ଲେଖା: ନିରଞ୍ଜନ ସାହୁ
“ମୁଁ ସଚି ରାଉତରାୟ
(ନୁହେଁ ଟାଗୋର ଅବା ଶେଲୀ)
ମୁଁ ଏ ମାଟିର ଧାରା
ଆଉ ଆକାଶର କବି।
କାମ ନୁହେଁ ମୋର ଖାଲି ଆଙ୍କିବା କାଗଜରେ ଛବି।
ପେଶାଦାର ଗାୟକ ମୁଁ ନୁହଁ
ତୁମେ ମୋର ଛପା ବହି ଯେତେବେଳେ ଛୁଅଁ
ଛୁଅଁ ନୂଆ ମଣିଷର ଛାତି ।
ତା’ର ପ୍ରତିଟି ଖବର
ରୂପ ପାଏ କବିତାରେ ମୋର ।
ମୁଁ ସଚି ରାଉତରାୟ ।”
ଆଧୁନିକ ଓଡ଼ିଆ କାବ୍ୟ ଜଗତରେ କବି ସଚି ରାଉତରାୟ ଏକ ଅବିସ୍ମରଣୀୟ ପ୍ରତିଭା। ୧୯୧୬ ସାଲ ମେ ମାସ ତେର ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଗାଁରେ ତାଙ୍କର ଜନ୍ମ। ଜନ୍ମ ସମୟରେ ଭାରତ ତଥା ଓଡ଼ିଶା ପାଇଁ ଥିଲା ଏକ ଘଡିସନ୍ଧିର ମୂହୁର୍ତ୍ତ। ସ୍ଵାଧୀନତା ଓ ଉତ୍କଳ ପ୍ରଦେଶ ଗଠନ ଥିଲା ସେ ସମୟରେ ଏକ ବିରାଟ ଆହ୍ବାନ।
“ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତାକୁ ପ୍ରାୟ ପ୍ରୟୋଗବାଦୀ କବିତା ଭାବେ ସମାଲୋଚକମାନେ ସାବ୍ୟସ୍ତ କରିଛନ୍ତି।୧୯୫୦ ପୂର୍ବବର୍ତ୍ତୀ କବି ରାଉତରାୟଙ୍କ ଖଣ୍ଡକାବ୍ୟ ‘ଭାନୁମତୀର ଦେଶ’ରେ (୧୯୪୯) ଅନେକ ନୂଆ ନୂଆ ପରୀକ୍ଷା ଓ ପ୍ରୟୋଗ ହୋଇଥିବାରୁ ‘ପ୍ରୟୋଗବାଦୀ’ ସାହିତ୍ୟର ଭିତ୍ତି ହିଁ ସେହିଠାରେ ଆରମ୍ଭ ହେଲା। ଅତଏବ ଓଡ଼ିଆ ସାହିତ୍ୟରେ ପ୍ରୟୋଗାତ୍ମକ/ପ୍ରୟୋଗବାଦୀ ସାହିତ୍ୟର ଜନକ ବୋଲି ଶ୍ରୀ ସଚି ରାଉତରାୟଙ୍କୁ ଗ୍ରହଣ କରିଛନ୍ତି ସମାଲୋଚକଗଣ ।ଇଂରାଜୀ ସାହିତ୍ୟରେ T.E.Hulme, Ezra Pound ଆଦି କବିମାନଙ୍କ କବିତାରେ ଯେଉଁ ରୂପକଳ୍ପ ସମୃଦ୍ଧ କାବ୍ୟଶୈଳୀ ଆତ୍ମ ପ୍ରକାଶ କରିଥିଲା କବି ସଚି ରାଉତରାୟ ତାହାର ବ୍ୟାପକ ପ୍ରୟୋଗ କରି ଓଡ଼ିଆ କବିତାରେ ପ୍ରୟୋଗବାଦୀ ଧାରାର ବୀଜବପନ କରିଥିଲେ ବୋଲି କହିବାକୁ ହେବ। ଏହି ବିଶେଷ ଶୈଳୀରେ:
“ଓଟର ବଙ୍କା କୁଜ ପରି ଏଇସବୁ ଘୁମନ୍ତ ପାହାଡ଼
ଯେମିତି ଗୋଟାଏ ମସ୍ତ ବଡ଼ ପିଲିସଜ “
ବର୍ଷା ଛାଡ଼ି ଯାଇଥିଲା ବେଳେ ବେଳେ
ସଁବାଳୁଆର ଜୀର୍ଣ୍ଣ ଖୋସା ଭିତରୁ,
ଉଜ୍ଜ୍ୱଳ ପ୍ରଜାପତି ପରି
ମେଘର କୃଷ୍ଣ କୋଷରୁ ଲମ୍ବି ଆସୁଥିଲା
ଜ୍ଵଳନ୍ତ ଚନ୍ଦ୍ରର ତରବାରୀ ପୁଣି ଲୁଚି ଯାଉଥିଲା
କଳା ବଉଦର ଆଢୁଆଳରେ”
ଏହିପରି ନୂତନ ଓ ଉଦବୋଧନଶୀଳ ଚିତ୍ରକଳ୍ପରେ ତାଙ୍କର କାବ୍ୟ କବିତା ସମୃଦ୍ଧ। ଶ୍ରୀ ରାଉତରାୟ କେବଳ ଯେ ପ୍ରୟୋଗବାଦୀ କବିତାରେ ସମୃଦ୍ଧ କରିଛନ୍ତି ଓଡ଼ିଆ ସାହିତ୍ୟକୁ, କହିବା ନିହାତି ପକ୍ଷେ ଯୁକ୍ତିସମ୍ମତ ନୁହେଁ। ଅନେକ କାବ୍ୟ ସମ୍ଭାରରେ ଉତ୍କଳ ଭାରତୀଙ୍କୁ ଆହୁରି ସଜ୍ଜିତ କରି ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ରବୀନ୍ଦ୍ରନାଥ ଠାକୁରଙ୍କ କାବ୍ୟ ଚେତନାର ବହୁ ନିକଟବର୍ତ୍ତୀ ଥିଲେ ଏହି ପ୍ରଚଣ୍ଡ ପ୍ରତିଭା। ଉଦାହରଣ ସ୍ୱରୂପ –
“ତାହାରି ଫୁଲ ଶାଗୁଆ ଲତା
କଣ୍ଠେ ମୋର ଦେଲା ଯେ କଥା
ଆଖିରେ ଦେଲା ଚାହାଣୀ ନୂଆ
ଫଗୁଣ ଉଷା ପାହାନ୍ତି
ଝରଣା ତାର ଦେଲା ଯେ କବି,
ନୟନେ ଦେଲା ରୂପର ଛବି;
ବୁହାଇ ଦେଲା ସପନ ଢେଉ
ପଥର ବୁକେ ନିହାତି
ଛୋଟ ମୋର ଗାଁଟି ।”
ସଚି ରାଉତରାୟଙ୍କର ଅଜସ୍ରସ୍ରାବୀ ଲେଖନୀ ଓଡ଼ିଆ ସାହିତ୍ୟରେ ତାଙ୍କୁ ଜଣେ ଶ୍ରେଷ୍ଠ କବି ଓ ଲେଖକର ସମ୍ମାନ ଦେଇଛି । କବିତାରାଜିରେ ତାଙ୍କର ବିପ୍ଳବାତ୍ମକ ପ୍ରଗତିବାଦୀ ଚିନ୍ତାଧାରାର ସ୍ପଷ୍ଟ ପ୍ରତିଫଳନ ଲକ୍ଷ୍ୟ କରାଯାଏ । ସମସ୍ତ କବିତା ଗୁଡ଼ିକ ସଙ୍କଳିତ ହୋଇଛି ପାଥେୟ, ପଲ୍ଲିଶ୍ରୀ, ବାଜିରାଉତ, ପାଣ୍ଡୁଲିପି, ଅଭିଯାନ, ଭାନୁମତୀର ଦେଶ, ସ୍ଵାଗତ, କବିତା – ୧୯୬୨, ମାୟାକୋଭସ୍କି, କବିତା ସଂଗ୍ରହ, କବିତା – ୧୯୬୯, ଏସିଆର ସ୍ଵପ୍ନ, କବିତା – ୧୯୭୧, କବିତା – ୧୯୭୪, କବିତା – ୧୯୮୩, କବିତା – ୧୯୮୫, କବିତା-୧୯୮୭ ପ୍ରଭୃତି କବିତା ଗ୍ରନ୍ଥ ମାନଙ୍କରେ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…