ଲେଖା: ଡ. ଜୟଶ୍ରୀ ନନ୍ଦ
~ କଂସା ବାସନ ~
ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର ଧାମ । ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ବାଛିଥିଲେ ଭୋଜନ ପାଇଁ । ଆମ କଳାସାଆନ୍ତ ପରା ଭୋଜନ କରନ୍ତି ସୁନା ଥାଳିରେ । ତେଣୁ ଏଇ କଥାରୁ ଜଣାଯାଏ ଆମ ପରମ୍ପରା ସଂସ୍କୃତି ଚଳଣି କେତେ ସମୃଦ୍ଧ । ଓଡ଼ିଆ ସଂସ୍କୃତି ଏକ ସମୃଦ୍ଧ ସଂସ୍କୃତି। ଆମ ଚଳଣି ଆମ ପରମ୍ପରା କାହା ସହ ତୁଳନୀୟ ନୁହେଁ । ଆମ ପୂର୍ବ ପୁରୁଷଙ୍କର ସତ୍କର୍ମ ସତ୍ୟତା ସରଳତା ବୀରତ୍ବ ମା ମାଟି ପ୍ରତି ସମ୍ମାନ ଏ ସବୁ ଆମ ପରମ୍ପରା ଚଳନୀରେ ପ୍ରସ୍ଫୁଟିତ ହୁଏ । ବର୍ଷ ବର୍ଷ ଧରି ଆମେ ସେହି ଚଳନୀ ସହ ଓତପ୍ରତଃ ଭାବେ ଜଡିତ ।
ପ୍ରତି ଓଡ଼ିଆ ଘରେ ଆପଣ ଗଲେ ପାଇବେ କଂସା ବାସନ ଖଣ୍ଡେ । କାହା ଘରେ ବସ୍ତା ବସ୍ତା କଂସା ବାସନ ତ କାହା ଘରେ ମହଣ ମହଣ । ହେଲେ ଅତି ଗରିବ ଓଡ଼ିଆ ଘରେ ବି ଆପଣ ପାଇବେ କଂସା ବାସନ ଖଣ୍ଡେ/କଂସା ଥାଳିଆଟେ ଯାହା ଭୋଗଥାଳିଆ ।
ଥରେ ଏ ବିଷୟରେ ଜଣେ ଅତି ବୃଦ୍ଧବୟସ୍କ ଲୋକଙ୍କୁ ପଚାରିଥିଲି ମନରେ ଉଠିଥିବା ଛୋଟ ପ୍ରଶ୍ନଟିଏ । କଂସା ଥାଳିଆରେ ଆମ ଠାକୁରଙ୍କୁ କାହିଁକି ଭୋଗଲାଗେ । ସୁନ୍ଦର ଉତ୍ତରଟିଏ ମିଳିଥିଲା। ଆମର କଳାସାଆନ୍ତ ସୁନା ଥାଳିରେ ଭୋଜନ କରନ୍ତି, ଆମେ ସୁନା ଥାଳି କେଉଁଠୁ ପାଇବା ଭୋଗଲଗାଇବା ପାଇଁ । ତେଣୁ ସୁନା ପରି ଦିଶୁଥିବା କଂସା ଥାଳିରେ ଭୋଗ ଲଗା ହୁଏ ବା ପିତ୍ତଳ ଥାଳିରେ । ସେ ସମ୍ମାନନୀୟ ବୟୋବୃଦ୍ଧ ଜଣକ ଏ କଥା ବି କହିଲେ ଆମ ରାଜ୍ୟ ଓଡ଼ିଶାକୁ ଛାଡି ପ୍ରାୟତଃ ଅନ୍ୟ ରାଜ୍ୟରେ ଲୋକମାନେ ଚାନ୍ଦି/ରୂପା ବା ଷ୍ଟିଲ୍ ବାସନରେ ଭୋଗ ଅର୍ପଣ କରନ୍ତି ଈଶ୍ବରଙ୍କୁ କିନ୍ତୁ ଆମ ରାଜ୍ୟରେ ପ୍ରତି ଘରେ ଧନୀଠୁ ଗରିବ ଯାଏ ସମସ୍ତଙ୍କ ପାଖରେ କଂସା ପିତ୍ତଳ ଥାଳି ଥାଏ ଭୋଗ ଲାଗିବା ପାଇଁ । ଏଥିରୁ ବୁଝି ହୁଏ କେତେ ସମ୍ଭ୍ରାନ୍ତ ଆମ ଚଳଣି । ଆଗେ ରାଜା ମହାରାଜାଙ୍କ ଘରେ ସୁନା ଥାଳି ବି ଥିଲା ।
ପ୍ରତି ଲୋକଙ୍କ ଠାକୁର ଘରେ ପାଞ୍ଚମୂର୍ତ୍ତି ବାସନ ରହୁଥିଲା । ଠାକୁରଙ୍କ ସ୍ନାନ ନିମିତ୍ତ ତସଲା, କୁମ୍ଭ, ଥାଳି, ଥାଳିଆ, ଗିନା, ଦୀପ, ଧୂପଦାନୀ, କଂସା ଗ୍ଲାସ୍, ଝୁଣାଦାନୀ, ହାତଘଣ୍ଟି, ଘଣ୍ଟ ଏ ସବୁ ରହୁଥିଲା । ଆଜି ବି ଓଡ଼ିଆ ଘରେ ସେ ପରମ୍ପରା ଲୋପ ପାଇନାହିଁ । ଲୋକଙ୍କର ଚଳଣିରେ ଟିକେ ପରିବର୍ତ୍ତନ ଆସିଛି । କଂସା ବାସନ ସଫା କରିବା ପାଇଁ ମାଟିପାଉଁଶ ଆଗରୁ ବ୍ୟବହାର ହେଉଥିଲା ହେଲେ ସହରରେ ସେ ସବୁ କେଉଁଠି ବା ମିଳୁଛି । ପିତାମ୍ବରୀ ପରି ଗୁଣ୍ଡ ବ୍ୟବହାର କରି ବି ଲୋକମାନେ ଆଜି ବି କଂସା ବାସନ ବ୍ୟବହାର କରୁଛନ୍ତି ।
ଝିଅ ବାହାଘରର ପାଞ୍ଚ ଦଶ ବର୍ଷ ଆଗରୁ ପ୍ରଥମ କିଣା ହେବ ଝିଅକୁ ଦେବା ପାଇଁ ଠାକୁର ବାସନ #ପାଞ୍ଚମୂର୍ତ୍ତି, ଯାହା କି କଂସା ବାସନ । ତା ପରେ ପୁରା କଂସାବାସନ ସେଟ୍ । ଗରା ମାଣ୍ଡିଆ (କୁଣ୍ଡ) ଥାଳି, ଥାଳିଆ, ଗିନା, ଗ୍ଲାସ୍ , ପଖାଳ କଂସା, କଂସା ଖଡିକା, କଡେଇ, ବାଲ୍ଟି ସବୁ କଂସାର । ସେହି କଂସା ବାସନ ଦେଖି ଝିଅ ଘରର ସଂସ୍କାର ସଂସ୍କୃତି ବଡଲୋକିଆକୁ ଆଗେ ଶାଶୁଘର ଜାଣୁଥିଲେ । ଏ ଆମ ଓଡ଼ିଆ ଘରର ଚଳଣି । ଖାଲି କଂସା ବାସନ ଦେଖିକରି ନୁହେଁ ଗରା ମାଣ୍ଡିଆ ପିତ୍ତଳ ହାଣ୍ଡିର ଓଜନ ଥିଲା ଧନୀଘରର ପରିମାପକ ।
ଖାଲି ଧନୀ ନୁହେଁ ଗରୀବ ଘରେ ବି ଝିଅଟିଏ ବାହା ଦେଲେ ଏ ସବୁ ବର୍ଷ ବର୍ଷରୁ ମାଆ ବାପା ଗୋଟିଏ ଗୋଟିଏ ବାସନ କିଣି ରଖି ଥାଆନ୍ତି ଝିଅକୁ ଦେବା ପାଇଁ। ଏବେ ବି ମାଆ ଜେଜେମା ଆଈଙ୍କୁ ପଚାରିଲେ ସେ ବଡ ଗର୍ବରେ ଅନ୍ତରର ଖୁସିରେ କହନ୍ତି ଦେଖ ମୋ ମାଆ ଦେଇଥିଲା ଏ କଂସା ବାସନ । ଏ କଂସା ବାସନ ବି ବର୍ଷ ବର୍ଷ ଯାଏ ରହୁଥିଲା । ସିନ୍ଦୂର ଫରୁଆ, ଦୀପ ଏ ସବୁ ଦେଖିଲେ କେତେ ଖୁସି ଲାଗେ । କର୍ପୂର ଆଳତୀ ପାଇଁ ବି କଂସାର କି ସୁନ୍ଦର ପୁରୁଣା କାଳର ସେ ଆଳତୀ ଦେଖିଲେ ମନ ଭରିଯାଏ । ଆଗ କାଳରେ ଏ ସବୁଥିରେ ନାଆଁକୁଟା ବି ହେଉଥିଲା । ଯାହା କଂସା ଯେତେ ପୁରୁଣା ହେଲେ ବି ଜଳ ଜଳ ହୋଇ ଦିଶୁଥାଏ । ଆମେ ଛୋଟବେଳେ ଖୁସି ହେଉଥିଲୁ ଆମ ନାଁ ଦେଖି କଂସା ବାସନରେ, କୁମ୍ଭ ବା ଢାଳରେ ।
ଝିଅ ବିଦା ବେଳେ ଠାକୁରଙ୍କର ମୂର୍ତ୍ତି ବି ବାପାଙ୍କ ଘରୁ ଝିଅ ଆଣିଥାଏ । କେବଳ ଲକ୍ଷ୍ମୀଙ୍କ ମୂର୍ତ୍ତି ଦେଉ ନ ଥିଲେ । ଶାଶୁ ଶଶୁରଙ୍କ ପାଇଁ ପିକଦାନୀ, ପାନକୁଟା, ପାନଦାନୀ, ମସଲା ଡବା/ଦାନୀ ଏ ସବୁ ବି ଆସୁଥିଲା କଂସା ବାସନର । ଏ ଖାଲି କଂସାବାସନ କି ସମ୍ଭ୍ରାନ୍ତ, ବଡଲୋକିଆ କଥା ନୁହେଁ ଏ ସବୁ ବନ୍ଧୁତାର ପରିଚୟ ଦେଉଥିଲା । ଯାହା ଶାଶୁ ଶଶୁରଙ୍କ ମନ ପସନ୍ଦର ଜିନିଷ ମାଆ ବାପା ଦେଉଥିଲେ । ଏମିତି ଚଳଣି ଆଉ କେଉଁ ରାଜ୍ୟରେ ଦେଖା ଯାଏ ନାହିଁ । ଆଜିକାଲି ଏ ଯୁଗରେ ଏ ଷ୍ଟିଲ୍ ଆସି ଆମର ପରମ୍ପରା ଚଳନୀକୁ କେଉଁଠୁ କେଉଁଠିକୁ ନେଲାଣି । ସମସ୍ତେ ସହଜ ଅଳ୍ପ କାମ ଅଳ୍ପ ପରିଶ୍ରମକୁ ଆପଣାଇ ନେଲେଣି । କିଏ ମାଜି ସଫା କରିବ କଂସା ବାସନ । ସମସ୍ତେ ଆମେ ଅଳ୍ପ ପରିଶ୍ରମରେ ଖୁସି ।
ବନ୍ଧୁ ଘରକୁ ଗଲେ ପ୍ରଥମ ବନ୍ଧୁଘରର ସଂସ୍କୃତି ବଡଲୋକିଆ ଜଣା ପଡୁଥିଲା, ଯେତେବେଳେ କୁଣିଆଙ୍କୁ କଂସା କୁମ୍ଭରେ ପାଣି ଦିଆଯାଉଥିଲା ଗୋଡ ଧୋଇବାପାଇଁ । ତା ପରେ ସର୍ ବତ ବା ଲେମ୍ବୁପାଣି ବା ଦହି ବା ଥଣ୍ଡାପାଣି ଦିଆଯାଉ ଥିଲା କଂସା ଗ୍ଲାସ୍’ରେ । କଥାରେ କହନ୍ତି ତୁମ ବଡଲୋକିଆ ତୁମ ପାଣିଢାଳରୁ ଜଣାପଡେ। ଆଜିକାଲି ଚାହିଦା ବଢିଲା ପଇସା ବଢିଲା ଆଉ ଆମ ଚଳଣି ଗଲା ଚୁଲିକୁ । ଆମେ ଷ୍ଟିଲ୍ ଗ୍ଲାସ୍ ବା କାଚ ଗ୍ଲାସ୍’ରେ କାମ ଚଳାଇଲେ । କଂସାର ବ୍ୟବହାର ଓଡ଼ିଆଙ୍କ ଘରେ ଯେତେ ହେଉଥିଲା ବା ଆଜି ବି ହେଉଛି ତାହା ଅନ୍ୟ କୌଣସି ଚଳଣିରେ ଦେଖା ଯାଏ ନାହିଁ । ଖାଲି ଠାକୁର ବାସନ ବା ସବୁଦିନ ଚଳଣିରେ ନୁହେଁ। ଆମ ଓଡ଼ିଆ ଘରର ବାହାଘର, ବ୍ରତଘର, ଜ୍ବାଇଁ ଡକରା, ପଖାଳ ଖିଆ, ଦୀନଧରା କନ୍ୟା ଡକରା ଏ ସବୁରେ ବି କଂସାର ଚାହିଦା ଖୁବ୍ ଅଧିକ ।
ବାହାଘରରେ ପ୍ରଥମ ହେଉଛି ଲଗ୍ନଧରା ସେଥିରେ ଠାକୁର ଥାଳିଟିଏ ନିଶ୍ଚେ ନିଆଯାଏ, ବରଧରା ଗଲେ ବାହାଘରରେ ଥାଳି କୁମ୍ଭ ଏ ସବୁ ଯାଏ । ଝିଅ ବିଦା ବେଳେ ଝିଅ ବାପଘରୁ ଗୁଡଗିନା ନେଇ କରି ଯାଇଥାଏ ଯାହା ସମସ୍ତଙ୍କୁ ଦେଖାଇ ସମସ୍ତଙ୍କ ମନକିଣେ । ଜ୍ବାଇଁ ଡାକରା ହେଲେ ଜ୍ବାଇଁ ଆସୁ ଆସୁ କଂସା ଢାଳରେ ପାଣି ନେଇ ଜ୍ବାଇଁ ଗୋଡଧୁଆ । ବାହାଘର ପରଦିନ ପଖାଳକଂସାରେ ପଖାଳ ଖିଆ । ଜ୍ବାଇଁ ପାଇଁ ପୁରା ନୂଆ କଂସା ବାସନରେ ଜ୍ବାଇଁକୁ ଖାଇବା ଦିଆଯାଏ ଆଉ ଶଶୁର ଘରୁ ଗଲାବେଳକୁ ପୁରା ବ୍ୟବହାର ବାସନ ପଠାଯାଏ । ଶାଶୁଘରକୁ ଝିଅ ଆସିବା ବେଳେ ଝିଅ ବ୍ୟବହାର କରୁଥିବା ଛୋଟ ବେଳର କଂସା ଥାଳି ବା କଂସା ଝିଅକୁ ଉପହାର ରୂପେ ଦିଆଯାଏ ।
ବ୍ରତ ଘରରେ ମାମୁଁ ଘରୁ ଥାଳି ଢାଳ ଦୀପ ଇତ୍ୟାଦି ଆସେ ଭଣଜାର ବ୍ରତୋପନୟନ ପାଇଁ। ବ୍ରତଘର କିଛି ଦିନ ପରେ ମାମୁଁ ଘରେ ନୂଆ କଂସାରେ ପଖାଳ ଖାଏ । ପିଲାଟିଏ ଜନ୍ମ ହେଲେ ମାମୁଁ ଘରୁ ଏକୋଇଶା/ଏକୋଇଶିଆ ପାଇଁ କଂସା ଥାଳି ଆସେ ପିଲାକୁ ସେଥିରେ ଶୁଆଇ ସତ୍ୟ ନାରାୟଣ ପୂଜା ଆସ୍ଥାନ ପାଖକୁ ମାମୁଁ ନେବାପାଇଁ ଓ ନାମକରଣ ପାଇଁ। ମାମୁଁ ଘରୁ ଆଗେ କଜଳପାତି ବି ଆସୁଥିଲା ପିଲା ଜନ୍ମହେଲେ ।
ସୁନା ରୂପା ଅପେକ୍ଷା ଅଧିକ ବ୍ୟବହାର କଂସା ବାସନର ଥିଲା । ବୁଢୀମା କହେ କାହା ଘରେ ଚୋର ପଶିଲେ କହୁଥିଲେ କଂସାବାସନ ଚୋରି ହୋଇଥିବ । ଆଗେ ପ୍ରତି ରାଜା ମହାରାଜାଙ୍କ ଘରେ ବା ଧନୀ ଶ୍ରେଣୀୟ ବ୍ୟକ୍ତିଙ୍କ ଘରେ କଂସା ବାସନରେ ସମସ୍ତେ ଭୋଜନ କରନ୍ତି। ସେ ବା ନ ଗୁଡିକରେ ଖୁବ୍ ସୁନ୍ଦର କାମ ବି ହେଉଥିଲା । ଚିତ୍ର ହସ୍ତୀ ଗଛ ଲତା ଜୀବଜନ୍ତୁ ଠାକୁର ତାହା ସହ ନାମ ବି କୁଟା ଯାଉଥିଲା । କିଛି ଲୋକ ବି ଉପହାର ଦେବା ବେଳେ ନାମ ସହ ବ୍ରତୋପନୟନ, ବିବାହ ତାରିଖ ଓ ବରବଧୂଙ୍କ ନାମ କୁଟାଉଥିଲେ ବାସନ ଉପରେ । କଂସାର ଫୁଲଦାନୀ ବି ଅନେକ ଲୋକଙ୍କ ଘରେ ଦେଖିବା ପାଇଁ ମିଳେ ।
(ଚିତ୍ର ପାଇଁ କୃତଜ୍ଞତା: ଅମ୍ବିକା ପଟ୍ଟନାୟକ)
ଓଡ଼ିଆ ଘରର ସମ୍ଭ୍ରାନ୍ତ ଚଳଣି ପରମ୍ପରା ଐତିହ୍ୟ ଲେଖିଲେ ସରିବ ନାହିଁ । ଆମେ ସମସ୍ତେ ଖୁବ୍ ଭାଗ୍ୟବାନ ଓଡ଼ିଆ ଘରେ ଓ ଓଡ଼ିଶାରେ ଜନ୍ମ ହୋଇଛେ । ଆମେ ସେ କଂସା ବାସନକୁ ଭୁଲିବା ନାହିଁ । କଂସା ବାସନରେ ଖାଇବାର ଉପକାରିତା ବିଜ୍ଞାନରୁ ଜଣାପଡେ । ବର୍ଷ ବର୍ଷ ବ୍ୟବହାର କଲେ ତାହା ଭାଙ୍ଗେନାହିଁ ଯେତେ ପୁରୁଣା ତାହା ମାଜିବା ପରେ ସୁନା ପରି ଦାଉ ଦାଉ ଦିଶୁଥାଏ ।
ଆଗପରି କଂସା ବାସନ ସଫା କରିବା ପାଇଁ ମାଟି ପାଉଁଶ ବଦଳରେ ଅନେକ ପାଉଡର ବ୍ୟବହାର କରି ଆମେ ସଫା କରି ପାରିବା । ଆମ ଚଳଣି ଆମ ପରିଚୟ । ଆମର କର୍ତ୍ତବ୍ୟ ଆମେ ଏହାକୁ ପର ପିଢୀକୁ ଜଣାଇବା ।
© Dr. Jayashree Nanda
Kansa Basana, Bronze Utensil
ଅନନ୍ୟ ଉପସ୍ଥାପନା