ଲେଖା: ତ୍ରିଲୋଚନ ସ୍ୱାଇଁ
~ ଐତିହ୍ୟନଗରୀ ସୁବର୍ଣ୍ଣପୁର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ଓଡ଼ିଶାରେ ମାନବ ସଭ୍ୟତାର ପ୍ରାରମ୍ଭ କାଳରୁ ମଣିଷର ଅନ୍ତରଙ୍ଗ ସମ୍ପର୍କ ରହିଆସିଛି ମହାନଦୀ ସହିତ l ଏହି ମହାନଦୀ ଆମ ପାଇଁ କେବଳ ଯେ ଏକ ଚୀରସ୍ରୋତା ନଦୀ ତାହା ନୁହେଁ ବରଂ ଏହା ଆମ ଜୀବନର ରେଖା, ଅମୃତର ଧାରା l ଏଠି ମାନବ ଜୀବନ କେତେବେଳେ ତା’ର ଖଣ୍ଡ ପ୍ରଳୟର ତାଣ୍ଡବ ଦେଖିଛି ତ ପୁଣି କେତେବେଳେ ତା’ର କଳକଳ ନାଦର ଆଲ୍ହାଦ ଶୁଣିଛି l କେତେ ଯେ ନଦୀ, ଉପନଦୀ ଏହି ଭୂମିରେ ପ୍ରବାହିତ ହୋଇ ରାଇଜକୁ ଶସ୍ୟଶ୍ୟାମଳା କରିଛନ୍ତି ତାର ତୁଳନା ନାହିଁ l
ସୁବର୍ଣ୍ଣପୁର: ଅଲୌକିକ କଥାବସ୍ତୁ ଅନୁଯାୟୀ ଏକଦା ଏହି ପୂରରେ ଅଢ଼େଇଦିନ ଧରି ସୁବର୍ଣ୍ଣ ବର୍ଷା ହୋଇଥିଲା l ଏଣୁ ଏହି ଅଞ୍ଚଳର ନାମ ସୁବର୍ଣ୍ଣପୁର l ଗିରି, ବନ, ନଦ, ନଦୀ ଘେରା ଶସ୍ୟ ଶ୍ୟାମଳା ସ୍ବର୍ଣ୍ଣପୁର, ସୋନପୁର ବା ସୁବର୍ଣ୍ଣପୁର l ମହାନଦୀ ଓ ତେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏକ ଛୋଟିଆ ଅଥଚ ପରିଷ୍କାର ପରିଚ୍ଛନ ସୁନ୍ଦର ସହର ସୁବର୍ଣ୍ଣପୁର l
ରାଜ୍ୟ ରାଜଧାନୀ ଭୁବନେଶ୍ୱର ପରି ପଶ୍ଚିମାଞ୍ଚଳରେ ସୁବର୍ଣ୍ଣପୁରକୁ ମଧ୍ୟ ମନ୍ଦିରମାଳିନୀ ସହର ବୋଲି ଆଖ୍ୟା ଦିଆଯାଇଥାଏ l ଏଠାରେ ମହାନଦୀ ଓ ତେଲ ନଦୀ କୂଳେ କୂଳେ ଅନେକ ଗୁଡ଼ିଏ ମନ୍ଦିର ଦେଖିବାକୁ ମିଳେ l ଆଉ ଭଗ୍ନ, ଜରାଜୀର୍ଣ୍ଣ ପ୍ରାଚୀନ ରାଜପ୍ରାସାଦଟି ନିଜର ହୃତ ଗୌରବ ବଖାଣିବାକୁ ଯାଇ ଏବେ ବି ମହାନଦୀ କୂଳେ ଛିଡ଼ା ହୋଇରହିଛି ଯାହା l
ଅତୀତ ଇତିହାସକୁ ଦୃଷ୍ଟିଦେଲେ ଜଣାଯାଏ ପ୍ରାୟ ସପ୍ତମ-ଅଷ୍ଟମ ଶତାବ୍ଦୀ ବେଳକୁ ସୁବର୍ଣ୍ଣପୁର ଅଞ୍ଚଳରେ ରାଜବଂଶର ଶାସନ ପ୍ରାରମ୍ଭ ହୋଇଥିଲା l ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜବଂଶ ସୁବର୍ଣ୍ଣପୁର ଅଞ୍ଚଳରେ ଶାସନ କରିଯାଇଛନ୍ତି l ଅଷ୍ଟମ ଶତାବ୍ଦୀ ବେଳକୁ ସୁବର୍ଣ୍ଣପୁର ଅଞ୍ଚଳ ଖିଞ୍ଜିଳୀ ମଣ୍ଡଳର ଅଂଶ ରୂପେ ଭୌମକରଙ୍କ କରଦ ରାଜ୍ୟ ଥିଲା, ଆଉ ଭଞ୍ଜବଂଶୀ ଶାସକମାନେ ଏଠାରେ ଶାସନ କରୁଥିଲେ l
ପରବର୍ତ୍ତୀ ସମୟରେ ସୋମବଂଶୀ ଶାସକ ଜନ୍ମେଜୟ ସୁବର୍ଣ୍ଣପୁରକୁ ନିଜ ରାଜଧାନୀ ରୂପେ ଚୟନ କରି ଏଠାରେ ଶାସନ କଲେ l ସୋମବଂଶୀଙ୍କ ପରେ ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଏଠାରେ ଗଙ୍ଗବଂଶୀଙ୍କ ରାଜତ୍ୱ ଆରମ୍ଭ ହୋଇଯାଇଥିଲା l ସୁବର୍ଣ୍ଣପୁର ଅଞ୍ଚଳରୁ ଗଙ୍ଗବଂଶୀ ଶାସନ କାଳୀନ ଅନେକ ଗୁଡ଼ିଏ ସ୍ବର୍ଣ୍ଣମୁଦ୍ରା ଓ ପସ୍ତର ଅଭିଲେଖ ଆଦି ଉଦ୍ଧାର ହୋଇଛି l
ଗଙ୍ଗବଂଶୀ ଶାସନର ଅନେକ ବର୍ଷ ପରେ ବଲାଙ୍ଗୀର ପାଟଣାଗଡ଼ର ଚୌହାନ ରାଜବଂଶମାନେ ସୁବର୍ଣ୍ଣପୁର ଅଞ୍ଚଳକୁ ନିଜ ଅଧୀନକୁ ନେଇ ଶାସନ ପ୍ରତିଷ୍ଠା କରିଥିଲେ l ପ୍ରାୟ ଷୋଳଶହ ଖ୍ରୀଷ୍ଟାବ୍ଦରେ ରାଜା ମଦନ ଗୋପାଳ ସୋନପୁରରେ ଚୌହାନ ବଂଶର ମୂଳଦୁଆ ପକାଇଥିଲେ ଓ ବ୍ରିଟିଶ ଆଗମନ ପର୍ଯ୍ୟନ୍ତ ଚୌହାନମାନେ ଏଠାରେ ଶାସନ କରିଥିଲେ l ବ୍ରିଟିଶ ଶାସନ ପରେ ୧୯୪୮ ମସିହାରେ ସୁବର୍ଣ୍ଣପୁର ଆଧିନିକ ଓଡ଼ିଶା ରାଜ୍ୟରେ ମିଶ୍ରଣ ହୋଇଥିଲା l
ସୋମବଂଶୀ ଓ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟରେ ତଥା ପରବର୍ତ୍ତୀ ଚୌହାନ ରାଜବଂଶର ଶାସନ କାଳରେ ସୁବର୍ଣ୍ଣପୁରରେ ଅନେକ ମନ୍ଦିର ନିର୍ମାଣ ହୋଇଥିବା ଜଣାଯାଏ l ସେ ଗୁଡ଼ିକ ମଧ୍ୟରୁ କେତୋଟି ମୁଖ୍ୟ ମନ୍ଦିର ହେଲା —
#ସୁବର୍ଣ୍ଣମେରୁ: କିମ୍ବଦନ୍ତୀ ଅନୁସାରେ ପୂର୍ବକାଳରେ ଜଣେ ବଣିକ ନଦୀ ପଥଦେଇ ବାଣିଜ୍ୟ ଉଦ୍ଦେଶ୍ୟରେ ନାବରେ ଯାତ୍ରା କରୁଥିଲେ l ଏହି ସମୟରେ ନାବର ଏକ ଲୌହ ଅଂଶ ନଦୀଗର୍ଭସ୍ଥ ଏକ ପାଷାଣରେ ବାଜି ସୁବର୍ଣ୍ଣରେ ରୂପାନ୍ତରିତ ହୋଇଥିଲା l ପରେ ସେହି ସୁବର୍ଣ୍ଣ ସ୍ପର୍ଶରେ ଡଙ୍ଗାରେ ଥିବା ସମସ୍ତ ଜିନିଷ ସୁବର୍ଣ୍ଣରେ ପରିଣତ ହୋଇଯାଇଥିଲା l ଏତାଦୃଶ ଅଲୌକିକ ଘଟଣାକୁ ଦେଖି ବଣିକ ଜଣଙ୍କ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ l ତାଙ୍କ ମନର ଜିଜ୍ଞାସାର ଅନ୍ତଃ ଘଟାଇ ଏହି ସମୟରେ ସ୍ୱର୍ଗବାଣୀ ହୋଇଥିଲା ଯେ, ନଦୀଗର୍ଭରେ ମହାପ୍ରଭୁ ଲିଙ୍ଗସ୍ୱରୂପରେ ଅବସ୍ଥାନ କରିଅଛନ୍ତି ଏଣୁ ତାଙ୍କ ପାଇଁ ଦେଉଳଟେ ନିର୍ମାଣ କରିବାକୁ ଆଜ୍ଞା ହେଲା l
ମହା ଆନନ୍ଦରେ ବଣିକ ଜଣକ ସୁନା ବଦଳରେ ଅର୍ଥ ଯୋଗାଡ଼ କରି ମନ୍ଦିରଟିଏ ନିର୍ମାଣ କଲେ ଏବଂ ମହା ପ୍ରଭୁଙ୍କୁ ଆବିର୍ଭାବ ହେବାକୁ ପ୍ରାର୍ଥନାକଲେ, ଆଉ ଯେଉଁଦିନ ମହାଦେବ ଲିଙ୍ଗସ୍ୱରୂପରେ ଗର୍ଭଗୃହରେ ଆବିର୍ଭୁତ ହେଲେ ସେଦିନ ଗର୍ଭଗୃହ ପରିସର ଅଞ୍ଚଳରେ ସୁବର୍ଣ୍ଣ ବର୍ଷା ହୋଇଥିଲା l ସେଇଦିନୁ ଭଗବାନ ଶଙ୍କର ସୁବର୍ଣ୍ଣମେରୁ ନାମରେ ଓ ଅଞ୍ଚଳଟି ସୁବର୍ଣ୍ଣପୁର ନାମରେ ପରିଚିତ ହେଲା l କୁହାଯାଏ ସେଇ ସୁବର୍ଣ୍ଣ ବର୍ଷାରେଣୁର କେତୋଟି ଖଣ୍ଡ ଯାହାକି ପରବର୍ତ୍ତୀ ସମୟରେ ପ୍ରାପ୍ତ ହୋଇଥିଲା ତାହା ଏବେ ବି ଜିଲ୍ଲା ଟ୍ରେଜେରୀରେ ସଂରକ୍ଷିତ ହୋଇ ରହିଅଛି l
#ରାମେଶ୍ୱର_ମନ୍ଦିର: ଏହି ମନ୍ଦିରଟି ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳରେ ଅବସ୍ଥିତ l ବର୍ତ୍ତମାନର ମନ୍ଦିରଟି ଚୌହାନ ରାଜବଂଶ ଦ୍ୱାରା ନିର୍ମାଣ ହୋଇଛି l ଏହି ମନ୍ଦିର ପରିସରରେ ବହୁ ପ୍ରାଚୀନ ମୂର୍ତ୍ତି ଦେଖିବାକୁ ମିଳେ ଯାହାକି ସୋମବଂଶୀ ଶାସନ କାଳୀନ ବୋଲି ଅନୁମାନ କରାଯାଏ l କୌଣସି କାରଣରୁ ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମିତ ପ୍ରାଚୀନ ମନ୍ଦିରଟି ଭାଙ୍ଗି ଯାଇଥିବାରୁ ଏବର ମନ୍ଦିରଟି ଚୌହାନମାନଙ୍କ ସମୟରେ ନିର୍ମାଣ ହୋଇଛି l ମନ୍ଦିର ଗର୍ଭଗୃହରେ ଥିବା ଶିବଲିଙ୍ଗଟି ଏକ ପାତାଳଫୁଟା ସ୍ୱୟଂଭୁ ଶିବଲିଙ୍ଗ l
#ଲଙ୍କେଶ୍ୱରୀ_ମନ୍ଦିର: ସୁବର୍ଣ୍ଣପୁର ରାଜବାଟୀ ନିକଟରେ ମହାନଦୀ ଗର୍ଭରେ ଏକ ବିରାଟ ପାଷାଣ ଖଣ୍ଡ ଉପରେ ମାଆ ଲଙ୍କେଶ୍ୱରୀଙ୍କ ମନ୍ଦିର ଅବସ୍ଥିତ l ରାଜପରିବାର ଲୋକେ ଯେଉଁ ଘାଟରେ ସ୍ନାନ କରନ୍ତି ସେଇ ଘାଟ ନିକଟରେ ଛିଡ଼ା ହେଲେ ମନ୍ଦିରଟି ସ୍ପଷ୍ଟ ରୂପେ ଦୃଶ୍ୟମାନ ହୁଏ l କୁହାଯାଏ ଦଶାନନ ରାବଣ ମା’ ଲଙ୍କେଶ୍ୱରୀଙ୍କୁ ଏଠାରେ ପୂଜାର୍ଚ୍ଚନା କରିଥିଲେ l ବିଶେଷକରି ଧୀବର ସମ୍ପ୍ରଦାୟ ଲୋକଙ୍କ ଇଷ୍ଟଦେବୀ ହେଉଛନ୍ତି ମା’ ଲଙ୍କେଶ୍ୱରୀ l
#ଗୋକର୍ଣ୍ଣେଶ୍ୱର_ମନ୍ଦିର: ଏହି ମନ୍ଦିରଟି ମହାନଦୀ କୂଳରେ ଅବସ୍ଥିତ l ମନ୍ଦିରଟି ଦେଖିବାକୁ ଖୁବ୍ ସୁନ୍ଦର l ମନ୍ଦିର ପରିସରରେ ରାମଚଣ୍ଡୀଙ୍କ ଏକ ମନ୍ଦିର ରହିଛି l ମନ୍ଦିରଟି ସୋମବଂଶୀ ଶାସନ କାଳରେ ନିର୍ମାଣ ହୋଇଥିବା ଜଣାଯାଏ ମାତ୍ର ବର୍ତ୍ତମାନର ମନ୍ଦିରଟି ଏକ ନୂତନ ନିର୍ମାଣ ଏଟେ l ମନ୍ଦିର ପରିସରରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକ ସୁକ୍ଷ୍ମ କାରୁକାର୍ଯ୍ୟ ବିଶିଷ୍ଟ ନହେଲେ ବି ଖୁବ୍ ପ୍ରାଚୀନ l
#ଗୋପାଳଜୀ_ମନ୍ଦିର: ଏହି ମନ୍ଦିରଟି ଅତି ପ୍ରାଚୀନ ନ ହେଲେ ବି ଏକ ପୁରାତନ ମନ୍ଦିର, ଯାହାକି ଭଗବାନ ଶ୍ରୀକୃଷ୍ଣ ବା ଗୋପାଳଙ୍କୁ ସମର୍ପିତ l ଏହି ମନ୍ଦିରଟି ରାଜବାଟୀ ପରିସରରେ ରହିଛି l ଆୟତାକାର ବିଶିଷ୍ଟ ଏହି ମନ୍ଦିରର ନିର୍ମାଣ ଶୈଳୀରେ ସ୍ୱତନ୍ତ୍ରତା ଦେଖିବାକୁ ମିଳେ l
#ଜଗନ୍ନାଥ_ମନ୍ଦିର: ରାଜବାଟୀ ପରିସରକୁ ଲାଗି ରହିଛି ଜଗନ୍ନାଥ ମନ୍ଦିର l ଏହି ମନ୍ଦିର ପରିସରରେ କେତେକ ପ୍ରାଚୀନ ମୂର୍ତ୍ତି ଦେଖିବାକୁ ମିଳେ l ଠାକୁରଙ୍କ ଅନବସର ଚାଲିଥିବାରୁ ସେଦିନ ଦିଅଁ ଦର୍ଶନ ହୋଇପାରିନଥିଲା l ଏହି ମନ୍ଦିରଟି ମଧ୍ୟ ଏକ ପୁରୁଣା ମନ୍ଦିର l ଏହା ବ୍ୟତିରେକ ଆଉ କେତୋଟି ପ୍ରାଚୀନ କୀର୍ତ୍ତିରାଜି ସୁବର୍ଣ୍ଣପୁର ସହରରେ ରହିଛି l
© Trilochan Swain
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

1 year ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago