~ ନଈ ~

କବି: ଡ. ସୁଜିତ କୁମାର ନାଥ

ଜୀବନଟା ଗୋଟେ ଅଙ୍କାବଙ୍କା ନଈ
କୁଳୁକୁଳୁ ହୋଇ ଯାଉଥିଲା ବହି
ସଙ୍ଗୀତର ମୂର୍ଚ୍ଛନା ଓ ମନର ଅସରନ୍ତି ଭାବନାକୁ ନେଇ।

ଲକ୍ଷ୍ୟହୀନ ଯାତ୍ରାରେ ବି ଥାଏ ଆନନ୍ଦ
ବୁଝାଏ ସେ ମୋତେ ନିତି…
ନିଜେ ଥାଏ ମସଗୁଲ
ନିଜ ପରିଧି ରେ
ଉପରେ ନିଳାଭ, ତପ୍ତ ଦିବାକର,
ରାତିରେ ଚନ୍ଦ୍ରମା..
ପଥରେ ଭଳି କି ଭଳି ଫୁଲର ସମ୍ଭାର
ଗହଳ ତରୁରୁ ଡାକୁଥାଏ ଝିଙ୍କାରି..
କୋଇଲି ଓ କୁମ୍ଭାଟୁଆ
କେହି ତ ନିଜର ନୁହନ୍ତି,
ସମସ୍ତେ ଦିଅନ୍ତି କିନ୍ତୁ ଅଯାଚିତ ସ୍ନେହ
ଯୌବନକୁ ଭରି ଦିଅନ୍ତି
ପ୍ରେମର ଅଜଣା ପୁଲକେ।

କିଏ ବନ୍ଧୁ
କିଏ ବନ୍ଧୁ ତୁମେ ଆସିଲ, ଅଯାଚିତ ସ୍ନେହର ଚାଙ୍ଗୁଡ଼ି ନେଇ
ବାନ୍ଧିନେଲ ମୋତେ
ଝରୁଥିବା ଝରଣାରେ ଗଣ୍ଡ ସୃଷ୍ଟି କଲ
ପ୍ରେରଣାର ତୃଷ୍ଣା ଭରିଦେଲ
ଫୁଟାଇଲ ପଦ୍ମ
ସ୍ୱଚ୍ଛ ସ୍ଫଟିକ ଶରୀରରେ ଲାଗିଗଲା ନୀଳ
ଚଞ୍ଚଳ ଅଙ୍ଗରେ ଛୁଇଁଲା ଅଳସ
ଖୋଜିଲା ସେ ସବୁବେଳେ କାହା ପ୍ରେମର ପରଶ।

ରାତି ସାରା ହେଲା ଉଜାଗର
ପିପାସୁ ପ୍ରେମର
ଯାଚକ ସ୍ପର୍ଶର
ବୁଭୁକ୍ଷୁ ସ୍ବପ୍ନର
ତାପରେ..
ଦେଖିଲା ସେ
ସବୁ ମାୟା..
ଏ ତ ଘୋର ଅନ୍ଧକାର, ଶୂନ୍ୟ, ମହାଶୂନ୍ୟ।

ଆସନ୍ତେ ବରଷା
ହଜିଗଲେ ଦିବାକର
କାନ୍ଦି ମରେ ପ୍ରିୟା ଏଠି
ନିୟତିର କୃର ଅବିଚାରେ
ଦେଖାଇ ସପନ
ହରିନେଲା ତା ଯୌବନ..
କହିଗଲା ମାୟା, ଏଠି ସବୁ ମାୟା
ନାହିଁ ଏଠି ସାରସ୍ବତ ପ୍ରେମ
ସବୁ ଖାଲି ମିଛ ପ୍ରବଞ୍ଚନା।

© Sujit Nath

 

Spread the love

Leave a Reply

Your email address will not be published. Required fields are marked *