ଲେଖା: ନିରଞ୍ଜନ ସାହୁ
ଗତାନୁଗତିକ ପ୍ରବନ୍ଧ ଲେଖାରେ ଗୋଟିଏ ବ୍ୟତିକ୍ରମର ଉଦ୍ଦ୍ରେକ ହେଲା ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୦୪ ମସିହାର ପ୍ରଥମ ସଂଖ୍ୟାରେ । ପ୍ରାବନ୍ଧିକଙ୍କର ହେତୁବାଦୀ ଚିତ୍ତ ଧର୍ମର ଆବରଣ ଭେଦ କରି ନାସ୍ତିକତାରେ ଉପନୀତ ହୋଇଥିଲା ଗୋଟିଏ ପ୍ରବନ୍ଧ । ସାରା ପାଠକ ମହଲରେ ତଡ଼ିତ୍ ବେଗରେ ପ୍ରସାରିତ ହୋଇଗଲା ପ୍ରବନ୍ଧର ବିଷୟବସ୍ତୁ । ଏ ପ୍ରବନ୍ଧ ଥିଲା ଜଣେ ୨୩ ବର୍ଷୀୟ ଯୁବକଙ୍କର । ଯୁବକ ଥିଲେ ଦର୍ଶନ ଶାସ୍ତ୍ରର ଛାତ୍ର । ପ୍ରବନ୍ଧଟିର ରଚନାରେ ନିଜେ ସ୍ଵୀକାର କରିଥିଲେ, “ମୋର ମନେହୁଏ ଉତ୍କଳ ସାହିତ୍ୟ କ୍ଷେତ୍ରରେ ମୋ ପୂର୍ବେ ଏପରି ସାହସର କର୍ମ କେହି କରିନଥିଲା । ମୁଁ ଉତ୍କଳକୁ ପ୍ରଥମେ ବିପ୍ଳବର ବାଣୀ ଶୁଣାଇଅଛି ।”
ଜାତୀୟ ଜୀବନର ସଂସ୍କାର ଓ ଲୋକାଚାରକୁ ସମାଲୋଚନା କରି ତା’ର ଅନ୍ତର୍ଲୋକରେ ନିଜ ବାଣୀ ପ୍ରତିଷ୍ଠା କରିବା ଓ କୁଶାଗ୍ରତୀକ୍ଷ୍ମ ଯୁକ୍ତିର ଆଘାତରେ ବହୁ ଶତାବ୍ଦୀ ଲାଳିତ ଜାତିର ଜଡ଼ତା ଗ୍ରନ୍ଥିକୁ ଛିନ୍ନ କରିବା ଅତ୍ୟନ୍ତ ସାହସିକ କର୍ମ ଥିଲା ସେ ସମୟରେ। ଉତ୍କଳ ସାହିତ୍ୟରେ ସେହି ପ୍ରବନ୍ଧର ପ୍ରକାଶନ ପରେ ବହୁ ଆଘାତ ପାଇଥିଲେ ପ୍ରାବନ୍ଧିକଙ୍କ ଶୁଭାକାଙକ୍ଷୀ ଭକ୍ତକବି ମଧୁସୂଦନ ରାଓ, କିନ୍ତୁ ପ୍ରଶଂସା କରିଥିଲେ କବିବର ରାଧାନାଥ ରାୟ । ତାଙ୍କର ଉକ୍ତି ଥିଲା, “ପ୍ରାବନ୍ଧିକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଧର୍ମବିଜ୍ଞାନମାନ ପାଠ କରିଅଛନ୍ତି ଏବଂ ଦେଖିଛନ୍ତି ଯେ ଈଶ୍ଵର ଓ ପରକାଳ ସମ୍ବନ୍ଧୀୟ ତର୍କମାନ ଭ୍ରାନ୍ତ ।” ଅପରପକ୍ଷରେ ଉତ୍କଳ ସାହିତ୍ୟର ସୁଯୋଗ୍ୟ ସମ୍ପାଦକ ବାଗ୍ମୀ ବିଶ୍ଵନାଥ କର ଶତମୁଖରେ ପ୍ରଶଂସା କରିଥିଲେ ଏଭଳି ତର୍କ ସମ୍ବଳିତ ପ୍ରବନ୍ଧଟିକୁ । ଓଡ଼ିଶାର ଅଗଣିତ ପାଠକ ମାନେ ହେତୁବାଦୀ ତର୍କବିତର୍କର ଆଶା ଓ ସମ୍ଭାବନାରେ ଅପେକ୍ଷା ରଖିଥିଲେ ଗତାନୁଗତିକତା ଲଂଘନ କରିଥିବା ପ୍ରବନ୍ଧର ଏକ ନୂତନ ଦିଗନ୍ତ ।
ଗତାନୁଗତିକ ପ୍ରବନ୍ଧ ସୃଷ୍ଟିର ଜରାୟୁକୁ ମଥିତ କରି ଏକ ସ୍ଵାଧୀନ ବିପ୍ଳବାତ୍ମକ ପ୍ରବନ୍ଧର ପ୍ରଥମ ଅବତାରଣା କରିଥିବା ସେଦିନର ପ୍ରାବନ୍ଧିକ #ମୋହିନୀ #ମୋହନ #ସେନାପତି । ଓଡ଼ିଆ ସାହିତ୍ୟ ଜଗତର କୁଳବୃଦ୍ଧ ସାହିତ୍ୟରଥି ଫକୀରମୋହନ ସେନାପତିଙ୍କ ତଦୀୟ ସୁପୁତ୍ର ମୋହିନୀମୋହନ ସେନାପତି । ମାତା କୃଷ୍ଣା କୁମାରୀଙ୍କ ଗର୍ଭରୁ ଜାତ ହେଲେ ୧୮୮୧ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଢେଙ୍କାନାଳ ଗଡ଼ଜାତରେ । ବାଲ୍ୟକାଳ ବାଲେଶ୍ଵର ସହର । ତେର ପର୍ବ ବେଳେ ମାତୃ ବିୟୋଗ ହେତୁ ମାଁ ଛେଉଣ୍ଡ ହୋଇଥିଲେ ମୋହିନୀ। ବାପା ସେତେବେଳେ ଡୋମପଡ଼ା ଦେଵାନ । ତେଣୁ ବାପ ପୁଅ ଷ୍ଟିମର ଯୋଗେ ଚାଲି ଆସିଲେ କଟକ । ରେଭେନ୍ସା କଲିଜିଏଟ୍ ସ୍କୁଲ ହେଲା ମାଧ୍ୟମିକ ଓ ଏଣ୍ଟ୍ରାନସ ଶିକ୍ଷା ମନ୍ଦିର ତାଙ୍କ ପାଇଁ, ତା’ପରେ ରେଭେନ୍ସା କଲେଜରେ ଆଇ .ଏ . ଓ ବି .ଏ .ପାଶ୍ ୧୯୦୨ ସାଲରେ । ଏହା ପରେ ଏକଶତ ଟଙ୍କା ବେତନରେ ସବ୍ ଡେପୁଟି ଚାକିରୀ , ୧୯୧୧ ସାଲରେ ଏମ୍.ଏ. ପାଶ୍ ପରେ ରେଭେନ୍ସା କଲେଜରେ ଦର୍ଶନ ବିଭାଗ ଅଧ୍ୟାପକ ଏବଂ ସେଇଠୁ ୧୯୩୬ ସାଲରେ ଅବସର ଗ୍ରହଣ ।
ବ୍ୟାସକବି ଥିଲେ ସାହିତ୍ୟାନୁରାଗୀ ଏବଂ ଦୁଃସାହସୀ । ଉତ୍ତରାଧିକାର ସୂତ୍ରରେ ବାପାଙ୍କର ସାହିତ୍ୟାନୁରାଗ ଅଳ୍ପ ବହୁତେ ପାଇଥିବା ଏବଂ ଦୁଃସାହସ ସମ୍ପୂର୍ଣ୍ଣ ରୂପେ ପାଇଥିବା ମୋହିନୀ ମୋହନଙ୍କ ଦ୍ଵାରା ସ୍ଵୀକୃତ । ତେଣୁ ଚିରଜୀବନ ସମାଜ ସହ ସଂଗ୍ରାମ କରିବା ହୋଇଥିଲା ତାଙ୍କ ଧମନୀରେ ପ୍ରବାହିତ । ତେବେ ନିଜେ ମୋହିନୀମୋହନ ସେନାପତି ସ୍ଵୀକାର କରନ୍ତି ଯେ, “ପିତାଙ୍କ ସହିତ ଅନେକ ବିଷୟରେ ସାମ୍ୟ ଥିଲେ ମଧ୍ୟ ପାଠକମାନେ ନାନା ବିଷୟରେ ପ୍ରଭେଦ ଖୋଜି ପାଇବେ । ସେ ପରମ ଭକ୍ତ ଥିଲେ । ଈଶ୍ଵର, ପରକାଳ ଓ ଆତ୍ମା ବିଷୟରେ ତାଙ୍କର ଅଟଳ ବିଶ୍ଵାସ ଥିଲା । ପ୍ରତିଦିନ ସେ ନିୟମିତ ଭାବେ ଉପାସନା କରୁଥିଲେ । ଯେତେବେଳେ ତାଙ୍କର ମୃତ୍ୟୁ ଆସନ୍ନ ହୋଇ ଆସିଲା, ସେ ମୋତେ ଡାକି କହିଲେ ଯେ ସେ ମୋର ମାତାଙ୍କ ସହ ମିଳିତ ହେବାକୁ ଯାଉଛନ୍ତି ଏବଂ ମୋତେ ମୋର ମାତାଙ୍କ ସମାଧି ଠାରେ ପ୍ରଣାମ କରିବାକୁ ଆଦେଶ କଲେ । ସେତେବେଳେ ତାଙ୍କର ମନେ ପଡ଼ିଲା ଯେ ମୁଁ ନାସ୍ତିକ । ମୋତେ ପୁଣି କହିଲେ, “ତୁ ବର୍ତ୍ତମାନ ତୋର ବିଚାର ବୁଦ୍ଧି ତ୍ୟାଗ କରି ତୋର ପରଲୋକଗତ ମାତାଙ୍କର ଚରଣ ତଳେ ପ୍ରଣାମ କର ।”। (ବିବିଧ ପ୍ରବନ୍ଧ, ଅବତରଣିକା)
~ ମତବାଦ କୁମେରୁ ଓ ସୁମେରୁ ~
ମୋହିନୀମୋହନଙ୍କ ଉପରୋକ୍ତ ଉକ୍ତିରୁ ଅନୁମାନ କରିହୁଏ, ପିତା ଓ ପୁତ୍ରର ଧର୍ମ ସମ୍ବନ୍ଧୀୟ ମତବାଦ କୁମେରୁ ଓ ସୁମେରୁ ସଦୃଶ । ଫକୀରମୋହନ ଅତ୍ୟନ୍ତ ଧର୍ମପରାୟଣ ଥିବା ବେଳେ, ପୁତ୍ର ମୋହିନୀମୋହନ ସେନାପତି ଥିଲେ ହେତୁବାଦୀ । ଏବଟ୍ ଲିଖିତ ନେପୋଲିଅନ୍ ବୋନାପାର୍ଟଙ୍କ ଜୀବନୀ ଥିଲା ତାଙ୍କର ପ୍ରିୟସଙ୍ଗୀ । ଏହି ପୁସ୍ତକ ଦ୍ୱାରା ସେ ପ୍ରଭାବିତ ଆଦ୍ୟକାଳରୁ । ପରବର୍ତ୍ତୀ ସମୟରେ ବହୁ ଇଂରେଜୀ ସାହିତ୍ୟ, ଫରାସୀ ବିପ୍ଳବର ଗାଥା, ଭାରତୀୟ ଶାସ୍ତ୍ର ଏବଂ ଓଡ଼ିଆ ସାହିତ୍ୟର ବିଭିନ୍ନ ପୁସ୍ତକ ପଠନର ସ୍ପୃହା ତାଙ୍କୁ ଜଣେ ବିଦ୍ୱାନ ଭାବେ ପରିଚିତ କରାଇଥିଲା । ସେ ଥିଲେ ସ୍ଵାଧୀନଚେତା, ସାମ୍ୟ ମୈତ୍ରୀର ଉପାସକ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ଧାର୍ମିକ ଜଡ଼ତାର ବିରୋଧରେ ଅଗ୍ରଗାମୀ ବିପ୍ଳବୀ ଦାର୍ଶନିକ !
~ ଧର୍ମୀୟ ଭାବନା, ଦର୍ଶନର ବିରୋଧାଭାଷ ~
ଭକ୍ତକବି ମଧୁସୂଦନଙ୍କ ସଂସ୍ପର୍ଶରେ ଆସି ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ମୋହିନୀ ବାବୁ। ଉପାସନା ସମୟରେ ମଧୁସୂଦନଙ୍କ ଭାଷାର ଗାମ୍ଭୀର୍ଯ୍ୟ ଓ ମାଧୁରୀ କଟକ ସହରର ଶିକ୍ଷିତ ମଣ୍ଡଳୀଙ୍କୁ କରିଥିଲା ବହୁ ଭାବରେ ଆକର୍ଷିତ । ଈଶ୍ଵର ଓ ପରକାଳ ବିଶ୍ଵାସର ଦାର୍ଶନିକ ଭିତ୍ତି ଜାଣିବା ସକାଶେ, ଦର୍ଶନ ବିଦ୍ୟାରେ ବି.ଏ. ପଢି଼ଲେ ମୋହିନୀମୋହନ ସେନାପତି । ସେତେବେଳେ ବଙ୍ଗଳାର ବ୍ରାହ୍ମଧର୍ମୀ ସାହିତ୍ୟିକ ନଗେନ୍ଦ୍ରନାଥ ଚଟୋପାଧ୍ୟାୟଙ୍କ ‘ଧର୍ମ ଜିଜ୍ଞାସା’ ପୁସ୍ତକ ଓ ହିନ୍ଦୁ ଧର୍ମର ଜଣେ ପୃଷ୍ଠପୋଷକ ରାୟବାହାଦୂର ଯତୀନ୍ଦ୍ର ମୋହନ ସିଂହଙ୍କ ‘ସାକାର ଓ ନିରାକାର ତତ୍ତ୍ଵ ବିଚାର’ ପୁସ୍ତକଦ୍ଵୟ ସାକାର ଉପାସନାର ଯୁକ୍ତି ଯୁକ୍ତତା ଏବଂ ନିରାକାର ଉପାସନାର ଭ୍ରାନ୍ତି ପ୍ରତିପାଦନ କରିବାକୁ ବ୍ୟଗ୍ର । ଏହି ତର୍କବିତର୍କ ଦ୍ଵାରା ମୋହିନୀ ମୋହନଙ୍କ ଧର୍ମବିଶ୍ଵାସ ହେଲା ଶିଥିଳ । ତାଙ୍କର ବିଶ୍ବାସ ଥିଲା, ବ୍ରହ୍ମବାଦୀମାନେ ମିଛ କହନ୍ତି ନାହିଁ ଏବଂ ଯେତେବେଳେ ସେମାନେ ଈଶ୍ଵର ଦର୍ଶନ କରିଛନ୍ତି , ସେମାନେ ଜଣେ ଜଣେ କ୍ଷୁଦ୍ର ଈଶ୍ଵର ! କିନ୍ତୁ ତଥାକଥିତ ବ୍ରହ୍ମବାଦୀ ମାନଙ୍କ ଆଚରଣ ଦେଖି ସେ ହେଲେ କ୍ଷୁବ୍ଧ ଏବଂ ଧର୍ମର ଆବରଣ ଭେଦ କରି ଉପନୀତ ହେଲେ ନାସ୍ତିକତାରେ । ସମସ୍ତ ଧର୍ମୀୟ ଚେତନା ବିରୁଦ୍ଧରେ ବିଷୋଦଗାର କରି ତରୁଣ ମୋହିନୀ ମୋହନ ୧୯୦୪ ମସିହାରେ ଲେଖିଲେ ପ୍ରବନ୍ଧ ନାସ୍ତିକତାକୁ ସମର୍ଥନ କରି ଯାହା ଉତ୍କଳ ସାହିତ୍ୟରେ ପ୍ରକାଶିତ — ଓଡ଼ିଆ ସାହିତ୍ୟରେ #ନାସ୍ତିକତା ସପକ୍ଷରେ #ପ୍ରଥମ ଉପୋଦଘାତ !
~ ଅରୂପର ସ୍ଵରୂପ ? ~
୧୯୩୫ ମସିହା ଡିସେମ୍ବର ମାସ ଏକ ତାରିଖ । #ନବଯୁଗ #ସାହିତ୍ୟ #ସଂସଦର ଏକ ଆଲୋଚନା ଚକ୍ର କଟକରେ ଆୟୋଜିତ । ସଭାପତି ମୋହିନୀମୋହନ ସେନାପତି । ଅଭିଭାଷଣ ପ୍ରଦାନ କରିବାକୁ ଯାଇ କହିଲେ – “କେତେକ ଧାର୍ମିକ ଅଛନ୍ତି ଯେଉଁମାନେ କହନ୍ତି ଯେ ସେମାନେ ଭଗବାନଙ୍କୁ ଦେଖି ଅଛନ୍ତି । ଯାହାଙ୍କର ଅସ୍ତିତ୍ବ ନାହିଁ ଲୋକେ ତାହାଙ୍କୁ ଦେଖନ୍ତି କିପରି ? ପ୍ରାଚୀନ କାଳରେ ଆର୍ଯ୍ୟ ଋଷିମାନେ ଭଗବାନଙ୍କୁ ଦେଖିବା ପାଇଁ ସୋମରସ ପାନ କରୁଥିଲେ, ଆଜିକାଲି ମଧ୍ୟ ଅନେକ ସନ୍ୟାସୀ ସେହି ଉଦ୍ଦେଶ୍ୟରେ ଗଞ୍ଜା ସେବନ କରି ଥାଆନ୍ତି । ଯେ ପର୍ଯ୍ୟନ୍ତ ମସ୍ତିଷ୍କ ପ୍ରକୃତିସ୍ଥ ଥାଏ ସେ ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ସେ ଅଳୀକ ବସ୍ତୁ ଦର୍ଶନ କରି ପାରେ ନାହିଁ। ଏଥିପାଇଁ ଧାର୍ମିକ ମାନେ ପ୍ରକୃତିସ୍ଥ ନ ହୋଇ ଅପ୍ରକୃତିସ୍ଥ ହେବା ଅଧିକ ବାଞ୍ଛନୀୟ ମନେ କରନ୍ତି । ଧାର୍ମିକ ଓ ପାଗଳ ଏକ – ଶ୍ରେଣୀଭୁକ୍ତ । ସଭ୍ୟ ଯୁଗରେ ଧାର୍ମିକ ମାନେ ଗଞ୍ଜା ଓ ସୋମରସ ପରିତ୍ୟାଗ କରି ଅଛନ୍ତି ସତ୍ୟ, ସେମାନେ ବାତୁଳତାର ଅନ୍ୟ ଗୋଟିଏ ପନ୍ଥା ଅବଲମ୍ବନ କରନ୍ତି। ଯୋଗ ଦ୍ୱାରା ଆମ୍ଭେମାନେ କୌଣସି ଗୋଟିଏ ବିଷୟରେ ଅଧିକ କାଳ ମନଃସଂଯୋଗ କଲେ ତାହା ପ୍ରତ୍ୟକ୍ଷ – ଜ୍ଞାନ ବୋଲି ପ୍ରତୀତି ହୁଏ । ଏହି ଚିତ୍ତଭ୍ରାନ୍ତି (Hallucination) ଯୋଗର ଅବଶ୍ୟମ୍ଭାବୀ ଫଳ । ଏତଦ୍ଦାରା ଭଗବାନ, ମୃତଲୋକ ଏବଂ ନାନାରୂପ ଅଳୀକ ବସ୍ତୁ ପ୍ରତ୍ୟକ୍ଷୀଭୂତ ହୋଇଥାଏ । ଆଜିକାଲି ଭଗବାନଙ୍କୁ ଦର୍ଶନ କରିବାର ଏହା ଗୋଟିଏ ପ୍ରଶସ୍ତ ପନ୍ଥା । ଧାର୍ମିକ ମାନେ ଉପବାସ ପ୍ରଭୃତି ଯେତେ ପ୍ରକାର କୁଚ୍ଛ୍ର ସାଧନା କରି ଥାଆନ୍ତି ତଦ୍ଦ୍ଵାରା ମସ୍ତିଷ୍କ ଅବଶ ହୋଇଯାଏ । ସେ ଅବସ୍ଥାରେ ଅସତ୍ୟ ସତ୍ୟ ରୂପେ ପ୍ରତ୍ୟକ୍ଷୀଭୂତ ହୁଏ । ଅନେକ ବିଶ୍ୱାସ କରନ୍ତି ଯେ ଭଗବାନଙ୍କୁ ଦର୍ଶନ କଲେ ସ୍ଵର୍ଗପ୍ରାପ୍ତି ହୁଏ । ପ୍ରକୃତିସ୍ଥ ହେବା ପର୍ଯ୍ୟନ୍ତ ମାନବ ଭଗବାନଙ୍କୁ ଦର୍ଶନ କରେ ନାହିଁ । ସେଥିପାଇଁ ଅପ୍ରକୃତିସ୍ଥ ହେବା ଧାର୍ମିକ ମାନଙ୍କର ଇପ୍ସିତ ଅଟେ ।
ଆଉ ଗୋଟାଏ କାରଣରୁ ଧର୍ମ ପ୍ରତି ଲୋକମାନଙ୍କର ଆସକ୍ତି ଜାତ ହୋଇଥାଏ । ଧର୍ମ ମନ୍ଦିରରେ, ଗିର୍ଜା ଓ ମସଜିଦରେ ଆମ୍ଭେମାନେ ଆମ୍ଭମାନଙ୍କର ସଙ୍ଗୀମାନଙ୍କ ସହ ମିଳିତ ହେଉଁ । ସେଠାରେ ପୁଷ୍ପର ସୌରଭ ଓ ସଙ୍ଗୀତର ମଧୁର ଧ୍ଵନି ଉପଭୋଗ କରୁଁ । ଏହିସବୁ ଆନୁସଙ୍ଗିକ ବ୍ୟାପାର ଯୋଗୁଁ ଆମ୍ଭମାନଙ୍କର ଧର୍ମ ପ୍ରତି ଅନୁରାଗ ଜାତ ହୁଏ। ନାସ୍ତିକ-ସମାଜର ସୌଧ ଶିଖର ଯଦି ପୁରୀ ମନ୍ଦିର ପରି ଗଗନ ଭେଦ କରେ, ପ୍ରକୃତିର ବିରାଟ ଓ ରମ୍ୟ ଦୃଶ୍ୟ ସମ୍ମୁଖରେ ଯଦି ନାସ୍ତିକ-ସୌଧ ସ୍ଥାପିତ ହୁଏ, ଯଦି ପୁଷ୍ପ ଏବଂ ସୁଗନ୍ଧି ଦ୍ରବ୍ୟ ଦ୍ଵାରା ନାସ୍ତିକ-ଅଟ୍ଟାଳିକା ଆମୋଦିତ କରାହୁଏ ଏବଂ ସଙ୍ଗୀତ ଓ ବାଦ୍ୟର ମଧୁର ଧ୍ଵନି ଦ୍ଵାରା ନାସ୍ତିକ-ମନ୍ଦିର ଝଙ୍କୃତ ହୁଏ, ତେବେ ପୃଥିବୀର ଯାବତୀୟ ତୀର୍ଥ ଯାତ୍ରୀମାନେ ଆମ୍ଭମାନଙ୍କର ନାସ୍ତିକ ମନ୍ଦିରରେ ପଦାର୍ପଣ କରି କହିବେ – ନାସ୍ତିକ ଧର୍ମ କି ଉଦାର କି ମହତ ! ଧର୍ମର ମହତ୍ତ୍ଵ ଧର୍ମରେ ନାହିଁ, ତାହା ଆନୁସଙ୍ଗିକ ବ୍ୟାପାରରେ ବର୍ତ୍ତମାନ ଅଛି ।”
~ ଓଡ଼ିଶାର ଚାର୍ବାକ୍ ~
ମୋହିନୀ ମୋହନ ଜଡ଼ବାଦୀ । ଆତ୍ମଶୁଦ୍ଧିର ଶ୍ରେଷ୍ଫତ୍ଵ, ବୈଜ୍ଞାନିକ ଯୁକ୍ତିବାଦର ପ୍ରାଧାନ୍ୟ ଏବଂ ଏହାଦ୍ଵାରା ଜୀବନ ଓ ଜଗତର ସମସ୍ୟାବଳି ବିଚାର ଥିଲା ତାଙ୍କର ମନୋଧର୍ମ । ପାରମ୍ପାରିକ ବିଶ୍ୱାସ ଓ ଶାସ୍ତ୍ରନିଷ୍ଠା ପ୍ରଣୋଦିତ ହୋଇ ଯେ କୌଣସି ବିଷୟକୁ ଗତାନୁଗତିକ ଧାରାରେ ବିଚାର ଥିଲା ତାଙ୍କର ପ୍ରକୃତି ବିରୁଦ୍ଧ । ବହୁ ପାଶ୍ଚାତ୍ୟ ଦର୍ଶନ, ଆଲୋଚନା, ଜଡ଼ବାଦୀ ଲେଖକମାନଙ୍କ ଗ୍ରନ୍ଥରାଜି ଅଧ୍ୟୟନ ହେତୁ ଜଡ଼ବାଦ ସମ୍ପର୍କରେ ସେ ବହୁ ପ୍ରଭାବିତ । ତେଣୁ ମନୁଷ୍ୟ ଜୀବନରେ ନୀତି ଅପେକ୍ଷା ପ୍ରକୃତି ଉପରେ ଗୁରୁତ୍ବ ତାଙ୍କର ଅଧିକ । ଜର୍ମାନର ପ୍ରସିଦ୍ଧ ଜଡ଼ବାଦୀ ଦାର୍ଶନିକ ଫ୍ରେଡ଼ରିକ୍ ନିଟେଜଙ୍କ ଦର୍ଶନ ସହ ବେଶ୍ ପରିଚିତ ହେତୁ ଭୌତିକ ବିଶ୍ଵାସ ତାଙ୍କର ଦୃଢ଼ୀଭୂତ। ମୋହିନୀ ମୋହନଙ୍କ ଦୃଷ୍ଟିରେ ମନୁଷ୍ୟ ଜଡ଼ ପରମାଣୁର ସମାହାର, ମନୁଷ୍ୟ ମଧ୍ୟରେ ଆତ୍ମା ବା ଜଗତ୍ ମଧ୍ୟରେ ପରମାତ୍ମା ନାହିଁ । ନୀତିର ମାନଦଣ୍ଡ ଆପେକ୍ଷିକ । ତେଣୁ ସମାଜର ଧର୍ମବିଧାନ ଓ ଧର୍ମ ପ୍ରବୃତ୍ତି ଉଭୟର ପ୍ରତିକୂଳରେ ତାଙ୍କର ଯୁକ୍ତି ଉତ୍ଥାପିତ । ଧର୍ମ ଅଧ୍ରୁବ ଓ ଅନିଶ୍ଚିତ । ଜଡ଼ ବିଜ୍ଞାନ ବଳରେ ଶକ୍ତି ଆହରଣ କରି ଜୀବନ ସଂଗ୍ରାମରେ ଜୟୀ ହେବା ହିଁ ବର୍ତ୍ତମାନ ଯୁଗର ଆକାଙକ୍ଷା । ଓଡ଼ିଆ ସାହିତ୍ୟରେ ଏହି ବୈପ୍ଳବିକ ଚିନ୍ତାଧାରା ପାଇଁ ସେ ଅନେକଙ୍କ ଦ୍ଵାରା ସମାଲୋଚିତ ।
~ ‘ମତ’, ଉଷ୍ଣ ପରିବେଶର ସଞ୍ଚାରକ ~
ପରମ୍ପରା ବିରୁଦ୍ଧ ନିର୍ଭୀକ ମତ ପ୍ରକାଶ, ଜଡ଼ବାଦୀ ଦୃଷ୍ଟିର ସମର୍ଥନ ସେବେଳର ସମାଜ ବ୍ୟବସ୍ଥା ଉପରେ ତୀବ୍ର କୁଠାରାଘାତ ! ଫଳତଃ ମୋହିନୀ ମୋହନ ହେଲେ ଶରବ୍ୟ, ତାଙ୍କ ଲେଖାର ପ୍ରତିବାଦ ମାଧ୍ୟମରେ । ମୋହିନୀ ମୋହନଙ୍କ ଯୁକ୍ତି ବିବର୍ତ୍ତନବାଦୀଙ୍କ ଯୁକ୍ତି ସମର୍ଥନ ମୂଳକ । ସେବେଳର ବ୍ରହ୍ମବାଦୀ ସାହିତ୍ୟିକ ଆନନ୍ଦ ଚନ୍ଦ୍ର ଦତ୍ତ ବିରୋଧ କଲେ ମୋହିନୀ ମୋହନଙ୍କ ଚିନ୍ତାଧାରାକୁ। ତେଣୁ ମୋହିନୀ ମୋହନ ଉତ୍ତର ଦେଇ ଲେଖିଲେ ଉତ୍କଳ ସାହିତ୍ୟ ପତ୍ରିକାରେ । ପ୍ରତ୍ୟୁତ୍ତର ଦ୍ଵାରା ତାହା ହେଲା ଖଣ୍ଡିତ ଆନନ୍ଦ ଚନ୍ଦ୍ରଙ୍କ ଲେଖାରେ । ମସୀ ଚାଳନା ଆହୁରି ହେଲା ତୀବ୍ର ! ‘ଆତ୍ମ ସମର୍ଥନ’ ପ୍ରବନ୍ଧ ରଚନା କରି ଆନନ୍ଦ ଚନ୍ଦ୍ର ରଖିଲେ ମତାମତ। ଉଷ୍ମ ପରିବେଶ ସୃଷ୍ଟି ହେଲା ସାହିତ୍ୟିକ ଓ ପାଠକ ମହଲରେ । ମୋହିନୀ ମୋହନଙ୍କ ଯୁକ୍ତି, “ଧର୍ମ ଚାହେଁ ଶ୍ରେଷ୍ଠତମର ଜୟ, ପ୍ରକୃତି ଚାହେଁ ଯୋଗ୍ୟତମର ଜୟ, ଯୋଗ୍ୟତମ ଓ ଶ୍ରେଷ୍ଠତମ ସମାନ ନୁହନ୍ତି ।” ଏ ଯୁକ୍ତିର ଅସାରତା ପ୍ରମାଣ କରି ଧର୍ମର ମହିମାଗାନରେ ଆନନ୍ଦ ଚନ୍ଦ୍ରଙ୍କ ଯୁକ୍ତି, “ଯତୋ ଧର୍ମ ସ୍ତତୋ ଜୟ ।” ପୁଣି ମୋହିନୀ ମୋହନଙ୍କ ପ୍ରତ୍ୟୁତ୍ତର । ଏ ଧରଣର ଉତ୍ତର ଓ ପ୍ରତ୍ୟୁତ୍ତର ମଧ୍ୟରେ ନଥିଲା କିନ୍ତୁ ବ୍ୟକ୍ତିଗତ ଆକ୍ଷେପ ବା ସଙ୍କୀର୍ଣ୍ଣତା । ଏହା ଥିଲା ଦୁଇଟି ପରଷ୍ପର ବିରୋଧୀ ମତବାଦର ଯୁକ୍ତିନିଷ୍ଠ ତର୍ଜମା ଏବଂ ବ୍ୟବଛେଦ ! (ଆଲୋଚନା ହେବ ତ ଏମିତି !!)
~ ସାମାଜିକ ଚିନ୍ତା କ୍ଷେତ୍ରରେ ବିପ୍ଳବ ସଂଚାରକ ~
‘ପୁରୁଷମାନଙ୍କ ସୁଖ ସ୍ଵାଛନ୍ଦ୍ୟ ନିମନ୍ତେ ସ୍ତ୍ରୀର ଦାସୀତ୍ଵରୁ ବିବାହ ରୂପକ ଅଛେଦ୍ୟ ବନ୍ଧନର ଉତ୍ପତ୍ତି’ ହେଉଛି ଚିନ୍ତାନାୟକ, ସଂସ୍କାର ପ୍ରେମୀ ମୋହିନୀ ମୋହନଙ୍କ ଯୁକ୍ତି ଓ ମତ । ସେ ଲକ୍ଷ୍ୟ କରିଛନ୍ତି, ଚିରସ୍ଥାୟୀ ଏକ ବିବାହ ପଶ୍ଚାତରେ କୁସଂସ୍କାର ଓ ସାମାଜିକ ଅତ୍ୟାଚାରର ଭୀଷଣ ରୂପ ! ବିବାହ ବନ୍ଧନର ଦୃଢ଼ତା ଏକ ମୂଷାଧରା ଯନ୍ତ୍ର ତାଙ୍କ ଯୁକ୍ତି ଓ ମତରେ ! ତେବେ ଏସବୁ ପାଠକଙ୍କ ଦୃଷ୍ଟିରେ ବିସ୍ମୟକର ବିବେଚିତ ହୁଏ ! ନାରୀ ସ୍ବାଧିନତାର ପକ୍ଷପାତୀ ଲେଖକଙ୍କର ସମାଧାନ (ସୂତ୍ର) ସ୍ଵରୂପ “ସ୍ତ୍ରୀ ମାନଙ୍କର ସ୍ଵାଧୀନ ଜୀବିକା” ଉପରେ ଗୁରୁତ୍ଵାରୋପ । ନାରୀ ସମାଜ ପ୍ରତି ଅସୀମ ସହାନୁଭୂତି ନିହିତ ତାଙ୍କର କେତୋଟି ପ୍ରବନ୍ଧରେ । Atrocities of the Marriage Law (ବିବାହ ବିଧିର ନୃଶଂସତା) ଏକ ଉଚ୍ଚକୋଟୀର ଆଲୋଚନା, ବକ୍ତୃତା ଲେଖକଙ୍କର । ଏହା ସେତେବେଳର Statesman ଓ Amrita Bazar Patrika ରେ ପ୍ରକାଶିତ, ପରେ ଭାରତବର୍ଷର ଅନ୍ୟାନ୍ୟ ଖବରକାଗଜ ଓ ପତ୍ରିକାରେ ପ୍ରକାଶିତ । ଏହା ସୃଷ୍ଟି କରିଥିଲା ସମଗ୍ର ଦେଶରେ ଗୋଟିଏ ବିପ୍ଳବର ଗାଥା । ଭାରତୀୟ ଦର୍ଶନ, ସଂସ୍କୃତିର ତଥାକଥିତ ବଡ଼ପଣ୍ଡାମାନେ ଏହାକୁ ସମାଲୋଚନା କରିବା ସ୍ବାଭାବିକ ! କିନ୍ତୁ ଟଳି ନଥିଲେ ମୋହିନୀମୋହନ ସେନାପତି ।
ତାଙ୍କର କଳ୍ପିତ ପ୍ରଥା ଓ ଯୁକ୍ତିଖଣ୍ଡନ ପାଇଁ ପ୍ରତିପକ୍ଷ ମସୀଚାଳନା କରିପାରନ୍ତି, କିନ୍ତୁ ସେ ଥିଲେ ଦୃଢ଼ମନା । କୁସଂସ୍କାରମୁକ୍ତ ସ୍ରଷ୍ଟା ଚିତ୍ତର ବିପ୍ଳବବାଣୀ, ବାସ୍ତବ ସମସ୍ୟା ସଚେତନ ଦୃଷ୍ଟିଭଙ୍ଗୀ, ଯୁକ୍ତିରେ ଅଟଳ ବିଶ୍ଵାସ, ସ୍ଵାଧୀନ ଚିତ୍ତତାର ଚିହ୍ନ ତାଙ୍କ ରଚନାରେ ସୁସ୍ପଷ୍ଟ ।
“ଜୀବଜନ୍ତୁ ମାନଙ୍କର ଅଧିକାର” ପ୍ରବନ୍ଧ ଓ ଆଲୋଚନା ମାଧ୍ୟମରେ ସେ ଜୀବଜଗତର କଲ୍ୟାଣକାମୀ । ବୁଦ୍ଧଙ୍କ “ଜୀବେ ଦୟା” ନୀତି ଦ୍ଵାରା ସେ ପ୍ରଭାବିତ , ସେ ଦିଗକୁ ଆକୃଷ୍ଟ । ଏକ ଦିଗରେ ସମାଜରୁ ଈଶ୍ଵର ବିଶ୍ଵାସର ନିର୍ବାସନ ପକ୍ଷପାତୀ, ଅପର ଦିଗରେ ବିବାହ ପ୍ରକ୍ରିୟା, ଯୌନ ସ୍ଵାଧୀନତା ସମର୍ଥକ ! କିନ୍ତୁ ପ୍ରତ୍ୟେକ ରଚନା ପଛରେ ଅକାଟ୍ୟ ଯୁକ୍ତି ସହ ନିର୍ଭୀକ ଅଭିମତ ପ୍ରତିଷ୍ଠାର ଦୃଢ଼ ପ୍ରୟାସ !!
ମୋହିନୀମୋହନ ସେନାପତି ଯୁକ୍ତିବାଦୀ ଦାର୍ଶନିକ । ତାଙ୍କ ରଚନାର ବୈଶିଷ୍ଟ୍ୟ ହେଉଛି – “ସ୍ଵାଧୀନ ଅଭିମତ, ଯୁକ୍ତି ମୂଳକ ଆଲୋଚନା, ପ୍ରକାଶ ଭଙ୍ଗୀରେ ସ୍ଵଛତା, ବିପ୍ଳବାତ୍ମକ ଚିନ୍ତାଧାରା , ଗତାନୁଗତିକ ଠାରୁ ବହୁ ଦୂରରେ ।” ଶିଳ୍ପୀପ୍ରାଣର ଆନ୍ତରିକତା, ରଚନାର ପ୍ରବହମାନତା ପାଠକଙ୍କ ନିକଟରେ ଅଧିକ ମନୋମୁଗ୍ଧକର । ଲେଖକଙ୍କ ଚିତ୍ତ ମୁକ୍ତି ଓ ଚିନ୍ତାର ସ୍ଵାଧୀନତା ଓଡ଼ିଆ ମନନଶୀଳ ରଚନାରେ ଅସାଧାରଣ, ବିସ୍ମୟୋଦ୍ଦୀପକ !!
ଆଧାର: ଫକୀରମୋହନ ସେନାପତିଙ୍କ ଆତ୍ମଚରିତ; ମୋହିନୀ ମୋହନଙ୍କ ବିବିଧ ପ୍ରସଙ୍ଗ ପୁସ୍ତକ; ଡ. ଶ୍ରୀନିବାସ ମିଶ୍ରଙ୍କ ପ୍ରବନ୍ଧ ।