ଲେଖା: ଶ୍ରୀକାନ୍ତ ସିଂହ
~ ଶ୍ରୀ ସିଦ୍ଧବଳରାମଜୀଉ ମନ୍ଦିର ~
ଢେଙ୍କା ଶବର, ଯାହାଙ୍କର ନାମାନୁସାରେ ଆଧୁନିକ ଢେଙ୍କାନାଳ ସହର ଓ ଜିଲ୍ଲାର ନାମକରଣ l କୁହାଯାଏ ସପ୍ତନାଳୀ ବା ସାତ ଗୋଟି ପଲ୍ଲୀର ଶାସକ ଥିଲେ ଢେଙ୍କା ଶବର l ପ୍ରାଚୀନ ସମୟରେ ଏହି ଢେଙ୍କାନାଳ ଅଞ୍ଚଳରେ ଶବର ରାଜା ରୂପେ ସେ ଶାସନ କରୁଥିଲେ l ଅବଶ୍ୟ ତାଙ୍କ ବିଷୟରେ ବିଶେଷ କିଛି ତଥ୍ୟ ଇତିହାସରୁ ମିଳେନାହିଁ ମାତ୍ର ଜଣେ ଶବର ରାଜାଙ୍କ ନାମାନୁସାରେ ଗୋଟେ ଅଞ୍ଚଳର ନାମ କରଣ ହେବା କିଛି ଗୋଟେ ଛୋଟିଆ କଥା ନୁହେଁ l
ଆଜକୁ ପ୍ରାୟ ଅଢ଼େଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ମୋତେ ପ୍ରତ୍ୟେକ ସପ୍ତାହରେ ଢେଙ୍କାନାଳ ଆସିବାକୁ ହୁଏ, ଅଫିସ କାମରେ l କହିବାକୁ ଗଲେ ଢେଙ୍କାନାଳ ସହର ମୋର ଆଉ ଏକ ଘର ! ଠିକ୍ କଟକ ପରି l ପରିଷ୍କାର ପରିଛନ୍ନ ରାସ୍ତାଘାଟ, ପ୍ରଦୂଷଣମୁକ୍ତ ସୁନ୍ଦର ଏକ ଛୋଟିଆ ସହର l ଏହି ସହର ଆରମ୍ଭରେ ରହିଛି ବଳରାମ ମନ୍ଦିର l ଅନେକ ସମୟରେ ଦ୍ବିପହର ଖାଇବା ସମୟରେ ମୁଁ ଧାଇଁ ଆସେ ଏହି ମନ୍ଦିରକୁ ପ୍ରସାଦସେବନ ପାଇଁ l କେବଳ ଡାଲମା ଭାତ ହେଲେ ବି ତାହା ମୋ ପାଇଁ ଅମୃତ ସମାନ l
ଢେଙ୍କାନାଳ ରାଜବାଟୀ ନିକଟରେ ରହିଛି ପ୍ରସିଦ୍ଧ ସିଦ୍ଧବଳରାମଜୀଉ ମନ୍ଦିର l ଏହି ମନ୍ଦିରଟି ଅତି ପ୍ରାଚୀନ ନ ହେଲେ ବି ଷୋଡଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏକ ଭବ୍ୟ ଓ ସୁଉଚ୍ଚ ମନ୍ଦିର l ମନ୍ଦିର ଗର୍ଭଗୃହରେ ପାରମ୍ପରିକ ରୂପେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମା ବଦଳରେ ଦ୍ୱାପର ଯୁଗର କୃଷ୍ଣ ବଳରାମ କଥା ଅନୁଯାୟୀ ବଳରାମ, ଶ୍ରୀକୃଷ୍ଣ, ସୁଭଦ୍ରା, ରୁକ୍ମଣୀ ଓ ସୁଦର୍ଶନ ପୂଜା ପାଉଛନ୍ତି l ଏଥି ସହିତ ମଦନମୋହନ, ଭୂଦେବୀଶ୍ରୀଦେବୀ ମଧ୍ୟ ପୂଜା ହେଉଛନ୍ତି l
ଯଦୁବଂଶୀ ରାଜପୁରୁଷ ରୂପେ ଏଠାରେ ବଳରାମ ଓ ଶ୍ରୀକୃଷ୍ଣଙ୍କ ମୁଖମଣ୍ଡଳରେ କ୍ଷତ୍ରୀୟସୁଲଭ ନିଶଦାଢୀ ରହିଛି ଯାହାକି ଅନ୍ୟତ୍ର କେଉଁଠି ଦେଖିବା ବିରଳ l ବଳରାମଙ୍କ ବିଗ୍ରହଟି ପାଷାଣ ମଣିବିଗ୍ରହ ହୋଇଥିବା ବେଳେ ତାଙ୍କ ମସ୍ତକରେ ସପ୍ତଫେଣୀ ଅନନ୍ତନାଗ ରହିଛନ୍ତି l ଇତିହାସରୁ ଯାହା ଜଣାଯାଏ, ଗଙ୍ଗବଂଶୀ ସମ୍ରାଟଅନଙ୍ଗଭୀମ ଦେବ ତୃତୀୟ ବଳରାମଙ୍କ ଏହି ମଣିବିଗ୍ରହକୁ ପ୍ରାଚୀନ ଢେଙ୍କାନାଳର ନାଧରା ନିକଟ ତଳମୂଳଗଡ଼ ଅଞ୍ଚଳରୁ ଭୀମନଗରୀଗଡ଼କୁ ଆଣିଥିଲେ l ଦ୍ୱାଦଶ ଶତାବ୍ଦୀ ବେଳକୁ ଏହି ଭୀମନଗରୀଗଡ଼ରେ ସେ ଶାସକ ଥିଲେ l
ସପ୍ତଫେଣୀ ଅନନ୍ତ ଅବତାର ଶ୍ରୀ ବିଷ୍ଣୁଙ୍କ ବଳଭଦ୍ରରୂପୀ ଏହି ପ୍ରତିମାକୁ ପୁରୀ ନେବା ବାଟରେ ଅନଙ୍ଗଭୀମ ଦେବ, ହିନ୍ଦୋଳ ନିକଟରେ ଦଶଖମ୍ବ ମଣ୍ଡପରେ ସ୍ଥାପନ କରିଥିଲେ l ମାତ୍ର ପରବର୍ତ୍ତୀ ସମୟରେ ବିଧର୍ମୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ସେହି ବିଗ୍ରହଙ୍କୁ କରଡ଼ବିନ୍ଧା ଗ୍ରାମକୁ ସ୍ଥାନାନ୍ତର କରାଯାଇ ପାତାଳି କରାଯାଇଥିଲା l
ଷୋଡଶ ଶତାବ୍ଦୀ ବେଳକୁ ବେଶାଳିଆଗଡ଼ର ଶାସକ ଶ୍ରୀଧର ଭଞ୍ଜଙ୍କ ଶାସନ ସମୟରେ କିଛି ଶବରଙ୍କ ଦ୍ୱାରା ମାଟି ଖୋଳାଯିବା ସମୟରେ ମାଟିତଳୁ ବଳରାମଙ୍କ ବିଗ୍ରହ ଉଦ୍ଧାର କରାଯାଇଥିଲା l ପରବର୍ତ୍ତୀ ସମୟରେ ଶାସକ ହରି ସିଂହ ଶ୍ରୀଧର ଭଞ୍ଜଙ୍କୁ ପରାସ୍ତ କରି ବଳରାମଙ୍କ ଦିବ୍ୟପ୍ରତିମାକୁ ଢେଙ୍କାନାଳ ଆଣିଥିଲେ l ଷୋଡଶ ଶତାବ୍ଦୀର ଶେଷାର୍ଦ୍ଧରେ ଏହି ସିଦ୍ଧବଳରାମଜୀଉ ମନ୍ଦିର ନିର୍ମାଣ କରି ଠାକୁରଙ୍କୁ ସ୍ଥାପନ କରିଥିଲେ l
ରାଜା ନରସିଂହ ଭ୍ରମରବର ଓ ତାଙ୍କ ପୁତ୍ର କୁଞ୍ଜବିହାରୀ ଭ୍ରମରବରଙ୍କ ସମୟରେ ମନ୍ଦିର ମୁଖଶାଳା, ଜଗମୋହନ ଓ ମେଘନାଦ ପ୍ରାଚୀର ଆଦି ନିର୍ମାଣ ହୋଇଥିଲା l ପ୍ରାୟ ନବେ ଫୁଟ ଉଚ୍ଚ ଏହିସିଦ୍ଧବଳରାମଜୀଉ ମନ୍ଦିର ପଞ୍ଚରଥ ଶୈଳୀରେ ନିର୍ମିତ ଏକ ରେଖ ଶୈଳୀର ମନ୍ଦିର l ଗର୍ଭଗୃହର ଦକ୍ଷିଣ ପାର୍ଶ୍ୱରେ ବାମନ, ପଶ୍ଚିମରେ ନୃସିଂହ ଓ ଉତ୍ତରରେ ବରାହଙ୍କ ପ୍ରତିମା ପୂଜା ପାଉଛନ୍ତି l ଏତଦ ବ୍ୟତୀତ ମନ୍ଦିର ପରିସରରେ ବକୁଳେଶ୍ୱର ମହାଦେବ, ହନୁମାନ, ଲକ୍ଷ୍ମୀ ଓ ମଙ୍ଗଳାଙ୍କ ମନ୍ଦିର ରହିଛି l
ଅବଶ୍ୟ ରାଜା ସୁର ପ୍ରତାପ ଦେବଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଜଗନ୍ନାଥ ମନ୍ଦିର ସେହି ପରିସରରେ ନିର୍ମାଣ କରାଯାଇଛି l ଏହି ସିଦ୍ଧବଳରାମଜୀଉ ମନ୍ଦିର ଢେଙ୍କାନାଳ ସହର ପାଇଁ ଗର୍ବ ଓ ଗୌରବ ତଥା ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ଜଗନ୍ନାଥ ମନ୍ଦିର ରୂପେ ପରିଚିତ l
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago