ଲେଖା: ତ୍ରିଲୋଚନ ସ୍ୱାଇଁ

~ ଶ୍ରୀକୁର୍ମ ଅବତାର ବିଷ୍ଣୁମନ୍ଦିର ~
କ୍ଷିତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ l
ଧରଣୀଧରଣକିଣ ଚକ୍ର ଗରିଷ୍ଠେ ll
କେଶବ ଧୃତକଛପରୂପ ଜୟ ଜଗଦୀଶ ହରେ ll
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଭାରତ ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଆମର ଏଇ ଭାରତ ଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ଶ୍ରୀବିଷ୍ଣୁଙ୍କର ଦଶାବତାର ମଧ୍ୟରେ ଦ୍ଵିତୀୟ ଅବତାର ହେଉଛନ୍ତି ଶ୍ରୀକଚ୍ଛପ ଅବତାର ବା ଶ୍ରୀକୁର୍ମ ଅବତାର l ଶ୍ରୀବିଷ୍ଣୁଙ୍କ ବିଭିନ୍ନ ଅବତାରକୁ ନେଇ ଭାରତ ଭୂଖଣ୍ଡରେ ଅନେକ ମନ୍ଦିର ରହିଥିଲେ ହେଁ ଦେଶର ସବୁଠାରୁ ପ୍ରସିଦ୍ଧ ଶ୍ରୀକୁର୍ମ ଅବତାର ବିଷ୍ଣୁମନ୍ଦିର ହେଉଛି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଥିବା ଶ୍ରୀକୁର୍ମମ୍ ମନ୍ଦିର l ମନ୍ଦିରଟି ଶ୍ରୀକାକୁଲମ ସହର ଠାରୁ ମାତ୍ର ଷୋହଳ କିଲୋମିଟର ଦୂରରେ ଅବସ୍ଥିତ l
ଶ୍ରୀକୁର୍ମ ଅବତାର ବିଷ୍ଣୁମନ୍ଦିର ପୀଠଟି ବହୁତ ପ୍ରାଚୀନ, ଏପରିକି ଖ୍ରୀଷ୍ଟିୟ ଦ୍ଵିତୀୟ ଶତାବ୍ଦୀ ସମୟରୁ ଏହି ମନ୍ଦିର ବିଷୟରେ ବର୍ଣ୍ଣନା ଦେଖିବାକୁ ମିଳେ l ବିଭିନ୍ନ ସମୟରେ ଏହି ପ୍ରାଚୀନ ମନ୍ଦିରର ଜୀର୍ଣ୍ଣଉଦ୍ଧାର ହେବା ସହିତ ଉନ୍ନତି କରଣ କାର୍ଯ୍ୟ ସମ୍ପନ୍ନ ହୋଇଛି l ଭାରତର ବିଖ୍ୟାତ ବୈଷ୍ଣବ ସନ୍ଥ ଶ୍ରୀ ରାମାନୁଜଚାର୍ଯ୍ୟଙ୍କର ଏହା ସାଧନା ପୀଠ ଥିଲା l କେବଳ ଆନ୍ଧ୍ର ପ୍ରଦେଶ ନୁହେଁ, ସମଗ୍ର ଦକ୍ଷିଣ ଭାରତର ଏହା ଏକ ପ୍ରମୁଖ ବୈଷ୍ଣବ ପୀଠ l
ଦକ୍ଷିଣ ଭାରତୀୟ ବା ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏବର ଶ୍ରୀକୁର୍ମ ଅବତାର ବିଷ୍ଣୁମନ୍ଦିର ଏକାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଜଣାଯାଏ, ଯାହାକି ଭଗବାନ ଶ୍ରୀ ବିଷ୍ଣୁଙ୍କ କୁର୍ମ ଅବତାରଙ୍କୁ ସମର୍ପିତ ଏକ ସୁନ୍ଦର ମନ୍ଦିର l ମନ୍ଦିର ଗର୍ଭ ଗୃହରେ ଭଗବାନ ବିଷ୍ଣୁଙ୍କ ଚନ୍ଦନଚର୍ଚ୍ଚିତ କଚ୍ଛପରୂପ ପୂଜା ପାଉଥିବାବେଳେ, ମୁଖ୍ୟ ବିମାନକୁ ଲାଗି ଆଉ ଏକ ମନ୍ଦିରରେ ଲକ୍ଷ୍ମୀ ଠାକୁରାଣୀ ପୂଜା ପାଉଛନ୍ତି l
ଏହା ଏକ ବୈଷ୍ଣବ ମନ୍ଦିର ହୋଇଥିଲେ ହେଁ ଏଠାରେ ଶିବ, ଦୁର୍ଗା, ଲକ୍ଷ୍ମୀ ଓ ଗଣେଶାଦି ଦେବୀ ଵେବତାଙ୍କ ପ୍ରତିମା ପୂଜା ପାଉଛନ୍ତି l ଉଭୟ ଶୈବ ଓ ବୈଷ୍ଣବବାଦର ସମନ୍ୱୟ ଏଠାରେ ଦେଖିବାକୁ ମିଳେ l ଏହି ପୀଠର ମୁଖ୍ୟ ଆକର୍ଷଣ ହେଉଛି ମନ୍ଦିର ପରିସରରେ ଥିବା ଶହେ ଆଠ ଗୋଟି କାରୁକାର୍ଯ୍ୟପୂର୍ଣ୍ଣ ପାଷାଣ ଖମ୍ବ l ଏହି ଖୁମ୍ବ ଗୁଡ଼ିକର ଉଚ୍ଚତା ସମାନ ଥିଲେ ହେଁ କାରୁକାର୍ଯ୍ୟରେ ପରସ୍ପର ଠାରୁ ଭିନ୍ନ ଏବଂ କେତେକ ଖମ୍ବରେ ପ୍ରାଚୀନ ଶିଳାଲେଖ ଦେଖିବାକୁ ମିଳେ l
ପରମ ବୈଷ୍ଣବ ଧର୍ମ ଗୁରୁ ରାମାନୁଜାଚାର୍ଯ୍ୟଙ୍କ ଶିଷ୍ୟମାନଙ୍କ ଦ୍ୱାରା ତଥା କଳିଙ୍ଗ ସମ୍ରାଟ ଅନନ୍ତବର୍ମନ୍ ଚୋଡ଼ଗଙ୍ଗ ଦେବଙ୍କ ପୃଷ୍ଠପୋଷକତାରେ ଏଠାରେ ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର ଘଟିଥିଲା l ସେହିପରି ଗଙ୍ଗସମ୍ରାଟ ଦ୍ଵିତୀୟ ନରସିଂହଦେବଙ୍କ ଜନୈକ ପାରିଷଦ ନରହରି ତୀର୍ଥ ଯେକି ମାଧବାଚାର୍ଯ୍ୟଙ୍କ ପରମ ଶିଷ୍ୟ ଥିଲେ, ତାଙ୍କ ଦ୍ୱାରା ମଧ୍ୟ ବୈଷ୍ଣବ ଧର୍ମର ପ୍ରସାର ଘଟିବା ସହିତ ଗଞ୍ଜାମର ଶବର ଶାସକଙ୍କ ଆକ୍ରମଣକୁ ପ୍ରତିହତ କରି ଶ୍ରୀକାକୁଲମ ନଗରକୁ ସେ ସୁରକ୍ଷା ପ୍ରଦାନ କରିଥିବା ଇତିହାସରେ ଉଲ୍ଲେଖ ରହିଛି l କେବଳ ସେତିକି ନୁହେଁ, ଗଜପତି ପୁରୁଷୋତ୍ତମ ଦେବ ଓ ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ ମଧ୍ୟ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଶିଳାଲେଖାରୁ ଜଣାଯାଏ l
ଦକ୍ଷିଣ ଭାରତର ଅନ୍ୟାନ୍ୟ ମନ୍ଦିର ତୁଳନାରେ ଶ୍ରୀକୁର୍ମ ଅବତାର ବିଷ୍ଣୁମନ୍ଦିର ନିର୍ମାଣ ଶୈଳୀରେ କେତେକ ସ୍ୱତନ୍ତ୍ରତା ଥିବା ଦେଖିବାକୁ ମିଳେ l ମନ୍ଦିରର ଚୂଡ଼ାଟି ଅଷ୍ଟାଦଳ ପଦ୍ମ ପାଖୁଡ଼ା ପରି ଦୃଶ୍ୟମାନ ଯାହାକି ଖୁବ୍ ସୁନ୍ଦର l ସେହିପରି ମନ୍ଦିରର ପୂର୍ବ ଓ ପଶ୍ଚିମ ଦ୍ୱାରରେ ଦୁଇଗୋଟି ଧ୍ୱଜସ୍ତମ୍ଭ ରହିଛି l ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ଏକ ଛୋଟିଆ ଉଦ୍ୟାନରେ ଅନେକ ଗୁଡ଼ିଏ କଇଁଛ ପାଳନ କରାଯାଇଛି, ଯାହାକି ପର୍ଯ୍ୟଟକ ଓ ଦର୍ଶନାର୍ଥୀଙ୍କ ପାଇଁ ଆଉ ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ l
ବର୍ଷଣକ୍ଳାନ୍ତ ଶ୍ରାବଣର ଅପରାହ୍ଣରେ ଐତିହ୍ୟ ଦର୍ଶନ ସାରି, କର୍ଷଣ ମୁଖର କ୍ଷେତ, ବିଲ, ବାଡ଼ି ଆଉ ଗ୍ରାମ, ପଲ୍ଲୀ ଦେଇ ଆମେ ଷୋହଳ ନମ୍ବର ଜାତୀୟ ରାଜ ପଥରେ ଆସି ପହଞ୍ଚି ଯାଇଥିଲୁ l ଦିନ ତମାମ୍ ବର୍ଷାରେ ଭିଜି ଭିଜି ଆମର ଐତିହ୍ୟ ଯାତ୍ରା ଚାଲିଥିଲା l ଏହାରି ଭିତରେ ଶ୍ରୀମୁଖଲିଙ୍ଗେଶ୍ୱର, ଭୀମେଶ୍ୱର, ସୋମେଶ୍ୱର ଆଉ ସହର ମଧ୍ୟଭାଗରେ ଥିବା ଶ୍ରୀ ସୂର୍ଯ୍ୟନାରାୟଣ ମନ୍ଦିର ଦର୍ଶନ ସରିଥିଲା l
କ୍ଳାନ୍ତ ଶରୀର, ହେଲେ ଉର୍ଜାବାନ୍ ମନ ନେଇ ଆମେ ଅଗ୍ରସର ହୋଇଥିଲୁ ଗୋପାଳପୁର ଅଭିମୁଖେ ରାତ୍ରିଯାପନ ନିମନ୍ତେ l ଶ୍ରୀକୁର୍ମମ୍’ରୁ ଫେରିବା ପଥରେ ଅନ୍ତଃଦୃଷ୍ଟିରେ ଆମେ ସ୍ପଷ୍ଟ ଦେଖିପାରୁଥାଉ, ସହସ୍ର ବର୍ଷ ତଳର ଲୋକଙ୍କ ସାଧାରଣ ଜୀବନଶୈଳୀ ଓ କୋଳାହଳମୟ ମନ୍ଦିର ପ୍ରାଙ୍ଗଣ l ଗଙ୍ଗ ଆଉ ଗଜପତିଙ୍କ ପୃଷ୍ଟ ପୋଷକତାରେ ସୁସମୃଦ୍ଧ ଧର୍ମକ୍ଷେତ୍ର, ଧର୍ମୀୟ ଚିନ୍ତା ଓ ଚେତନା ଆଉ ବୈଷ୍ଣବ ମାର୍ଗଦର୍ଶନ l

©Trilochan Swain

Srikurmam Temple, Kurmanathaswamy Temple, Kurmanatha Temple, Sri Kurma Avatar, Srikurmam village, Srikakulam

#ଅନ୍ତରଙ୍ଗ_କଳିଙ୍ଗ_ଐତିହ୍ୟ_ଯାତ୍ରା

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago