ଲେଖା: ଦେଵ ତ୍ରିପାଠୀ
“ଭଲ କରି ନାଆ ବୁହାରେ ନାଉରୀ
ଝିଅକୁ ମାଡ଼ୁଛି ଡ଼ର,
ଏତେ କାଳେ ଜାଇ ନାଆରେ ବସୁଛି
ଯିବ ବୋଲି ଶାଶୁଘର II”
ଆଦ୍ୟ କୈଶୋର ସମୟକୁ ଫେରାଇ ନେଉଥିବା ଏପରି ମରମଛୁଆଁ ପଦାବଳୀ ତଥା ଓଡ଼ିଆ ସାହିତ୍ୟର ପ୍ରଥମ କ୍ଲାସିକ ସ୍ତରୀୟ ଗାଥାକବିତା “କାଳିଜାଇ”ର ରଚୟିତା, ସତ୍ୟବାଦୀ ବକୁଳ ବନର ଅନ୍ୟତମ ପୁରୋଧା ତଥା ପଂଚସଖା, ବିଶିଷ୍ଟ କବି, ଔପନାସିକ, ପ୍ରାବନ୍ଧିକ ପଣ୍ଡିତ ଗୋଦାବରୀଶ ମିଶ୍ର । ଏଇ କବିତାରେ ଭାବାପ୍ଲୁତ ଲୋକଙ୍କ କଣ୍ଠରୁ ଏବେବି ମରିନାହିଁ କାଳଜୟୀ “କାଳିଜାଇ” କବିତାର ଛନ୍ଦ, ବରଂ ସେହି ଗୋଟିଏ କବିତା ପାଇଁ କାଳିଜାଇ ଦ୍ବୀପ ହୋଇଯାଇଛି ଅଧିକ ଖ୍ୟାତ ଓ ବ୍ୟାପ୍ତ – ସେହି ପ୍ରତିଭାଦୀପ୍ତ ବ୍ୟକ୍ତିଙ୍କ ପରି ।
~ ଅନବଦ୍ୟ ସାହିତ୍ୟ ସୃଷ୍ଟି ସମ୍ଭାର ~
ଓଡ଼ିଆ ଗାଥାକବିତାର ଜନକ ଭାବେ ‘କଳିକା’, ‘କିଶଳୟ’ ପ୍ରଭୃତି କବିତାସଙ୍କଳନ ଠାରୁ ଆହୁରି ପ୍ରସିଦ୍ଧ ଗୋଦାବରୀଶଙ୍କ ଗାଥାକବିତା ‘ଆଲେଖିକା’ । ସେ ‘ଘଟାନ୍ତର’, ‘ଅଭାଗିନୀ’, ‘ଅଠର ଶହ ସତର’‘ନିର୍ବାସିତ’ ଉପନ୍ୟାସର ସ୍ରଷ୍ଟା । ପୁରୁଷୋତ୍ତମ ଦେବମୁକୁନ୍ଦଦେବ ପରି କାଳଜୟୀ ନାଟକ ଗୁଡ଼ିକରେ ପ୍ରମାଣ ମିଳେ ତାଙ୍କର ଅନନ୍ୟ ଜାତୀୟ ତାବାଦ ଓ ଆତ୍ମତ୍ୟାଗର ଗାଥା । ସାମାଜିକ ସଂସ୍କାରଧର୍ମୀ, ପାରିବାରିକ ସମସ୍ୟାମୂଳକ, ପ୍ରଣୟ ଆଧାରିତ, ରାଜନୀତିକ ଚେତନାଧର୍ମୀ ୨୫୭ଟି ଗଳ୍ପ ରଚନା କରି ସମୃଦ୍ଧ କରିଥିଲେ ଆମ ଭାଷା ଭଣ୍ଡାରକୁ । ସମକାଳୀନ ଓଡ଼ିଆ ଜାତିର ସମସ୍ୟା ତଥା ବିଚ୍ଛିନ୍ନାଞ୍ଚଳ ସମ୍ପର୍କରେ ପଣ୍ଡିତ ଗୋଦାବରୀଶ ମିଶ୍ର ରଚିଛନ୍ତି କେତେ କେତେ ପ୍ରବନ୍ଧ । ଆତ୍ମଜୀବନୀରେ “ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ” ପୁସ୍ତକ ପାଇଁ ତାଙ୍କୁ ୧୯୫୮ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଅର୍ଦ୍ଧ ଶତାବ୍ଦୀ ର ଓଡ଼ିଶା . . .” ଇତିହାସରେ ନିଜ ଜୀବନକୁ ଥାପି ତଉଲିବା ପରେ ଆହୁରି ବିତିଗଲାଣି ବାରଣା ଶତାବ୍ଦୀ । ତଥାପି ମ୍ଲାନ ହୋଇନାହିଁ ବକୁଳବନର ଅନ୍ୟତମ ସନ୍ଥ, ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରୁ ଜଣକର ସୃଜନ, ସାଧନା ଓ ସଙ୍କଳ୍ପର ସୁରଭି ।
~ ସତ୍ୟବାଦୀର ସତ୍ୟସାଧକ ~
ସତ୍ୟବାଦୀର ବକୁଳ ବନରେ ଚରିତ୍ର ନିର୍ମାଣର ପ୍ରୟୋଗ ଶାଳାରେ ନିଜ ଜୀବନକୁ ବାରମ୍ବାର ପରଖି ଶୁଦ୍ଧ, ଉଜ୍ଜ୍ୱଳ କରୁଥିବା ସେଇ ସୁକବି, ଦରଦୀ, ପଣ୍ଡିତ ଗୋଦାବରୀଶ ମିଶ୍ର – ପରବର୍ତ୍ତୀ ପର୍ଯ୍ୟାୟରେ ଝାସ ଦିଅନ୍ତି ସ୍ଵରାଜ୍ୟ ଆନ୍ଦୋଳନରେ ।
~ ତ୍ୟାଗୀ ରାଜନୀତିଜ୍ଞ ~
ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ପଣ୍ଡିତ ଗୋଦାବରୀଶ ମିଶ୍ର ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ସେ ଥିଲେ ଅର୍ଥ ଓ ଶିକ୍ଷାମନ୍ତ୍ରୀ । ରାଜନୀତିକୁ ପସନ୍ଦ କରୁନଥିବା ଗୋଦାବରୀଶ, ରାଜ୍ୟ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରୀପଦ ଗ୍ରହଣ କରିଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ସେ ତାକୁ ପ୍ରତ୍ୟାଖାନ କରିଥିଲେ । ତେବେ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବରେ ଆଜି ତାଙ୍କର ପରମ ଅବଦାନ ଉଚ୍ଚଶିକ୍ଷାର କୋଣାର୍କ ଉତ୍କଳ ବିଶ୍ୱବିଦ୍ୟାଳୟ
ଆଦର୍ଶ ରଞ୍ଜିତ, ବହୁ ଅନୁଭୂତି, ବହୁ ସୁଗୁଣର ଅଧିକାରୀ ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ବିଚ୍ଛିନ୍ନାଞ୍ଚଳରେ ଛିନ୍ନମୂଳ ଓଡ଼ିଆ ଭାଷୀଙ୍କ ପ୍ରେରଣା ଓ ପ୍ରାଣସଞ୍ଚାରକ । ସେଇ ଉଦ୍ଦୀପ୍ତ ଦେଶପ୍ରେମୀ, ସ୍ଵାଭିମାନୀଙ୍କ ଜୀବନ ଦାରିଦ୍ର୍ୟର ପଙ୍କ ଭିତରୁ ଏକ ଶ୍ବେତପଦ୍ମର ବର୍ଣ୍ଣବିଭା ଓ ସୁରଭିରେ ଏ ଜାତିକୁ ମହୁ ଓ ମହକ ଦେଇଚାଲିଛି ।
ପୁରୀ ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଶାସନରେ ଜନ୍ମିତ ସେଇ ନିରାଡମ୍ବର, ନମ୍ର ତଥା ଦେଶ ଓ ଚରିତ୍ର ନିର୍ମାଣର ସାରଥୀ ଓ ଉତ୍କଳ ଜନନୀଙ୍କ ସୁପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର ୧୮୮୬ ମସିହା October ୨୬ ତାରିଖରେ ଭୂମିଷ୍ଠ ହୋଇଥିଲେ ଓ  ୧୯୫୬ ମସିହା ଜୁଲାଇ ୨୭ ତାରିଖରେ ପରଲୋକ ଗମନ କରିଥିଲେ ।
Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago