ଲେଖା: ଶିଶିର ସାହୁ ମନୋଜ
ପ୍ରାୟତଃ ଓଡ଼ିଆ ଲୋକଙ୍କ ମନରେ ଏହି ଦ୍ଵନ୍ଦ ରହୁଥିବା ଦେଖାଯାଏ ଯେ, ‛ମଧ୍ଯ’ ଓ ‛ମଧ୍ୟ’ ସମାନ କି ନା ଭିନ୍ନ ଅର୍ଥବୋଧକ ଅଟେ ? ଏ ଉଭୟ ଶବ୍ଦ ମଧ୍ୟରେ କିଛି ପ୍ରଭେଦ, ପାର୍ଥକ୍ୟ ରହିଛି କି ?
କହିଲା ଵେଳେ ତ ‛ମଧ୍ୟ’ ଓ ‛ମଧ୍ଯ’ ଭିତରେ ସେମିତି କୌଣସି ପାର୍ଥକ୍ୟ ଦୃଶ୍ୟ ହୁଏ ନାହିଁ କିନ୍ତୁ ଗୁଗୁଲଇଣ୍ଡିକ ଓ ଜିବୋର୍ଡ ପରି ଵର୍ଣ୍ଣଫଳକରେ ଲେଖିଲା ଵେଳେ;
ସାଧାରଣତଃ ‛ଧ୍’ ରେ ଅଵର୍ଗ୍ୟ ‛ଯ’ ଯୋଡି଼ଲେ ତାହା ଧ୍ଯ ହୋଇଣ ମଧ୍ଯ ରୂପ ହୁଏ
(ଉ→ମଧ୍ + ଯ = ମଧ୍ଯ),
ଏବଂ ‛ଧ୍’ ରେ ‛ୟ’ ଯୋଡି଼ଦେଲେ ତାହା ‛ଧ୍ୟ’ ରେ ପରିଣତ ହୋଇ
ମଧ୍ୟ ହୁଏ (ଉ→ମଧ୍ + ୟ = ମଧ୍ୟ) !
ତେବେ ଆମର ମୂଳ ପ୍ରଶ୍ନର ଏବେ ଵି ସମାଧାନ ହୋଇନାହିଁ ଏବଂ ସେତେବେଳ ଯାଏଁ ହେବ ନାହିଁ ଯେତେବେଳ ଯାଏଁ ଆମେ ଏ ଉଭୟ ଶବ୍ଦର ଵ୍ୟଵହାର ଓ ଅର୍ଥ ଵିଷୟର ଅନୁଧ୍ୟାନ କରିନାହେଁ !
ଓଡ଼ିଆ ଭାଷାରେ ସାଧାରଣତଃ ମଧ୍ୟ ଶବ୍ଦକୁ ମଝି ଅର୍ଥରେ ଵ୍ୟଵହାର କରାଯାଉଥିବାର ଦେଖାଯାଏ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଓ ମଧ୍ଯ ଶବ୍ଦକୁ ଗୋଟିଏ ହିଁ କୁହାଯାଇଛି ଅର୍ଥାତ୍ ମଧ୍ୟ ଅର୍ଥରେ ମଧ୍ଯ ଵି ଲେଖାଯାଇପାରେ । କିନ୍ତୁ ଓଡ଼ିଆ ଭାଷାରେ ପ୍ରକୃତରେ ଦେଖିବାକୁ ଗଲେ ମଧ୍ୟ ଓ ମଧ୍ଯ ଗୋଟାଏ ଶବ୍ଦ ନୁହେଁ !
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଵା ମଧ୍ଯକୁ ଏକ ସଂସ୍କୃତ ଵିଶେଷ୍ୟ ଶବ୍ଦ ଭାବେ ଅଵତାରଣା କରାଯାଇଛି ଯାହାର ନୈରୁକ୍ତି
→ ମନ୍ ଧାତୁ + କର୍ମ ଅ; ନିପାତନ;
କିମ୍ୱା
→ ମ = ସୌନ୍ଦର୍ଯ୍ୟ +ଧା ଧାତୁ = ଧାରଣ କରିବା+କର୍ତ୍ତୃ ଅ; ନିପାତନ କୁହାଯାଇଛି ।
ଏହି ସଂସ୍କୃତ ଵିଶେଷ୍ୟ ମଧ୍ୟ ଵା ମଧ୍ଯ ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ୟଵହାର ଅଛି,
୧. ଅଣ୍ଟା; କଟିଦେଶ
୨. ମଝି; ଦୁଇ ଶେଷ ଭାଗର ମଧ୍ୟସ୍ଥଳ
୩. ଭିତର; ଅଭ୍ୟନ୍ତର; ଅନ୍ତର୍ଦେଶ
୪. ଅନ୍ତରାଳ
୫. ବିଶ୍ରାମ; ବିରାମ
୬. ସଂଗୀତର ତାଳ ବିଶେଷ
୭. ସଂଖ୍ୟା ବିଶେଷ; ଏକରେ ୧୬ଟା ଶୂନ୍ୟ ଦେଲେ ହେବା ସଂଖ୍ୟା (Ten thousand trillions)
୮. ନୃତ୍ୟ ବିଶେଷ; ଖେମଟା ନାଚ
୯. ଗ୍ରହର ଗତି ବିଶେଷ —୯.
୧୦. ହାତର ମଝି ଆଙ୍ଗୁଠି(ମଧ୍ଯମା)
୧୧. ପଶ୍ଚିମ ଦିଗ
୧୨. ସୂଶ୍ରୁତ ମତେ ୧୬: ବର୍ଷଠାରୁ ୭ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମନୁଷ୍ୟର ଅବସ୍ଥା
୧୩. ଭେଦ
ବିଶେଷଣ ଭାବରେ ସଂସ୍କୃତ “ମଧ୍ଯ ଵା ମଧ୍ୟ” ଶବ୍ଦର ଅର୍ଥ
୧. ଅନ୍ତର୍ବତ୍ତୀ
୨. ଉପଯୁକ୍ତ; ନ୍ୟାଯ୍ୟ
୩. ଅଭ୍ୟନ୍ତରସ୍ଥ
୪. ମଧ୍ୟମ
୫. ମଧ୍ୟବର୍ତ୍ତୀ
୬. ଅଧମ
କିନ୍ତୁ ସଂସ୍କୃତ ମଧ୍ୟ ଵା ମଧ୍ଯ ଶବ୍ଦ ର ଏତେ ସବୁ ଅର୍ଥ ଭିତରେ କେଉଁଠି ହେଲେ ‘ଓ, ଵି,ଏବଂ’ ଆଦି ଅର୍ଥ ଵହନ କରୁଥିବା ଓଡ଼ିଆ ‛ମଧ୍ଯ’ ଶବ୍ଦ ର ଅର୍ଥ ସହ ମେଳ ଖାଉନାହିଁ !
ପ୍ରକୃତରେ ଓଡ଼ିଆ ଭାଷାରେ ଏହି ମଧ୍ଯ ହେଉଛି ଏକ ଦେଶଜ ଅବ୍ୟୟ ଏବଂ ଏହାର ଭାଷାକୋଷ ଅନୁସାରେ ତିନୋଟି ଅର୍ଥରେ ଵ୍ୟଵହାର ହୋଇଥାଏ, ଯେପରି କି,
୧. ଅପିଚ; ପୁନଶ୍ଚ, ଆହୁରି,ପୁଣି, ଆଉଥରେ
୨. କିନ୍ତୁ, ହେଲେ,
୩ ଏବଂ, ଓ
ଆଜିକାଲି ଅର୍ଥଗତ ଦ୍ଵନ୍ଦ ରୁ ରକ୍ଷା ହେତୁରୁ ଉଭୟ ଦେଶଜ ଓ ସଂସ୍କୃତ ଶବ୍ଦ ମଧ୍ୟ ଏବଂ ମଧ୍ଯ ଭିତରେ ଭେଦ ରଖି ସାଧାରଣତଃ ଭିତରେ, ମଝିରେ ଆଦି ଅର୍ଥରେ ସଂସ୍କୃତ ‛ମଧ୍ୟ’ ଶବ୍ଦ ତଥା ଓଡ଼ିଆ ଅଵ୍ୟୟ ଶବ୍ଦର ଵ୍ୟଵହାର କାଳରେ ‛ମଧ୍ଯ’ ଲେଖାଯାଇଥାଏ !
ଉଭୟ ଶବ୍ଦର ଉଚ୍ଚାରଣର ସୁକ୍ଷ୍ମଦିଗକୁ ଅନୁଧ୍ୟାନ କଲେ ଵି ଆମେ ଜାଣିପାରିବା ଯେ ମଧ୍ୟ (ମଧ୍+ୟ)କୁ ସାଧାରଣତଃ Madhya” କରାଯାଉଥିବା ଵେଳେ ମଧ୍ଯ (ମଧ୍+ଯ) ଶବ୍ଦ ଉଚ୍ଚାରଣ କଲାବେଳେ “madhh” ପରି ଉଚ୍ଚାରଣ କରାଯାଇଥାଏ !
ଓଡ଼ିଆ ଭାଷାର ମଧ୍ଯ ଏକ ଅଵ୍ୟୟ ଶବ୍ଦ ହୋଇଥିବା ହେତୁ ବହୁତ ସମ୍ଭବ ଗୁଗୁଲ ଵର୍ଣ୍ଣଫଳକରେ ମଧ୍+ଯ ଲେଖାଯାଇ ମଧ୍ଯ ଶବ୍ଦ ଲେଖିହୁଏ ଏଠାରେ ଅଵର୍ଗ୍ୟ ଯ ଟି କେଵଳ ଓଡ଼ିଆ ଭାଷାରେ ହିଁ ଅଛି ଯାହା ଏହାର ଓଡ଼ିଆତ୍ଵକୁ ପ୍ରକଟିତ କରେ ଯାହା ସଂସ୍କୃତ ମଧ୍ୟ ଶବ୍ଦ ଭିତରେ ଦୃଶ୍ୟ ହୁଏ ନାହିଁ !
© ଶବ୍ଦଭେଦ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…