ଆଠଗଡ଼

ଲେଖା: ଦେଵ ତ୍ରିପାଠୀ
ସବୁଜ ଶ୍ୟାମଳଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତ ଶୀତଳ ଛାୟାଚ୍ଛନ୍ନ, ଅଥଚ ସହରିଆ ମାଟି ! ନାଁ ତା’ର #ଆଠଗଡ଼ !
ଚାରିପାଖରେ #ନଭଶ୍ଚୁମ୍ଭୀ ବୃକ୍ଷରାଜି, #କୁଳୁକୁଳୁ ସୁରରେ ପ୍ରବହମାନ #ସାପୁଆ ନଦୀର ଝଙ୍କାର, ପକ୍ଷୀର କୂଜନ, #ସ୍ନିଗ୍ଧ ପରିବେଶ ଏକଦା ପାଲଟି ଯାଇଥିଲା ସରଳ ନିଷ୍କପଟ ମଣିଷର ଘର ! ଏବେ ମଣିଷର ସର୍ବଗ୍ରାସୀ ଭୋକ ପାଇଁ ସେସବୁ ପ୍ରାଣହୀନ ! ତଥାପି କଟକରୁ #ମୁଣ୍ଡଳୀ #ମେଘା ଦେଇ ଯିବା ରାସ୍ତାରେ ଯାତ୍ରୀଙ୍କୁ ବେଶ୍ ବିମୋହିତ କରି ରଖିପାରେ ଆଠଗଡ଼ ବନାଞ୍ଚଳର କ୍ଷୀଣ ଅରଣ୍ୟାନିର ଶୋଭାଶ୍ରୀ ! ବିକ୍ଷିପ୍ତ ବୃକ୍ଷରାଶି କିନ୍ତୁ ଅତିଥିମାନଙ୍କୁ ସ୍ବାଗତ ଜଣାଏ #ଐତିହାସିକ #ଗଡ଼ଜାତ ଆଠଗଡ଼ର ଦ୍ୱାରଦେଶରେ ! ଆଜି କାଳର ଆଘାତରେ ସିନା ଆଠଗଡ଼ର ଆଭା ଅସ୍ତମିତ, କିନ୍ତୁ ବହୁ ଇତିହାସର ସାକ୍ଷୀ ଏ ଗଡ଼ଜାତ ଥିଲା ଐତିହ୍ୟ, ରାଜକୀୟତା ତଥା ସଂସ୍କୃତିପ୍ରାଣତାରେ ଭରା !
ଅବିଭକ୍ତ କଟକ ଜିଲ୍ଲାର ଗଡ଼ଜାତଗୁଡ଼ିକ ମଧ୍ୟରେ ସର୍ବାଗ୍ରେ ସସମ୍ମାନେ ନିଆଯାଏ ଆଠଗଡ଼ର ନାମ ! ଏ ରାଜ୍ୟର ଇତିହାସରେ ପିଢ଼ି ପରେ ପିଢ଼ି, କେତେ ରାଜା, କେତେ କାହାଣୀ ! ନିଜ ନିଜ ସାଧନାର ସୌକର୍ଯ୍ୟରେ ଆଣିଥିଲେ ଅକଳନ ରୂପାନ୍ତର, ଏଇ ଗଡ଼ଜାତର ! ସେଇ ଐତିହ୍ୟମୟ ସହର ଆଜି ଅପାଶୋରା ଗାରିମାରେ ବିମଣ୍ଡିତ ! ସେଇ ଗାରିମାର ସ୍ପନ୍ଦନକୁ ପଢ଼ିବା ପାଇଁ ଆମେ ଏଥର ବାଛି ନେଇଥିଲୁ ସେଇ ଗାରିମାମୟ ଆଠଗଡ଼କୁ ! ‘ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା’ର ଏକ ଅଧ୍ୟାୟ ଭାବେ !
ଆଠଗଡ଼ ବୁଲି ଆସିଲେ ଓଡ଼ିଆଏ ଦର୍ଶନ କରନ୍ତି ଅଟଳି ଜଗନ୍ନାଥ ମନ୍ଦିର, ଅଥଚ ମନ୍ଦିରର ଦକ୍ଷିଣ ଦ୍ଵାର ଅତିକ୍ରମି ସାମାନ୍ୟ ଆଗକୁ ଦେଖିଲେ ଅଳିଆଗଦା ପରି ଏକ ବିଶାଳ ଅଞ୍ଚଳ ପରିଦୃଷ୍ଟ ହୁଏ ! ସେଇ ଅଞ୍ଚଳଟି ଏକଦା ଥିଲା ଗାରିମାସିକ୍ତ ଆଠଗଡ଼ ରାଜ୍ୟର ରାଜବାଟୀ ! ଯାହାର ଏକମାତ୍ର ଚିହ୍ନସ୍ବରୂପ ବିଶାଳ ଦ୍ଵାରଟି ଧରାଶାୟୀ ହେବାର ଅପେକ୍ଷାରେ ! ସେଇ ରାଜବାଟୀ ପରିସରରେ ରହିଛି ରାଜାରାଜୁଡ଼ା ଅମଳରେ ପ୍ରତିଷ୍ଠିତ #ଝୁଲଣମନ୍ଦିର, ଯେଉଁଠି ପୂଜା ପାଆନ୍ତି ରାଜବଂଶର ଇଷ୍ଟଦେବତା ରାଧାକୃଷ୍ଣ ! 
ଉଚ୍ଚ ବୃକ୍ଷରାଜି ବେଷ୍ଟିତ କାରଣରୁ ଦୂରରୁ ମନ୍ଦିରଟି ଦୃଶ୍ୟମାନ ନ ହେଉଥିଲେ ମଧ୍ୟ ସୁନ୍ଦର ମନଲୋଭା ଝୁଲଣ ମନ୍ଦିରଟି କିନ୍ତୁ ସହରର ଅନ୍ୟ ମନ୍ଦିରମାନଙ୍କଠୁ ନିଆରା ନିଶ୍ଚୟ ! ଦେଉଳରେ ଜୟବିଜୟଙ୍କ ସ୍ଥାନରେ ଶୋଭାପାଆନ୍ତି #ଗଙ୍ଗାଯମୁନା ! ଦେଉଳ ଗାତ୍ରରେ ଦଶାବତାର ସମେତ ଶ୍ରୀକୃଷ୍ଣବଳରାମଙ୍କ ବାଲ୍ୟଲୀଳାର ଦୃଶ୍ୟ ନିର୍ମିତ ! ରାଧାକୃଷ୍ଣଙ୍କ ସୁନ୍ଦର ଚିତ୍ର ଅଙ୍କନ ସହିତ ରାଜବଂଶର ଜନୈକ ରାଜା ଏବଂ ରାଣୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଦୃଶ୍ୟମାନ !
ଆଠଗଡ଼ ରାଜଇତିହାସର କଥା ଉଠିଲେ ଦୃଷ୍ଟିକୁ ଆସେ କେତେ ଜନଶ୍ରୁତି, କେତେ ଲୋକକଥା ! କୁହାଯାଏ, ଗଜପତିଙ୍କ ଶାସନ କାଳରେ ବହୁ ପ୍ରଭାବଶାଳୀ ପରାମର୍ଶଦାତା ଅବା ଦିଗଦର୍ଶକ ର ଦାୟିତ୍ଵ ତୁଲାଇଆସୁଥିଲେ ଏଇ ବଂଶର ରାଜନ୍ୟବର୍ଗ ! କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ଗଜପତି ମହାରାଜାଙ୍କ ହାତରେ ପ୍ରଦାନ କରିବା ପଛରେ ତତ୍କାଳୀନ ଆଠଗଡ଼ ରାଜାଙ୍କର ଥିଲା ପରୋକ୍ଷ ଇଙ୍ଗିତ !
କୁଜଙ୍ଗର ସାମନ୍ତରାଜା ନାରାୟଣ ବୀରବର ସାମନ୍ତଙ୍କ ଆତ୍ମଜୀବନୀ ‘ମୋ ସଂଗ୍ରାମୀ ଜୀବନର ଖଡ଼ିପାଠ’ ପୁସ୍ତକରୁ ଜଣାଯାଏ, ବୀରତ୍ୱ ଓ ପରାକ୍ରମ ପାଇଁ କୁଜଙ୍ଗର ଷଣ୍ଢ ରାଜାଙ୍କର ଯେଉଁ ନାଁର ଡାକ ଥିଲା, ସେଇ ଷଣ୍ଢରାଜାଙ୍କୁ ବଳୀୟାନ କରିପାରିଥିଲେ କେନ୍ଦ୍ରାପଡ଼ାର ନରେନ୍ଦ୍ର ବଂଶ ସହିତ ଆଠଗଡ଼ର ରାଜବଂଶ ! ଷଣ୍ଢରାଜାଙ୍କ ବାହୁବଳ, ନରେନ୍ଦ୍ରବଂଶୀ ରାଜାଙ୍କ ଧନବଳ ଓ ଆଠଗଡ଼ ରାଜାଙ୍କ ବୁଦ୍ଧିବଳରେ ମହାତ୍ରିଶକ୍ତିର ଅଭ୍ୟୁଦୟ ଘଟିଥିଲା ! ସେଇ ଆଠଗଡ଼ ବଂଶର ବହୁପରିଚିତ ରାଜା ଥିଲେ #ବିଶ୍ୱନାଥ_ଦେବବର୍ମା ! ଉଚ୍ଚାକାଙ୍କ୍କ୍ଷୀ ରାଜା ବିଶ୍ୱନାଥ ଗଜପତିଙ୍କ ଦ୍ଵାରା ପ୍ରଦତ୍ତ ଏବଂ ପିଢ଼ି ପରେ ପିଢ଼ି ରହିଆସିଥିବା ବେବର୍ତ୍ତା ଉପାଧିର ପରିବର୍ତ୍ତନ କରି #ଦେବବର୍ମା ଶବ୍ଦର ପ୍ରଚଳନ କରିଥିଲେ ! ପୂର୍ବର ‘ଦେବ’ ସହିତ ‘ବର୍ମା’ ଶବ୍ଦର ପ୍ରୟୋଗ କରି କ୍ଷତ୍ରିୟତ୍ୱର ପରାକାଷ୍ଠା ପ୍ରତିପାଦନ କରିପାରିଥିଲେ ରାଜା ବିଶ୍ୱନାଥ ! 
ଅଧ୍ୟାତ୍ମବାଦୀ କୃଷ୍ଣ ଭକ୍ତ ରାଜା ବିଶ୍ୱନାଥ ହିଁ ତୋଳିଥିଲେ ଏଇ ଝୁଲଣ ମନ୍ଦିର ! ସାରା ଜୀବନ ପ୍ରଜାମଙ୍ଗଳ ଓ ବିଭୁବନ୍ଦନରେ ବିତାଇଥିବା ରାଜାଙ୍କ ପ୍ରତିମୂର୍ତ୍ତି ପରବର୍ତ୍ତୀ ସମୟରେ ସ୍ଥାପିତ ହୋଇଛି ମନ୍ଦିର ପରିସରରେ ! 
ଏକଦା କେହି ରାଜା #ବାଣୀକଣ୍ଠ ନିମାଇଁଚରଣଙ୍କୁ ଦାନସୂତ୍ରରେ ପ୍ରଦାନ କରିଥିଲେ ରାଜବାଟୀ ! ବାଣୀକଣ୍ଠଙ୍କ ସଙ୍ଗୀତସାଧନାର ମୂଳଦୁଆ ପଡ଼ିଥିଲା ଏଇ ଝୁଲଣ ଦେଉଳରେ ! ସ୍ଵାଧୀନୋତ୍ତର ଓଡ଼ିଶାରେ ରାଜବଂଶର ବିଲୋପ ସହିତ ବାଣୀକଣ୍ଠ ମଧ୍ୟ ଶ୍ରୀକ୍ଷେତ୍ରରେ ବାସ କରିବା ପରେ ରାଜବାଟୀ ହେଲା ପରିତ୍ୟକ୍ତ ! ଉଲ୍ଲେଖଯୋଗ୍ୟ ଯେ, ସହରର ଉତ୍ତର ଦିଗରେ ଅବସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର କୋଠାଟି ମଧ୍ୟ ଆଠଗଡ଼ ରାଜବଂଶର ଅନ୍ୟ ଏକ ପ୍ରାସାଦ !
ଦେବୋତ୍ତର ବିଭାଗ ଅଧୀନରେ ଥାଇ ମଧ୍ୟ ଦେଉଳର ପରିଚାଳନା ପ୍ରତି ବିଭାଗର ଅଣଦେଖା କଥା ସ୍ଥାନୀୟ ଅଧିବାସୀ ମତ ଦିଅନ୍ତି ! ଉପଯୁକ୍ତ ତତ୍ତ୍ୱାବଧାନରେ ଏଇ ସୁନ୍ଦର ଦେଉଳର ଉନ୍ନତି ସାଧନ ସହିତ ଭକ୍ତମାନଙ୍କ ଦୃଷ୍ଟି ଆକର୍ଷଣ ହୋଇପାରନ୍ତା !
ଆଠଗଡ଼ ସହରାଞ୍ଚଳରେ ବିଭିନ୍ନ ସମୟରେ ସ୍ଥାପିତ ବହୁ ପ୍ରାଚୀନ ମନ୍ଦିର ! ସମ୍ପୂର୍ଣ୍ଣ ଇତିହାସ ଜଣା ନ ଥିଲେ ମଧ୍ୟ ଅଟଳି ଜଗନ୍ନାଥ ମନ୍ଦିର, ରଘୁନାଥ ମନ୍ଦିର, ମାଉସୀମା ମନ୍ଦିର (ପ୍ରକାରାନ୍ତରେ ନାରାୟଣ ମନ୍ଦିର) ଆଦି ପ୍ରାଚୀନ ମନ୍ଦିର ଆଠଗଡ଼ର ଗାରିମାମୟ ଇତିହାସର ପରିଚୟ ଦିଅନ୍ତି !

1 thought on “ଆଠଗଡ଼”

Leave a Comment

Your email address will not be published. Required fields are marked *

Scroll to Top