ଲେଖା: ଦେଵ ତ୍ରିପାଠୀ
ସେ ଥିଲେ ସାଧୁ, ଉଦାରବାଦୀ ହିନ୍ଦୁ, କିନ୍ତୁ ଧର୍ମାନ୍ଧତାରୁ ଉର୍ଦ୍ଧ୍ବରେ । ସେ ଜନ୍ମିଥିଲେ ବ୍ରାହ୍ମଣ କୂଳରେ, ବନିଥିଲେ ମଠର ମହନ୍ତ, କିନ୍ତୁ ସେ ମଠ ବ୍ରାହ୍ମଣୀୟ ନ ଥିଲା । ତାଙ୍କ ପାଇଁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଶୁଦ୍ର ସଭିଏଁ ଥିଲେ ସମାନ । ସମସ୍ତେ ଏକାଠି ବସି ଉପାସନା କରିପାରିବେ ! ଉପାସନା ପାଇଁ ତୀର୍ଥଯାତ୍ରା, ଗୋବ୍ରାହ୍ମଣ ପୂଜା, ନିର୍ମାଲ୍ୟ ପ୍ରସାଦ, ଶାଳଗ୍ରାମ ବିଗ୍ରହ, ଦାରୁ ପିତୁଳା ଆଦିର ଆବଶ୍ୟକତା ନାହିଁ ବୋଲି ସେ ଦେଇଥିଲେ ଐତିହାସିକ ପ୍ରବଚନ ।
ସବୁ ଧର୍ମକୁ ସମ୍ମାନ ଦେଉଥିଲେ, ଭଲ ପାଉଥିଲେ ସେ ସାଧୁ, କିନ୍ତୁ ଧର୍ମାନ୍ତରଣକୁ କରିଥିଲେ ଘୋର ବିରୋଧ । ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କର ଜଗନ୍ନାଥଙ୍କୁ ‘ନିମ୍ବକାଠର ଗଡ’ ଆଖ୍ୟାର କରିଥିଲେ ପ୍ରଚଣ୍ଡ ବିରୋଧ ।
ସେଇ ମହାତ୍ମାଙ୍କର “ଯେ କୃଷ୍ଣ ସେ ଖ୍ରୀଷ୍ଟ” ପରି ମହତ୍ତର ଉପଲବ୍ଧିର ପରିପ୍ରକାଶ ତାଙ୍କୁ ବ୍ରିଟିଶ ସରକାରର ଚକ୍ଷୁଶୂଳ କରାଇଥିଲା । ଜେଲ ବରଣରେ ମ୍ରିୟମାଣ ନ ହୋଇ ବରଂ ଲଭିଥିଲେ ଅନନ୍ୟ ଅନୁଭୂତି ଆଉ ଉପଲବ୍ଧି ।
ଜେଲ ଜୀବନର ଉପଲବ୍ଧି ସହିତ, ଜନସାଧାରଣଙ୍କୁ ଧର୍ମାନ୍ଧତାର ଅନ୍ଧକାରରୁ ନିଷ୍କୃତି ଦେବା, ଜୀବନବାଦର ବ୍ୟାଖ୍ୟାନ ତଥା ସେସମୟର ସାମାଜିକ, ଧାର୍ମିକ ଓ ଶିକ୍ଷାବ୍ୟବସ୍ଥା ଉପରେ ଗଭୀର ଆଲୋକପାତ ଏବଂ ସଂସ୍କାର ଉଦ୍ଦେଶ୍ୟରେ ସେ ପ୍ରତିଷ୍ଠା କରିଥିଲେ ଭାରତର ପ୍ରଥମ ପତ୍ରିକା “କୁଜୀବର ପତ୍ର” । ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହି ହାତଲେଖା ପତ୍ରିକା ସୃଷ୍ଟି କରିଥିଲା ସାମାଜିକ ଉଦ୍-ବେଳନ, ସୁସ୍ଥ ଧାର୍ମିକ ଆନ୍ଦୋଳନ ଓ ନବଜାଗରଣର ଅୟମାରମ୍ଭ । ମସି ମାଧ୍ୟମରେ ହିଁ ଆରମ୍ଭ ହୋଇଥିଲା ଭାରତର ପ୍ରଥମ ସଂଗ୍ରାମ ଧାର୍ମିକ ଅରାଜକତା ବିରୁଦ୍ଧରେ, ଦୁର୍ଦ୍ଧର୍ଷ ବ୍ରିଟିଶ ସରକାର ବିରୁଦ୍ଧରେ ।
କଟକ ଚୌଦ୍ୱାରର କୁଜୀବର ଆଶ୍ରମର ସୀମାସରହଦ ଟପି ପରିବ୍ୟାପ୍ତ ହୋଇଥିଲା ତତ୍କାଳୀନ ଉତ୍କଳ ଭୂଖଣ୍ଡ । ଆଖିଖୋଲିଦେଇଥିଲା ରୁଢିବାଦୀ ବ୍ରାହ୍ମଣ ମାନଙ୍କର, ବଦଳାଇଥିଲା ବିଦ୍ୱେଷୀ ବ୍ରିଟିଶମାନଙ୍କର ମାନସିକତା ।
ସମୟକ୍ରମେ ବ୍ରିଟିଶ ପଣ୍ଡିତମାନଙ୍କ ହାତରେ ହିଁ କୁଜୀବର ପତ୍ର ପାଇଥିଲା ଇଂରାଜୀ ସଂସ୍କରଣର ରୂପ । ସୃଷ୍ଟି ହେଲା ଭାରତର ସର୍ବପ୍ରଥମ ସମ୍ବାଦପତ୍ର ଓଡ଼ିଶାମାଟିରୁ ପ୍ରକାଶିତ ହେବାର ଗୌରବମୟ ଇତିହାସ । ଓଡିଶା ଅନ୍ୟ ରାଜ୍ୟମାନଙ୍କ ଠାରୁ ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଅଗ୍ରଣୀ ଭାବରେ ହେଲା ମହିମାମଣ୍ଡିତ ।
ସେହି ମହାନ ସାଧୁ ସୁନ୍ଦର ଦାସଙ୍କ କୁଜୀବର ପତ୍ର ଆଜି ମୃତ, କିନ୍ତୁ ନୀତିନିଷ୍ଠ, ମାନବବାଦୀ ସମାଜ ସଂସ୍କାରକ ତଥା ମସିଧାରୀ ସଂଗ୍ରାମୀ ସାଧୁ ସୁନ୍ଦର ଦାସ ଆଜି ଓଡିଆର ଜନମାନସରେ ଚିରଭାସ୍ବର ।
ସେହି ମହାମହନ୍ତଙ୍କ ପାଦପଦ୍ମରେ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ନମନ ।