ଆମ କଥା

ମାଣ୍ଡ୍ କିନ୍ଦରା

ଉପସ୍ଥାପନା: ଶିଶିର ସାହୁ ମନୋଜ
~ ଦକ୍ଷିଣ ପଶ୍ଚିମ ଓଡ଼ିଶାର ମାଣ୍ଡ୍ କିନ୍ଦିରା ଓ ମାଣ୍ଡ୍ କୁଲେନ୍ ~
ଓଡ଼ିଆ ଲୋକଙ୍କର ବାହାଘର ରୀତିନୀତି ଅଞ୍ଚଳ ଭେଦରେ କିଛିମାତ୍ରାରେ ଭିନ୍ନ ଭିନ୍ନ ହୋଇଥାଏ । ଭତରା ଓଡ଼ିଆମାନଙ୍କର ଵିଵାହ ଉତ୍ସଵ ମଧ୍ୟରେ ଦରମ୍ ପାନି ରୀତିଟି ତହିଁର ଏକ ଉଦାହରଣ । ଭତରା ଵା ଭୋତାର୍‌ମାନେ ଅଵିଭକ୍ତ କୋରାପୁଟ ତଥା ଵିଚ୍ଛିନ୍ନାଞ୍ଚଳ ଵସ୍ତର ଜିଲ୍ଲାରେ ଵସଵାସ କରନ୍ତି ଓ ସେମାନଙ୍କର କଥିତ ଭାଷା ହେଉଛି ଭତ୍ରୀ ଓଡ଼ିଆ ଶୈଳୀ । ଭତରା ଵା ଭୋତାରମାନଙ୍କ ଵିଵାହ ସମୟରେ ଵ୍ୟଵହାର କରାଯାଉଥିଵା ଧରମ ପାଣି ଵା ପଵିତ୍ର ପାଣିକୁ ସେମାନେ ଦରମ୍ ପାନି କହିଥାନ୍ତି ।‌
ଝିଅକୁ ଗାଧୋଇ, ନୂଆ ହଳଦିଆ ଲୁଗା ପିନ୍ଧାଇ “କଟନି ଗୀତ” ଗାଇଗାଇ କନ୍ୟାର ମା’, ବରର ମା’ ଓ ଗାଁର ଅନ୍ୟ ସ୍ତ୍ରୀ ଲୋକମାନେ ନୂଆ ମାଠିଆରେ ଗାଁ ପାଖ ନଈ କିମ୍ବା ନାଳରୁ ବଡ଼ି ଭୋରରୁ ଯେଉଁ ପାଣି ସଂଗ୍ରହ କରିଆସନ୍ତି ତାକୁ ଦରମ୍ ପାନି କୁହାଯାଏ ।
ଏହି ପାଣି, ଵିଵାହ ବେଦୀରେ ଗୋଟିଏ ନୂଆ ଶିକାରେ ଓହଳାଇ ରଖାଯାଏ ଏବଂ ଵିଵାହ କାର୍ଯ୍ୟର ଏକ ପର୍ଯ୍ୟାୟ, ପୁଅ ଝିଅଙ୍କ ଲଗ୍ନ ଗଣ୍ଠି ପଡ଼ିଲା ପରେ ବେଦୀରେ ପୋତା ଯାଇଥିଵା ମହୁଲଡାଳ ଚାରିପଟେ ସାତଥର ପରିକ୍ରମା କରିଵା ପରେ ବରକନ୍ୟାକୁ ବେଦୀରେ ବସାଇ ପୂର୍ବରୁ ଶିକାରେ ଓହଳାଯାଇ ରଖାଯାଇଥିବା ଦରମ୍ ପାନିକୁ ଉଭୟଙ୍କ ଉପରେ ଇଡ଼ି ଦିଆଯାଏ ଏବଂ ଲଗିନ୍ କାରିଆ କନ୍ୟାର କାଣି ଆଙ୍ଗୁଠିକୁ ବରହାତରେ ଧରାଇ ଦିଅନ୍ତି । ମହୁଲଡାଳ ପଵିତ୍ର ଓ ଶୁଭଫଳଦାୟୀ ବୋଲି ଭତରା ଓଡ଼ିଆମାନଙ୍କ ମଧ୍ୟରେ ଲୋକ ଵିଶ୍ଵାସ ପ୍ରଚଳିତ । ସେଥିପାଇଁ ଏହାର ଵ୍ୟଵହାର ସେମାନେ ଵିଵାହ ଆଦି ମଙ୍ଗଳ ଉତ୍ସଵରେ ମଧ୍ୟ କରିଥାନ୍ତି । ସେହିପରି ବେଦୀରେ ପୋତାଯାଇଥିଵା ମହୁଲଡାଳ ଚାରିପଟେ ବରକନ୍ୟା ସାତଥର ପ୍ରଦକ୍ଷିଣ କରିଵାକୁ ଭତରାମାନେ ‘ମାଣ୍ଡ୍ କିନ୍ଦରା’ ବୋଲି କହିଥାନ୍ତି ।
ମାଣ୍ଡ୍ ଵା ମାଣ୍ଡର ଅର୍ଥ ମଣ୍ଡପ ଏଵଂ କିନ୍ଦରା ଅର୍ଥ ବୁଲିଵା, ପ୍ରଦକ୍ଷିଣା କରିଵା (କିନ୍ଦିରିଵା ଶବ୍ଦ କେନ୍ଦ୍ର ଶବ୍ଦ ସହିତ ସମୋଦ୍ଧୃତ) । ଵିଵାହ ବେଦୀକୁ ଅଵିଭକ୍ତ କୋରାପୁଟରେ ମାଣ୍ଡ୍ କୁହାଯାଏ ।‌ ଏହା ତତ୍ସମ ମଣ୍ଡପ ସହିତ ସମୋଦ୍ଧୃତ ହୋଇଥାଇପାରେ । ତେବେ ମନଡ୍ ଶବ୍ଦର ଅର୍ଥ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ଗଣ୍ଠି ତେଣୁ କେହି କେହି କୁହନ୍ତି ମନଡ୍ ଵା ଗଣ୍ଠି ପଡି଼ଲାପରେ କନ୍ଦିରା ଯାଉଥିଵାରୁ ଏହାକୁ ମାଣ୍ଡ୍ କିନ୍ଦରା କୁହାଯାଏ ।
ଭୋତାରମାନଙ୍କର ଵିଵାହ ଲଗ୍ନ ପରେ ଵର-ଵଧୂ ଆଗପଛ ହୋଇ ବେଦୀ ମଝିରେ ପୋତା ଯାଇଥିଵା ମହୁଲ ଡାଳ ଚାରିପଟେ ସାତଥର ବୁଲିବାର ପ୍ରକ୍ରିୟାକୁ ‘ମାଣ୍ଡକିଞ୍ଜୁର’ ବା ମାଣ୍ଡ୍ କିନ୍ଦରା (କିନ୍ଦରା = ଘୁରିଵା) କୁହାଯାଏ । ଏହା ଏକ ସନାତନୀ ପ୍ରଥା ହୋଇଥିଵାରୁ ଭୋତାର ଭଳି ଓଡ଼ିଆ ଜାତି ଛଡ଼ା ଅନ୍ୟାନ୍ୟ ଜନଜାତୀୟ ସଂପ୍ରଦାୟରେ ମଧ୍ୟ ଦେଖାଯାଏ ।
ଏହି ମାଣ୍ଡ୍ କିନ୍ଦରା ବେଳେ ଏଠାକାର ସ୍ଥାନୀୟ ମହିଳାମାନେ ଯୋଉ ଗୀତ ବୋଲନ୍ତି ତାକୁ ମାଣ୍ଡ୍ କିନ୍ଦରା ଗୀତ କୁହନ୍ତି ।
“ଆଟିର ଟିରଟାର ବାଟିର ଭଅଁରା
ଧୋତ୍‌ରା ନେଇ କେନେ ଗାଲା ।
ଆତେ ଦରିକରି ଫୁଲର ବିଚନା
ଭଅଁର ବୁଲକେ ଗାଲା ।।”
ଅଵିଭକ୍ତ କୋରାପୁଟ ଅଞ୍ଚଳରେ ମାଣ୍ଡ୍ କୁଲେନ୍ ବୋଲି ଏକ ପର୍ଵ ମଧ୍ୟ ଅନୁଷ୍ଠିତ ହୋଇଥାଏ । ତେବେ ଏହା ଚୈତ୍ର ମାସରେ ପାଳିତ ଦୁରୁଆମାନଙ୍କର ଏକ ସାମୂହିକ ପର୍ଵ । ଏହାକୁ ପୁଅ ଝିଅଙ୍କ ମଧ୍ୟରେ ଦେଖା ସାକ୍ଷାତ୍, ମିଳନ ଓ ଵିଵାହ ପ୍ରସ୍ତୁତିର ପର୍ଵ ଭାବେ ଅଭିହିତ କରାଯାଇପାରେ । ଦୁରୁଆମାନଙ୍କ ମଧ୍ୟରେ ସ୍ଵଗୋତ୍ରୀୟ ଵିଵାହ ହୁଏ ନାହିଁ । ସେମିତି ଆଵଶ୍ୟକ ହେଲେ ସଗୋତ୍ରୀୟ ପୁଅଟିକୁ ଅନ୍ୟ ଏକ ଗୋତ୍ରର କେହି ଲୋକ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ଵିଵାହ କାର୍ଯ୍ୟ ସମ୍ପନ୍ନ କରାଇଥାନ୍ତି । ପୁଅ ଓ ଝିଅ ନିଜ ରାଜିରେ ନିଜ ଜୀବନସାଥୀ ବାଛିଥାଆନ୍ତି । ଚୈତ୍ର ମାସରେ ଅନୁଷ୍ଠିତ ମାଣ୍ଡ୍ କୁଲେନ୍‌ ଵାର୍ଷିକ ଉତ୍ସଵରେ ପୁଅ ଝିଅ ପରସ୍ପରକୁ ଇଲେସିଲ୍ (ଧାଙ୍ଗଡ଼ିବସା) ଓ ଇଲେନ୍‌କୁଲା (ଧାଙ୍ଗଡ଼ା ବସା)ଠାରେ ମିଶିଥାନ୍ତି । ତହିଁ ପରଵର୍ଷ ସାମାଜିକ ସ୍ବୀକୃତି କ୍ରମେ ସେମାନେ ଵିଵାହ କରିଥାଆନ୍ତି ।
ତଥ୍ୟ: ଦେଶିଆ ଜ୍ଞାନକୋଷ
(ସଂକଳକ: ଡ. ରାଜେନ୍ଦ୍ର ପାଢ଼ୀ ଓ ଶ୍ରୀ ଵିଜୟ ଉପାଧ୍ୟାୟ)
© ଶିଶିର ସାହୁ ମନୋଜ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago