ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

~ ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା ~
କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା କରିଛନ୍ତି। ଲାଵଣ୍ୟଵତୀ କାଵ୍ୟର ପ୍ରଥମ ଭାଗ ଅଷ୍ଟମ ଛାନ୍ଦରେ କେମିତି ସିଂହଳଦେଶର ରାଜା ନିଜ ଵିଵାହଯୋଗ୍ୟା କନ୍ୟା ଲାବଣ୍ୟଵତୀର ଚିତ୍ରପଟଟିଏ ପ୍ରସ୍ତୁତ କରାଇ ଜ୍ଞାନାନନ୍ଦ ନାମକ ସନ୍ୟାସୀ ହସ୍ତରେ ଦେଶରୁ ଦେଶ ବୁଲାଇ ପ୍ରଦର୍ଶିତ କରାଇଲେ ତାହା ଏହିପରି ଵର୍ଣ୍ଣନା କରାଯାଇଛି . . .
~ ଲାଵଣ୍ୟଵତୀ ~
“କୁନ୍ତଳ କୁନ୍ତଳଵର୍ଣ୍ଣେ ସାରିଲେ ଦିନ ।
ମତ୍ସ୍ୟଜନ ମତ୍ସ୍ୟପୁରି ନିମିଷ ହୀନ ॥
ନିଷେଧେ ନିଷେଧି ଆନ ଲୋକନ କଲେ ।
ମାଳଵରେ ମାଳା କରି ତାହା ଜପିଲେ ॥
ମଘରେ ମଘଵାପଦ ପାଇଲା ପରି ।
ଵିଦେହ ଵିଦେହଶରେ ହୋଇଲେ ଘାରି ॥
କନାଉଜ କନ୍ୟା ଉଜ ଶୁଭିଲା ବାଣୀ ।
ମରୁ ଦେଶ ମରୁ ରମ୍ଭା ଏମନ୍ତେ ଭଣି ॥
ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ ।
ଏହି ରମ୍ଭା ବୋଲି କଳି କଳିଙ୍ଗେ ହେଲେ ॥
ଧାତା ହଟ ଏହି ମରହଟ୍ଟ ଵିଚାର ।
ସଉରାଷ୍ଟ୍ରେ ଭାଷି ସଉଦାମିନୀ ସ୍ଥିର ॥
ଚୋଳେ ନିଚୋଳ ଘୋଡାଇ ରଖିଵା ଚିନ୍ତା ।
ଦ୍ରାଵିଡ଼େ ନିଵିଡ଼େ ଆଲିଙ୍ଗନେ ମମତା ॥
ଗୁଜୁରାତି ରାତିଦିନେ ଦେଖିଵା ଇଛା ।
ଵିଦର୍ଭରେ ଦରହାସୀ ଦର୍ଶନ ଵାଞ୍ଚା ॥
ଉତ୍କଳେ ଉତ୍କଳ ହୋଇ ଵିରହ ଭାରୀ ।
ଗଉରିଏ ଗଉରଵ ଗଉଡ଼େ କରି ॥
ନେପାଳେ କପାଳେ ଥିଲେ ପାଇଵା ଭାବି ।
ମାଗଧେ ମାଗଧମୁଖେ ଵର୍ଣ୍ଣାଇ ଛବି ॥
କୁଞ୍ଜ ଗଳେ ଗଳେ ବାନ୍ଧି ବୁଲିକା ସ୍ନେହୀ ।
ବଙ୍ଗାଳୀ ଗାଳି ଉପମାବଳୀକି ଦେଇ ॥
ଲୋମଶ ଲୋମହର୍ଷିତ ଦେଖି ତ୍ଵରିତ ।
କଳେଵରେ କଳେଵରେ ଆନନ୍ଦ ଜାତ ॥
କେରଳେ କେରଳମାୟା ହୋଇବ ।
ଯମନ ମନରୁ ଭିନ୍ନ ନୋହେ ଏ ଭାବ ॥
ସିନ୍ଧୁ ରେ ଭାଷିଲେ ସିନ୍ଧୁରେ ଯେ ଝାସିବ ।
ସିନ୍ଧୁରଗମନା ପ୍ରତି ଅଙ୍ଗେ ମିଶିବ ॥”
ପ୍ରୋକ୍ତ ପଦଗୁଡି଼କରେ ଅଖଣ୍ଡଭାରତର କେଉଁ କେଉଁ ରାଜ୍ୟର ନାମ ରହିଛି . . .
•କୁନ୍ତଳ = ଭାରତରେ ଦୁଇଟି କୁନ୍ତଳ ଦେଶ ଥିଲା । ଗୋଟିଏ କୁନ୍ତଳ ଦେଶ ଉତ୍ତରରେ କାଶୀ ଓ ଚୁନାର୍ ନିକଟରେ ଥିଲାବେଳେ ଅନ୍ୟଟି କୃଷ୍ଣାନଦୀ କୂଳରେ ଦକ୍ଷିଣ ଭାରତରେ ଅଵସ୍ଥିତ ଥିଲା । କର୍ଣ୍ଣାଟକର ପୂର୍ଵନାମ କୁନ୍ତଳ ବୋଲି ଅନେକେ ଵିଶ୍ଵାସ କରନ୍ତି ।‌
•ମତ୍ସ୍ୟପୁରୀ ଵା ମତ୍ସ୍ୟଦେଶ = କେହି କେହି ଓଡ଼ିଶାରେ ମତ୍ସ୍ୟଦେଶ ଥିଵା ଅନୁମାନ କରନ୍ତି ତେବେ ମତ୍ସ୍ୟଦେଶ ରାଜସ୍ଥାନର ଅଲଵର ଅଞ୍ଚଳରେ ଥିଵା ଅନେକ ଗଵେଷକ ମତ ଦିଅନ୍ତି ।
•ନିଷେଧ = ଗ୍ଵାଲିୟର ନିକଟସ୍ଥ ନଳଵର ଅଞ୍ଚଳକୁ ପୂର୍ଵେ ନିଷେଧ ଦେଶ କୁହାଯାଉଥିଲା ବୋଲି ଗଵେଷକମାନେ କୁହନ୍ତି
•ମାଳଵ = ମଧ୍ୟପ୍ରଦେଶର ମାଳଵାଞ୍ଚଳକୁ ଆଗେ ମାଳଵ ଦେଶ କୁହାଯାଉଥିଲା ।
•ମଘ = ପୌରାଣିକ ଭୂଗୋଳ ଅନୁସାରେ ମ୍ଳେଚ୍ଛାଧିଷ୍ଠିତ ଦ୍ବୀପଵିଶେଷ ଓ ତଦ୍ଦେଶବାସୀ ଵ୍ୟକ୍ତିଗଣକୁ ମଘ କୁହାଯାଉଥିଲା । ବ୍ରହ୍ମଦେଶ ଵା ବର୍ମାର ଆରାକାନ ପ୍ରଦେଶ ଓ ଦଦ୍ଦେଶବାସୀ ଵ୍ୟକ୍ତିଗଣଙ୍କୁ ମଧ୍ୟ ମଘ କୁହାଯାଉଥିଲା । କଵି ଏଠାରେ ବ୍ରହ୍ମଦେଶକୁ ମଘ ଭାବରେ ଉଲ୍ଲେଖ କରିଛନ୍ତି ।
•ଵିଦେହ = ଆଧୁନିକ ବିହାର ପ୍ରଦେଶ ତଥା ନେପାଳର କେତେକ ଅଂଶକୁ ନେଇ ଆଗେ ଵିଦେହ ଦେଶ ଗଢ଼ା ହୋଇଥିଲା । ଏହାର ରାଜଧାନୀ ମିଥିଳା ଓ ଭାଷା ମୈଥିଳୀ ଥିଵା ଜଣାଯାଏ ‌।
•କୌନ୍ନଜ = ଉତ୍ତର ପ୍ରଦେଶର ଆଧୁନିକ କୌନ୍ନଜ ଜିଲ୍ଲା ଏଵଂ ଏହାର ପ୍ରାଚୀନ ନାମ ଥିଲା କାନ୍ୟକୁବ୍ଜ ।
•ମରୁଦେଶ = ରାଜପୁତନା ଅନ୍ତର୍ଗତ ମରୁମୟ ମାରବାର୍ ପ୍ରଦେଶକୁ ଆଗେ ମରୁଦେଶ କୁହାଯାଉଥିଲା
•ଅଙ୍ଗ = ଵର୍ତ୍ତମାନ ବିହାରର ଭାଗଲପୁର ଓ ମୁଙ୍ଗେର୍ ଜିଲ୍ଲା ସମଵର୍ତ୍ତୀ ଅଞ୍ଚଳରେ ଆଗେ ଅଙ୍ଗ ଦେଶ ଅଵସ୍ଥିତ ଥିଲା
•କଳିଙ୍ଗ = ଆଧୁନିକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ଗଞ୍ଜାମ,ଗଜପତି,ପୁରୀ, ରାୟଗଡ଼ା, କନ୍ଧମାଳ,ଅଵିଭକ୍ତ କୋରାପୁଟ, କନ୍ଧମାଳ ଆଦି ଅଞ୍ଚଳକୁ ନେଇ ପ୍ରାଚୀନ କଳିଙ୍ଗ ଦେଶ ଗଠିତ ହୋଇଥିଲା । କଳିଙ୍ଗ ଦେଶର ସୀମା ପୌରାଣିକ ଯୁଗରେ ଆଗଙ୍ଗା ଗୋଦାଵରୀ ଥିଵା ଵର୍ଣିତ ହୋଇଛି । ଉତ୍କଳ ଓ ଉଡ୍ରଦେଶ ଏହାର ଅଂଶ ହୋଇ ଵିଶାଳ କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ଗଠିତ ହୋଇଛି ।
•ମରହଟ୍ଟ =ଆଧୁନିକ ମହାରାଷ୍ଟ୍ର
•ସୌରାଷ୍ଟ୍ର = ଆଧୁନିକ ସୌରାଷ୍ଟ୍ର ଅଞ୍ଚଳ ଏଵଂ ଏହା ଵର୍ତ୍ତମାନ ଗୁଜରାଟର ଦକ୍ଷିଣ ଭାଗ । ସୁରଟ ନଗର ଏହି ଅଞ୍ଚଳର ମୁଖ୍ୟ ନଗରୀ ଅଟେ ।‌
•ଚୋଳ = ଆଧୁନିକ ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରଥମେ ସ୍ଥାପିତ ରାଜ୍ୟ
•ଦ୍ରାଵିଡ଼ = ତାମିଲନାଡୁର କେତେକ ଅଞ୍ଚଳ
•ଗୁଜରାଟ = ଆଧୁନିକ ଗୁଜରାଟ ଓ ରାଜସ୍ଥାନର କେତେକ ଅଞ୍ଚଳକୁ ନେଇ ଗୁଜ୍ଜରମାନଙ୍କ ପ୍ରଦେଶ ଗଠିତ ହୋଇଥିଲା । ଆଧୁନିକ ଗୁଜରାଟ ରାଜ୍ୟର ନାମ ଏହି ପ୍ରାଚୀନ ପ୍ରଦେଶ ନାମରେ ନାମିତ କରାଯାଇଛି ।
•ଵିଦର୍ଭ = ଆଧୁନିକ ମହାରାଷ୍ଟ୍ରର ପୂର୍ଵଭାଗକୁ ଆଗେ ଵିଦର୍ଭ ଦେଶ କୁହାଯାଉଥିଲା । ଏହା ମହାରାଷ୍ଟ୍ରର ଏକ ଉପକ୍ଷେତ୍ର ଏଵଂ ଏଥିରେ ୧୨ଟି ଜିଲ୍ଲା ରହିଛି ‌ ।
•ଉତ୍କଳ = ପଶ୍ଚିମ ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ (ଆଧୁନିକ ଛତିଶଗଡ଼), ଆଧୁନିକ ଓଡ଼ିଶାର ପଶ୍ଚିମ, ମଧ୍ୟ ଓ ଉତ୍ତରାଞ୍ଚଳର କେତେକ ଅଂଶକୁ ପ୍ରଥମେ ଉତ୍କଳ ଦେଶ ଭାବେ ନାମିତ କରାଯାଇଥିଲା । ଉତ୍ତର ଭାରତରୁ ଆସି ଓଡ଼ିଶାର ପଶ୍ଚିମ ଵିଚ୍ଛିନ୍ନାଞ୍ଚଳ (ଆଧୁନିକ ଛତିଶଗଡ଼)ରେ ଶାସନ କରୁଥିଵା ନନ୍ଦବଂଶୀରାଜାମାନେ ସେଠାରେ ସତୁରୀ ଵର୍ଷ ଶାସନ କଲାପରେ ପଶ୍ଚିମ ଓଡ଼ିଶା ତଥା ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳ ଜୟକରି ନିଜ ରାଜ୍ୟର ନାମ ଉତ୍କଳ ତଥା ନିଜକୁ ସୋମବଂଶୀ ଘୋଷଣା କରିଥିଲେ । ସୋମବଂଶୀ ରାଜାମାନେ ପରେ ନିଜ ଉତ୍କଳ ଦେଶର ରାଜଧାନୀ ଯାଜପୁରକୁ କରିଥିଲେ ଏଵଂ ଏହି ବଂଶର ଯଯାତି କେଶରୀ ଵିଖ୍ୟାତ ହୋଇଥିଲେ ।‌ କଳିଙ୍ଗ ଦେଶ ପରି ଉତ୍କଳ ଦେଶର ସୀମା ସମୟେ ସମୟେ ଛୋଟ ବଡ଼ ହେଉଥିଲା ।
•ଗୌଡ଼ଦେଶ = ଆଧୁନିକ ପଶ୍ଚିମବଙ୍ଗ ଓ ବଙ୍ଗଦେଶର ମଝାମଝି ଉତ୍ତର ଭାଗରେ ଏ ଦେଶ ଅଵସ୍ଥିତ ଥିଲା ।
•ନେପାଳ = ଆଧୁନିକ ନେପାଳ ଦେଶର ଅଧିକାଂଶ ଅଞ୍ଚଳ
•ମଗଧ = ଆଧୁନିକ ବିହାରର ପ୍ରାଚୀନ ନାମ ଥିଲା ମଗଧ । କଳିଙ୍ଗ ଦେଶ ପରି ମଗଧର ଆକାର ଵା ଆୟତନ ସମୟ ସମୟରେ ଛୋଟ ବଡ଼ ହେଉଥିଲା ।
•ବଙ୍ଗ = ଆଧୁନିକ ବଙ୍ଗଳାଦେଶକୁ ଆଗେ ବଙ୍ଗ କୁହାଯାଉଥିଲା ଏଵଂ ଏହାର ପଶ୍ଚିମକୁ ଆଧୁନିକ ପଶ୍ଚିମବଙ୍ଗର ସମୁଦ୍ରକୂଳସ୍ଥ ଭୂଭାଗକୁ ରାଢ଼ ଦେଶ କୁହାଯାଉଥିଲା ।
•କେରଳ = ଆଧୁନିକ କେରଳ ରାଜ୍ୟର କେତେକ ଅଂଶକୁ ନେଇ କେରଳ ରାଜ୍ୟର ଗଠନ କରାଯାଇଥିଲା ।
•ଯମନ ଵା ଯବନ ଦେଶ = ଆଫଗାନିସ୍ତାନ ଓ ପାକିସ୍ତାନର କେତେକ ଅଞ୍ଚଳକୁ ଆଗେ ଯବନ ଦେଶ କୁହାଯାଉଥିଲା । ଏଠାରେ ଵିଭିନ୍ନ ସମୟରେ ଭାରତ ଆକ୍ରମଣ କରୁଥିଵା ଵୈଦେଶିକ ଜାତିମାନେ ଵାସ କରୁଥିଲେ ।
•ସିନ୍ଧୁ ଦେଶ = ବଲୁଚିସ୍ଥାନର ପୂର୍ଵରେ ଗୁଜରାଟର ଉତ୍ତରରେ ଵର୍ତ୍ତମାନର ସିନ୍ଧୁପ୍ରଦେଶ ଆଗେ ସିନ୍ଧୁଦେଶ ଭାବରେ ଜଣାଯାଉଥିଲା । ବଲୁଚିସ୍ଥାନ ପରି ପାକିସ୍ତାନରୁ ସିନ୍ଧୁଦେଶକୁ ଏକ ସ୍ଵତନ୍ତ୍ର ଦେଶ ଭାବେ ଭିନ୍ନ କରିଵାକୁ ପାକିସ୍ତାନରେ ସମୟ ସମୟରେ ଆନ୍ଦୋଳନ ହେଉଅଛି ।
-:ଶବ୍ଦାର୍ଥ:-
*ମଘଵାପଦ = ଇନ୍ଦ୍ରପଦ (ମଘଵା= ଇନ୍ଦ୍ର)
*କୁନ୍ତଳବର୍ଣ୍ଣ =କେଶର ରଙ୍ଗ ପରି କଳା
*ନିଷେଧେ = ନୈଷେଧ ଦେଶରେ
*ନିଷେଧି = ମନା କରି
*ବିଦେହଶର =କନ୍ଦର୍ପ ଵାଣ
*ଉଜ = ଶ୍ରେଷ୍ଠ
*ଅଙ୍ଗନା ଅଙ୍ଗ = (ଲାଵଣ୍ୟଵତୀର) ଶରୀର
*ହଟ = କୌତୁକ
*ନିଚୋଳେ = କାଞ୍ଚଲାରେ
*ମମତା = (ଏଠାରେ)ଇଛା
*ଦରହାସୀ = ମୃଦୁହାସୀ
*ଉତ୍କଳ = ଉତ୍କଣ୍ଠିତ
*ଗଉରୀ = ଗୌରଵର୍ଣ୍ଣର ସ୍ତ୍ରୀ
*ମାଗଧମୁଖେ = ଭାଟମାନଙ୍କର ମୁଖରେ
*କେରଳମାୟା = କେଳାର କୁହୁକ
*ଯମନ = ଯବନ
Labanyabati/Lavanyabati
Kabisamrat Upendra Bhanja
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago