍ଧା କଲେଜ ପାଇବ ନାହିଁ । ବାସ୍ତବରେ ଏହାର ଗୋଟିଏ କଲେଜ ପ୍ରତି ଦାବୀ ହୋଇଅଛି ।ଶରୀର ପୋଷଣ ନିମନ୍ତେ ଆମ୍ଭେମାନେ ବଡ଼ କାତର ନୋହୁଁ । ଯଥେଷ୍ଟ ଧାନ ଫଳିବାରୁ ପ୍ରାଣ ଧାରଣ କରିବାକୁ ସମର୍ଥ ହେଉଅଛୁ ଓ ଯାହା ଅବା କଦା କଦା ଦୁର୍ଭିକ୍ଷର ଭୟ ଥିଲା ତାହା ନିବାରଣ ପକ୍ଷରେ ସରକାର ନାଳ ଖୋଳି ଆପଣା କର୍ତ୍ତବ୍ୟ ସାଧନ କରିଅଛନ୍ତି। ଏଥର ମାନସିକ ଦୁର୍ଭିକ୍ଷ ବଳବତ୍ତର ରୂପେ ପଡ଼ିଲା।” (ଉତ୍କଳ ଦୀପିକା-୧୩/୦୧/୦୧/୧୮୭୨)
କର୍ମବୀର ଗୌରୀଶଙ୍କର ଏ ଜାତିର ଭାଷା ସୁରକ୍ଷା, ସାଂସ୍କୃତିକ ଅଭ୍ୟୁଥାନ, ଓଡ଼ିଆ ବୋଲି ନିଜର ପରିଚୟ ଦିଆଇବା ପାଇଁ ଯେଉଁଭଳି ଭାବେ ସଂଗ୍ରାମ କରିଛନ୍ତି, ତାହା ଯୁଗ ଯୁଗ ଧରି ଓଡ଼ିଶା ଇତିହାସର ପୃଷ୍ଠାମଂଡନ କରୁଥିବ ଉଜ୍ଜ୍ୱଳ ଅକ୍ଷରରେ । ସେ ଥିଲେ ପୁରୁଷସିଂହ, କର୍ମବୀର । ସେ ହିଁ ଅଗ୍ରପୁରୋଧା , ପ୍ରଥମ ସାଂବାଦିକ, ପ୍ରକାଶକ ଏବଂ ଆମ ଭାଷାରେ ଉତ୍କଳପ୍ରାଣ କର୍ମବୀର ଗୌରୀଶଙ୍କର । ଏହି ବୀର ସନ୍ତାନଙ୍କର କର୍ମମୟ ଜୀବନର ଅବସାନ ଘଟିଥିଲା, ୧୯୧୭ ମସିହା ମାର୍ଚ୍ଚ ମାସ ସତର ତାରିଖରେ ।
ଏହି ମହାପୁରୁଷଙ୍କୁ ବ୍ରିଟିଶ ସରକାରଙ୍କ ତରଫରୁ ମିଳିଥିଲା ରାୟବାହାଦୂର ଉପାଧି ୧୯୧୬ ମସିହାରେ। ଓଡ଼ିଶାର ଅନ୍ୟତମ ବିନ୍ଧାଣି କର୍ମବୀର ଗୌରୀଶଙ୍କର ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଏହି ଉକ୍ତି ଗୁଡି଼କୁ ଏଠାରେ ଉପସ୍ଥାପନ କରିବା ସମିଚୀନ ହେବ —
ଜନ୍ ବିମସ୍: “In this town he is a man indeed . “
ବ୍ୟାସକବି ଫକୀରମୋହନ:
“ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ ,
ଦୀପିକା ଲେଖୁଛ ବସି ତିରିଶ ବରଷ।
ନ ମାନି ବିପଦ ବାଧା , ନ ଚାହିଁ ନିଜକୁ
ମନ ପ୍ରାଣ ସମରପି ପାଳିଛ ବ୍ରତକୁ ।
ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ ,
ଅଟ ତୁମ୍ଭେ ଜଣେ Man of Business.”
କବିବର ରାଧାନାଥ ରାୟ —
“ଉତ୍କଳ ତିମିର ସହ କରିତେଛ ରଣ
ଉତ୍କଳ ଦୀପିକା ରୂପ ପାଶୁପତ ଧରି
ବିରାଜେ ବାଳେନ୍ଦୁ ଯଥା ଚନ୍ଦ୍ରଚୂଡ଼ ଶିରେ
ତବ ଭାଲେ ଯଶଚନ୍ଦ୍ର ଭାତିବେ ଅଚିରେ ।”
ଏ ଯଶଗାନ ତ ଯୁଗ ଯୁଗ ଧରି ପ୍ରତ୍ୟେକ ଓଡିଆଙ୍କ ପ୍ରାଣରେ ରହିଛି ଓ ରହିବ ମଧ୍ୟ । ସେଇଥିପାଇଁ ତାଙ୍କର ଜୀବନୀ ଉପରେ ଲିଖିତ ହୋଇଛି ଅନେକ ପୁସ୍ତକ । ଭକ୍ତକବି ମଧୁସୂଦନ ରାଓଙ୍କ ‘କର୍ମବୀର ଗୌରୀଶଙ୍କର’ ମୃତ୍ୟୁଞ୍ଜୟ ରଥଙ୍କ ‘କର୍ମଯୋଗୀ ଗୌରୀଶଙ୍କର’, କୃଷ୍ଣଚନ୍ଦ୍ର କରଙ୍କ ‘କର୍ମବୀର ଗୌରୀଶଙ୍କର’ ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନଙ୍କ ‘ଶତାବ୍ଦୀ ପୁରୁଷ’, ମଧୁସୂଦନ ପତିଙ୍କ ‘Gouri Shankar Ray’ ଏବଂ ପାଠ୍ୟପୁସ୍ତକରେ ଅନେକ ଓଡ଼ିଆ ପ୍ରବନ୍ଧ ହିଁ ଜଣାଇଦିଏ ଓଡ଼ିଆ ଓ ଓଡ଼ିଶା ତାଙ୍କୁ ଭୁଲି ପାରେନା କୌଣସି ମତେ ।
ସହାୟକ ଗ୍ରନ୍ଥ: ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ, ଶ୍ରୀନିବାସ ମିଶ୍ର; ଓଡ଼ିଆ ସାହିତ୍ୟର ଇତିହାସ, ଡଃ ବାଉରୀବନ୍ଧୁ କର; ଓଡ଼ିଆ ସାହିତ୍ୟର ଇତିହାସ, ଡଃ ସୁରେନ୍ଦ୍ର ମହାରଣା; ଆମେ ଓଡ଼ିଆ, ଶ୍ରୀ ନୃସିଂହ ଚରଣ ସାହୁ ଏବଂ ଅନ୍ୟ କେତେକ ପ୍ରବନ୍ଧ