ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~
“ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଂଗତା ପ୍ରତ୍ୟେକ ଜୀବନରେ ଆସେ — ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଂଗ ତରୁଣକୁ ଯେଉଁମାନେ ସଖ୍ୟ ଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା ତା’ ପକ୍ଷରେ କି ବିଚିତ୍ର ବ୍ୟାପାର ? ” (ଧୂପ ମୁଖବଂଧ )
ମାନସିଂହୀୟ ସ୍ଵାତନ୍ତ୍ର୍ୟରେ ଭାସ୍ଵର ଏହି ପ୍ରେମ କବିତା ‘ଧୂପ’ର କବି ଚହଲା ମନ ଦୋହଲା ଭାବନାକୁ ଅକ୍ଷର ଫୁଲରେ ସଜାଇ ଦେଇଥିବା କବି ଡ. ମାୟାଧର ମାନସିଂହ । ପ୍ରେମ ଓ ପ୍ରଣୟର କବି ଭାବରେ ସାରା ଓଡ଼ିଆ ସାହିତ୍ୟରେ ସୁପରିଚିତ, ଏକ ବିଶେଷ, ସ୍ଵତନ୍ତ୍ର ସ୍ଥାନର ଅଧିକାରୀ । ପ୍ରାଚୀନ ତଥା ମଧ୍ୟଯୁଗୀୟ ଓଡ଼ିଆ କବିତାରେ କୌଣସି କବି ନିଜର ପ୍ରେମ ଜୀବନକୁ ମାନସିଂହଙ୍କ ଭଳି ମାଦକଭରା ଭାଷା ଓ ଖୋଲା ହୃଦୟ ନେଇ ପ୍ରକାଶ କରି ନଥିଲେ । କୃତ୍ରିମତା, ଛଳନା ଓ ଅନୁସରଣ ସର୍ବସ୍ଵତା ଭିତରେ ଛଂଦି ହୋଇ ପଡ଼ିଥିବା ମାନସିଂହ ପୂର୍ବବର୍ତ୍ତୀ କାବ୍ୟ, କବିତା ପାଠ କରି ଓଡ଼ିଆ ପାଠକ ସମାଜ ହୁଏତ ଅନୁସଂଧାନ କରୁଥିଲା ଆତ୍ମ-ମୁକ୍ତି, ଅନୁଭବସିଦ୍ଧ, ଆବେଗମୟ ଭାଷା ରୂପରେ ଚିତ୍ରିତ ରୂପ ଓ ସୌନ୍ଦର୍ଯ୍ୟର ଭାଷା ! ଏବଂ ସେହି ସମୟରେ ଦୁର୍ଗମ ଅଂଚଳ ‘ନଂଦଳା’ର ଅଭାବକ୍ଲିଷ୍ଟ ଯୁବକ ମାୟାଧରଂକ ଲେଖନୀରୁ ଝରି ଆସିଥିଲା ଆବେଗମୟ ବୈଚିତ୍ର୍ୟର କାବ୍ୟ କବିତା ସମୂହ । ପାଠକର ହୃଦୟରେ ପ୍ରବେଶ ନ କରିବାର କୌଣସି ଚାରା ଆଉ ନଥିଲା । ଫଳତଃ ନୂତନ ପୀଢ଼ି ପାଠକର ହୃଦୟ-ସିଂହାସନରେ ଏକେଶ୍ଵର ହୋଇ ବିରାଜିତ ହେବାରେ ନଥିଲା ପ୍ରତିବଂଧକ ! ଓଡ଼ିଆ ସାହିତ୍ୟରେ ରୋମାଂଟିକ୍ ଚିଂତାଧାରାର ନୂତନ ପ୍ରସ୍ଥ ଉଦଘାଟିତ ହେବାରେ ଆଉ ବେଶୀ ବିଳଂବ ହୋଇ ନଥିଲା ଯେପରି । #ଧୂପ, ପ୍ରେମପୁଷ୍ପ, ହେମପୁଷ୍ପ, ହେମଶସ୍ୟ, ଉପେକ୍ଷିତା’ର କବି ଭାବରେ ପରିଚିତ ହୋଇଗଲେ ମାୟାଧର ସାରା ଓଡ଼ିଶାର ପାଠକ ମହଲରେ । ବସ୍ତୁତଃ ସେହି ଯୁବକଙ୍କୁ ସାଧାରଣ ପାଠକଟିଏ ଗ୍ରହଣ କରିନେଲା ପ୍ରେମିକକବି’ ଭାବରେ ।
ଅଜସ୍ର ପାଠକୀୟ ଶ୍ରଦ୍ଧା ସିନା ମିଳିଲା, ହେଲେ ସାଧାରଣରେ ଏକପାଖିଆ ଅତ୍ୟଧିକ ଗୁରୁତ୍ଵ ଆରୋପ ଦ୍ଵାରା ମାନସିଂହଙ୍କ ଅନ୍ୟ କୃତି ସମୂହକୁ ପାଠକେ ଆଉ ଚିଂତା କରିଲେନି, ବରଂ ସହଜିଆ ମଂତବ୍ୟ ଦେଇ ଉଠିଲେ, ଏକ ସଂକୀର୍ଣ୍ଣ ଉପାଧି ଦେଇ ପ୍ରେମିକକବି ମାୟାଧର ମାନସିଂହ ! ଏହାହିଁ ହେଉଛି ବିଡ଼ଂବନା ମାୟାଧର ମାନସିଂହଙ୍କ ସୃଷ୍ଟି ତଥା ମାନସିଂହୀୟ ସାହିତ୍ୟ ଚର୍ଚ୍ଚା ନିମିତ୍ତ । ସାଧାରଣ ପାଠକ (ଆମ ଭଳି !) ତାଂକୁ ସଂକୀର୍ଣ୍ଣତାର ଗଂଡି ମଧ୍ୟରେ ଆସୀନ କରାଇ, ତାଂକର ବହୁମୁଖି ପ୍ରତିଭା ପ୍ରତି ଆଉ ଦୃଷ୍ଟି ଫେରାଇଲେ ନାହିଁ ଯେପରି ! ତେବେ ମାନସିଂହଙ୍କ ସମସ୍ତ କବିତା, ସମଗ୍ର ସୃଷ୍ଟି ସଂପଦର ଯଥାର୍ଥ ଅଧ୍ୟୟନ ହୋଇ ପାରିଥିଲେ , ନିଶ୍ଚିତ ଭାବେ ପାଠକେ ତାଂକୁ ଓଡ଼ିଆ ସାହିତ୍ୟରେ ବିଂଶ ଶତାବ୍ଦୀର ଏକ ଶ୍ରେଷ୍ଠ ଆସନରେ ଅଧିଷ୍ଠିତ କରାଇ ପାରିଥାଆନ୍ତେ !!
୧୯୦୫ ମସିହାରେ ଜନ୍ମ ଠାରୁ ୧୯୭୩ ମସିହା ସ୍ଵର୍ଗାରୋହଣ ପର୍ଯ୍ୟନ୍ତ, ବହୁ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ କାଳାତିପାତ କରିଥିବା ସାହିତ୍ୟିକ ମାୟାଧର ମାନସିଂହ । ନିଜେ ଧୂପ ଭଳି ଜଳିଛଂତି, ମାତ୍ର ବାସ ଚହଟାଇ ଦେଇଛଂତି ଭାରତୀୟ ସାହିତ୍ୟରେ । ଓଡ଼ିଆ ସାହିତ୍ୟରେ ଏପରି କୌଣସି ବିଭାଗ ନାହିଁ, ଯାହା ତାଂକ ପ୍ରତିଭାର କାଉଁରୀ ସ୍ପର୍ଶରେ ସଂଜୀବିତ ହୋଇନାହିଁ । ତେଣୁ ଓଡିଆ ସାହିତ୍ୟକୁ ତାଂକର ଦାନ ସର୍ବାଧିକ ଓ ସର୍ବମାନ୍ୟ ।
~ ମାନସିଂହୀୟ କାବ୍ୟ କବିତା ~
ରୋମାଂଟିକ୍ ଦୃଷ୍ଟିଭଂଗୀରେ ରାଧାନାଥଂକ କାବ୍ୟଚେତନା ସହିତ ତାଂକର ଭାବ ନିବିଡ଼, ମାତ୍ର ରାଧାନାଥଂକ ଭଳି ବିଜାତୀୟ ଭାବକୁ ସେ ଗ୍ରହଣ କରିପାରିନାହାଂତି । ବରଂ ରାଧାନାଥୀ କାବ୍ୟ ଚେତନାର ଦୃପ୍ତ ପ୍ରତିବାଦ ଭାବରେ ଆତ୍ମପ୍ରକାଶ କରିଥିବା ତାଂକ କାବ୍ୟଚେତନାରେ ରାଧାନାଥୀ ରୂପ ପ୍ରାଣତା ସହ ସତ୍ୟବାଦୀର ତୀବ୍ର ଜାତୀୟ ଆଭିମୁଖ୍ୟର ଚମତ୍କାର ସହାବସ୍ଥାନ, ସବୁଜ ଗୋଷ୍ଠୀର ପଳାୟନବାଦ ପ୍ରତି ଅସହ୍ୟତା, ପଲ୍ଲୀ ଜୀବନର କରୁଣ-ମଧୁର ରସ, ଗୌରବାବହ ଐତିହ୍ୟ, ପଲ୍ଲୀରୂପ, ଦାର୍ଶନିକ ଚିଂତନର ଗର୍ଭଗୃହ ହିଁ ତାଂକରି କବିତା !
ମାନସିଂହଙ୍କ କବିତାର ମୂଳଭିତ୍ତି ହିଁ ଇହଜଗତ ପ୍ରତି ତାଂକର ଆସକ୍ତି ଓ ମାନବପ୍ରୀତି । ପୁନଶ୍ଚ ରୂପ ଓ ସୌଂଦର୍ଯ୍ୟର କବିତା ସହ ଦେଶପ୍ରୀତି, ରୂପପ୍ରୀତି, ସାମ୍ୟବାଦୀ ଚିନ୍ତାଧାରା, ମହାଚେତନା, ମାନବବାଦ, ସଂସ୍କାର, ଗଭୀର ଅନୁଭୂତି, ଜିଜ୍ଞାସା, ଆଧିଭୌତିକ ଚେତନା , ଧର୍ମୀୟ ମୂଲ୍ୟବୋଧ ପ୍ରତିଫଳିତ ହୋଇଛି କବିତା ସମୂହରେ । ଧୂପ କବିତା ସିନା ଚାରୁକେଶୀ ବାଳିକା ହେମଲତାଂକୁ ଉତ୍ସର୍ଗ କରିଛନ୍ତି, ହେଲେ ତାହା ତ ବୈବାହିକ ଜୀବନର ପୂର୍ବରୁ, ଯୌବନର ଆଦ୍ୟ ପାହାଚରେ ! ତେବେ ଜୀବନର ଚଲାପଥରେ, ଯୌବନର ଉତ୍ତରକାଳରେ ରୋମାଂଟିକ୍ କାବ୍ୟ ଧୂପ, ପ୍ରେମପୁଷ୍ପ, ହେମପୁଷ୍ପ, ହେମଶସ୍ୟ ସଂଗୋପିତ ହୋଇ ଯାଇଥିଲେ ଯେମିତି ! କବି ଜୀବନର ବୈଚିତ୍ର୍ୟ, ଆଧିଭୌତିକ ଚେତନା, ମାନବବାଦ୍ ଇତ୍ୟାଦି ପ୍ରତିଫଳିତ ହୋଇଆସିଥିଲା ମାନସିଂହ ସୃଷ୍ଟି ସମୂହରେ । ତେବେ କ’ଣ ମାନସିଂହ କେବଳ ପ୍ରେମପ୍ରଣୟର କବି ?
ଆମେ ସେ ଭଳି ପ୍ରତିଭାଙ୍କୁ ସଠିକ ଭାବେ ମୂଲ୍ୟାୟନ ନକରି ତାଙ୍କୁ ପ୍ରେମ ଓ ପ୍ରଣୟର କବି ବୋଲି ଡିଂଡିମ ପିଟିଲେ କେବଳ ହୀନମନ୍ୟତା ବ୍ୟତୀତ ଆଉ କ’ଣ ହୋଇପାରେ ? ଏଇଠି ସେହି କବିଙ୍କ ସମ୍ପର୍କରେ କେତୋଟି ଧାଡ଼ି ପ୍ରତି ଲକ୍ଷ୍ୟ କରନ୍ତୁ —“Once upon a time , Mansingh quoted in a meeting that when he was in class 8th he wrote his first poem, but in his early 40 , he admitted whenever he gone through his first poem, he felt ashamed of that due to how immatured he was.” ପ୍ରିୟ ବନ୍ଧୁଗଣ, ଏଥର ଆପଣ କୁହନ୍ତୁ ?
~ ଆଧିଭୌତିକ ଚେତନାର କାବ୍ୟ କ୍ରୁଶ ~
ପ୍ରଥମ କରି ଓଡ଼ିଆ କାବ୍ୟ ସାହିତ୍ୟରେ ରଚିତ ହେଲା ସନେଟ୍ । ଏକଶତ ସନେଟ୍ ବିଶିଷ୍ଟ କାବ୍ୟ ହେଉଛି କ୍ରୁଶ, ଯାହା ତାଂକ ଆଧିଭୌତିକ ଚେତନାର ବାହକ । ୧୯୪୫ ରୁ ୧୯୫୬ ମଧ୍ୟରେ କ୍ରୁଶର ସମସ୍ତ କବିତା ରଚିତ । ମୂହୁର୍ତ୍ତର ଭାବାବେଗକୁ ପ୍ରାଣର କେତେକ ଗଭୀର ଅନୁଭୂତି ଓ ଜିଜ୍ଞାସାର ପ୍ରତିଫଳନ ହିଁ ସନେଟ୍ ସମୂହ । ଅନୁଭୂତିକୁ ଅଧିକତର ପରିଛନ୍ନ ଭାବରେ ପ୍ରକାଶ କରିବା ପାଇଁ ଏହି ସନେଟମାନଂକର ଆଶ୍ରୟ ନେଇଛନ୍ତି କବି । ଗଂଗାଧର ମେହେର କଲେଜର ଅଧ୍ୟକ୍ଷ ଥିବା ବେଳେ ହିଁ ଏହି ସର୍ବାଦୃତ କାଳଜୟୀ କବିତା ମାନଂକର ସୃଷ୍ଟି । ଗୋଟିଏ ବ୍ୟଥିତ ଆତ୍ମା ଯୀଶୁଖ୍ରୀଷ୍ଟଂକର କ୍ରୁଶ ମରଣ ସତ୍ତ୍ୱେ, ନିଜେ କେମିତି ବାରଂବାର କ୍ରୁଶବିଦ୍ଧ ହେଉଛି , ତାହା ନିଜେ ବିଚାରି ବିସ୍ମିତ ହେଉଛି: —
“କେ ରୋଧିଛି ମୋର ପୃଷ୍ଠେ କ୍ରୁଶ-ନିଷ୍ପୀଡ଼ନ,
ବ୍ୟାଧି, ବିଫଳତା, ନିଂଦା, ଶୋକ, ବ୍ୟର୍ଥାଶାର ?
କିପାଁ ସହସ୍ରଧା କ୍ଷତ-ଜର୍ଜର ଜୀବନ ?
ମୋ ପିଠିରେ ଲାଂଛନାର କଂଟକ ପ୍ରହାର ?”
(ସନେଟ୍: ମୋ କ୍ରୁଶ)
ଏ ତ ପ୍ରେମ ଓ ପ୍ରଣୟର କବିତା ନୁହେଁ !
ସୁସ୍ଥ ସଂପାଦନାର ଅଭାବ ସହ ପାଠକର ଅବଚେତନରେ ବହୁ କବିତା ଏକପାଖିଆ ଦୃଷ୍ଟିଭଂଗୀ ମଧ୍ୟରେ ରହିଯାଇଛି । ତେଣୁ ସେହି ମହାନ୍ ସାହିତ୍ୟିକଙ୍କୁ ଚିହ୍ନିବାରେ ବିଘ୍ନ ସୃଷ୍ଟି ହୋଇଛି। ମୂଲ୍ୟାୟନ ତ ଦୂରର କଥା, ହେଲେ ଖଂଡିତ ଓ ଅଜ୍ଞାତର ମଂତବ୍ୟର ଶରବ୍ୟ ହୋଇଗଲେ ମାନସିଂହ । ଈଶ୍ଵରଂକ ନିକଟରେ ଅଭିମାନ କରି ପ୍ରେମ ଭିକ୍ଷା କରିନାହାନ୍ତି, କିଂତୁ ଅମୃତର ସଂତାନ ଭାବେ ଧରାବତରଣ କରିଥିଲେ ମଧ୍ୟ, କୌଣସି ପ୍ରକାରର ଐଶ୍ୱରୀୟ ଆନଂଦରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି ସେ । ସେହି ଅନୁଶୋଚନା କେତେ ସ୍ପଷ୍ଟ ! 
“ଦେବଶିଶୁ ଚଳେ ନରକର ଅଭିସାରେ,
ଭଗବାନ ତମେ ନିଦ୍ରିତ କେଉଁଠାରେ ?
ନିରଂଜନ ମୁଁ ଆସିଥିଲି ପରା ଆନଂଦ ବିତରଣେ,
ବାଂଟିବି ବୋଲି ଅମୃତ ଏହି ପୃଥିବୀର କଣେ କଣେ?
× × × × × ×
ବିଳାସେ ଅଳସେ ରହିଲେ ଦେବତାଦଳ,
କେ ବୁଝିବ ନର-ଆତ୍ମାର କଲବଲ ?
ବିଶ୍ଵେ ମୁହିଁ ଯେ ସୃଷ୍ଟି କରୁଛି ବିଷ,
ପ୍ରତିକ୍ରିୟା ତା’ ହେବ ତ ହେ ଅବିନୀଶ ?
କରିବାର ଯାହା, ତ୍ଵରା ହେଉ ଅବଧାନ,
ଡାକେ ଦେବଶିଶୁ, ନିଦ୍ରାଳୁ ଭଗବାନ୍” ! 
(ନିଦ୍ରିତ ଭଗବାନ)
~ ମାନବବାଦ, ସାମ୍ୟବାଦ ଚେତନାର କବି ~
ମାନବବାଦୀ କବି ମାନସିଂହ ଆସ୍ଥା ପ୍ରକଟ କରିପାରି ନାହାନ୍ତି, ଗତାନୁଗତିକ ପିତୁଳା ପୂଜା ଉପରେ । ପୁରୋହିତ ତନ୍ତ୍ରରେ ବ୍ୟତିବ୍ୟସ୍ତ ହୋଇ ୧୯୩୫ ବେଳକୁ ବୌଦ୍ଧଧର୍ମ ପ୍ରତି ଆସକ୍ତି ଆସିଯାଇଥିଲା କବିଂକର । ବୟସର ଅଗ୍ରଗତି ସହ ଆମର ମହାନ୍ ସାହିତ୍ୟିକଂକର ତରୁଣ ସୁଲଭ ପ୍ରଗଳଭତା ବିଦାୟ ନେଇ ସାରିଥିଲା ଏବଂ ସେ ସ୍ଥାନ ଅଧିକାର କରିଥିଲା ପବିତ୍ର ଭକ୍ତିଭାବ, ସାମ୍ୟବାଦୀ ଚେତନା, ମାନବୀୟ ଆବେଦନ, ଦେଶଭକ୍ତି, ପଲ୍ଲୀ ଜୀବନ, ରାଜନୀତିରେ କଳୁଷିତ ଭାବ, ମହାଚେତନା । ସେଇଥିପାଇଁ ତ କବି ଗାଇଥିଲେ ସାମ୍ୟବାଦୀ ସଂଗୀତ:—
“ଧରାତଳେ କ୍ରୁର ପରିହାସ,
କାଟି ଶସ୍ୟ, ରହେ ଉପବାସ ।
ସକଳେ ଯେ ଯୋଗାଏ ଭୋଜନ,
ନିଜ ଥାଳେ ନାହିଁ ତା’ର ଅନ୍ନ ।
ତା ଥାଳିରୁ ଭାତ ନେଇ କାଢ଼ି,
ଦେଖ ବଡ଼ଲୋକ – କୋଠା-ଗାଡ଼ି ।
ସ୍ତିରୀ ତାଂକ ବୁଲଂତି ମୋଟରେ,
ପିଲେ ଛଂତି ସୁଖ ବିଳାସରେ ।
କୃଷକ ମୁଁ , ଅଧା ଉପବାସ,
ଆଶ୍ରୟ ମୋ ଭଂଗାରୁଜା ବାସ ।
(କୃଷକ, ତଳିଆ ଜୀବର ବିଳାପ)
ବଡ଼ ଅସହ୍ୟ ହୋଇଛି ଯନ୍ତ୍ରଣା, ପୁଣି ଭୀଷଣ ଷଡ଼ଯନ୍ତ୍ର , ପୂଜ୍ୟପୂଜା ସ୍ଵପ୍ନରେ ବନ୍ଧ୍ୟା ପାଲଟି ଯାଇଛି। ଜାତି ପାଇଁ ଅନୁଶୋଚନା ଉଜ୍ଜୀବିତ ହୋଇଛି କବି ପ୍ରାଣରେ । ମନର ଆବେଗ ସୃଷ୍ଟି ହୋଇଛି ଏ ଜାତି ପାଇଁ, ଉତ୍ତରଦାୟାଦ ମାନଂକ ପାଇଁ । ସର୍ଜନା ପ୍ରତିଫଳିତ ହୋଇଛି କବିତା ପୁସ୍ତକ ସ୍ଵରାଜ୍ୟାଶ୍ରମରେ । ବ୍ୟାକୁଳିତ ହୋଇଛି ମନ, ପଶ୍ଚାତରେ ରହିଯାଇଛି ଆଦ୍ୟ ଯଉବନର ସେହି ସୃଷ୍ଟି ସମୂହ । ଖେଦ ପ୍ରକାଶୁଛଂତି କବି:
“ପଂଡିତ ଗୋପବଂଧୁ ଓ ମି: ଦାସ,
ଲଢ଼ି ଲଢ଼ି ଗଢ଼ି ଦେଇଗଲ ଯା ଏଇ ଓଡ଼ିଆ ପ୍ରଦେଶ
(ଓଡ଼ିଆଂକର ନିଜର ବୋଲି ଜାଗା ଟିକେ ଥାଉ, ଅଲଗା)
ଆଜି ଯଦି ଦିଅଂତ ପୁଣି ଓଡ଼ିଶା ମାଟିରେ ପାଦ,
କ୍ଷୁଦ୍ର-ଭାବ-ଚିତକାରର ପାଇଯାଂତ ସ୍ଵାଦ !
ମୁହଁରେ ଦେଇ ବଲଗା
ବିଚ୍ ଦାଂଡରେ ଆମେ ମାରଂତୁ ଚାବୁକ
ଆମେ ମହାଭାରତୀୟ ଭାବୁକ !
(ପ୍ରାଦେଶିକ/ସ୍ଵରାଜ୍ୟାଶ୍ରମ)
~ ଜାତୀୟତା ବୋଧର ପ୍ରତୀକ କବିତା ~
୧୯୩୫ ସାଲ ବେଳକୁ ଆତ୍ମପ୍ରକାଶ କଲା ଅନ୍ୟ ଏକ ପ୍ରେମ ଓ ପ୍ରଣୟର କବିତା ସଙ୍କଳନ ହେମପୁଷ୍ପ । କିଂତୁ ତାର ଦଶବର୍ଷ ପୂର୍ବରୁ କୋଡ଼ିଏ ବର୍ଷ ବୟସରେ କବିଂକ ମନରେ ଜାତୀୟତା ଭାବ ଉଦ୍ରେକ ହୋଇ ସାରିଥିଲା । ଉଂକି ମାରି ଆସିଥିଲା ଦେଶପ୍ରୀତି, ପୁଣି ଓଡ଼ିଶା ପାଇଁ । ୧୯୨୫ ମସିହାରେ ରଚିତ ଦେଶ ବଂଦନାର ଏକ କବିତା ଉପରେ ପାଠକ ମହଲରେ ନୀରବତା କାହିଁକି ? ବୋଧହୁଏ ସାଧାରଣ ପାଠକବର୍ଗ (ଠିକ୍ ଆମ ଭଳି !) ମାନସିଂହଙ୍କ ପାଂଚଟି ପୁସ୍ତକ ନିଜ ନିଜର ଉତ୍ତାଳ ଯୌବନରେ ପାଠ କରି ଧରିନେଲେ ଯେ, ମାୟାଧର ମାନସିଂହ ଅର୍ଥ ଓଡ଼ିଆ ସାହିତ୍ୟର ପ୍ରେମିକକବି ! କି ବିଡ଼ଂବନା ସତେ ! ଏହି କବିତାବଳୀର ଅନେକ ପୂର୍ବରୁ ଦେଶପ୍ରେମର କବିତା ମା’ ଓଡ଼ିଶା ଯେ ରଚିତ ହୋଇ ସାରିଥିଲା ‘ନଂଦଳା’ ଗାଁର ସେହି ଯୁବକ ଦ୍ଵାରା !
ପ୍ରଥମ ଓ ଶେଷ ପଦଦ୍ଵୟ ପଢ଼ିବା ହୁଅଂତୁ ସୁଜନେ:–
“କବିଭୂମି, ଶିଳ୍ପଧାତ୍ରୀ, ତୁହିଟି ମା ‘!
ବିଶ୍ଵେ ଗରବିଣୀ, ବୀରମାତା ଉତ୍କଳ ଜନନୀ।
ଆଦିମ ତାମସ ଗର୍ଭୁଁ ଯେବେ ଗୋ ମା’
ବିକାଶ ତୋହରି,
ପ୍ରଥମ ଚୁଂବନ-ବ୍ରୀଡ଼ା ରବି ଦେଲା ତୋ
ଅଂଗରେ ଭରି
ଆସିଲା ବସଂତ ତହୁଁ କରିବାକୁ ତୋ
ବକ୍ଷରେ ଲୀଳା
ସାଜିଲା ପ୍ରକୃତି ବସିକରି ତୋତେ
ଏମଂତ ଛବିଳା
ପାତାଳ ଫୁଟାଇ ତହୁଁ ବହିଲେ ଏ ନଦୀ ଶତ ଶତ
ବ୍ୟଗ୍ର ଅବିରତ !
× × × × × ×
ଛିନ୍ନଭିନ୍ନ ଅଂଗ ତୋର ବିଦେଶୀର
ନିର୍ମମ ଶାସନେ
ସଂତାନ ମରଇ ନିତି ଦାରିଦ୍ର୍ୟର
କ୍ରୂର ନିପୀଡ଼ନେ
ବିଧାତାର ବାମନେତ୍ର ପଡ଼ିଛି ମା’ !
କପାଳେ ତୋହରି,
ନିଅ ଆଉ କେତେ ଦିନ ଭଗବାନ
ଆବେଶ ଏପରି,
ଭାବେ ମନେ, ପାହିଲାଣି ତୋର ଦୁଃଖ-ତମିଶ୍ରା-
ସଂହତି,
ଅଧମ ସଂତତି !
(ମା’ ଓଡ଼ିଶା)
ନୂତନ ଦୃଷ୍ଟିକୋଣରେ ପାରଂପରିକ ସର୍ଜନା:–
ଚଉରାଳିଶଟି କବିତା ପୁଷ୍ପ ଗ୍ରଥିତ ହୋଇଛି କାବ୍ୟ ‘ସିଂଧୁ ଓ ବିଂଦୁ’ ପୁସ୍ତକରେ । ଏଠାରେ ଦାର୍ଶନିକ ଚିଂତନ ଅପୂର୍ବ ଶିହରଣ ଆଣେ କବିତା ପାଠ କରିବା ବେଳେ । ପରଂପରା ଯୁକ୍ତ ଭାବନାରେ ପୁଷ୍ଟ ଏହି କବିତାଗୁଛ ମଧ୍ୟରେ ଆତ୍ମାର ପରିପ୍ରକାଶ ଘଟିଛି । ଭାରତୀୟ ଧର୍ମ ଦର୍ଶନର ସୁନ୍ଦର ଉପସ୍ଥାପନା ଏହି ପରି । ଯଦିଓ କବି ଥିଲେ ବୌଦ୍ଧ, କିଂତୁ ଭାରତୀୟ ଧର୍ମ ଚେତନାରୁ ଦୂରେଇ ଯାଇ ନାହାନ୍ତି କେଭେଁ ! ଭାରତୀୟ ଧର୍ମରେ ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ବଂଦନା କେତେ ଦାର୍ଶନିକ ତତ୍ତ୍ଵପୂର୍ଣ୍ଣ !
“ଆଗେ, ପଛେ, ଉର୍ଦ୍ଧ୍ଵେ, ଅଧେଃ, ବାମେ ଓ ଦକ୍ଷିଣେ,
ପ୍ରଣମେ ମୁଁ ଓତଃପ୍ରୋତ ସେ ଶ୍ୟାମ ଚରଣେ,
ଛାୟା-ପଥ ଯା ବକ୍ଷର ଶୁଭ୍ର ବନମାଳ,
ନ ହେବ କେ ଗୋପୀ, ସବୁ ସଁପି ତା’ ଚରଣେ !”
(ଶେଷ ପଦ/ଶ୍ରୀକୃଷ୍ଣ)
ନିଜ ରଚନାରେ ସେ ସ୍ଵୟଂସିଦ୍ଧ । ତେଣୁ ସବୁକିଛି କବିତା ତାଂକର କାବ୍ୟିକ ତଥା ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ସମକାଳୀନ ମୁଂଡ ଟେକି ଉଠୁଥିବା ସବୁଜଗୋଷ୍ଠୀର କାବ୍ୟ କବିତା ତାଂକର ମନକୁ ଛୁଇଁ ପାରିନଥିଲା । ସେଇଥିପାଇଁ ତାଂକର ଆଭିମୁଖ୍ୟ ଥିଲା — “ଏ ଦେଶରେ ଯେ କିଆ, କେତକୀ, ପୋଲାଂଗ ଫୁଟି ଝଡ଼ି ପଡ଼ୁଛି, ସେ ଖବର ନ ରଖି ଏମାନେ ଚାମେଲୀ, ଗୋଲାପ, ବେଲଫୁଲ, ହାସ୍ନା ହେନାର ଗଂଧ ଆଣି ଆମକୁ ଶୁଙ୍ଘାଇଲେ । ସାଧବ ଝିଅ ନଈରେ ଗାଧୋଇଲା ବେଳେ ଛିଂଡି ପଡ଼ିଥିବା ବାରହାତ ଲଂବ ବାଳକୁ ସୁନାଫରୁଆରେ ପୂରାଇ ପାଣିରେ ଭସାଇ ଦେଇ ଅନାଇ ରହିଛି । ସେ ଦୃଶ୍ୟ କବିମାନେ ଦେଖି ପାରୁନାହାନ୍ତି , ସେମାନେ ସବୁଜ ପରୀ ଓ ଆସମାନ୍ ପରୀର ନୃତ୍ୟ ଆମକୁ ଦେଖାଉଛନ୍ତି” । (ସହକାର/ଫେବୃଆରୀ ୧୯୩୩)
ମାନସିଂହଙ୍କ କବିତାଗୁଛ ମଧ୍ୟରେ ଧୂପ, ହେମପୁଷ୍ପ, ହେମଶସ୍ୟ, ପ୍ରେମପୁଷ୍ପ, କୋଣାର୍କ, ମାଟିବାଣୀ, ଜୀବନଚିତା, ଅକ୍ଷତ, କ୍ରୁଶ, ବାପୁତର୍ପଣ, ସିଂଧୁ ଓ ବିଂଦୁ, ଉପେକ୍ଷିତା, ନିକ୍ଵଣ, ଶୁଭଦୃଷ୍ଟି, ସାଧବ ଝିଅ, ଜେମା, କମଳାୟନ, ଗୀତ ରେଣୁ, ସ୍ଵରାଜ୍ୟାଶ୍ରମ, ସେ ଦିନର କବିତା ଇତ୍ୟାଦି ପାଠକ ସମାଜରେ ବହୁ ଆଦୃତ । ସମସ୍ତ କାବ୍ୟ ସମୂହର ବିଜ୍ଞାନ ସମ୍ମତ ଅନୁଶୀଳନ କଲେ କେହି ଜଣେ ମଧ୍ୟ ମାନସିଂହଙ୍କୁ ଏକ ସଂପୂର୍ଣ୍ଣ ପରିସରକୁ ଠେଲି ଦେଇ ତାଂକୁ କେବଳ ପ୍ରେମିକକବି ଭାବେ ଆସୀନ କରିବାକୁ ପଛେଇବେ । ତାଂକ ଜୀବନ ବ୍ୟାପି ସାଧନାରେ କାବ୍ୟ କବିତା କେତୋଟି ପୃଷ୍ଠା ମାତ୍ର । ବହୁଧା ବିଭକ୍ତ ତାଂକର ସୃଷ୍ଟି ସମଗ୍ର ।
ଆମେ ତ ଏଯାଏଁ ସମାଲୋଚକ, ପ୍ରାବଂଧିକ, ନାଟ୍ୟକାର, ଶିଶୁସାହିତ୍ୟିକ, ଅନୁବାଦକ, ଆତ୍ମଚରିତ ଲେଖକ, ପତ୍ରିକା ସଂପାଦକ, ଐତିହାସିକ, ଭ୍ରମଣବୃତ୍ତାନ୍ତ ଲେଖକ, ଶିକ୍ଷାବିତ, ପ୍ରଶାସକ, ଦାର୍ଶନିକ ଚିଂତନର ମଣିଷ ଓ ସର୍ବୋପରି ଜଣେ ଭଲ ମଣିଷ ମାୟାଧର ମାନସିଂହଙ୍କୁ ସଠିକ୍ ଭାବେ ଚିହ୍ନି ପାରିନୁ ବା ବିଜ୍ଞାନ ସମ୍ମତ ମୂଲ୍ୟାୟନ କରିପାରି ନାହୁଁ । ତେବେ ଆଜି ମଧ୍ୟ ଏ ଦିଗରେ ବିଶ୍ଳେଷଣ ଅପେକ୍ଷା ରଖେ । ଜୀବନ ସାରା ସାହିତ୍ୟ ସଂସ୍କୃତି ପ୍ରତି ନିଜକୁ ସମର୍ପିତ କରିଥିବା କବିମନିଷୀ ମାନସିଂହେ ଆମ ଠାରୁ ପାଇଲେ କ’ଣ ? ଜୀବନର ଗାଥାକୁ କିଂତୁ ପରଶି ଦେଇଗଲେ: 
“ମୃତ୍ୟୁ ରାଜ୍ୟେ ଯିବି ଯେବେ ଛାଡ଼ି 
କୋଳ ମାଆ ଧରିତ୍ରୀର
ବସଂତର ପୁଷ୍ପୋତ୍ସବେ, ଶାରଦ ଜ୍ୟୋତ୍ସ୍ନାରେ
ସ୍ମରି କେବେ ମୋ ଦେଶର ଯୁବକ ଯୁବତୀ,
ଆସି ମୋ ସମାଧି ପରେ
ପୁଷ୍ପ ଢାଳି ପ୍ରୀତିଭରେ
କବିରେ ଦେବେ ସେ ଯଦି ଶ୍ରଦ୍ଧାର ଆରତି
ସେହି ସେ ହୋଇବ ମୋର ଶ୍ରେଷ୍ଠ ପୁରସ୍କାର
ସେହି ମୋର ମାନଦଣ୍ଡ ଜୀବନ-ଯାତ୍ରାର” ।
ହେ ବିସ୍ମୟ ସାଧକ ସାହିତ୍ୟଭାସ୍କର ମାନସିଂହ ! ଓଡ଼ିଆ ଜାତିର ପ୍ରଣାମ ଘେନିବା ହେବେ ।
କୃତଜ୍ଞତା: ମାନସିଂହ ଗ୍ରନ୍ଥାବଳୀ, ଓଡ଼ିଆ ସାହିତ୍ୟରେ ମାୟାଧର ମାନସିଂହ, ଶ୍ରୀ ଚିନ୍ତାମଣି ବେହେରା ଓ କିଛି ଆଲୋଚନା ମାନସିଂହଙ୍କ ଉପରେ
Sahityabhaskar Dr. Mayadhar Mansingh
© Niranjan Sahu
Spread the love

Leave a Reply

Your email address will not be published. Required fields are marked *