ଲେଖା: ନିରଞ୍ଜନ ସାହୁ
~ ମହିମା ମେଳା ~
ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର କଥା। ଭାରି ସୁକୁମାରିଆ ପିଲାଦିନ ସେତେବେଳେ। ଗାଁ ମାନଙ୍କର ପରିବେଶ ଆଉ ଏବର ଦିନ ଭିତରେ ଯେମିତି ଯୋଜନ ବ୍ୟାପୀ ଫରକ । ସେ ସମୟର କଥା କେତେ ସୁନ୍ଦର ଥିଲା ସତେ ! ସେହି ସ୍ମୃତିରୁ କେତୋଟି ଖିଅ ମନରେ ଆସିଲେ ପୁଲକ ଭରିଯାଏ । ପରବ ପର୍ବାଣୀ ଯେମିତି ନିତିଦିନିଆ, ଯେଉଁଥିରେ କେବଳ ଜୀବନ ଭରି ରହିଥିଲା । ଏମିତି ଆଜି ମାଘ ପୁନେଇଁ ବେଳକୁ ସ୍ମୁତିରେ ଭାସି ଭାସି ଆସୁଥିଲା ଅତୀତର ସେମିତି କିଛି କଥା, ଯାହା ମୋତେ ଝିଙ୍କି ଆଣିଲା ସେମିତି ଗୋଟିଏ ଜାଗାକୁ, ଯେଉଁଠି ଅତୀତକୁ ଉପଭୋଗ କରିବାକୁ ଆଉ କିଛି ଖୋରାକ ମିଳିଗଲା !
ଅତୀତର ସେଇ କଥାଟି । ମୋ ଗାଁ । ଆଖପାଖରେ ବେଶ୍ ନାଁ କରା । ବଡ଼ ଗାଁ ଟିଏ । ପାଞ୍ଚ ଶହ ସରିକି ପରିବାର, ଆଉ ଦଶଟି ସାଇ । ପରବ ଦିନରେ ଗାଁ ଏକ ହୋଇଯିବା ଥୟ । ଆମ ପିଲାଦିନର କେତେ କଥା । ଗାଁ ମୁଣ୍ଡରେ ଠାକୁରାଣୀ ପାଖରେ ଜନ୍ତାଳ, ଦଶରା ବେଳକୁ ସୁସଜ୍ଜିତ ହୋଇ ପନ୍ଦର କୋଡ଼ିଏ ବଳଦ ବୁଲିବା, ତା ସାଙ୍ଗକୁ କାଳିସୀ, ଘୁମୁରା ନାଚ ଇତ୍ୟାଦି । ଏ ସବୁଥିରେ କିନ୍ତୁ ନିଆରା ଥିଲା ବରଷରେ ଥରୁଟିଏ ମହିମା ସନ୍ୟାସୀ ମାନଙ୍କ ଆସିବା, ଭିକ୍ଷା କରିବା, ଯାଗ କରିବା । ଯାହା ତିନିଦିନ ଧରି ଚାଲୁଥିଲା । ଫି ବରଷ ଏମିତି ହୁଏ, ହରିଜନ ଠୁଁ ଆରମ୍ଭ କରି ସବର୍ଣ୍ଣ ମାନେ ଏକ ହୋଇଯାଆନ୍ତି। ପ୍ରାୟ କାର୍ତ୍ତିକ ମାସ ମଝି ବେଳକୁ ଏମିତି ଗୋଟେ ବଡ଼ ରକମର ଗାଁ ଉତ୍ସବ ଆରମ୍ଭ ହୋଇ ଶେଷ ହୋଇଯାଏ । ତିନିଦିନ ଧରି ଯାଗ ପାଇଁ ଘର ଘର ବୁଲି ମୁଠି ଚାଉଳ, ମାଗଣ କରିବାକୁ ସାତ ବରଷରୁ ପନ୍ଦର ବରଷର ବାଳକ ପିଲାଏ ଦଳ ଦଳ ହୋଇ ସାଇ ସାଇ ବୁଲି ଝୁଲା ଭର୍ତ୍ତି କରି ବୋହି ଆଣନ୍ତି ଯିଏ ଯାହା ଦେଲା ଆଉ ପହଞ୍ଚାଇ ଦିଅନ୍ତି ସର ଘରେ । ସେଠାରେ ଥିବା ଭଣ୍ଡାରଘର ମାଲିକ ଠୁଳେଇ ରଖନ୍ତି ତିନିଦିନ ଧରି ହେବାକୁ ଥିବା ମହିମା ମେଳା ଅବସରରେ ପଙ୍ଗତ ପାଇଁ ଖର୍ଚ୍ଚ ଉଦ୍ଦେଶ୍ୟରେ । ଘରୁ ଘରୁ ଆଦାୟ କରିବା କାମଟି ମେଳାର ପୂର୍ବ ରବିବାର ପ୍ରାୟ କରାଯାଏ ଯାହାକି ସ୍କୁଲ ପିଲାଙ୍କ ଦ୍ବାରା ହୋଇଥାଏ ।
ଏମିତିରେ ମହିମା ମେଳା ସମୟ ଆସିଯାଏ । ଗୋଟିଏ ଦିନ ପୂର୍ବରୁ ମହିମା ଗାଦିରୁ ପାଞ୍ଚ ଛଅ ମୂର୍ତ୍ତି ବକଳଧାରୀ ବାବା ସେମାନଙ୍କ କିଛି ଚେଲାମାନଙ୍କ ସହ ପହଞ୍ଚି ଯାଆନ୍ତି ଗାଁ ମୁଣ୍ଡରେ ଥିବା #ମହିମାଟୁଙ୍ଗୀ ରେ । ସେଇଠି ରାତି ପୁହାଇ ଦେଇ ତା ପରଦିନ ଭୋରୁ ଭୋରୁ ଆସିଯାଆନ୍ତି ଗାଁ ମଝିରେ ମେଳା ହେବାକୁ ଥିବା ଥାନରେ । ଏଇଠି ଗାଁର ଦୋଳ, ଦଶରା ପ୍ରାୟ ପାଳନ କରାଯାଇଥାଏ ଗାଁ ଲୋକଙ୍କ ଦ୍ୱାରା । ସେଇ ଥାନଟି ମୋଟାମୋଟି ବିଭିନ୍ନ ଗଛ ଡାଳକୁ ନେଇ ମରାହୋଇଥାଏ ବଡ଼ ଛାମୁଡ଼ିଆ । ବାଉଁଶ ଖୁଣ୍ଟଗୁଡ଼ିକ ସଜାସଜି ହୋଇଥାଏ ଦେବଦାରୁ ପତ୍ରରେ ବନ୍ଧା ହୋଇ । ଠିକ୍ ମଝିରେ ଥାଏ ବାରହାତର ବର୍ଗକ୍ଷେତ୍ର, ଆଉ ତା ମଝିରେ ପାଞ୍ଚହାତ ସରିକି ବର୍ଗାକାର #ଧୁନିସ୍ଥଳ । ବାରହାତ ବିଶିଷ୍ଟ ସେଇ ବର୍ଗକ୍ଷେତ୍ର ଛୋଟ ଛୋଟ ବାଉଁଶ ଖୁଣ୍ଟ ଓ ବତା ଦ୍ଵାରା ହୋଇଥାଏ ଆବଦ୍ଧ, କେବଳ ଭିତରକୁ ପଶିବା ପାଇଁ ପଚ୍ଛିମ ପଟରେ ଗୋଟିଏ ଯିବାଆସିବା ବାଟ ଛାଡ଼ି ଦେଇ । ଗାଁର ମୁଖିଆ ମୁଖିଆ ମହିମା ମେଳା ଆୟୋଜକ ମାନେ ରାତିରୁ ଆସି ସାତ ଆଠଟି ଡେଲାଇଟ୍ ଜଳେଇ ଦେଇ ଅପେକ୍ଷା କରିଥାନ୍ତି ମହିମା ସନ୍ନ୍ୟାସୀମାନଙ୍କ ଆସିବାକୁ ।
ବରଷକ ଥରେ ଏମିତି ମହିମା ମେଳା ସମୟ ଆସିଚି । କାର୍ତ୍ତିକ ମାସ ପୁଣ୍ୟମାସ । ପୁଣି ତିନିଦିନ ଧରି ଗାଁ ହୋଇଉଠିବ ପୁଣ୍ୟମୟ ! ଏ ସୁଯୋଗ କିଏ ବା କାହିଁକି ଛାଡ଼ିବ ? ପାହାନ୍ତିଆ ଗାଧୁଆ ପାଧୁଆ ସାରି ଦାଣ୍ଡ ଦୁଆର ମାନଙ୍କରେ ଅପେକ୍ଷା କରିଥାନ୍ତି ମରଦ, ଭୁଆସୁଣୀ, ପିଲାକବିଲା । ବୟସ ଅଧିକ ହେତୁ ଚଳପ୍ରଚଳ କରିପାରୁନଥିବା ବୁଢ଼ାବୁଢ଼ୀ ଦାଣ୍ଡ ପିଣ୍ଡାରେ ବସି ଅପେକ୍ଷା କରିଥାନ୍ତି ସେଇ ବାଟକୁ । ଫୁକିଆ ତାରା ଉଠିବାକୁ ବେଶୀ ବେଳ ନଥାଏ । ଦୂରରୁ ଶୁଭି ଯାଏ ଖଞ୍ଜଣି ଭଜନ:
“ଧ୍ୟାୟି ଗୁରୁ ପୟରକୁ,
ବନ୍ଦନା ପାଦପଦ୍ମକୁ . . “
ସେମାନେ ଆସିଯାଆନ୍ତି । ଆଗରେ ପାଞ୍ଚମୂର୍ତ୍ତି ବକଳଧାରୀ ବାବା, ପଛରେ କୌପୀନଧାରୀ କେତେଜଣ ଚେଲା । ମହିମା ଟୁଙ୍ଗି ଠାରୁ ଦାଣ୍ଡରେ ଚାଲି ଚାଲି ପହଞ୍ଚି ଯାଆନ୍ତି ଧୁନି ସ୍ଥଳରେ । ଗାଁ ମିଣିପିଏ, ମାଇପିଏ, ପିଲାଏ ଦାଣ୍ଡକୁ ଓହ୍ଲାଇ ଆସି ଲମ୍ବ ଲମ୍ବ ହୋଇ ପଡ଼ିଯାଆନ୍ତି ପାଦତଳେ। ହୁଳହୁଳି ଓ ମହିମା ଅଲେଖ ଡାକରେ ଗାଁ ଦାଣ୍ଡ ମୁଖରିତ ହୋଇଯାଏ। ସେଇ ଚଲାବାଟ ସରିଯାଏ ଆଉ ସଭିଏଁ ପହଞ୍ଚି ଯାଆନ୍ତି ଯାଗ ଥାନରେ। ରାତି ପାହି ପାହି ଆସୁଥାଏ। ଭୀମ ଭୋଇ ବିରଚିତ କିଛି ଭଜନ ଗାଉଥାନ୍ତି ଶିଷ୍ୟମାନେ। ତାପରେ ଆରମ୍ଭ ହୋଇଯାଏ ସୂର୍ଯ୍ୟ ନମସ୍କାର । ଗୋବରରେ ଲିପାପୋଛା ହୋଇଥିବା ବଡ଼ ଖଳାରେ ସାଧୁମାନେ ଦଣ୍ଡବତ ପ୍ରଣାମ କରିଥାନ୍ତି । ମହିମା ଅଲେଖ ଧ୍ଵନି ଠୁଳ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ତୁଣ୍ଡରୁ ବାରମ୍ବାର ବାହାରୁଥାଏ । ଯାହା ମନେପଡ଼େ ଆମ ଗାଆଁକୁ ଆସୁଥିବା ମହିମା ସନ୍ୟାସୀମାନଙ୍କ ମଧ୍ୟରେ ମୂଖ୍ୟ ଥିଲେ ବାବା ଅରକ୍ଷିତ ଦାସ । ସୂର୍ଯ୍ୟ ନମସ୍କାର ପରେ ସବୁ ବାବାମାନେ ଶିଷ୍ୟମାନଙ୍କ ସହ ପ୍ରବେଶ କରନ୍ତି ଯାଗ/ଧୁନି ସ୍ଥଳକୁ। ସେଇଠି ଦୁଇହାତ ଶୂନ୍ୟକୁ ଟେକି ଦେଇ “ମହିମା ଅଲେଖ” ଡାକ ଦେଇ ଆରମ୍ଭ ହୁଏ ଅଗ୍ନି ଆଵାହନ । ଆମ ସମାଜର ପ୍ରଚଳିତ ମନ୍ତ୍ର ନାହିଁ, କେବଳ ମହିମା ଅଲେଖ ଡାକ ଦେଇ ଦୁଇଟି ଝକମକି ପଥର ଘଷି ଅଗ୍ନି ସଂଯୋଗ କରାଯାଏ ଧୁନିରେ ଥିବା ଛୋଟ ଛୋଟ କାଠରେ। ଦୂରରୁ ଲକ୍ଷ୍ୟ କରୁଥାନ୍ତି ସଭି ଉପସ୍ଥିତ ଲୋକେ । ଝକମକି ପଥର ଘଷି ନିଆଁ ବାହାର କରିବା ଭାରି ଆଶ୍ଚର୍ଯ୍ୟ ଲାଗୁଥାଏ । (ଜୀବନରେ ଘଟିଥିବା କୌଣସି ବିଶେଷ କଥା ଭୁଲିଯାଇ ପାରେ, ହେଲେ ଝକମକି ପଥର ଘଷି ନିଆଁ ବାହାର କରିବା ଭୁଲି ପାରିବି ନାହିଁ !!)
ଏମିତିରେ ଧୁନି ସ୍ଥାପନ ହୋଇଯାଏ । ଛିଡ଼ା ହୋଇ ମୁଖ୍ୟ ବାବା ଶୂନ୍ୟକୁ ହାତ ଉଠେଇ ମହିମା ଅଲେଖ ଡାକ ଦେଇ ପ୍ରଥମ ଘୃତ ଅର୍ପଣ କରନ୍ତି । ପାଖରେ ଥାଏ ମହଣ ମହଣ କାଠ, ତା ସାଙ୍ଗକୁ ମାଟି ହାଣ୍ଡିରେ ଘିଅ । ଧୁନି ଚାରିପାଖ ବାବା ଓ ଚେଲାମାନଙ୍କ ଦ୍ଵାରା ପରିବେଷ୍ଟିତ । ମୁଖ୍ୟ ବାବାଙ୍କ ପ୍ରଥମ ଘୃତାହୂତି ସମୟରେ ହୁଳହୁଳି, ହରିବୋଲ ଓ ମହିମା ଅଲେଖ ଧ୍ଵନିରେ ଫାଟି ପଡ଼ୁଥାଏ ଯାଗସ୍ଥଳ । ତାପରେ ମହିମା ଅଲେଖ ଶରଣ କହି ଘୃତାହୂତି ଚାଲିଲା . . , “ବିଶ୍ଵର ମଙ୍ଗଳ କରନ୍ତୁ ହେ ଶୂନ୍ୟଦେହୀ ମହିମା ଅଲେଖ, ଜଗତର ସବୁ ପ୍ରାଣୀଙ୍କୁ ଉଦ୍ଧାର କରନ୍ତୁ ହେ ମହିମା ଅଲେଖ” — ଏଇମିତି ଉଚ୍ଚାରଣ ମଧ୍ୟରେ ଉଛୁଳି ଉଠେ ଯାଗସ୍ଥଳ, ଗାଁ ପରିବେଶ । ଲମ୍ବ ଲମ୍ବ ହୋଇ ସାଷ୍ଟାଂଗ ଦଣ୍ଡ ପ୍ରଣାମ କରୁଥାନ୍ତି ଲୋକେ। ସକାଳୁ ସକାଳୁ ସୁଅ ଛୁଟୁଥାଏ ଗାଁ ଲୋକଙ୍କର ଓ ପଡ଼ିଶା ଗାଁ ଝିଅବୋହୂ, ଆବାଳବୃଦ୍ଧବନିତାଙ୍କର ।
ସେତେବେଳେ ଆମେ ପିଲାମାନେ ଯେଉଁ ଆନନ୍ଦ ପାଇଲୁ ତାହା କିନ୍ତୁ ଫିକା ପଡ଼ିଗଲା ସକାଳ ନଅଟା ବେଳକୁ। କେହିଜଣେ ଅଭିଭାବକ ଆସି ଚେତେଇ ଦେଲେ, ଇସ୍କୁଲ ବେଳ ହେଲାଣି, ପିଲାମାନେ ଏବେ ଯାଅ । ସଞ୍ଜବେଳେ ଇସ୍କୁଲରୁ ଫେରି, ଘରେ ବହି ବସ୍ତାନି ରଖି ଦେଇ, ସୂର୍ଯ୍ୟ ଦେବତା ମାଆ କୋଳକୁ ଯିବା ପୂର୍ବରୁ ଏଠାରେ ପହଞ୍ଚିଯିବ ଆଉ ବାବାମାନଙ୍କ ସହ ଭିକ୍ଷା କରିବ । “ଏ ବାପାମାଆମାନେ ଆଉ ହେବେନି, ତାଙ୍କର ତ ପାଠପଢ଼ା ଆଗ !” ଏଇମିତି ମନରେ ଦୁଃଖ ରଖି, ଅନିଚ୍ଛାରେ ଜାଗା ଛାଡ଼ିବାକୁ ବାଧ୍ୟ । କିନ୍ତୁ ମନରେ ରହିଯାଏ, ଶୀଘ୍ର କେମିତି ଇସ୍କୁଲରୁ ଫେରି ଏଇଠି ପହଞ୍ଚିଥିବା ଆଉ ଭିକ୍ଷା (?)କରିବା !
ଆଜି ଭଳିଆ ଦିନରେ ଇସ୍କୁଲଟା ଛୁଟି ହେଇଥିଲେ କ’ଣ ବା ଖରାପ ହେଇଥାନ୍ତା ! ପାଠପଢ଼ାରେ ବା କି ମନ ଥାଏ ? ଯାହାହେଉ କିମିତି ଆମ ମନକଥା ବୁଝିଲେ ମହିମା ଅଲେଖ ! ଗାଁରେ ହେଉଥିବା ମହିମା ମେଳା ସକାଶେ ପ୍ରଧାନ ଶିକ୍ଷକ ଦିନ ତିନିଟା ବେଳକୁ ଇସ୍କୁଲ ଛୁଟି ଘୋଷଣା କରିଦେଲେ । ଆଉ ଆନନ୍ଦ କିଏ ସମ୍ଭାଳେ ? ଛୁଟି ହେଇଗଲା ପରେ ଧାଇଁଲୁ ପିଲାମାନେ । ସେତେବେଳକୁ ଚାଲିଥାଏ ଅଖଣ୍ଡ ଘୃତାହୂତି । ତିନିଦିନ ପାଇଁ ମଝିରେ ବି ବନ୍ଦ ହବନାଇଁ । ଲୋକ ଭରପୂର । ଛାମୁଡ଼ିଆ ତଳେ ବସିଛନ୍ତି ଶହ ଶହ ଲୋକ। ସୂର୍ଯ୍ୟ ଡୁବିବାକୁ ଆଉ ପ୍ରାୟ ଘଡ଼ିଏ ବାକି । ବେଳ ରତରତ । ଏଇ ସମୟରେ ଗାଁ ମୁଖିଆ ଘୋଷଣା କଲେ, “ବାବାମାନଙ୍କ ଭିକ୍ଷା କରିବା ସମୟ ହେଲା । ତାଙ୍କ ପରେ ଆମେ ସମସ୍ତେ ପଙ୍ଗତରେ ବସିବା ।” ଜଣେ କୌପୀନ ଧାରୀ ବାବା ଘୃତାହୂତି କାର୍ଯ୍ୟରେ ରହିଲେ । ଭିକ୍ଷା କ’ଣ ? — ତାହାହିଁ ଆମ ପିଲାଙ୍କ ମନରେ ଥାଏ । ସାଧୁମାନେ ଧାଡ଼ି ହୋଇ ବସିଗଲେ। କୁଟା ବା ଛଣର ଆସନ । କଦଳୀପତ୍ର ସହ ସେଇଥିରେ ତିଆରି ଠୋଲା । ଗରମ ଗରମ ଉଷୁନାଭାତ ପରଶି ଦିଆଗଲା ପତ୍ରରେ । ମୁଗଡାଲି ଠୋଲାରେ, ଘାଣ୍ଟ ତରକାରୀ ଆଉ ଏକ ଠୋଲାରେ, ଶାଗ କଦଳୀପତ୍ରରେ ଦିଆ ହୋଇଥିବା ଭାତ କଡ଼ରେ । ମହିମା ଅଲେଖଙ୍କୁ ସଅଁପି ଦେଇ ଖାଇବା ଆରମ୍ଭ କଲେ ସାଧୁମାନେ । ଏହାହିଁ ଥିଲା ଭିକ୍ଷା ! ସୂର୍ଯ୍ୟାସ୍ତ ପୂର୍ବରୁ ଭିକ୍ଷା ଶେଷ ହୋଇଗଲା । ତାପରେ ପଙ୍ଗତରେ ବସିଲେ ଆଚାଣ୍ଡାଳ ବ୍ରାହ୍ମଣ । ଜାତିଭେଦ ଶୂନ । ସମସ୍ତେ ଯେଝା ଯେଝା ଘରୁ ଧରି ଆସିଥାନ୍ତି କଦଳୀ ପତର ।
ମାଆ କୋଳକୁ ଚାଲିଯାଇଥାନ୍ତି ସୂରୁଯ । ଖାଇବା ପରେ ଗାଁରେ ଥିବା ମହିମା ଆଶ୍ରିତ ଭକ୍ତମାନେ କୌପୀନଧାରୀ ସାଧୁମାନଙ୍କ ସହ ଚାଲିଲେ ସାଇକୁ ସାଇ । ଅମାବାସ୍ୟା ପର ସମୟ ହୋଇଥିବାରୁ ଜହ୍ନ ଆଲୁଅ ଝାପସା ଝାପସା ଥାଏ । ଧୁନି ଜାଗାରୁ ଭାଗ ହୋଇଗଲେ ପାଞ୍ଚଟି ଦଳ । ସାଇ ସାଇ ବୁଲି ଆସି ପହଁଚିବେ ଧୁନି ସ୍ଥଳରେ । ପୁଣି ସେଇଠୁ ଚାଲିବେ ଆଉ ପାଞ୍ଚଟି ସାଇ । ଗୋଟିଏ ଗୋଟିଏ ଦଳରେ ପ୍ରାୟ ପାଞ୍ଚ ଛଅ ଜଣ । ପ୍ରତି ଦଳରେ ଦୁଇଟି ଖଞ୍ଜଣି ଥିବା ଚାହି । ଏଭଳି ଆୟୋଜନ ଦେଖି ଆମେ ପିଲାମାନେ ଗୋଟିଏ ଗୋଟିଏ ଦଳ ପଛରେ ଧାଇଁବା ଧାର୍ଯ୍ୟ । ପୁରା ଗାଁକୁ ନିହାତି ରାତିସାରା ଦୁଇ ଚାରି ଥର ବୁଲିବା ଥାଏ ଲକ୍ଷ୍ୟ। ରାତି ନଅଟା ବେଳକୁ ଫେରି ଆସିବା ପାଇଁ ଅନୁମତି ନିଆଯାଇଥାଏ ବାପାଙ୍କ ଠାରୁ । ଆଉ ସନ୍ଧ୍ୟାବେଳକୁ ଗାଁ ଭିତରେ ଏତେ ସୁନ୍ଦର ଆୟୋଜନ ଦେଖି ମୁଣ୍ଡ ନୋଇଁଗଲା । ଗାଁ ଦାଣ୍ଡରେ ଖଞ୍ଜଣି ମାଡ଼ ସହ ଭଜନ ଗାଇ ଗାଇ ଚାଲିଥାନ୍ତି ବାବା ଆଉ ପଛରେ ଦଶ ବାର ସରିକି ଗୋଡ଼ାଣିଆ । ଗାଁରେ ଦଶଟି ସାଇରେ ଦଶ ଛକ ଜାଗା । ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଲା । ସବୁ ଛକରେ ପୋତା ହୋଇଛି କଦଳୀ ଗଛର କଟା ହୋଇଥିବା ମୋଟା ଗଣ୍ଡିଟିଏ (କଦଳୀଗର) ! ତା ଉପରେ ଗୋବର । ତା ଉପରେ ମାଟି ଉହ୍ମେଇ । ସେଥିରେ କିଛି ଛୋଟ ଛୋଟ ଖଣ୍ଡ କାଠ ଖଣ୍ଡ। ପାଖରେ ଘିଅ ହାଣ୍ଡି । ଗେରୁଲୁଗା, ଗାମୁଛା ପରିହିତ ମହିମା ଧର୍ମ ଆଶ୍ରିତ ଜଣେ ମଣିଷ ଘୃତାହୂତି ଦେବାରେ ନିୟୋଜିତ । ଦଶ ଜାଗାରେ ଏ ବ୍ୟବସ୍ଥା ! ଏସବୁ ଦେଖି ମନ ଏତେ ଖୁସି ହୋଇ ଯାଉଥାଏ ଯେ କହିବା ମୁସ୍କିଲ । ରାତିରେ ଶୋଇଯିବା ପରେ ମଝିରେ ମଝିରେ ନିଦ ବାଉଳାରେ ମନରେ ଆସୁଥିଲା କାଲି ସକାଳୁ ଛୋଟୁ, କାଳିଆ, ସୁଦାମକୁ ସାଙ୍ଗରେ ଧରି ଧୁନି ଦେଖିବା ସହ ପଙ୍ଗତରେ ବସିବା ପାଇଁ । ଦାଣ୍ଡରେ ରାତିସାରା ଶୁଭୁଥିଲା ମହିମା ଭଜନ ଓ ଖଞ୍ଜଣିମାଡ଼, ଯାହା ଫି ବରଷ ହୁଏ ।
ଏଇମିତି ତିନି ଦିନ ନିମିଷକରେ ଉଭେଇ ଗଲା ପରି ଲାଗିଲା, ଆଉ ମନରେ ରହିଗଲା ଗୋଟେ ଛାପ — ମହିମା ସନ୍ୟାସୀ, ଧୁନି, ଗାଁ ପରିବେଶ, ପଙ୍ଗତ, ମହିମା ଜଣାଣ, ରାତି ଉଜାଗର, ସାଧୁମାନଙ୍କ ଗାଁ ବୁଲା, ମେଳା ଶେଷ ଦିନ ଧୁନି ବଢ଼ିବା, ଗାଁ ଲୋକଙ୍କ ଧୁନିରେ ସମର୍ପଣ, ବନ୍ଧୁବାନ୍ଧବ ଆସିବା ଆଦି । ମୋ କିଶୋର ମନରେ ରହିଯାଇଥିବା ଛାପ ଏତେ ଗହୀରକୁ ଚାଲିଯାଇଥିଲା ଯେ, ସେଇ ଦିନରୁ ଗୋଟିଏ ସ୍ଵପ୍ନ ଥିଲା ଥରେ ଯାଇ ସେହି ମହିମା ସନ୍ୟାସୀମାନଙ୍କ ପ୍ରଧାନ ପୂଜାପୀଠ ଦେଖି ଆସିବାକୁ, ଯାହା ସମ୍ଭବ ହେଲା ଅନେକ ବର୍ଷ ପରେ ।
ମନରେ ବଡ଼ ଆଶା ଓ ସମ୍ଭାବନା ନେଇ ମାଘ ପୁନେଇଁ ବେଳକୁ ଆଗେଇ ଗଲି ଢେଙ୍କାନାଳ ଜିଲ୍ଲାର ମହିମା ଗାଦି ପୀଠ ଯୋରନ୍ଦାକୁ । ଚତୁର୍ଦ୍ଦଶୀରେ ଆରମ୍ଭ ହୁଏ ମହିମା ମେଳା ବୋଲି ଶୁଣିଥିଲି । ସେଇଠି ମହିମା ସନ୍ୟାସୀମାନଙ୍କ ଦର୍ଶନ ମିଳିବା ସହ ମହିମା ଗାଦି ବିଷୟରେ କିଛି ଜାଣିହେବ, ଏଇ ଆଶା ଟିକକ ଥିଲା ମନରେ । ତେଣୁ ଦୁଇଦିନ ରହିବା ପାଇଁ ଅବଶ୍ୟ ପ୍ରସ୍ତୁତ ହୋଇ ସସ୍ତ୍ରୀକ ପହଞ୍ଚିଗଲି ପୀଠରେ ତ୍ରୟୋଦଶୀ ଦିନ । ପରଦିନ ଚତୁର୍ଦ୍ଦଶୀ । ଏହା ହେଉଛି #ପ୍ରଭୁ #ପୂର୍ଣ୍ଣିମା ବା ଲୋକାଚାରରେ ବାବାଙ୍କ ପୂର୍ଣ୍ଣିମା । ତା ପରଦିନ ପୂର୍ଣ୍ଣିମା ଯାହା ଦେଶ ପୂର୍ଣ୍ଣିମା ନାମରେ ଅଭିହିତ ।
ଆମେ ପହଞ୍ଚିବା ବେଳକୁ ମହିମା ମେଳା ସକାଶେ ଭକ୍ତ ମାନଙ୍କର ବିଭିନ୍ନ ଅଞ୍ଚଳରୁ ଆସିବା ଆରମ୍ଭ ହୋଇଗଲାଣି । ଗାଦିକୁ ଚାରିଦିଗରୁ ସରକାରୀ ରାସ୍ତା । କିଛି ଦୂରରେ ନିର୍ଦ୍ଧାରିତ ହୋଇଥାଏ ବସ୍ ଓ ଅନ୍ୟାନ୍ୟ ଯାନ ରଖିବା ସ୍ଥାନ । ସେଇଠୁ ଓହ୍ଲାଇ ଚାଲି ଚାଲି ଗଲୁ । ଅସ୍ଥାୟୀ ଭାବେ ଭଡ଼ାଘର ମଧ୍ୟ ମିଳୁଥିବା ଜାଣିବାକୁ ପାଇଲି । ସୌଭାଗ୍ୟ ବଶତଃ ଅଧ କିଲୋମିଟର ଦୂରରେ ଗୋଟିଏ ବଖୁରିକିଆ ଘର ମଧ୍ୟ ମିଳିଗଲା । ରାତି ରହଣି ଉତ୍ତାରେ ଭାବିଲି ସତରେ କ’ଣ ପିଲାଦିନେ ଗାଁରେ ହେଉଥିବା ମହିମା ମେଳାର କିଛି ଝଲକ ଦେଖିବାକୁ ମିଳିବ ?
ରାତି ପାହି ଆସୁଥାଏ । ଶୁଭିଗଲା ବୀରକାଳି ଓ ଘଣ୍ଟ ପିଟା ଶବ୍ଦ । ଶୀଘ୍ର ନିତ୍ୟକର୍ମ ଶେଷ କରି, ଆଉ ଅପେକ୍ଷା ନକରି ଧାଇଁଲୁ ମନ୍ଦିର ଆଡ଼କୁ। ସନ୍ୟାସୀ, ବୈରାଗୀ, ଶ୍ରଦ୍ଧାଳୁ, ଆଶ୍ରିତମାନେ ଏକତ୍ର ହୋଇ ଆରମ୍ଭ କରିଦେଲେଣି ବେଢ଼ା ପରିକ୍ରମା । ମହିମା ଗାଦି ପରିସରରେ ବିଭିନ୍ନ ବକଳଧାରୀ ବାବାମାନଙ୍କ ଛୋଟ ଛୋଟ ମଠ । ସବୁଠାରେ ଆରମ୍ଭ ହୋଇଯାଇଛି ଉପାସନା । ସୂର୍ଯ୍ୟ ନମସ୍କାର ଚାଲିଛି । ଭକ୍ତମାନଙ୍କ ସୁଅ ଛୁଟୁଛି । ଓଡ଼ିଶାର ବିଭିନ୍ନ ଜାଗାରୁ ଆସିଥିବା ଗୃହୀଭକ୍ତମାନେ ଯେଝା ଯେଝା ବାବାଙ୍କ ପାଇଁ ମଠରେ ପହଞ୍ଚି ଶରଣ ଯାଉଛନ୍ତି (ସାଷ୍ଟାଂଗ ଦଣ୍ଡପ୍ରଣାମ) ପାଦତଳେ । ସେଠାରେ ଏ ସବୁ ଦେଖିବା ପରେ ଆଉ ଅପେକ୍ଷା ନକରି ମୁଖ୍ୟ ମନ୍ଦିର ଆଡ଼କୁ ଆଗେଇ ଗଲୁ । ଯାହା ଗାଦି ମନ୍ଦିର ।
ଏହି ସମୟରେ #ମାହାଳମୂଳ ଆଶ୍ରମ କୂଅରୁ ରୂପା ଗରାରେ ପାଣି ଅଣାଗଲା । ମନ୍ଦିର ବେଢ଼ା ଧୁଆଗଲା ହେଲା ସେହି ପବିତ୍ର ଜଳରେ । ଆରମ୍ଭ ହେଲା ଛେରାପହଁରା । ସୁନାଗିନାରେ ଥିବା ଶ୍ଵେତଚନ୍ଦନ, ଶ୍ରୀକର୍ପୂର, ଅଗୁରୁ ସିଞ୍ଚନ ସହ ଛେରାପହଁରା ଆରମ୍ଭ କଲେ ନୀତି ଦାୟିତ୍ଵରେ ଥିବା ଜଣେ ବକଳଧାରୀ ବାବା । ଏହାପରେ ପ୍ରାତଃ ଧୂପ । ସୁନାଥାଳିରେ ଖିର ଲାଗି ସପ୍ତାମୃତ ହେବା ସହ ଷାଠିଏ ଜଣ ସାଧୁ ଷାଠିଏ ରୂପା ଚାମରରେ ମହିମା ସ୍ଵାମୀଙ୍କୁ କଲେ ଚାମର ସେବା। ତା’ରି ମଧ୍ୟରେ ଅମୁଣିଆ ମଣ୍ଡପ । ସେଠାରେ ପ୍ରସ୍ତୁତ ହୋଇଥିବା #ଅମୁଣିଆ ଶୂନ୍ୟକୁ ଟେକି ଦେଇ ମହିମା ଅଲେଖ ଡାକ ଦିଆଗଲା । ତାହାହିଁ ପ୍ରସାଦ । ଉପସ୍ଥିତ ଶ୍ରଦ୍ଧାଳୁମାନେ କେହି ଜଣେ ପ୍ରସାଦ ପାଇବାରୁ ଯେପରି ବାଦ ନଯାଏ, ତାହାକୁ ତଦାରଖ କରିବା ପାଇଁ ଦୁଇତିନି ଜଣ ସାଧୁ ଲକ୍ଷ୍ୟ ରଖନ୍ତି । ଆମର ପରମ ସୌଭାଗ୍ୟ ଥିଲା, ଅମୁଣିଆ ପ୍ରାପ୍ତ ହେଲୁ । ଅପୂର୍ବ ସ୍ଵାଦ !
ସକାଳ ଧୂପ ଉଠିବା ବେଳକୁ #ଶୂନ୍ୟମନ୍ଦିର ବେଢ଼ାରୁ ବାହାରି ଆସି ଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଟିକେ ମନହେଲା । କଅଁଳିଆ ଖରା, ପରିବେଶ ! ନା ଶୀତ ନା ଉଷ୍ଣ ! ତେଣୁ ବେଶ୍ ଭଲ ଲାଗୁଥିଲା ଟିକେ ବୁଲିଯିବା ପାଇଁ । ଦୂରରୁ ଲକ୍ଷ୍ୟ କଲୁ ଯାତ୍ରୀ ସମାଗମ ବଢ଼ିବାରେ ଲାଗିଛି। #ବଡ଼ମଠ ପରିସର ଲୋକ ଭର୍ତ୍ତି । ଅଧିକାଂଶ ଗାଉଁଲି ଲୋକ । ତେଣୁ ଦୂରଦୂରାନ୍ତରୁ ଆସିଥିବା ସହଜେ ଅନୁମେୟ । କିଛି ବାଟ ଦୂରକୁ ଗଲେ (ପ୍ରାୟ ଦୁଇ ଶହ ମିଟର) ନାଟିମା ବଜାର, ଆଉ ବାମ ଦିଗରେ #ଯୋରନ୍ଦା ବଜାର । ଗୋଟିଏ ଭଲ ଜଳଖିଆ ଦୋକାନ ଦେଖି ତା ଭିତରକୁ ପ୍ରବେଶ କଲୁ । #ଢେଙ୍କାନାଳ_ବରା ଖାଇବାର ଇଚ୍ଛା ଥିଲା ପ୍ରବଳ । ତାହା ମଧ୍ୟ ଚରିତାର୍ଥ ହେଲା । ଖରାବେଳେ ଟିକେ ବିଶ୍ରାମ ନେଇ ବରଂ ଚାରିଟା ବେଳକୁ ମେଳାକୁ ଆସିବା ଉଚିତ ହେବ ବୋଲି ହୋଟେଲ ମାଲିକ ପରାମର୍ଶ ଦେଲେ । ତାଙ୍କ ଉପଦେଶ ଗ୍ରହଣ କରି ବାହାଘରକୁ ଫେରି ଆସିଲୁ ।
ଠିକ୍ ଚାରିଟା ବେଳକୁ ଦୁହେଁ ଚାଲି ଚାଲି ଆସିଗଲୁ ବଡ଼ମଠ ଆଡ଼େ। ପାଖରେ ଆଉ ଗୋଟିଏ ବଡ଼ ହତା ମଧ୍ୟରେ ଥିବା ମଠ ଆଖିରେ ପଡ଼ିଲା । ତାହାହିଁ #ସାନମଠ । ମହିମା ସନ୍ୟାସୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିବାଦ ହେତୁ ଏହାର ସୃଷ୍ଟି ବୋଲି ଶୁଣିବାକୁ ମିଳିଲା। ଏହି ସାନମଠର ସାଧୁମାନେ ବକଳ ପିନ୍ଧନ୍ତି ନାହିଁ, କେବଳ କୌପୀନ ଧାରଣ କରନ୍ତି । କିନ୍ତୁ ପୂଜା ପଦ୍ଧତି, ଭାବନା, #ଶୂନ୍ୟବ୍ରହ୍ମ ଙ୍କୁ ଉପାସନା ଇତ୍ୟାଦି ସମାନ । ଯାହା ହେଉ, ସାନମଠ ଆଡ଼େ ଟିକେ ବୁଲିପଡ଼ି ପୁଣି ଠେଲାପେଲା ଦେଇ ମନ୍ଦିରକୁ ପ୍ରବେଶ କଲୁ ଅଲଗା ଅଲଗା ଚିହ୍ନିତ ବାରିକେଡ୍ ଦେଇ । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ମଧ୍ୟ ଉପସ୍ଥିତ । ସୂର୍ଯ୍ୟାସ୍ତ ବେଳକୁ ମନ୍ଦିର ହୋଇଗଲା ଲୋକାରଣ୍ୟ । ଯାତ୍ରା ପଡ଼ିଆରେ ସୋରିଷ ପକାଇବାକୁ ଜାଗା ନାହିଁ ଯେମିତି ! ଲକ୍ଷାଧିକ ଶ୍ରଦ୍ଧାଳୁ । ଆଉ କିଛି ସମୟପରେ ଝାଡ଼ ଲାଗିବ, ଜଗତ ମଙ୍ଗଳ ପାଇଁ ଆହୁତି ଅର୍ପଣ ହେବ ସର୍ବନିୟନ୍ତାଙ୍କ ଉଦ୍ଦେଶ୍ୟରେ ।
ସେହି ମୂହୁର୍ତ୍ତ ଏବେ ଉପସ୍ଥିତ । ଆକାଶ ନିର୍ମଳ, ଉଡ଼ି ଯାଉଛନ୍ତି ଦଳ ଦଳ ପକ୍ଷୀ । ଝାଡ଼ ସବୁ ବିଭିନ୍ନ ସ୍ଥାନରେ ସ୍ଥାପିତ । ହିନ୍ଦୁ ଧର୍ମର ମହାନ୍ ପରମ୍ପରା ଅନୁଯାୟୀ ଅଗ୍ନି ଉତ୍ସବ। ତଫାତ ଏତିକି — ଆମ ଅଗ୍ନି ଉତ୍ସବର ଅଗ୍ନି ଟଳିବ ଅଗ୍ନିଦେବଙ୍କ ଉଦ୍ଦେଶ୍ୟରେ ଆଉ ମହିମା ସନ୍ୟାସୀମାନଙ୍କ ଅଗ୍ନି ସମର୍ପିତ ହେବ ଶୂନ୍ୟଦେହୀଙ୍କ ଉଦ୍ଦେଶ୍ୟରେ ଜଗତ ଉଦ୍ଧାରଣ ପାଇଁ । ଶହେ ସରିକି ବକଳଧାରୀ ଓ କୌପୀନଧାରୀ ବାବା ଉପସ୍ଥିତ ।
“ରଖ ରଖ ଆହେ ଅଲେଖ ରଖ,
ଡାକୁଅଛୁ ଆମେ ପିଲା ବାଳକ “–
ଅନାଦି ପରଂବ୍ରହ୍ମଙ୍କ ନିକଟରେ ଆମେ ତ ଅଜ୍ଞାନ ବାଳକ !
ସୂର୍ଯ୍ୟାସ୍ତ କାଳରେ ସେଇମିତି #ଝକମକି ପଥର ଘଷି ଆରମ୍ଭ ହେଲା ଘୃତାହୁତି । ଝାଡ଼ ଲାଗିଲା । ଅଣାକାର ଶୂନ୍ୟ ବ୍ରହ୍ମଙ୍କୁ ଅର୍ପଣ ହେଲା ଜ୍ୟୋତି। #ଝାଡ଼ଦୀପ ଗୁଡ଼ିକ ପିତଳ ଝାଡ଼ବୃକ୍ଷ ! ଗାଦି ମନ୍ଦିର ପଶ୍ଚିମ ଦ୍ଵାରରେ ଚଉରାଳିଶ ପାଖୁଡ଼ା ବିଶିଷ୍ଟ ପିତଳ ନିର୍ମିତ ବୃକ୍ଷ, ପୂର୍ବ ଦ୍ଵାରରେ ବାଉନ ପାଖୁଡ଼ା ବିଶିଷ୍ଟ ଝାଡ଼ବୃକ୍ଷ, ଉତ୍ତର ଦିଗରେ ଛତିଶ ପାଖୁଡ଼ା ବୃକ୍ଷ, ଦକ୍ଷିଣ ଦିଗରେ ବତିଶ ପାଖୁଡ଼ା ବୃକ୍ଷ । ଶୂନ୍ୟମନ୍ଦିର ଓ ତତସଂଲଗ୍ନ ଏକୋଇଶି ହାତିଆ ମନ୍ଦିରରେ ଏକୋଇଶି ପାଖୁଡ଼ା ପିତଳ ଝାଡ଼ବୃକ୍ଷ । ଅଖଣ୍ଡ ବତି ମନ୍ଦିରରେ ଏକତ୍ରିଂଶ ପାଖୁଡ଼ା ବିଶିଷ୍ଟ ଝାଡ଼ବୃକ୍ଷ ସ୍ଥାପିତ। ବକଳଧାରୀ ଓ କୌପୀନ ଧାରୀ ସମସ୍ତେ ଘୃତାହୁତି ଦେବାରେ ନିୟୋଜିତ । ସବୁ ପାଖୁଡ଼ା ଗୁଡ଼ିକରୁ ଉଠୁଛି ଶିଖା । ଘିଅ ଢଳା ଚାଲିଛି, ଭକ୍ତ ଓ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ହାତରେ ଘିଅ ପାତ୍ର ଯାହା ବୋହି ଆଣିଛନ୍ତି ନିଜ ନିଜ ଘରୁ ପ୍ରଭୁଙ୍କୁ ଅର୍ପଣ କରିବା ପାଇଁ । ବଡ଼ ବଡ଼ ପିତଳହଣ୍ଡା ଭିତରେ ରହୁଥାଏ ଆସିଥିବା ଘିଅ। ପରେ ପରେ ବୋହି ନେଉଥାନ୍ତି ସାଧୁମାନେ ଝାଡ଼ ପାଖକୁ । ଦଳ ଦଳ ହୋଇ ବସିଥିବା ସାଧୁ, ଚେଲା ମାନେ ଖଞ୍ଜଣି ଧରି ଗାଇଚାଲିଥାନ୍ତି ଭଜନ । ଅହରହ ଚାଲିଥାଏ ଭଜନ, ଝାଡ଼ଦୀପ ନିକଟରେ ସହସ୍ରାଧିକ ଲୋକ । “ଅଲେଖ ମହିମା” ଧ୍ଵନି ବଢ଼ି ବଢ଼ି ଚାଲିଥାଏ, ଲୋକ ସମାଗମ ସହିତ । ଶୂନ୍ୟକୁ ହାତ ଉଠେଇ ବାବାମାନଙ୍କ ଜଗତ ମଙ୍ଗଳ ପାଇଁ ଆକୁଳ ନିବେଦନ ଶୁଣି ଦେହରେ ଶିହରଣ ଖେଳି ଯାଉଥିଲା । ସବୁ ଝାଡ଼ଦୀପରୁ ଅଗ୍ନିଶିଖା ଉଠୁଥାଏ ଶୂନ୍ୟକୁ ଏବଂ ସେହି ଆହୁତି ମାଧ୍ୟମରେ ଅଲେଖ ନିରାକାର ବ୍ରହ୍ମଙ୍କୁ ହୁରି ପକାଇଥାନ୍ତି ସାଧୁମାନେ । ଅବର୍ଣ୍ଣନୀୟ ଦୃଶ୍ୟ ! ବେଢ଼ା ବାହାରେ ରହି ହଜାର ହଜାର ଲୋକ ଚାହିଁ ରହିଥାନ୍ତି ଝାଡ଼ଦୀପକୁ । ଏମିତି ରାତିସାରା ଚାଲିବ । ପୁଣି ପରଦିନ ପାଳନ ହେବ ଦେଶ ପୂର୍ଣ୍ଣିମା। ସେହି ନୀତିକାନ୍ତି ! ଅଧିକ ଲୋକଙ୍କ ସମାଗମ ହେବ । ଏମିତିରେ ରାତି ଅଧିକ ହୋଇଯାଇଥିଲା। କାଲି ଦେଶ ପୂର୍ଣ୍ଣିମାରେ ଆଉ ଟିକିଏ ମେଳାରେ ବୁଲିବା ପାଇଁ ମନରେ ଆଶା ରଖି ବିଶ୍ରାମ ନେବା ସକାଶେ ଭଡ଼ା ଘରକୁ ଫେରି ଆସିଲୁ ।
ଆଜି ପବିତ୍ର ଅଗ୍ନି ଉତ୍ସବ । ମହିମା ସନ୍ୟାସୀମାନେ ଯାହାକୁ ଦେଶ ପୂର୍ଣ୍ଣିମା ବୋଲି କହିଥାନ୍ତି । ଆଜି ସେହି ସାଧୁମାନେ ସେହି ଏକା ନୀତିକାନ୍ତି ଭିତରେ ପାଳନ କରିଥାନ୍ତି ମାଘ ପୁନେଇଁ । ଛତିଶ ପାଟକ ଜାତି, ଜନଜାତି ହେବେ ଏକତ୍ରିତ ଆଉ ମହିମା ସନ୍ୟାସୀମାନଙ୍କ ସହ ପାଳନ କରିବେ ଏକ ନିଆରା ଢଙ୍ଗରେ । ଗାଁ ଗାଁରେ ଜଳାଉଥିବା ଅଗି ପରି ନୁହେଁ, ଯହିଁରେ ଛଣ, କୁଟା, ବାଉଁଶ ଖଣ୍ଡ, ଶୁଖିଲା କଦଳୀ ବାଉଙ୍ଗା, ଯାବତୀୟ ଶୁଖିଲା କାଠଖଣ୍ଡ ଆଦି ହୁଏ ବ୍ୟବହୃତ। ଏଠାରେ କିନ୍ତୁ ଘିଅ ବ୍ୟବହୃତ ଅଗ୍ନି ଉତ୍ସବ ! ଆମ ତଥାକଥିତ କୁସଂସ୍କାର ଯୁକ୍ତ ହିନ୍ଦୁ ଧର୍ମର ଏକ ନୂତନ ସଂସ୍କରଣ ମାତ୍ର !
ଦିନ ଦଶଟା ବେଳକୁ କ୍ରମଶଃ ଲୋକାରଣ୍ୟ ହୋଇ ଉଠୁଛି ରାସ୍ତାଗୁଡ଼ିକ । ଯୋରନ୍ଦା ମେଳା ପଡ଼ିଆର ଟିକିଏ ଦୂରରେ ଘନ ଘନ ଘୋଷଣା ହେଉଛି, “ଏ ବର୍ଷର ନୂଆ ନାଟକ . . ” । ରାସ୍ତାରେ ଚାଲିବା କଷ୍ଟ । ଏତେ ଗୁଡ଼ାଏ ଲୋକ ଆସିଲେ କୁଆଡ଼ୁ ? ଯାତ୍ରା ତ କାଲି ଠାରୁ ଆରମ୍ଭ ହୋଇଯାଇଛି । ଶହ ଶହ ବିଭିନ୍ନ ରକମର ଦୋକାନ । ପାଖପାଖ ଅଞ୍ଚଳର ଲୋକମାନେ ଅପେକ୍ଷା କରିଥାନ୍ତି ବର୍ଷର ଏଇ ସମୟକୁ, ନିଜ ନିଜ ଘର ପାଇଁ ଘରକରଣା ଜିନିଷପତ୍ର କିଣାକିଣି କରିବାକୁ । ତେଣୁ ଭିଡ଼ ଜମିବା ତ ସ୍ଵାଭାବିକ ! ସେହି ଭିଡ଼ ଭିତରେ ପଶି ଲୋକ ଆଡ଼େଇ ଆଡ଼େଇ ଚାଲିଲୁ ବିଭିନ୍ନ ମଠ ବୁଲିବାକୁ । ପଶ୍ଚିମାଞ୍ଚଳ ପାଇଁ ଲତା ଆଶ୍ରମ, ଦକ୍ଷିଣାଞ୍ଚଳ ପାଇଁ ଜଟିଆ ବାବା ମଠ, ଉତ୍ତରାଞ୍ଚଳ ପାଇଁ ଶାମୁକା କୂଅ ନିକଟସ୍ଥ ମଠ ମାନଙ୍କ ଭିତରକୁ ଯାଇ ଦେଖେଁ ତ କେଉଁଠି ହେଲେ ଟିକେ ବସି ପଡ଼ିବା ପାଇଁ ଥାନ ନାହିଁ । ସବୁଯାକ ବାହାରୁ ଆସୁଥିବା ଭକ୍ତମାନଙ୍କ ଦ୍ଵାରା ଅଧିକୃତ । ବଡ଼ମଠ ପରିସର ଥିବା ଗୋଟିଏ ବଡ଼ ହଲ୍’ରେ ବସିଛି ମହିମା ସମାଜର ବାର୍ଷିକ ସମ୍ମିଳନୀ । ସେଇଠି ଆସନ୍ତା ବର୍ଷ ପାଇଁ ଚୟନ ହେବେ କର୍ମକର୍ତ୍ତା । କିଛି ସମୟ ସେଇଠି ଅଟକି ଯାଇ ମହିମା ସନ୍ୟାସୀମାନଙ୍କ ଦ୍ଵାରା ରୋପଣ କରା ଯାଇଥିବା ବିଭିନ୍ନ ଔଷଧୀୟ ବୃକ୍ଷ, ସୁସ୍ୱାଦୁ ଫଳଗଛ ଓ କୁମ୍ଭୀ ବୃକ୍ଷ ଦେଖିବାକୁ ମିଳିଲା ।
ଦିନ ତମାମ ବୁଲାବୁଲି କରି ମଧ୍ୟ କ୍ଳାନ୍ତି ବୋଧ ହେଉନଥିଲା, କାରଣ ପାଗ ଥିଲା ଅନୁକୂଳ । ବସନ୍ତ ପବନ ଥିଲା, ସୁଗନ୍ଧି ଚହଟୁ ଥିଲା ମଠ ଭିତରେ ଥିବା ଗଛଲତା ମାନଙ୍କରୁ । ମଠ ଭିତରେ ଭକ୍ତମାନଙ୍କ ଖିଆପିଆ ବି ଚାଲିଥାଏ, ତଳେ ଝଣ କୁଟା ଆସନ, ଖାଇବା ପାଇଁ ଶାଳପତ୍ର, ପତ୍ର ଦନା, ଠୋଲା, ଯାହା ଅତୀତରେ ଗାଁରେ ଦେଖିଛି। ଏତେ ବର୍ଷ ପରେ ବି ପରିବର୍ତ୍ତନ ହୋଇନାହିଁ ! ଯିଏ ତ୍ୟାଗୀ, ସନ୍ୟାସୀ ଏବଂ ଜଗତ ଉଦ୍ଧାର ପାଇଁ ନର୍କ ମଧ୍ୟ ଆଦରି ନେଇପାରେ ତା ପାଖରେ ଖାଦ୍ୟପେୟ ତ ତୁଚ୍ଛ !! ଯେଉଁମାନେ ସେମାନଙ୍କ ପିଲାକୁ ପୂର୍ବରୁ #ଅଲେଖଙ୍କ ନାମରେ ଟେକି ଦେଇଥିଲେ (ବନ୍ଧା ପଡ଼ିଥିଲେ), ସେମାନେ ସେଠାରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲଣ୍ଡା କରାଉଥାନ୍ତି ପିଲାକୁ, ମୁକୁଳାଇ ନେଉଥାନ୍ତି ଭବିଷ୍ୟତରେ ଗାର୍ହସ୍ଥ୍ୟ ଧର୍ମ ପାଳନ ସକାଶେ ଯୋଗ୍ୟତା ହାସଲ ପାଇଁ ! !
ଏଇମିତି ଦ୍ଵିତୀୟ ଦିନଟି ସମ୍ପୂର୍ଣ୍ଣ ବୁଲାବୁଲି ପରେ ସୂର୍ଯ୍ୟାସ୍ତ କାଳରେ ଶୂନ୍ୟ ମନ୍ଦିର ହତାକୁ ପଶିଗଲୁ । ଶ୍ରଦ୍ଧାଳୁମାନଙ୍କ ପ୍ରବେଶ, ପ୍ରସ୍ଥାନ ଅବିରାମ ଗତିରେ ଚାଲିଥାଏ । ବେଢ଼ାର ଗୋଟିଏ କଣକୁ ଚାଲି ଯାଇ ବସିପଡ଼ିଲୁ ଯେଉଁଠି ଅଳ୍ପ କିଛି ଯାତ୍ରୀ ସୁଯୋଗ ଦେଖି ବସିପଡ଼ିଥିଲେ । ସୂର୍ଯ୍ୟ ବୁଡ଼ିଗଲେ । ଏକ ବୃହତ ପିତଳ ଘଣ୍ଟା ପିଟା ଶବ୍ଦ ଭାସି ଆସୁଥିଲା । ପ୍ରବଳ ଜନସମାଗମ ମଧ୍ୟରେ ଆରମ୍ଭ ହୋଇଗଲା ଦୀପ ଝାଡ଼ ପ୍ରଜ୍ବଳନ । ଗତ ଦିବସର ସେହି ନୀତିକାନ୍ତି । ସବୁ ଝାଡ଼ ଜଳି ଉଠିଲା ଘୃତାହୂତି ମାଧ୍ୟମରେ । ଆକାଶକୁ ଉଠିଲା ଧୂମ କୁଣ୍ଡଳୀ । ବଡ଼ ପାଟିରେ ସମ୍ମିଳିତ ସ୍ଵରରେ ଭାସି ଆସୁଥିଲା – “ମହିମା ଅଲେଖ ଶରଣ” । ରାତି ହେଉଥାଏ ଯେତେ ଅଧିକ, ସେତିକି ବଢ଼ୁଥାଏ ଗହଳି । ସେଇଠି ବସି ବସି ଏମିତି ଅପୂର୍ବ ଦୃଶ୍ୟ ଦେଖି ଆତ୍ମହରା ହୋଇ ଉଠିଲି । ଆପଣାଛାଏଁ ଉପରକୁ ଉଠିଗଲା ଦୁଇ ହାତ ଆଉ ଉଚ୍ଚ ସ୍ବରରେ କହିଉଠିଲି – “ମହିମା ଅଲେଖ ଶରଣ”! ଆଖିରେ ଆଖିଏ ଲୁହ, ଆନନ୍ଦର ଅଶ୍ରୁ ! ରାତି ପ୍ରାୟ ଏଗାରଟା ବେଳକୁ ବେଢ଼ାରୁ ଦକ୍ଷିଣ ଦ୍ଵାର ଦେଇ ବାହାରି ଆସିଲୁ ।
ମହିମା ମେଳା ଶେଷରାତିର ବିଶ୍ରାମ ପରେ ସକାଳୁ ସରକାରୀ ସ୍ପେଶାଲ ବସ୍ ଯୋଗେ ଫେରି ଆସିଲୁ ନିଜ ଘରକୁ । ବିଶ୍ଵମଙ୍ଗଳ ପାଇଁ ମହିମା ସନ୍ୟାସୀମାନଙ୍କ ଆକୁଳ ନିବେଦନ ଓ ଶୂନ୍ୟ ମନ୍ଦିରକୁ ଚାହିଁ ପ୍ରଣାମ ଜଣାଇ ମହିମା ଗାଦି ଯୋରନ୍ଦାରୁ ପ୍ରସ୍ଥାନ କଲୁ । କାନରେ କିନ୍ତୁ ଗୁଞ୍ଜରିତ ହେଉଥିଲା —
“ତୁ ଯେବେ ଅଲେଖ କରିବୁ ନିରେଖ
ବିପତ୍ତିରେ ଅପଯଶ,
ଏ ତିନି ବ୍ରହ୍ମାଣ୍ଡେ ପୃଥ୍ବୀ ନବଖଣ୍ଡେ
କାହିଁ ନୋହିବ ମୋ ବାସ ।
ହୋଇ ଏତେ ସରି ଜୀଇଛି ନମରି
ବୋଝର ଉପରେ ଭାର,
ଏଥିରୁ ଅଧିକ ଭୋ ଗୁରୁ ଅଲେଖ !
କି କରିବୁ ଆଉ କର ।”
© Niranjan Sahu
Joranda Mela, Alekh Mahima,
Mahima Gadi, Jhadadipa, Mahima Utsav,
Mahima Mela, Dhenkanal
ସମଗ୍ର ଭାରତବର୍ଷରେ ଏହି ମେଳା ଅନନ୍ୟ । ମହିମା ଧର୍ମର ଆରମ୍ଭ ତ ଆମରି ଓଡିଶା ଭୂଖଣ୍ଡରୁ ।