Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର
ମା’ ସର୍ବଦା ବନ୍ଦନୀୟ, ସ୍ନେହର ଅବତାର, ପରିବାରର ଶ୍ରେଷ୍ଠତମ ରୂପ, ସର୍ବଜନ ପ୍ରିୟ, ଶ୍ରଦ୍ଧାର ସାଗର, ପବିତ୍ର ! ମା’ ବିନୁଁ ଅନ୍ୟ ଗତି, ମୁକ୍ତି ନାହିଁ । ତେବେ ବିଶଦ ଅର୍ଥରେ ମାତୃଭୂମି ସମସ୍ତଙ୍କର ମା’। ଏହି କ୍ରମରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ରଚିତ ମାତୃଭୂମି କବିତା ! ଥରୁଟିଏ ଚିନ୍ତା କରିବା ସତରେ କ’ଣ ଆମେ ମା’କୁ ସମ୍ମାନ ଦେଇ ପାରିଛନ୍ତି ଓ ମାତୃଭୁମି ପ୍ରତି କର୍ତ୍ତବ୍ୟ କରୁଛନ୍ତି ? ଆମେ ନିଜେହିଁ ନିଜର ବିଚାରକ ! ଆସନ୍ତୁ ପ୍ରଣାମ ଜଣାଇବା ସମସ୍ତେ ଆମରି ମାତୃଭୂମି ଓଡ଼ିଶାକୁ ଏହି ସୁନ୍ଦର କବିତା ମାଧ୍ୟମରେ ଓ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା।
ବନ୍ଦେ କଳିଙ୍ଗ ମାତା ।।
** ମାତୃଭୂମି **
ଯେ କାଳେ ବାଳକ ବୁଲି ଯାଇପାରେ
ପଡୋଶୀ ମାନଙ୍କ ଘର,
ସେ କାଳେ ଜାଣଇ ଅନ୍ୟ ଘରସବୁ
ତା ସଙ୍ଗୀ ବାଳକଙ୍କର ।୧।
ପରେ ଯେତେବେଳେ ଆପଣା ପଡ଼ାରୁ
ଅନ୍ୟ ପଡ଼ା ବୁଲିଯାଏ,
ସେହି ସମୟରେ ପଡ଼ୋଶୀ ପଡ଼ାକୁ
ଆପଣାର ମଣିଥାଏ ।୨।
ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ
ଗ୍ରାମରୁ ହୋଇ ବାହାର,
ସେ କାଳେ ଜାଣଇ ନିଜ ଘର ଯହିଁ
ସେ ଗ୍ରାମେ ଅଟେ ତାହାର ।୩।
ଆପଣା ଗ୍ରାମର ନଦୀ ପୁଷ୍କରିଣୀ
ବଗିଚା ଆଦି ସକଳ,
ଆପଣାର ବୋଲି କହେ ପୁଣି ସେହି
ସବୁକୁ ମଣଇ ଭଲ ।୪।
ବଡ଼ ହୋଇ ଯେବେ କରି ଯାଇପାରେ
ଅନ୍ୟ ରାଜ୍ୟେ ବିଚରଣ,
ବଖାଣଇ ତହିଁ ନିଜ ରାଜା, ରାଜ୍ୟ-
ଲୋକଙ୍କର ଶ୍ରେଷ୍ଠ ପଣ ।୫।
ହାତୀ ଘୋଡ଼ା ଠାରୁ ଛେଳି ମେଣ୍ଢା ଯାଏ
ସବୁ ତା ରାଜ୍ୟର ଭଲ,
ସକଳ ସୁଖର ଆକର ତାହାରି
ରାଜ୍ୟଟି ଅଟେ କେବଳ ।୬।
ତହୁଁ ବଡ଼ ହୋଇ ଯାଇଥାଏ ଯେବେ
କେହି କେବେ ଦେଶାନ୍ତର,
ସ୍ଵର୍ଗରୁ ଅଧିକ ବୋଲି ବୁଝେ ତେବେ
ଯେଉଁ ଦେଶେ ତାର ଘର ।୭।
ଜ୍ଞାନ ବଳେ ଯେବେ ଜାଣେ ସମସ୍ତଙ୍କ
ଜନକ ଜଗତପତି,
ସହୋଦର ଜ୍ଞାନ କରେ ଅବନୀର
ମାନବ ସମାଜ ପ୍ରତି ।୮।
ତେବେ ସେ ଜାଣଇ ଯେ କରଇ ଯେତେ
ଲୋକଙ୍କର ଉପକାର,
ବିଶ୍ଵପତିଙ୍କର ବିଶ୍ଵଗୃହେ ଅଟେ
ସେ ତେବେ ଯୋଗ୍ୟ କୁମାର ।୯।
ଏହି ରୂପେ ଗ୍ରାମ୍ୟ କଥା, ରାଜ୍ୟ କଥା,
ଦେଶ କଥା, ବିଶ୍ଵ କଥା,
ମାନବ- ଜୀବନେ ପ୍ରତୀତ ହେବାର
ଦର୍ଶିତ ହୁଏ ସର୍ବଥା ।୧୦।
ମାତୃଭୂମି ମାତୃଭାଷାରେ ମମତା
ଯା ହୃଦେ ଜନମି ନାହିଁ ,
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ? I ୧୧ I