ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ
ମାଗୁଣିର ଶଗଡ଼ ପରି ସଦାକାଳ ପରିତ୍ୟକ୍ତ ସେମାନଙ୍କ ଜୀବନ । ଯେଉଁଠି ସକାଳ ଆରମ୍ଭ ହୁଏ ସଂଘର୍ଷ, ସଂଘାତ ଓ ଶେଷ ହୁଏ ସମ୍ଭାବନାହୀନ ସୂର୍ଯ୍ୟାସ୍ତରେ । ସରକାର ଆସେ, ପୁଣି ବଦଳିଯାଏ । ଯୋଜନା ବି ଆସେ, ଯାଏ । ଫମ୍ପା ପ୍ରତିଶ୍ରୁତି ଆଉ ମୂଲ୍ୟହୀନ ଯୋଜନାର ବୈତରଣୀ ଭସାଇ ନିଏ ସେମାନଙ୍କ ତେଲଲୁଣର ସଉଦା । ଲହୁଲୁହାଣର ଜୀବନ, କେବେ ଖରା, ବର୍ଷା ପବନରେ ସ୍ବପ୍ନମୟ ତ କେବେ ସ୍ବପ୍ନହୀନ । ସେମାନେ ସୂର୍ଯ୍ୟାଲୋକର ସନ୍ଧାନରେ କେତେ ବା ଯାଆନ୍ତି ? ସେମାନଙ୍କ ପାଇଁ ପୁନଶ୍ଚ ଜୀବନ ହୋଇଯାଏ ଏକ ବୋଝ, ସେମାନେ ହୋଇଯା’ନ୍ତି କ୍ଲାନ୍ତ ।
ତଥାପି ସେମାନେ ଜୀଅନ୍ତି, ସମୟର ସୁଅକୁ କାଟି କାଟି . . , ଚାଲିଥାନ୍ତି, ଅସରନ୍ତି ରାସ୍ତାରେ, ସମୟ ହାର ମାନିଯାଏ ସେମାନଙ୍କ ପାଖରେ, ସେମାନେ କିନ୍ତୁ ଚାଲିଥାନ୍ତି ଅବିରତ, ସମାଜର ବଡ଼ପଣ୍ଡା ମାନଙ୍କ ଉପହାସ, ଘୃଣାଭରା ଭାବକୁ ପଛରେ ପକାଇ, ଜୀବନ ଆଦର୍ଶର ଫମ୍ପା ଆବାଜକୁ କର୍ଣ୍ଣପାତ ନ କରି ।
ଆଜିର ସମାଜରେ ଆମ ଜନଜୀବନରୁ ଜଣେ ସାଧାରଣ ରିକ୍ସାବାଲାର ନିତ୍ୟନୈମିତ୍ତିକ ରିକ୍ସା ଟାଣିବାର ଦୃଶ୍ୟ ସାଧାରଣ ହେଲେ ହେଁ ଅନେକ ପ୍ରଶ୍ନର ପ୍ରହେଳିକା ।
(ନିମ୍ନରେ ପ୍ରଦତ୍ତ ଚିତ୍ରଟି ପୁରାତନ କଟକ ନଗରୀର । Courtesy: Social Media)