ଲେଖା: ଦେଵ ତ୍ରିପାଠୀ
ମା’ ଶାରଳା ପୀଠ ! ଏ ପୀଠ ଓଡ଼ିଶା ମାଟିର ପ୍ରଥମ ତନ୍ତ୍ରପୀଠ । ଏ ପୀଠ ମଧ୍ୟ ଭାରତବର୍ଷର ପ୍ରଥମ ବାଗଦେବୀ ପୀଠ, ଏହାର ଅନୁକରଣରେ ଦେଶର ବିଭିନ୍ନ ସ୍ଥାନର ବାଗଦେବୀ ପୀଠ ପ୍ରତିଷ୍ଠା ହୋଇଥିଲା । ତେବେ ଏ ପୀଠରେ ଅଧିଷ୍ଠାତ୍ରୀ ଦେବୀଙ୍କ କୃପାଦୃଷ୍ଟିରୁ ଆମର ଭାଷାଟି ସମୃଦ୍ଧ, ସମୁନ୍ନତ, ପୂର୍ଣ୍ଣାଙ୍ଗ ଓ ଶାସ୍ତ୍ରୀୟ !
କୁହାଯାଏ, ବାଗଦେବୀ କାଶୀନଗରୀରେ ଧରାବତରଣ କରି ବଙ୍ଗଦେଶ ଦେଇ ଆସିଥିଲେ ଉତ୍କଳଭୂମିକୁ । ବଙ୍ଗଦେଶରେ ପାଦଦେଲା ବେଳକୁ ଦେବୀ କୋମଳମତି ଶିଶୁ, ଦରୋଟି ଓଠରେ ଉଚ୍ଚାରଣ ଶୁଦ୍ଧ ହୋଇପାରିଲା ନାହିଁ । ଅଥଚ ଓଡ଼ିଶା ମାଟିରେ ଚରଣସ୍ପର୍ଶ କଲାବେଳକୁ ଦେବୀ ପୂର୍ଣ୍ଣଯୌବନା ଷୋଡ଼ଶୀ । ତେଣୁ ସକଳ ବର୍ଣ୍ଣ ଶୁଦ୍ଧ ଭାବେ ଉଚ୍ଚାରିତ ହେଲା ତାଙ୍କ କଣ୍ଠରେ । ପରବର୍ତ୍ତୀ କାଳରେ ଦାକ୍ଷିଣାତ୍ୟରେ ଅବସ୍ଥାନ କାଳରେ ବୟସାଧିକ୍ୟ ଯୋଗୁଁ ଦେବୀଙ୍କ ସ୍ବର ଥିଲା କର୍କଶ ଓ ରୁକ୍ଷ !
କହିବା ବାହୁଲ୍ୟ, ଦେବୀଙ୍କ ଉଚ୍ଚାରଣକୁ ନେଇ ଆମ ଓଡ଼ିଆ ଭାଷାର ସ୍ଵରୁପ ! ସେଇ ବାଗଦେବୀ ଶାରଳାଙ୍କ ଅସୀମ କୂପାବଳରେ ଆମ ଭାଷା ଆଜି ପୂର୍ଣ୍ଣାଙ୍ଗ । ଯେତେ ବଡ଼ ସାହିତ୍ୟ ସାଧକ ହୁଅନ୍ତୁ ନା କାହିଁକି ଶାରଳାଙ୍କ କୃପା ନ ହେଲେ ଶବ୍ଦଟିଏ କଳ୍ପନା କରିବା ଅସମ୍ଭବ ହୋଇପଡେ ! ଆମ ମାଟିର ମହାକବି ଶାରଳା ଦାସ ତ ଦେବୀଙ୍କ କୃପାରୁ ରଚିଥିଲେ ଆମ ଭାଷାର ପ୍ରଥମ ଲୋକପ୍ରିୟ ମହାକାବ୍ୟ – ମହାଭାରତ !
ଇତିହାସ କହେ, ସପ୍ତମ/ଅଷ୍ଟମ ଶତାବ୍ଦୀର କଥା । ନୌବାଣିଜ୍ୟ ସମୃଦ୍ଧ ତତ୍କାଳୀନ ଧନିକ ସାଧବ ବା ଯକ୍ଷଗଣ ମହାନଦୀ ଓ ଚନ୍ଦ୍ରଭାଗା ନଦୀର ମଧ୍ୟସ୍ଥାନରେ ସ୍ଥାପନା କରିଥିଲେ ଯକ୍ଷପୁରା ନଗରୀ । ଓଡ଼ିଶାର ସିଦ୍ଧସାଧକ ଗଣ ଏଠାରେ ଶାରଳାଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ତେବେ ପ୍ରାଚୀନ ଉତ୍କଳ ଭୂଖଣ୍ଡରେ ଭୌମକର ଯୁଗରୁ ଶାରଳାଙ୍କ ଉପାସନା ଆରମ୍ଭ ହୋଇଥିଲା । ସର୍ବଭାରତୀୟ ସ୍ତରରେ ବୈଦିକ ଯୁଗରୁ ସରସ୍ବତୀଙ୍କ ଉପାସନାର ପରମ୍ପରା ଥିଲେ ମଧ୍ୟ କୌଣସି ସ୍ଥାନରେ ପୀଠ ନିର୍ମାଣ ହୋଇ ନ ଥିଲା ! ତନ୍ତ୍ର ସଂସ୍କୃତିର ବିକାଶରେ ପ୍ରଥମେ ଉତ୍କଳରେ ହିଁ ଶାରଳାଙ୍କ ମୂର୍ତ୍ତି ଓ ପୀଠ ନିର୍ମାଣ କରାଯାଇଥିଲା ।
ମା’ ଶାରଳା ପୀଠ ହିଁ ଦେଶର ପ୍ରଥମ ବାଗଦେବୀ ସାଧନାପୀଠ ! ଏଇ ପୀଠର ଅନୁକରଣରେ ପରବର୍ତ୍ତୀ ସମୟରେ ମଧ୍ୟପ୍ରଦେଶର ମହୀୟାର ଏବଂ ଅନ୍ୟ ସ୍ଥାନରେ ବାଗଦେବୀ ପୀଠମାନ ସ୍ଥାପନ ହୋଇଥିଲା ।
ତେବେ ଯକ୍ଷପୁରୀ କାଳକ୍ରମେ ଅପଭ୍ରଂଶ ହୋଇ ଜଙ୍ଗେରପୁର ଓ ଝଙ୍କଡ଼ ହୋଇଛି । ପୁନଃ ଏହା ଶାରୋଳ ନାମରେ ପରିଚିତ ମଧ୍ୟ ହୋଇଛି । ଏବେ ମଧ୍ୟ ନିକଟରେ ବଡ଼ଶାରୋଳ ଓ ସାନ ଶାରୋଳ ଗ୍ରାମ ଦୁଇଟି ବିଦ୍ୟମାନ । ବିଦେଶୀ ଶତ୍ରୁଙ୍କ ଆକ୍ରମଣରେ ଅତିଷ୍ଠ ହୋଇ ଭକ୍ତମାନେ ଦେବୀଙ୍କୁ ନୂତନ ପୀଠକୁ ସ୍ଥାନାନ୍ତରଣ କରିଥିଲେ । ପରମ୍ପରା ଗତ ଭାବେ ପର୍ବପର୍ବାଣୀରେ ମା’ଙ୍କ ବିଜେ ପ୍ରତିମା ମୂଳପୀଠ ଲୁଣ୍ଡା ଦେଉଳକୁ ବିଜେ କରିଥାନ୍ତି ଏବଂ ସେଇଠାରେ ହିଁ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ ।
ମା’ ଶାରଳା ଅଷ୍ଟଭୁଜା ମହିଷାମର୍ଦ୍ଦିନୀ ଦୁର୍ଗାମୂର୍ତ୍ତି । ଦକ୍ଷିଣହସ୍ତ ଚତୁଷ୍ଟୟରେ ବଜ୍ର, ଖଡ୍ଗ, ଶୂଳ ଓ ତୀର ଧାରଣ କରିଥିବା ବେଳେ ବାମହସ୍ତ ଚତୁଷ୍ଟୟରେ ଢାଲ, ଧନୁ, ଶଙ୍ଖ ଓ ଘଣ୍ଟ ଧାରଣ କରିଛନ୍ତି । ଦକ୍ଷିଣ ପାଦ ମହିଷାସୁରର ପୃଷ୍ଠଦେଶରେ ଥାପିଛନ୍ତି ଓ ବାମପାଦ ମହିଷାସୁରର ମୁଖକୁ ଚାପିଧରିଛନ୍ତି ଦେବୀ ! ପ୍ରତ୍ନତତ୍ତ୍ଵବିତମାନେ ବଜ୍ରଧାରିଣୀ ଦେବୀଙ୍କୁ ବୋୖଦ୍ଧ ବଜ୍ରଯାନୀ ଦେବୀ ବୋଲି କହିଥାନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶାରଳା ମନ୍ଦିରର ଉତ୍ତର ଦିଗକୁ ତେନ୍ତୁଳିପଦା ଗ୍ରାମରେ ବିଲଶାରଳା ନାମରେ ଖଡ୍ଗ, ଶୂଳ, ତୀର, ଚକ୍ର, ଧନୁ, ଢାଲ ଓ ପାଶ ଧାରୀ ଅନ୍ୟ ଏକ ଅଷ୍ଟଭୁଜା ଦୁର୍ଗାମୂର୍ତ୍ତି ପୂଜିତା । ସପ୍ତଶତୀ ଚଣ୍ଡୀ ପୁରାଣର ୩ୟ ଅଧ୍ୟାୟର ମହିଷାସୁର ବଧ ଆଖ୍ୟାୟିକା ସଦୃଶ ଏଇ ଦେବୀଙ୍କ ମହିଷାସୁର ମର୍ଦ୍ଦିନୀ ରୂପ । ତେଣୁ ଶାରଳା ମଧ୍ୟ ହିନ୍ଦୁ ତନ୍ତ୍ରଆରାଧ୍ୟା ଦେବୀ ।
ଲୋକକଥା କହେ, ତନ୍ତ୍ରାଚାର୍ଯ୍ୟ ପର୍ଶୁରାମ ଭୂଗର୍ଭରୁ ଦେବୀ ଶାରଳାଙ୍କୁ ଉଦ୍ଧାର କରି ପୂଜା କରିଥିଲେ । ଶାରଳା ମନ୍ଦିରରୁ ଅନତିଦୂରରେ ଗରାମ ଗ୍ରାମର ପର୍ଶୁରାମ ପୀଠରେ ଦୁଇଟି ବିଶାଳ ଦୁର୍ଗାମୂର୍ତ୍ତି ଭଗବତୀ ନାମରେ ପୂଜା ପାଆନ୍ତି । ଏଠାରେ ପର୍ଶୁରାମଙ୍କ ପିତା ଯମଦଗ୍ନି ଓ ମାତା ରେଣୁକା ମଧ୍ୟ ପୂଜିତ । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ଦେବୀ ଶାରଳା ପ୍ରଥମେ ବ୍ରାହ୍ମଣତନ୍ତ୍ରରୁ ପୂଜିତା । ତେବେ ଏଠାକାର ଭଗବତୀ ମନ୍ଦିର ସମ୍ମୁଖରେ ପଦ୍ମପାଣି ବୁଦ୍ଧ ଓ ଦକ୍ଷିଣ ପାର୍ଶ୍ଵରେ ଷଡ଼ଭୂଜା ତାରାଙ୍କ ମୂର୍ତ୍ତି ବିଦ୍ୟମାନ ଥିବାରୁ ବୌଦ୍ଧମାନେ କିଛି କାଳ ତନ୍ତ୍ରାରାଧ୍ୟା ଦେବୀଙ୍କୁ ପୂଜା କରୁଥିବା ଅନୁମେୟ । କତିପୟ ଗବେଷକ ଏଠାରେ ଅତୀତରେ ଏକ ବୌଦ୍ଧ ବିହାରର ଉପସ୍ଥିତି କଥା ଦାବି କରନ୍ତି ।
ବିଲ ଶାରଳାଙ୍କ ମନ୍ଦିରରେ ଅନ୍ୟତମ ହିନ୍ଦୁ ଦେବୀ ମନସା ମଧ୍ୟ ପୂଜିତା । କନକପୁର ଗ୍ରାମର ଅନତିଦୂରରେ ଅରଡଙ୍ଗ ଗ୍ରାମରେ, ହସ୍ତରେ ଖଡ୍ଗ, ନରମୁଣ୍ଡ, ଜପମାଳା, ବରମୁଦ୍ରା, ତ୍ରିଶୂଳ, ପାନପତ୍ର, ଢାଲ ଓ ଅଭୟମୁଦ୍ରାରେ ଧାରଣ କରିଥିବା ଶବାରୂଢ଼ା ଚାମୁଣ୍ଡା ଗ୍ରାମଦେବତୀ ରୂପେ ପୂଜିତା । ମଲ୍ଲିକାପୁର ଗ୍ରାମରେ ମଧ୍ୟ ଶବାରୂଢ଼ା ଚାମୁଣ୍ଡା ଦେବୀ ପୂଜିତା । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ, ସପ୍ତମ ଅଷ୍ଟମ ଶତାବ୍ଦୀରେ ଯେତେବେଳେ ଅଷ୍ଟଦୁର୍ଗା ଓ ଅଷ୍ଟଚଣ୍ଡୀ ଉପାସନାର ପ୍ରାବଲ୍ୟ ବୃଦ୍ଧି ପାଉଥିଲା ସେ ସମୟରେ ଝଙ୍କଡ଼ ପ୍ରଗଣାରେ ଅଷ୍ଟଦେବୀ ଉପାସନା ରୂପରେ ଶାରଳା, ଚାମୁଣ୍ଡା, ଭଗବତୀ, ତାରା, ମନସା ପ୍ରଭୃତି ଅଷ୍ଟଦୁର୍ଗାଙ୍କର ପୀଠ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ହିନ୍ଦୁପୀଠ ତଥା ସପ୍ତଶତୀ ଚଣ୍ଡୀ ପରମ୍ପରା ଅନ୍ତର୍ଭୁକ୍ତ ।
ପ୍ରାଚୀନ କାଳରୁ ଉତ୍କଳ ତଥା ବାହାରର କବି, ସାହିତ୍ୟସାଧକବୃନ୍ଦ ଆପଣା ବିଦ୍ୟାର ସିଦ୍ଧି ନିମନ୍ତେ ଶାରଳା ପୀଠରୁ ସାଧନା ଆରମ୍ଭ କରୁଥିଲେ । ଏ ପରମ୍ପରା ଆଜି ମଧ୍ୟ ପ୍ରବହମାନ ! ଉତ୍କଳର ସିଦ୍ଧସାଧକବୃନ୍ଦ ଏ ପବିତ୍ର ପୀଠରେ ବର୍ଣ୍ଣବିଦ୍ୟାରେ ସିଦ୍ଧିଲାଭ ପୂର୍ବକ ରଚିଥିଲେ ପ୍ରଥମ ଓଡ଼ିଆ ସାହିତ୍ୟ ଭାବେ ମର୍ଯ୍ୟାଦାବନ୍ତ ଚର୍ଯ୍ୟାଗୀତି ! ମାଟିର ମହାକବି ଶାରଳା ଦାସ ଦେବୀ ଶାରଳାଙ୍କ କୃପାରୁ ଓଡ଼ିଆ ମହାଭାରତ ରଚିଥିବା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ।
“ଶ୍ରୀଚଣ୍ଡୀ ସାରେଳା ଚରଣେ ଶରଣ ।
ଶୁଦ୍ରମୁନି ସାରଳା ଦାସକୁ କରିବୁ ଦେବୀ କାରଣ ।।
*** *** ***
ତୋହୋର ଆଗ୍ୟାଂୟେ କହିଲି ଶୁଦ୍ରମୁନି ମୋହର ନାମ ।
ୟେ କଥାକୁ ଅନ୍ତର ମୋତେ ନ କରାଅ ମତିଭ୍ରମ ।।”
ଶୁଦ୍ରମୁନିଙ୍କ ପରବର୍ତ୍ତୀ ଉତ୍କଳଭୂମିର ପ୍ରତ୍ୟେକ କବି ଦେବୀ ଶାରଳାଙ୍କୁ ସ୍ମରଣ କରି ଆପଣା ଆପଣା ସୃଷ୍ଟିର ଅୟମାରମ୍ଭ କରିଛନ୍ତି ।
ଆଧାର: ୧. ‘ଓଡ଼ିଶାର ତନ୍ତ୍ରଧାରା’, ଡ଼ଃ ଅନ୍ତର୍ଯ୍ୟାମୀ ମିଶ୍ର, ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର;
୨. ‘ଓଡ଼ିଆ ସାହିତ୍ୟର ଇତିହାସ’, ଡ଼ଃ ସୁରେନ୍ଦ୍ର କୁମାର ମହାରଣା, ଓଡ଼ିଶା ବୁକ୍ ଷ୍ଟୋର, କଟକ
ଚିତ୍ର: KNews Odisha, ଶ୍ରୀକ୍ଷେତ୍ର ଇତିହାସ, Maa Sarala Paribara, Debabrata Das