ଲକ୍ଷ୍ମୀନୃସିଂହ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ
~ ପୂର୍ଵକଚ୍ଛର ଲକ୍ଷ୍ମୀନୃସିଂହ ମନ୍ଦିର ~ 
ପଞ୍ଚଦଶ ଶତାବ୍ଦୀର ଶେଷ ଭାଗ ।
ସୂର୍ଯ୍ୟବଂଶୀ ସମ୍ରାଟ #ପୁରୁଷୋତ୍ତମ_ଦେବ ମହାନଦୀର ଉତ୍ତର ତୀରବର୍ତ୍ତୀ ଅଞ୍ଚଳରେ ‘ଛଅଶହ ଭାଗ’ ଶାସନ ଓ ବହୁ ଜନବସତି ବସାଇଥିଲେ । ପ୍ରଜାମାନଙ୍କ ହିତ ପାଇଁ ଯେପରି ସେ ଏହି ଜନବସତି ଗୁଡ଼ିକରେ ଅଗଣିତ ପୁଷ୍କରିଣୀ ଖୋଳାଇଥିଲେ ଆଧ୍ୟାତ୍ମିକ ଚେତନାର ପରିସ୍ଫୁଟନ ପାଇଁ ତୋଳିଥିଲେ କେତେ କେତେ #ଦଧିବାମନ#ଲକ୍ଷ୍ମୀନୃସିଂହ ଦେଉଳ ! ତତ୍କାଳୀନ ଉତ୍କଳର ଆଧ୍ୟାତ୍ମିକ ଇତିହାସରେ ସେତେବେଳେ ନୂଆ ଦିଗଟିଏ ଖୋଲିଯାଇଥିଲା !
କଟକ ମହାନଗରରୁ ସ୍ବଳ୍ପ ଦୂରର ସାଲେପୁର ଆଖପାଖର ଏଇ ଗ୍ରାମଗୁଡିକର ଇତିବୃତ୍ତ ବଖାଣେ #ଚକଡ଼ାପୋଥି ! ଷୋଡ଼ଶ ଶତାବ୍ଦୀର କବି ପୁରୁଷୋତ୍ତମ ଦାସଙ୍କ #କାଞ୍ଚିକାବେରୀ କାବ୍ୟ ମଧ୍ୟ ପ୍ରସନ୍ନ ପୁରୁଷୋତ୍ତମପୁର, ପାଟପୁର, ସିଂହମାପୁର, ପଦ୍ମପୁର, ଭାତପଡ଼ା, ରୋଦ୍ରମାପୁର, ଶଉରୀ, ଶାରଦା, ପୁରୁଷୋତ୍ତମପୁର, ଗଙ୍ଗାପୁରଗୋପୀନାଥପୁର ପ୍ରଭୃତି ଗ୍ରାମମାନଙ୍କର ଗାରିମା ଗାନ କରେ ! ଏବେ ମଧ୍ୟ ସେଇ ଗ୍ରାମମାନଙ୍କରେ ମିଳୁଥିବା ଭଗ୍ନାବଶେଷ, ସେକାଳର ସ୍ମୃତିବହନ କରି, ଧ୍ୱଂସର ବିସ୍ମୃତି ମଧ୍ୟରେ ଜୀବନ୍ତ ପ୍ରତ୍ନତାତ୍ତ୍ୱିକ ଅବଶେଷ ପରି ପ୍ରତୀୟମାନ ହୁଏ !
ପୁନଃ, ପ୍ରସନ୍ନ–ପୁରୁଷୋତ୍ତମପୁର, ଗୋପୀନାଥପୁର, #ପୂର୍ଵକଚ୍ଛ ଓ ଅନ୍ୟତ୍ର ଲକ୍ଷ୍ମୀନୃସିଂହଙ୍କ ପାଇଁ ସେଦିନ ଯେଉଁ ଦେବାଳୟମାନ ନିର୍ମିତ ହୋଇଥିଲା, ଆଜିସୁଦ୍ଧା ସେସବୁ ଜୀର୍ଣ୍ଣତାପ୍ରାପ୍ତ ହୋଇ ଦଣ୍ଡାୟମାନ ରହିଅଛି । ପୂର୍ବକଚ୍ଛ ଗ୍ରାମରେ ପୁରୁଷୋତ୍ତମ ଦେବଙ୍କ ମହିଷୀ #ଶ୍ରୀୟାଦେଈ ଯେଉଁ ଲକ୍ଷ୍ମୀନୃସିଂହ ମନ୍ଦିର ସ୍ଥାପନା କରିଥିଲେ, ଆଜି ସୁଦ୍ଧା ତାହାର ପ୍ରସିଦ୍ଧି ମ୍ଳାନ ହୋଇନାହିଁ । (ଚକଡ଼ା ବସାଣ; ସୁରେନ୍ଦ୍ର ମହାନ୍ତିଙ୍କ ଶତାବ୍ଦୀର ସୂର୍ଯ୍ୟ)
ପୂର୍ଵକଚ୍ଛ ଗ୍ରାମର ଲକ୍ଷ୍ମୀନୃସିଂହ ମନ୍ଦିର ! କଟକ ଜଗତପୁର ଠାରୁ ମାତ୍ର ସାତ କିଲୋମିଟର ଦୂର ପୂର୍ଵକଚ୍ଛ ଗ୍ରାମରେ ଅବସ୍ଥିତ ପ୍ରାଚୀନ ମନ୍ଦିର l ମନ୍ଦିରରେ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହ ପ୍ରତିଷ୍ଠିତ ଓ ପୂଜିତ l ବହୁ ପ୍ରାଚୀନ ହେଲେ ବି ଏ ମନ୍ଦିରର ନିର୍ମାଣ ସମ୍ପର୍କରେ ସଠିକ ତଥ୍ୟ ମିଳେନା ! ଏହାର ନିର୍ମାଣ ସମୟ ଓ ନିର୍ମାତାଙ୍କ ସମ୍ପର୍କରେ ଭିନ୍ନ ଭିନ୍ନ ଜନ ମତ ରହିଥିବା ଜଣାଯାଏ l କେହି କେହି କୁହନ୍ତି, ମନ୍ଦିରଟି ପଞ୍ଚଦଶ ଶତାବ୍ଦୀରେ ଗଜପତି ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା, କାଞ୍ଚି ଅଭିଯାନର ପରବର୍ତ୍ତୀ ସମୟରେ l
କାଞ୍ଚି ରାଜା ସାଲ୍ୱ ନରସିଂହଙ୍କୁ ଯୁଦ୍ଧରେ ପରାସ୍ତ କଲା ପରେ ଗଜପତି ପୁରୁଷୋତ୍ତମ ଦେବ, ରାଜ ଜେମା ପଦ୍ମାବତୀଙ୍କ ସହିତ ପୁରୀ ଶ୍ରୀମନ୍ଦିରରେ ଥିବା #କାଞ୍ଚିଗଣେଶ, ସାକ୍ଷୀଗୋପାଳର #ଗୋପୀନାଥ ଓ ଏହି ମନ୍ଦିରରେ ପ୍ରତିଷ୍ଠିତ ଲକ୍ଷ୍ମୀନୃସିଂହ ମୂର୍ତ୍ତିକୁ ଉତ୍କଳକୁ ଆଣିଥିଲେ ଏବଂ ପରାଵର୍ତ୍ତୀ ସମୟରେ ଏହି ପୂର୍ଵକଚ୍ଛ ଗ୍ରାମରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରି ବୈଦିକ ରୀତିନୀତିରେ ଲକ୍ଷ୍ମୀନୃସିଂହଙ୍କ ପୂଜାପାଠର ବ୍ୟବସ୍ଥା କରିଥିଲେ l
ପରବର୍ତ୍ତୀ ସମୟରେ କିନ୍ତୁ ସେହି ମନ୍ଦିରଟି ବିଧର୍ମୀ #କଳାପାହାଡ଼ ଦ୍ୱାରା ଧ୍ବଂସ ପ୍ରାପ୍ତ ହୋଇଥିଲା l ଏବେବି ମନ୍ଦିର ପରିସରରେ ସେହି ପୁରାତନ ମନ୍ଦିରର ଭଗ୍ନାବଶେଷକୁ ଯେ କେହି ଦେଖି ପାରିବେ l ସେହି ଖଣ୍ଡିତ ଲକ୍ଷ୍ମୀନୃସିଂହ ମୂର୍ତ୍ତିଟି ନିକଟସ୍ଥଏକ ପୁଷ୍କରିଣୀରେ ଏବେବି ପଡ଼ିରହିଛି ଆଉ ମନ୍ଦିର ସମୁଖସ୍ଥ ଏକ ଚକଡ଼ା ଉପରେ ପୁରାତନ ଗରୁଡ଼ ମୂର୍ତ୍ତି ରହିଛି l ସେହି ମୂର୍ତ୍ତିଦ୍ବୟକୁ ଏବେ ବି ଦେଖିହେବ l ଖରାଦିନେ ପୋଖରୀରୁ ପାଣି ଶୁଖିଗଲା ପରେ ଲକ୍ଷ୍ମୀନୃସିଂହ ମୂର୍ତ୍ତିଟି ଦୃଷ୍ଟିଗୋଚର ହୁଏ l
ଏବେ ଯେଉଁ ମନ୍ଦିରଟି ରହିଛି ତାହା କଳାପାହାଡ଼ ଦ୍ୱାରା ଧ୍ବଂସ ପାଇ ଥିବା ମୂଳ ମନ୍ଦିରର ପିଣ୍ଡି ଉପରେ ନିର୍ମିତ ହୋଇଥିବା ଜଣାଯାଏ l ମାତ୍ର ଆଉ କେହି କେହି ମନ୍ଦିର ନିର୍ମାଣ ଓ ନିର୍ମାତାଙ୍କ ସମ୍ପର୍କରେ ଭିନ୍ନ ମତ ପୋଷଣ କରନ୍ତି l କୁହାଯାଏ ମନ୍ଦିରଟି ପୁରୁଷୋତ୍ତମ ଦେବ ନୁହେଁ, ବରଂ ତାଙ୍କର ବହୁପୂର୍ବରୁ ତୃତୀୟ #ଅନଙ୍ଗଭୀମ_ଦେବ ଙ୍କ ଦ୍ୱାରା ନିର୍ମିତ !
ତୃତୀୟ ଅନଙ୍ଗ ଭୀମଦେବ #କଟକ ଠାରେ ରାଜଧାନୀ ପ୍ରତିଷ୍ଠା କଲା ପରେତୋଳିଥିବା ଅସୁମାରୀ ଦେଉଳ ଗୁଡ଼ିକ ମଧ୍ୟରୁ ସାଲେପୁର ନିକଟର #ଚାଟେଶ୍ୱର_ମନ୍ଦିର ଅନ୍ୟତମ l ଆଉ ଏହି ଲକ୍ଷ୍ମୀନୃସିଂହ ମନ୍ଦିରଟି ମଧ୍ୟ ତାଙ୍କରି ଶାସନ ସମୟରେ ନିର୍ମାଣ ହୋଇଥିଲା ବୋଲି ସ୍ଥାନୀୟ ପୂଜକ କୁହନ୍ତି l ସେ କାନ୍ୟକୁବ୍ଜରୁ ବ୍ରାହ୍ମଣ ପରିବାର ଆଣି ଏହି ମନ୍ଦିରରେ ପୂଜାବିଧିର ବ୍ୟବସ୍ଥା ବି କରିଥିଲେ l ହୁଏତ ପରବର୍ତ୍ତୀ ସମୟରେ #ଗଜପତି ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ଏହି ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଥାଇପାରେ l ଏହା ଉପରେ ଅଧିକ ଅନୁସନ୍ଧାନ କରାଗଲେ ହୁଏତ ସଠିକ ତଥ୍ୟ କିଛି ମିଳିପାନ୍ତା l

Leave a Comment

Your email address will not be published. Required fields are marked *

Scroll to Top