ଲେଖା: ରୁଦ୍ର ନାରାୟଣ ସାହୁ
~ ନବତଳ ପ୍ରାସାଦ ବାରବାଟୀ ଦୁର୍ଗ ~
ବାରବାଟୀ ଦୁର୍ଗ ମଧ୍ୟରେ ରାଜା ମୁକୁନ୍ଦଦେବ ଗୋଟିଏ ପ୍ରକାଣ୍ଡ ନବତଳ ପ୍ରାସାଦ ନିର୍ମାଣ କରାଇ ତହିଁରେ ବାସ କରୁଥିଲେ ଏବଂ ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରାସାଦଟି ଏଡ଼େ ପ୍ରକାଣ୍ଡ ଏବଂ ତାହା ପୁଣି ଧଳାମୁଗୁନି ପଥରରେ ନିର୍ମିତ ହୋଇଥିଲା ।
ଆବୁଲ୍ଫଜଲ ଆଲାମୀ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶା ଭ୍ରମଣକାଳରେ ଏହି ଦୁର୍ଗ ସ୍ଵଚକ୍ଷୁରେ ଦେଖି ସ୍ଵପ୍ରଣୀତ ‘ଆଇନୀ ଆକବରୀ’ରେ ନିମ୍ନଲିଖିତ ରୂପେ ଏହାର ବର୍ଣ୍ଣନା କରିଅଛନ୍ତି –
ଏହି ବାରବାଟୀ ଦୁର୍ଗ ମଧ୍ୟରେ ରାଜା ମୁକୁନ୍ଦଦେବଙ୍କ ଦ୍ବାରା ନିର୍ମିତ ଗୋଟିଏ ନବତଳ ପ୍ରାସାଦ ଅଛି ।
ଏହାର ପ୍ରଥମ ତଳ ହସ୍ତୀ, ଓଟ, ଘୋଡା ପ୍ରଭୃତି ପାଳିତ ପଶୁମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ଅଛି ।
ଦ୍ୱିତୀୟ ତଳରେ ଗୁଳିଗୋଳା, ତୋପ ଓ ଅନ୍ୟାନ୍ୟ ଯୁଦ୍ଧୋପକରଣ ସଜ୍ଜିତ ଅଛି; ଏହି ତଳ ଦୁର୍ଗରକ୍ଷକ ଓ ଅନ୍ୟାନ୍ୟ ପ୍ରହରୀମାନଙ୍କ ବାସସ୍ଥାନ ।
ତୃତୀୟ ତଳରେ ଦ୍ଵାରୀ ଓ ଅନ୍ୟାନ୍ୟ ଆଜ୍ଞାବାହକମାନେ ଥାନ୍ତି ।
ଚତୁର୍ଥ ତଳ ନାନାପ୍ରକାର କୌଶଳସମ୍ପନ୍ନ କାରିଗରମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ।
ପଞ୍ଚମ ତଳରେ ରନ୍ଧନଶାଳା ।
ଷଷ୍ଠ ତଳରେ ନାନା ଭଦ୍ରବ୍ୟକ୍ତି ଓ ଆଗନ୍ତୁକମାନଙ୍କ ସଙ୍ଗେ ଦେଖାସାକ୍ଷାତ, କଥୋପକଥନ ଓ ରାଜଦରବାର ପ୍ରଭୃତି ନିମନ୍ତେ ବ୍ୟବହୃତ ହୁଏ ।
ସପ୍ତମ ତଳରେ ରାଜାଙ୍କର ପାରିବାରିକ ଓ ଗୋପନୀୟ କାର୍ଯ୍ୟମାନ ହୁଏ ।
ଅଷ୍ଟମ ତଳରେ ଅନ୍ତଃପୁର ମହିଳାମାନେ ବାସ କରନ୍ତି; ଏବଂ
ନବମ ତଳରେ ରାଜାଙ୍କର ଶୟନାଗାର ।
ଇଂରେଜ ଐତିହାସିକ ଜେମ୍ସ୍ ଫର୍ଗୁସନ କହନ୍ତି, ଯେ “ଆବୁଲ୍ଫଜଲ ଯେତେବେଳେ ଏହି ପ୍ରାସାଦର ବର୍ଣ୍ଣନା କରିଥିଲେ ସେତେବେଳେ ଓଡ଼ିଶା ଆକବରଙ୍କ ସାମ୍ରାଜ୍ୟର ଅଂଶ ବିଶେଷ ଥିଲା । ଅଦ୍ୟାପି ସପ୍ତତଳ ପ୍ରାସାଦମାନ ଜୟପୁର ଓ ବିଜାପୁରରେ ଅଛି, ଏବଂ ସେହି ପ୍ରାସାଦମାନ ଏହି (ମୁକୁନ୍ଦଦେବଙ୍କ) ପ୍ରାସାଦ ନିର୍ମାଣ କାଳରେ ଗଠିତ ହୋଇଥିଲା । ଫତେପୁର ସିକ୍ରିଠାରେ ଆକବରଙ୍କର ନିଜର ଗୋଟିଏ ପଞ୍ଚତଳ ପ୍ରାସାଦ ଅଛି, କିନ୍ତୁ ନବତଳ ପ୍ରାସାଦ ଅନ୍ୟ କୌଣସି ସ୍ଥାନରେ ଥିବାର ମୁଁ ଶୁଣିନାହିଁ । ତେଣୁ ବର୍ତ୍ତମାନ ଯେଉଁ ବର୍ଣ୍ଣନା (ଆଇନୀ ଆକବରୀ ଗ୍ରନ୍ଥରେ ନବତଳ ପ୍ରାସାଦର ବର୍ଣ୍ଣନା) ଉଦ୍ଧୃତ ହେଲା ତହିଁରେ ସନ୍ଦେହ କରିବାର କୌଣସି କାରଣ ନାହିଁ।”
ଫର୍ଗୁସନ କହନ୍ତି ଯେ ଅନ୍ୟତ୍ର ନବତଳ ପ୍ରାସାଦ ଥିବାର ସେ ଶୁଣି ନାହାନ୍ତି; ତେଣୁ ଆମ୍ଭେମାନେ ବିଶ୍ଵାସ କରୁ ଯେ ଆବୁଲ୍ଫଜଲ ଆକବରଙ୍କ ସାମ୍ରାଜ୍ୟ ଭ୍ରମଣ କରୁ କରୁ ଓଡ଼ିଶାରେ ପ୍ରବେଶମାତ୍ରେ ଏହି ସୁରମ୍ୟ ନବତଳ ପ୍ରାସାଦ ତାଙ୍କର ମନୋରାଜ୍ୟରେ ଏକ ଅଭିନବ ଭାବ ଜାଗ୍ରତ କଲା, ଏବଂ ସେ ଏହି ପ୍ରାସାଦର ସବିଶେଷ ବର୍ଣ୍ଣନା ଆନନ୍ଦରେ ନିଜ ଗ୍ରନ୍ଥରେ ଦେଇଥିଲେ ।
ଐତିହାସିକ ଷ୍ଟର୍ଲିଙ୍ଗ ଓଡ଼ିଶାରେ ବହୁକାଳ ବାସ କରିଥିଲେ; ଏବଂ ବାରବାଟୀ ଦୁର୍ଗସେ ବିଶେଷ ତତ୍ତ୍ଵସନ୍ଧିତ୍ସୁ ଚକ୍ଷୁରେ ଦେଖିଥିଲେ । ସେ କହନ୍ତି, ଆଇନୀ ଆକବରୀରେ ବର୍ଣ୍ଣିତ ରାଜା ମୁକୁନ୍ଦଦେବଙ୍କ ନବତଳ ପ୍ରାସାଦର କୌଣସି ଚିହ୍ନ ବର୍ତ୍ତମାନ ଦୁର୍ଗର ପ୍ରାଚୀର ମଧ୍ୟରେ ଦେଖାଯାଏ ନାହିଁ; କିନ୍ତୁ ନାନା କାରୁକାର୍ଯ୍ୟ ଖଚିତ କର୍ଣ୍ଣିସ୍ ପ୍ରଭୃତିର ଯେଉଁ ଭଗ୍ନାବଶେଷ ସମୟ ସମୟରେ ଖୋଳା ହୋଇ ବାହାରୁ ଅଛି, ଏବଂ ବହୁକାଳସ୍ଥାୟୀ ସୁନ୍ଦର କ୍ଲୋରାଇଟ୍ ପ୍ରସ୍ତର ନିର୍ମିତ ଆଲୋକ ଧାରଣ ନିମନ୍ତେ ନାନା ଶାଖାଯୁକ୍ତ ଯେଉଁ ପ୍ରକାଣ୍ଡ ସ୍ତମ୍ଭ ବିଦ୍ୟମାନ ଅଛି, ତହିଁରୁ ଅନୁମାନ କରାଯାଏ ଯେ ସମ୍ଭବତଃ ସେହି ସମସ୍ତ କୌଣସି ବୃହତ ଓ ସୁରମ୍ୟ ଅଟ୍ଟାଳିକାର ଭଗ୍ନାବଶେଷ ମାତ୍ର ।
ଆବୁଲ ଫଜଲଙ୍କ ପ୍ରତ୍ୟକ୍ଷ, ଫର୍ଗୁସନ୍ ଓ ଷ୍ଟର୍ଲିଙ୍ଗ୍ଙ୍କ ଅନୁମାନ ଉପରେ ନିର୍ଭର କରି ଆମ୍ଭେମାନେ ବିଶ୍ଵାସ କରୁ ଯେ ଉତ୍କଳ ଗଜପତି ରାଜା ମୁକୁନ୍ଦଦେବ ବାରବାଟୀ ଦୁର୍ଗ ମଧ୍ୟରେ ଗୋଟିଏ ପ୍ରକାଣ୍ଡ ଓ ସୁରମ୍ୟ ନବତଳ ପ୍ରାସାଦ ନିର୍ମାଣ କରାଇଥିଲେ । ଆମ୍ଭମାନଙ୍କ ଏହି ବିଶ୍ୱାସ ମଧ୍ୟ ପରବର୍ତ୍ତୀକାଳୀନ ଇଂରେଜ ବଣିକମାନଙ୍କ ସାକ୍ଷ୍ୟ ଦ୍ବାରା ପ୍ରମାଣିତ ହୁଏ । ମୁକୁନ୍ଦଦେବଙ୍କ ମୃତ୍ୟୁର ଷାଠିଏ ବର୍ଷ ପରେ ଇଂରେଜ ବଣିକମାନେ ବାରବାଟୀକୁ ଆସିଥିଲେ, ଏବଂ ମୁକୁନ୍ଦଦେବଙ୍କ ପ୍ରାସାଦ ପ୍ରାୟ ନୂତନ ଅବସ୍ଥାରେ ସେମାନେ ଦେଖିଥିଲେ ।
ଇଂରେଜ ବଣିକ ଉଇଲିୟମ ବ୍ରୁଟନ୍ଙ୍କ ପତ୍ରରେ ବର୍ଣ୍ଣିତ ଅଛି ଯେ ମୁକୁନ୍ଦଦେବଙ୍କ ପ୍ରାସାଦ “So large in extent and so magnificent in structure” ଅର୍ଥାତ୍ ଆକାରରେ ସୁବିଶାଳ ଏବଂ ଗଠନରେ ସୁମହତ୍ ଓ ସୁରୁଚିର । ଏବଂ ସମଗ୍ର ପ୍ରାସାଦଟି ପୁଣି ଧଳାମୁଗୁନି ପଥରରେ ନିର୍ମିତ ।
~ କିପରି ଧ୍ବଂସ ପାଇଲା ନବତଳ ପ୍ରାସାଦ ~
ଉତ୍କଳର ଏହି ଶ୍ରେଷ୍ଠତମ ବୈଭବ କେବେ ଓ କିପରି ଧ୍ବଂସ ହେଲା, ଇତିହାସ ଏହା ସମ୍ପର୍କରେ ପ୍ରାୟତଃ ନିରବ। ଏତେବଡ ପ୍ରକାଣ୍ଡ ଓ ବିଶାଳକାୟ ନବତଳ ପ୍ରାସାଦ ଆଜି କାହିଁକି ଜନମାନସ ଚକ୍ଷୁରେ ଦେଖିବାକୁ ନ ମିଳିଲା।
ଐତିହାସିକ ଷ୍ଟର୍ଲିଙ୍ଗ ୧୮୧୮-୧୯ ମସିହାରେ କଟକରେ ରହୁଥିଲେ, ସେ ସେତେବେଳେ ବାରବାଟୀ ଦୂର୍ଗକୁ ନିଜ ସ୍ବଚକ୍ଷୁରେ ଦେଖିଥିଲେ, କିନ୍ତୁ ନବତଳ ପ୍ରାସାଦକୁ ଦେଖିବାକୁ ପାଇନଥିଲେ। ସୁତରାଂ ତାଙ୍କ ସମୟର ବହୁ ପୂର୍ବରୁ ପ୍ରାସାଦଟି ଧ୍ବଂସ ପାଇଯାଇଥିଲା। ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ ଆକ୍ରମଣ ସମୟରେ ନବତଳ ପ୍ରାସାଦ ଧ୍ବଂସ ହୋଇଥିଲେ, ଉଇଲିୟମ ବ୍ରୁଟନ୍ ୧୬୩୩ ଖ୍ରୀଷ୍ଟାବ୍ଦରେ ତାହାକୁ କେବେ ବି ଦେଖିବାକୁ ପାଇନଥାନ୍ତେ। ବ୍ରୁଟନ୍ଙ୍କ କଟକ ଭ୍ରମଣ କାଳରେ ତତ୍କାଳୀନ ମୋଗଲ ସୁବାଦାର ନବତଳ ପ୍ରାସାଦରେ ନ ରହି ଭୂମିରେ ତମ୍ବୁ ଟାଣି ରହୁଥିବାର ବ୍ରୁଟନ୍ ନିଜ ବିବରଣୀରେ ଲେଖିଛନ୍ତି। ୧୫୬୮ ଖ୍ରୀଷ୍ଟାବ୍ଦରେ ମୁକୁନ୍ଦଦେବଙ୍କ ମୃତ୍ୟୁ ପରେ ବାରବାଟୀ ଦୂର୍ଗ ପ୍ରଥମେ ଆଫଗାନ୍ ପରେ ମୋଗଲ, ମରହଟ୍ଟା ଓ ପରିଶେଷରେ ୧୮୦୩ ମସିହାରେ ଇଂରେଜମାନଙ୍କ ଅଧିକାରକୁ ଆସିଥିଲା । ଅଧିକାଂଶ ଐତିହାସିକ ଓ ଗବେଷକଙ୍କ ମତରେ ଏହି ନବତଳ ପ୍ରାସାଦ ଇଂରେଜମାନଙ୍କ ଶାସନ କାଳରେ ହିଁ ଭୁଲୁଣ୍ଠିତ ତଥା ଭଗ୍ନ ହୋଇଛି।
Images: cuttackheritage.com, wikimedia and AmaCuttack Facebook Page