ଲେଖା: ଶ୍ରୀକାନ୍ତ ସିଂହ
~ ଶ୍ରୀଗୋବିନ୍ଦ ମନ୍ଦିର ~
ଐତିହ୍ୟମୟୀ ନଗରୀ କଟକ, ଅଭିନଵ ବାରଣାସୀ କଟକ l ହଜାର ବର୍ଷରୁ କାହିଁ କେତେ ପୁରୁଣା ସହର ଓଡ଼ିଶାର ପ୍ରାଣକେନ୍ଦ୍ର କଟକ l ଛାତି ତଳେ ଅନେକ ଇତିହାସ, ଅନେକ କଥା ଆଉ ବୀରତ୍ୱର ଗାଥା, କେତେ ଯେ ଜୟପରାଜୟ, ଉତ୍ଥାନପତନ, ଶୌର୍ଯ୍ୟବୀର୍ଯ୍ୟ, ଆବେଗଅନୁରାଗ, ଆଘାତ ସଙ୍ଘାତର ମୁକସାକ୍ଷୀ କଟକ l ନୃପ କେଶରୀ, ମର୍କତ କେଶରୀ, ସ୍ଥପତି ବାଇଧର ମୁଣ୍ଡି, ଗଙ୍ଗ ଆଉ ଗଜପତି, ମୋଗଲ ମରାଠା ଓ ଶେଷରେ ବ୍ରିଟିଶ, ସଭିଙ୍କ ଆଦର ଏ କଟକ ନଗର l
ଯେତେ ପୁରାତନ ଏହି ସହର ସେତେ ପ୍ରାଚୀନ ଏହାର ସ୍ୱର୍ଣ୍ଣିମ ଇତିହାସ l ବାରବାଟୀର ମୁଖଶାଳା ଆଜି ନିରବ, ତଥାପି ବଖାଣୁଛି ତା’ର ଅତୀତ ଗୌରବ l ସମୟର ଶାଣିତ ସ୍ରୋତରେ ମାଟିରେ ମିଶିଯାଇଛି ନବତଳ ପ୍ରାସାଦ ଆଉ ଦୁର୍ଗ ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର l
ଏତେ ସବୁ ଆଘାତ ଓ ସଂଘାତ ଭିତରେ ତଥାପି ମୁଣ୍ଡ ଟେକି ରହିଛି କେତୋଟି ପ୍ରାଚୀନ ସ୍ମାରକ ଓ ମନ୍ଦିର l ସେହିଭଳି ଏକ ପ୍ରାଚୀନ ମନ୍ଦିର ହେଉଛି ଶ୍ରୀଗୋବିନ୍ଦ ମନ୍ଦିର (Shree Govinda Temple, Mission Road, Cuttack) l ଶୈଳବାଳା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ମିଶନ୍ ରୋଡ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ରହିଛି ଏହି ମନ୍ଦିରଟି l ବାହାରକୁ ପ୍ରାୟତଃ ଦୃଶ୍ୟମାନ ହେଉ ନ ଥିବା ଏହି ମନ୍ଦିରଟି କଟକର ଏକ ପ୍ରାଚୀନ ମନ୍ଦିର ଯାହାକି ଲୋକଲୋଚନ ଠାରୁ ଅନେକ ଦୂରରେ l
ସମ୍ପୂର୍ଣ୍ଣ ମନ୍ଦିରଟି କାରୁକାର୍ଯ୍ୟ ରହିତ ମାତ୍ର ପିଢ଼ ଶୈଳୀରେ ନିର୍ମିତ ଏକ ପଥର ମନ୍ଦିର l ଉଚ୍ଚତାରେ ବହୁତ ଛୋଟ ହେଲେ ମଧ୍ୟ ମନ୍ଦିରର ସମସ୍ତ ବିଭାଗ ଯେପରିକି ନାଟମଣ୍ଡପ, ଭୋଗମଣ୍ଡପ, ଜଗମୋହନ ଓ ଗର୍ଭଗୃହ ଆଦି ଏଠାରେ ରହିଛି l
ଗର୍ଭଗୃହରେ ପଥର ବେଦୀ ଉପରେ ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମା ବିରାଜମାନ କରିଛନ୍ତି l ମାତ୍ର ଦୁଃଖର କଥା, ରାଧାରାଣୀଙ୍କ ପ୍ରାଚୀନ ମୂର୍ତ୍ତିଟି କୌଣସି ସମୟରେ ଚୋରି ହୋଇଯାଇଥିବାରୁ, ବର୍ତ୍ତମାନର ପିତଳ ମୂର୍ତ୍ତିଟି ସ୍ଥାପନ କରାଯାଇଛି l ଜଗମୋହନ ଦ୍ୱାରଦେଶର ବାମପାର୍ଶ୍ୱରେ ଶ୍ରୀବିନାୟକ ଓ ଦକ୍ଷିଣ ପାର୍ଶ୍ୱରେ ବାଗଦେବୀ ସରସ୍ବତୀଙ୍କ ପ୍ରତିମା ରହିଛି l
ଏହିଶ୍ରୀଗୋବିନ୍ଦ ମନ୍ଦିର ମୋଗଲ ଆଗମନର ବହୁ ପୂର୍ବର ବୋଲି ସ୍ଥାନୀୟ ଲୋକେ ଯାହା କୁହନ୍ତି l ତଥାପି ପାଞ୍ଚ ଶହ ବର୍ଷରୁ ଅଧିକ ପ୍ରାଚୀନ ହେବ ବୋଲି ଜଣା ପଡ଼େ l
Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

3 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago