ସୌରଭିତ ସୃଷ୍ଟି: ପଲ୍ଲୀକବି ନନ୍ଦକିଶୋର ବଳ

          (୧)
ବିଧାତା ନିଗୁଢ଼-ନିଦେଶେ ଗ୍ରୀଷମ
ଯେଉଁ ଧରାଧାମ ଛାଡି଼;
ପ୍ରବଳ ବେଗରେ ଘୋର ବୃଷ୍ଟିକାଳ
ଆସିଲା ସଂସାରେ ମାଡ଼ି ।
ଭାବଇ ଦେଖିଣ ମହାପରିବର୍ତ୍ତ
ଅଚିରେ ଧରଣୀ ମୁଖ,
ଚିରକାଳ ସିନା ଏ ମର ଧାମରେ
ଲାଗିଛଇ ଦୁଃଖ ସୁଖ  ।
ଆଜିକାଲି କଥା ଅନ୍ତର ତ ପୁଣି
ମୁହୁର୍ତ୍ତେ ମୁହୁର୍ତ୍ତେ ଭେଦ ।
ନଶ୍ବର ବିଶ୍ବର ଏ ଅସ୍ଥିର ଭାବ
ମନେ ଦିଏ ଘୋର ଖେଦ ।
ସୁଦୂର ଅତୀତ ଚାରୁ ଛବିରାଜି
ଚିତ୍ତ-ପଟେ ଉଭାସଇ,
ସୁମଧୁର ବାଲ୍ୟଭାବ ଗୋଟି ଗୋଟି
ଆଜି ମନରେ ପଡ଼ଇ ।
ଆହାରେ ସେ ସୁଖ ଏ ଜୀବନେ ଆଉ
କାହିଁ ତ ମିଳିବ ନାହିଁ ।
ସେ ନିଷ୍ଠୁର କାଳ କି ଦୋଷେ ଅକାଳେ
ଦେଲୁ ସେ ସୁଖ ଛଡ଼ାଇ ।
ଅତି ଶୈଶବରେ ଜନନୀ ମୋହର
ଗଲେ ଚାଲି ଛାଡ଼ି ମୋତେ
ପ୍ରିୟ ଭଗ୍ନୀ ମୋର ସଂସାର ଗଢିକି
ଏଡି଼ ପାରନ୍ତେ କେମନ୍ତେ ?
ବରଷାକାଳରେ ଜନନୀ କୋଳରେ
ଶୋଇଥିଲି ମୁହିଁ ଯେବେ,
ଗମ୍ଭୀର ନିଶୀଥେ ଗୀତ ଶୁଭୁଥିଲା
ମନେ ପଡ଼େ ତାହା ଏବେ ।
“ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”
     
          (୨)
ମେଘ ବରଷିଲା ଟପର ଟପର
ଆଣ୍ଠୁଆଣି ହେଲା ପାଣି ।
ପାଣି ମଧ୍ୟେ କଲେ କଟର କଟର
ବେଙ୍ଗ ଓ ବେଙ୍ଗୁଲି ରାଣୀ ।
ନୂଆ ପାଣି ପାଇ ଦର୍ଦ୍ଦୁର-ଦମ୍ପତ୍ତି
ପାଇଲେ ବୈକୁଣ୍ଠ ସୁଖ,
ସର୍ପ ଗର୍ତ୍ତେ ଏବେ ଜଳ ପ୍ରବେଶିଣ
ଦେଲା ତାକୁ ଘୋର ଦୁଃଖ ।
“କାର ପୁଷମାସ କାର ସର୍ବନାଶ”
ସିନା ଏ ସଂସାର ଗତି;
କିବା ଖଳମତି ସର୍ପ ବୋଲି ଏହା
ଦୈବ ଦଣ୍ଡ ତାହା ପ୍ରତି !
ବିଧିର ବିପାକ ସହିଣ ଭୁଜଙ୍ଗ
ପଥେ ଘାଟେ ଛକି ରହେ ।
ସୁଯୋଗ ପାଇଲେ ନର ଶ୍ବାପଦର
ବିଷ କୋପେ ପ୍ରାଣ ଦହେ ।
ପାପର ଉଚିତ ଦଣ୍ଡ ପାଇ ଦୁଷ୍ଟ
ନ ଛାଡ଼େ ନିଜ ଦୁର୍ମତି ।
ପ୍ରବଳ ଗଞ୍ଜଣା ସହି ସେ ଦୁର୍ବଳେ
ଗଞ୍ଜେ ଏ ସଂସାରେ ଗଢ଼ି ।
ଚିନ୍ତାକରିବାକୁ ବରଷାର ନିଶା
ଘଟାଏ ଅପୂର୍ବ ଯୋଗ,
ଚିନ୍ତା କରୁ କରୁ ମନେ ପଡ଼ିଯାଏ
ବାଲ୍ୟକାଳ ସୁଖଭୋଗ !!
ଶ୍ରାବଣ ମାସରେ ସଙ୍ଗ  ଗହଳରେ
ଖେଳୁଥିଲେ ପିଲା ଯେବେ,
ମେଘ ପାଣି ଦେଖି ଗୀତ ଗାଇଥିଲେ
ମନେ ପଡେ଼ ତାହା ଏବେ ।
“ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”

       (୩)

କେତେ ହାତୀ, ଘୋଡ଼ା, ବୃଷ, ସାଜି ମେଘ
ଚାଲଇ ଆକାଶେ ଉଚ୍ଚେ
ଚକ୍ ଚକ୍ କରି ମାରଇ ବିଜୁଳି
ଦେଖୁ ଦେଖୂ କାହିଁ ଲୁଚେ ।
ଘଡ-ଘଡ ରଡି଼ ଦିଏ ଘଡ଼ଘଡି଼
କମ୍ପେ ପ୍ରାଣ ତାହା ଶୁଣି,
କେତେବେଳେ ଅବା ବୃକ୍ଷ ଜନ୍ତୁଟାଏ
ପୋଡ଼ି ଯାଉଥାଏ ପୁଣି ।
ବିତିତ୍ର ରହସ୍ୟ ଏ ଅଦ୍ଭୁତ ଦୃଶ୍ୟ
ଦର୍ଶନେ ହୁଅଇ ମନେ,
ହାତୀ, ଘୋଡ଼ା, ରାଣୀ ସହ ମେଘରାଜା
ବିଜେ ବିଜୟ ଗମନେ ?
ଦିଗବିଜୟୀ ବିଜିତ ଦେଶରେ
ପ୍ରକାଶେ ପ୍ରଭୁତା ଯେହ୍ନେ;
ନିଜ ବୀର୍ଯ୍ୟ ବଳ ଦେଖାଇ ହୁଏ କି
ନୂଆ ରାଜା ମେଘ ତେହ୍ନେ
ପାଣିପଥ ଠାରେ ପଳାସି ଯୁଦ୍ଧରେ
ଏଇକଥା ପରା ହେଲା ?
ଚଞ୍ଚଳ ଏ ମନ, ସୁଯୋଗ ପାଇଣ
କେତେ କଥା ଭାବିନେଲା !
ଚାହିଁଲା ବେଳକୁ ବରଷାର ନୀର
ଝରୁଅଛି ଝରଝର;
ସିରିସିରି ପୁଣି ପବନ ବହୁଛି
ଝୁଲୁଛି ବିଟପୀ-କର ।
ମେଘୁଆ ପାଗରେ ଜନନୀ
କାଖରେ କାଖ ହୋଇଥିଲି ଯେବେ
ମନ ଆନନ୍ଦରେ ଗୀତ ଗାଉଥିଲି
ମନେ ପଡ଼େ ତାହା ଏବେ !
ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”

       (୪)
ଟିକି ନୁଆବୋହୁ ପାଣି ଆଣୁ ଆଣୁ
ଗୋଡ଼ ଗଲା ତା’ର ଖସି
ଦେଲେ ବାଳବୃନ୍ଦ ମହା ଆନନ୍ଦରେ
କରତାଳି ହସି ହସି
ସହରୁଣୀଙ୍କର “ଜାମୁଡାଳି”ନାଚ
କେଳାର ହାବୁଡା଼ ଖେଳ,
ଭୋଦୁଅ ମାସର​ “ଜହ୍ନି ଫୁଲଗୀତ”
ଅଗିରା-ପୂର୍ଣ୍ଣିମା ମେଳ;
ତାଡ଼କା-ରାକ୍ଷସୀ ବିଶ୍ଵାମିତ୍ର ଋଷି,
ଭୀମ-ଯୁଧିଷ୍ଠୀର ସାଜ,
ବାଳୀ ହନୁମାନ, ସୁଗ୍ରୀବ, ଅଙ୍ଗଦ
ବେଶ ମନପଡେ଼ ଆଜ ।
“ସାଧବଘରରର ଝୁଅ କଥା” ଆଉ
“ରାଜାଘର ପୁଅ କଥା”,
“ଚକୁଳିଆ ପଣ୍ଡା କଥା” ସଙ୍ଗେ ପୁଣି
ଆନ ଆନ କେତେ “କଥା” ।
ସର୍ବଶେଷେ ‘ଭୂତ’ ଗଳ୍ପ ଶୁଣି ତହୁଁ
କାନ୍ଥେ ଦେଖି ନିଜ ଛାଇ;
ମହା ଆତଙ୍କରେ ଥରଇ ହୃଦୟ
ପିଣ୍ଡେ ପ୍ରାଣ ଥାଏ ନାହିଁ
ଗ୍ରାମ ଦାଣ୍ଡେ ଗ୍ରାମ ଚଉକିଆ ଡା଼କ
ଶୁଣି ସେ ଆତଙ୍କ ବଢ଼େ;
ଘୋର ଭୟ ସଙ୍ଗେ ଘୋର ନିଦ୍ରା ଆସେ
ନିମିଷରେ ଶୋଇପଡେ଼ ।
ଘନ ବରଷାରେ ସେ ଛାଇ ନିଦ୍ରାରେ
ପ୍ରାଣର ଜନନୀ ଯେବେ,
ପିଠି ଆଉଁସିଣ ଗୀତ ଗାଉଥିଲେ
ମନେ ପଡ଼େ ତାହା ଏବେ ।
“ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”
              

        ( ୫)

ମେଘ ବରଷଇ, ବିଜୁଳି ମାରଇ
ପବନ ବହଇ ଖରେ,
କିଶୋର ଯୌବନେ
ମୋ ପ୍ରାଣପ୍ରତିମା
ଛାଡି ଆସିଅଛି ଘରେ ।
ଭାବର ଆଦେଶେ ଏ ଦୂର ପ୍ରବାସେ
ମନେ ପଡେ ପ୍ରିୟ ଯାହା,
ତାହାରି ସଙ୍ଗରେ ଦର୍ଶନ ଦିଅଇ
ଅତୀତ ଜୀବନଛାୟା ।
ଆମ୍ବ ବଗିଚାରେ​ ଶିଆରି-ଲଟାରେ
ଯେବେ ଦୋଳି ଖେଳୁଥାଇ
ପର୍ବତ ଶିଖର ଲଟା ଚରି ମେଘ
ମହାବେଗେ ଆସେ ଧାଇଁ,
ଖେଳ ଭାଙ୍ଗି ପିଲା “ହରିବୋଲ” ଦେଇ
ଦଉଡ଼ି ଆସନ୍ତି ଘରେ;
ଅର୍ଦ୍ଧପଥେ ମେଘ
ଗୋଡା଼ଇ ଧରିଣ ଟପିଯାଏ ତାଙ୍କୁ ଖରେ ।
କେତେ ନଦ-ନଦୀ,
କେତେ ଗିରି ବନ,
କେତେ ଘର ଗ୍ରାମ ଡେଇଁ;
ଦେଶ ଦେଶାନ୍ତରେ ଯାଏ ଚାଲି ମେଘ
କେବଣ ଖବର ନେଇ ?
ଦେଖୁ ଦେଖୁ ମେଘ ଚଉଦିଗେ ଘୋଟେ
ଆଣ୍ଠୁଆଣି ହୁଏ ପାଣି,
ଗାଧୋଉ ଗାଧୋଉ “ସାଧବବୋହୁଙ୍କୁ”
ଭସାଇ ନିଅଇ ଟାଣି ।
ଜଳ ବୁଦ୍ ବୁଦ୍ କୁ ଅନାଇ ଅନାଇ
ଶାନ୍ତି ର ନିଳୟେ ଯେବେ
ବସି ଚତୁର୍ମାସ୍ୟା ଗୀତ ଶୁଣୁଥିଲି
ମନେ ପଡେ଼ ତାହା ଏବେ ।
“ମେଘ ବରଷିଲା ଟପର ଟପର
କେଶର ମାଇଲା ଗଜା”
“କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା”
               ———×———

ଉପସ୍ଥାପନା: ଶିଶିର ସାହୁ ମନୋଜ  

Spread the love
admin

Share
Published by
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago