ଲେଖା: ଦେଵ ତ୍ରିପାଠୀ

ଉତ୍ତୁଙ୍ଗ, ମହାନ, ବିରାଟ, ପୁରାଣ,
ମହିମା ଯାହାର ଘୋଷଇ ପୁରାଣ ।
ଦେବାତ୍ମା, ଭୀଷଣବପୁ,ଅଭ୍ରଂକଶ,
ଯାଦଃପତି ଯାର ଯୋଗ୍ୟ ଆଦରଶ ।
+ + + + + + + + +
ସମଗ୍ର ଉତ୍କଳ – ଶୋଭା – ତିଳୋତ୍ତମା,
ଛବିଳ ଉତ୍କଳେ ଏ ଛବିଳତମା ।
(ମହେନ୍ଦ୍ରଗିରି/କବିବର ରାଧାନାଥ ରାୟ)

ଦକ୍ଷିଣ ଓଡ଼ିଶାର ମହିମାମଣ୍ଡିତ ନଗରୀ ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କ୍ଷେତ୍ର ପାରଳାଖେମୁଣ୍ଡିଠାରୁ ୪୦କି.ମି. ବ୍ୟାପୀ ପକ୍କା ପିଚୁ ସଡ଼କ ଲମ୍ବି ଯାଇଛି ମହେନ୍ଦ୍ରଗିରି ପର୍ଯ୍ୟନ୍ତ । ମହେନ୍ଦ୍ରଗିରି ପର୍ବତର ସ୍ଥିତପ୍ରଜ୍ଞ ଉପସ୍ଥିତି ଓ ମହେନ୍ଦ୍ରତନୟାର କୁଳୁ କୁଳୁ ସଙ୍ଗୀତ ପ୍ରାକୃତିକ ପରିବେଶକୁ କରିଛି ପ୍ରାଣବନ୍ତ । ନିକଟର କଇଁପୁର ଗ୍ରାମ ମନେହୁଏ ଆହୁରି ଜୀବନ୍ତ, ପ୍ରାକୃତିକ । ମହେନ୍ଦ୍ରଗିରି ର ଅପୂର୍ବ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରସିଦ୍ଧ ଶୈବପୀଠ ଭକ୍ତ ଓ ପର୍ଯ୍ୟଟକଙ୍କୁ ହାତଠାରି ଡାକିଥାଏ ।


‘କଶ୍ଚିତ କାନ୍ତା ବିରହ ବିଗୁଣା, ସ୍ବାଧୀକାର ପ୍ରମତଃ…’ଦେବ ଅଭିଶାପରେ  ବିରହୀ ଯକ୍ଷ, ମହେନ୍ଦ୍ରଗିରି ଚୂଡ଼ା ଛୁଇଁ ଭାସି ଯାଉଥିବା ମେଘଖଣ୍ଡକୁ ଦୂତ କରି ନିଜ ପତ୍ନୀ ପାଖକୁ ବାର୍ତା ପଠାଉଛନ୍ତି । ଏଇମିତି କିଛି ବର୍ଣ୍ଣନା ଅଛି ମହାକବି କଳିଦାସଙ୍କ ‘ମେଘଦୂତମ’ କାବ୍ୟରେ। ତାକୁ ହିଁ ପୁଣି ଆଧାର କରି ‘ନେଇ ଯା’ରେ ମେଘ ମୋତେ..’ ଓଡ଼ିଆ ଗୀତ। ଅପରୂପ ପ୍ରାକୃତିକ ସୁଷମା ବିମଣ୍ଡିତ ମହେନ୍ଦ୍ରଗିରି।

ପୁରାଣ ଉପାଖ୍ୟାନ ଦୃଷ୍ଟିରୁ ମହେନ୍ଦ୍ରଗିରି ଏକାଧାରରେ ଶୈବକ୍ଷେତ୍ର, ଶାକ୍ତପୀଠବୈଷ୍ଣବପୀଠ । ରାମାୟଣ ଓ ମହାଭାରତରେ ଏହାର ବର୍ଣ୍ଣନା ରହିଛି । ମହାରାଜା ରଘୁଙ୍କ ଦ୍ୱାରା ମହେନ୍ଦ୍ରଗିରିରେ ସ୍ଥାପିତ ଦୁର୍ଗରେ ଏକଦା ଶ୍ରୀରାମଚନ୍ଦ୍ରଙ୍କ ପାଦ ପଡ଼ିଥିଲା । ତ୍ରେତୟା ଯୁଗରୁ ମହାବୀର ପର୍ଶୁରାମ ମହେନ୍ଦ୍ରଗିରିରେ ଚିରଞ୍ଜିବୀ ହୋଇ ବାସ କରିଆସୁଛନ୍ତି ବୋଲି ଅନୁଭବ ହୁଏ ଶିଖରରେ ସୁଉଚ୍ଚ ପର୍ଶୁରାମଙ୍କ ମୂର୍ତ୍ତିକୁ ଦେଖି । ଏ କ୍ଷେତ୍ର ପର୍ଶୁରାମଙ୍କ କ୍ଷେତ୍ର । ମନ୍ଦିରବିହୀନ ଖୋଲା ଆକାଶ ତଳେ ପର୍ଶୁରାମଙ୍କୁ ଗୁରୁ ମାନ୍ୟତାପୂର୍ବକ ପୂଜା କରାଯାଏ ।

ଏଠାରେ ଥିବା “ହନୁମାନ ଖୋଲ” ମଧ୍ୟ ରାମାୟଣ ସହ ଜଡ଼ିତ । ହନୁମାନ ଲଙ୍କା ନଗରୀରେ ରାବଣକୁ ଅପମାନିତ କରି ଫେରିବା ବାଟରେ ଏଠାରେ କିଛିକାଳ ଅବସ୍ଥାନ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି ।

ପୁରାଣବର୍ଣ୍ଣିତ ମହେନ୍ଦ୍ରଗିରି ପର୍ଶୁରାମ, ହନୁମାନ, ଇନ୍ଦ୍ର, କାର୍ତ୍ତିକଙ୍କର ଶିବ ଉପାସନାର ପୀଠ ଭାବେ ଖ୍ୟାତି ଅର୍ଜନ କରିଥିଲା । ପଞ୍ଚୁପାଣ୍ଡବଙ୍କ ଅଜ୍ଞାତବାସ ଓ ପ୍ରଭୁ ରାମଚନ୍ଦ୍ରଙ୍କ ଚଉଦବର୍ଷର ବନବାସ ସମୟରେ ଏଠାରେ କିଛିକାଳ ଅବସ୍ଥାନ କରିଥିବା ବିଷୟରେ ଶାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି । ଏଠାରେ ରହିଛି ଯୁଧିଷ୍ଠିର ମନ୍ଦିର, ଭୀମ ମନ୍ଦିର, କୁନ୍ତୀ ମନ୍ଦିର ନାମରେ କେତେକ ଅକ୍ଷତ ମନ୍ଦିର ଓ ଶିବଲିଙ୍ଗ । ଏହି ମନ୍ଦିରମାନ କାରୁକାର୍ଯ୍ୟ ଓ ଗଠନଶୈଳୀ ଦୃଷ୍ଟିରୁ ଗୁପ୍ତଯୁଗର କୀର୍ତ୍ତି ଭାବେ ପ୍ରତୀୟମାନ ମାତ୍ର ଆଜି ନିର୍ବିକାର ଭାବରେ ଉଭା କେତେକ ଐତିହାସିକ ସ୍ମାରକୀ କେବଳ ।

Spread the love
admin

View Comments

  • ଅତୁଳନୀୟ ଶୋଭାର ଭୁବନ , ମହୀମଣ୍ଡଳେ ।

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago