ଲେଖା: ଦେଵ ତ୍ରିପାଠୀ

ଶ୍ରୀଚୈତନ୍ୟଙ୍କ ଆବାସସ୍ଥଳୀ ପୁରୀ ବାଲିସାହିସ୍ଥିତ ଶ୍ରୀରାଧାକାନ୍ତ ମଠ ବା ଗମ୍ଭୀରା ସନ୍ନିକଟରେ ଅବସ୍ଥିତ ସୁପ୍ରସିଦ୍ଧ ସିଦ୍ଧବକୁଳ ମଠ । ଏଇ ମଠର ବିଜେସ୍ଥଳୀଟି ଏକଦା ଉକ୍ତ ସାହିର ପଣ୍ଡିତ କାଶୀ ମିଶ୍ରଙ୍କ ପୁଷ୍ପଉଦ୍ୟାନ ଥିଲା । ଶ୍ରୀ ଚୈତନ୍ୟ ପଣ୍ଡିତଙ୍କୁ ଯବନଭକ୍ତ ଶ୍ରୀହରିଦାସଙ୍କ ପାଇଁ ନିର୍ଜନ ସ୍ଥାନଟିଏ ମାଗି ଉକ୍ତ ଉଦ୍ୟାନରେ ବାସ କରିବାର ଅନୁମତି ଦେଲେ ।

ହରିଦାସ ଖରାରେ ବସି ରହି ଜପ କରୁଥିବାର ଦେଖି ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରସାଦୀ ବକୁଳ ଦାନ୍ତକାଠିଟିଏ ଆଣି ପୋତି ଦେଇଥିଲେ ସେ ସ୍ଥାନରେ । ସେ ଦାନ୍ତକାଠି ଦିନେ ବିଶାଳ ବକୁଳ ବୃକ୍ଷରେ ପରିଣତ ହେଲା ଏବଂ ଏହାର ସୁଶୀତଳ ଛାୟାରେ ନିୟମିତ ଜପ କଲେ ହରିଦାସ । ଏହିଠାରେ ହିଁ ବ୍ରହ୍ମଲୀନ ଘଟିଥିଲା ହରିଦାସଙ୍କର ।

କଥିତ ଅଛି, ହରିଦାସ ଓ ଚୈତନ୍ୟଙ୍କ ମହାପ୍ରୟାଣ ପରେ ଏକଦା ରଥଚକ ନିର୍ମାଣ ନିମନ୍ତେ କାଠର ଅଭାବ ଯୋଗୁଁ ରାଜକର୍ମଚାରୀମାନେ ବହୁ ସ୍ଥାନ ଅନ୍ୱେଷଣ କରି ପରିଶେଷରେ ଉକ୍ତ ମଠର ବକୁଳବୃକ୍ଷକୁ ଛେଦନ ପାଇଁ ଧାର୍ଯ୍ୟ କଲେ । ମଠର ମହନ୍ତ ସେ ରାତିରେ ପ୍ରଭୁଙ୍କ ଶରଣାଗତ ହେବାରୁ ମଧ୍ୟରାତ୍ରରେ ବୃକ୍ଷଟି ବିରାଟ ଶବ୍ଦ କରି ଅନ୍ତଃସାର ଶୂନ୍ୟ ହୋଇଗଲା, ଫଳରେ ପରଦିନ ପ୍ରଭାତରେ କର୍ମଚାରୀଗଣ ଆଚମ୍ବିତ ହୋଇ ଫେରିଗଲେ । ଉକ୍ତ ମଠରେ ଆଜି ମଧ୍ୟ ଶୋଭା ପାଏ ଭୂଲୁଣ୍ଠିତ ବକୁଳବୃକ୍ଷ, ପ୍ରଧାନଗଣ୍ଡି ନ ଥାଇ, ମାତ୍ର ଶାଖାପ୍ରଶାଖା, ପତ୍ର, ଫୁଳ, ପୁଷ୍ପ ଆଦିରେ ମଣ୍ଡିତ ଥାଇ । ଉଦ୍ଭିଦ ଜଗତ ରେ ଏବଂ ଉଦ୍ଭିଦ ବିଜ୍ଞାନରେ ଇଏ ଏକ ବିଶେଷ ବ୍ୟତିକ୍ରମ ।

~ ଶ୍ରୀମନ୍ଦିର ଓ ସିଦ୍ଧବକୁଳ ମଠ ~
କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ବାଳଧୂପ ଭୋଗ ନିମନ୍ତେ ଏଇ ସିଦ୍ଧବକୁଳ ମଠ ତରଫରୁ ଦୈନନ୍ଦିନ ବାଳଧୂପ ଶ୍ରୀମନ୍ଦିରକୁ ଯାଇଥାଏ । ମଠ ତରଫରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ରଥ ଉପରେ ‘ରଥ ଭୋଗ’ ହୋଇଥାଏ । ଏତଦବ୍ୟତୀତ ଶ୍ରୀମନ୍ଦିର ରୋଷଘରେ ମଠର ଏକ ଚୁଲି ରହିଛି । 

ଦୀର୍ଘ ପାଞ୍ଚଶତ ବର୍ଷ ଚିରସ୍ମରଣୀୟ ଏହି ସିଦ୍ଧବକୁଳ ମଠର ଇତିହାସ ସମ୍ପର୍କରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପୁସ୍ତିକା ଆଦି ପ୍ରକାଶ କରାଯାଇ ଭକ୍ତଜନଙ୍କ ନିମନ୍ତେ ଉପଲବ୍ଧ କରାଯାଇଛି । ବିଶେଷ କରି ଗତ କେତେ ବର୍ଷ ମଧ୍ୟରେ ମଠର ବିଜେସ୍ଥଳୀଟି ସମ୍ପୂର୍ଣ୍ଣ ଜୀର୍ଣ୍ଣୋଦ୍ଧାର କରାଯିବା ଯୋଗୁଁ ନାମାଚାର୍ଯ୍ୟ ହରିଦାସଙ୍କ ଅନୁଗାମୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago