ସୌରଭିତ ସୃଷ୍ଟି: କଵିଵର ରାଧାନାଥ ରାୟ
୧୮୮୭ ମସିହାରେ କଵିଵର ରାଧାନାଥ ରାୟ ରଚିଥିଲେ ଭ୍ରମଣକାରୀର ପତ୍ର ! ‘ନବସମ୍ବାଦ’ରେ ତାଳଚେର, ବାମଣ୍ଡା, ପାଲଲହଡା, କେନ୍ଦୁଝର ଆଦି ସ୍ଥାନ ପରିଦର୍ଶନ ଜନିତ ଅନୁଭୂତିକୁ ପ୍ରକାଶ କରିଥିଲେ, ଏହି ଭ୍ରମଣକାରୀର ପତ୍ର ପ୍ରବନ୍ଧକୁ ଓଡ଼ିଆ ଭାଷାର ପ୍ରଥମ ଭ୍ରମଣ ରଚନା ବୋଲି ଗ୍ରହଣ କରାଯାଏ !
~ ଭ୍ରମଣକାରୀର ପତ୍ର ~
#ରୋହିଲା‘ରୁ ପ୍ରାୟ ଦୁଇକୋଶ ଯାଇ ଆମ୍ଭେମାନେ ବାମଣ୍ଡା ରାଜ୍ୟରେ ପ୍ରଵିଷ୍ଟ ହେଲୁ । ଅରଣ୍ୟରେ କେତେଦୂର ଯାଇଁ ସର୍ଵ ପ୍ରଥମରେ #ବ୍ରାହ୍ମଣୀ ତୀରଵର୍ତ୍ତୀ #ଜୁଆଳିବନ୍ଧା ଗ୍ରାମ ଦେଖୁ । ଏ ଗ୍ରାମଟି ଅତି କ୍ଷୁଦ୍ର, ମାତ୍ର ଅତି ପରିଷ୍କୃତ, ଗ୍ରାମରେ ପ୍ରତ୍ୟେକ ଦାଣ୍ଡ ଏଵଂ ଗଳିମାନଙ୍କରେ ସଡ଼କ ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟାନ୍ବିତ ହେଲୁ । ଜୁଆଳିବନ୍ଧାରୁ ନଈକୂଳକୁ ଯିଵାକୁ ପ୍ରାୟ ଏକଘଣ୍ଟା ସମୟ ଲାଗିଵ ।
ନଈକୂଳ ବ୍ରାହ୍ମଣୀ ତୀରଵର୍ତ୍ତୀ ଗୋଟିଏ ପ୍ରଧାନ ସ୍ଥାନ । ଗୋଟିଏ କ୍ଷୁଦ୍ର ସହର ପ୍ରାୟ ବୋଧ ହେଲା । ଏଠାରେ ଥାନା, ସ୍କୁଲ, ଗୋଦାମ ଏଵଂ ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟାଳୟ ଅଛି । ନଦୀର ସମାନ୍ତରାଳ ହୋଇ ଗୋଟିଏ ସଡ଼କ ଗ୍ରାମକୁ ଦୁଇ ଭାଗରେ ଵିଭକ୍ତ କରିଅଛି । ପୂର୍ଵୋକ୍ତ #ରେଙ୍ଗାଳି ସଡ଼କ ଏହି ସଡ଼କରେ ସଂଯୁକ୍ତ ହୋଇଅଛି ଏବଂ ଏହି ସଡ଼କ ନାନା ଗ୍ରାମ ଓ ଅରଣ୍ୟ ଭେଦକରି #ବାମଣ୍ଡା ରାଜଧାନୀ #ଦେଵଗଡ଼ ପର୍ଯ୍ୟନ୍ତ ଵିସ୍ତୃତ ହୋଇଅଛି । ସ୍ଥାନଟି ଅତି ପରିଷ୍କୃତ, ଵିଶେଷତଃ ଲୋକମାନେ ଏହାକୁ ପରିଷ୍କୃତ ରଖିଵା ଵିଷୟରେ ଅଭ୍ୟସ୍ତ ହୋଇଥିଵାର ସମ୍ପୂର୍ଣ୍ଣ ପରିଚୟ ମିଳିଲା । ପ୍ରାତଃକାଳରେ ଆମ୍ଭେମାନେ ନଈକୂଳ ପରିତ୍ୟାଗ କରି #ଗୋଗୁଆ‘ରେ ଉପସ୍ଥିତ ହେଲୁ ।
ଗୋଗୁଆ ବ୍ରାହ୍ମଣୀ ତୀରଵର୍ତ୍ତୀ ଗୋଟିଏ ପ୍ରଧାନ ପଲ୍ଲୀ ଏବଂ ପୂର୍ଵୋକ୍ତ ପ୍ରଧାନ ସଡ଼କଦ୍ବାରା ଦ୍ଵିଧା ଵିଭକ୍ତ । ଏଠାରେ ଗୋଟିଏ ଵୃହତ୍ ଗୋଦାମ ଏଵଂ ଗୋଟିଏ ଵିଦ୍ୟାଳୟ ମଧ୍ୟ ଅଛି । ପଥିକମାନଙ୍କ ଅଵସ୍ଥାନ ନିମନ୍ତେ ଭତ୍ତମ ଗୃହ ମଧ୍ୟ ଅଛି । ଗୋଗୁଆରୁ #ଗାଙ୍ଗନାଳ ପ୍ରାୟ ଓଳିକର ବାଟ । #ସମ୍ବଲପୁର‘ରୁ #ମେଦିନୀପୁର ପର୍ଯ୍ୟନ୍ତ ଵିସ୍ତୃତ ପ୍ରାଚୀନ ସାମରିକ ସଡ଼କ ପାର୍ଶ୍ବରେ ଗାଙ୍ଗନାଳ ଅଵସ୍ଥିତ । ପଥକମାନଙ୍କର ରହିଵା ସକାଶେ ଏଠାରେ ପଟାର ମଞ୍ଚ ଏବଂ ଅନ୍ୟାନ୍ୟ ଗୃହାଦି ଅଛି । ଗୋଟିଏ ଗିରିନଦୀ ପ୍ରଵାହିତ ହୋଇ ସ୍ଥାନକୁ ଵାସଯୋଗ୍ୟ କରାଇଅଛି । ବାମଣ୍ଡାର ଅନ୍ୟାନ୍ୟ ଗ୍ରାମ ପରି ଏଠାରେ ମଧ୍ୟ ସଡ଼କର ଅଭାଵ ନାହିଁ ଏଵଂ ଲୋକମାନେ ଅତ୍ୟାଚାର ଵ୍ୟତୀତ ମ୍ୟୁନିସିପାଲିଟିର ସମସ୍ତ ସୁଵିଧା ଉପଭୋଗ କରୁଥିଵାର ବୋଧହେଲା । ବାମଣ୍ଡା ଗାଙ୍ଗନାଳରୁ ଆମ୍ଭେମାନେ ପ୍ରାୟ ତିନି କ୍ରୋଶ ଯାଇ ଗିରିନଦୀ ତୀରଵର୍ତ୍ତୀ #ସୁଗଡ଼ା ଗ୍ରାମରେ ଉପସ୍ଥିତ ହେଲୁ ।
ସୁଗଡ଼ା ଗୋଟିଏ ସମୃଦ୍ଧିଶାଳୀ ପଲ୍ଲୀ, ଏହି ସ୍ଥାନରୁ ଦେଵଗଡ଼ ତିନି କ୍ରୋଶରୁ ଅଧିକ ନୁହେଁ । ସୁଗଡ଼ାରେ ଆହାରାଦି କରି ଅମ୍ଭେମାନେ #ଵାସୁଦେଵପୁର ଶାସନ ଦେଖିଵା ଉଦ୍ଦେଶ୍ୟରେ ସଡ଼କ ପରିତ୍ୟାଗପୂର୍ଵକ ପଶ୍ଚିମାଭିମୁଖ ହେଲୁ । ଵାସୁଦେଵପୁର ଶାସନ ବାମଣ୍ଡାର ଵର୍ତ୍ତମାନ ମହାରାଜାଙ୍କ କର୍ତ୍ତୃକ ସ୍ଥାପିତ ଏଵଂ ତାହାଙ୍କ ନାମାନୁସାରେ ନାମିତ । ଗ୍ରାମ ମଧ୍ୟରେ ପ୍ରଵେଶ କରି ଗ୍ରାମର ସୁଵ୍ୟଵସ୍ଥା ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟାନ୍ବିତ ହେଲୁ । ମଝିରେ ପ୍ରଶସ୍ତ ସଡ଼କ ଏବଂ ଉଭୟ ପାର୍ଶ୍ଵରେ ସାହେବମାନଙ୍କ ବଙ୍ଗଳା ପରି ଏକାକୃତି ଓ ଏକାଵୟଵଵିଶିଷ୍ଟ ଖଡ଼ିମାଟିଧୌତ ମାଟିର ବଙ୍ଗଳାମାନ ଶ୍ରେଣୀଵଦ୍ଧ ହୋଇ ରହିଛି । ଗ୍ରାମର ଅନତିଦୂରରେ ଵନ କର୍ତ୍ତିତ ହୋଇ ହସ୍ତୀଦ୍ଵାରା ପ୍ରଚୁର ଭୂମି ଆଵାଦ ହୋଇ ଅଛି । ଏହି ଭୂମି ବ୍ରାହ୍ମଣମାନେ ଵୃତ୍ତିସ୍ବରୂପ ପାଇଅଛନ୍ତି । ଅନାବୃଷ୍ଟି ଭୟରୁ ମଧ୍ୟ ବ୍ରାହ୍ମଣମାନେ ସୁରକ୍ଷିତ । ଗ୍ରାମର ଉତ୍ତରରେ ଗୋଟିଏ ଉଚ୍ଚ ସେତୁଦ୍ବାରା #ସ୍ଵଗିରିନଦୀ‘ର ଜଳ ସଞ୍ଚୟ ହୋଇ ପ୍ରାୟ ଅର୍ଦ୍ଧକୋଶଵ୍ୟାପି ଗୋଟିଏ ଵୃହତ୍ ହ୍ରଦରୂପେ ପରିଣତ ହୋଇଅଛି । ଶୁଣି ଅତ୍ୟନ୍ତ ଦୁଃଖିତ ହେଲି ଯେ, ଏହି ବ୍ରାହ୍ମଣମାନେ ଏତେ ସୁଵିଧା ପାଇ ସୁଦ୍ଧା ଵିଦ୍ୟା ଅଧ୍ୟୟନ ଵିଷୟରେ ଆଶାନୁରୂପ ମନୋଯୋଗୀ ହୋଇନାହାନ୍ତି। ଵାସୁଦେଵପୁର ଶାସନ ଦର୍ଶନ ଉତ୍ତାରୁ ଆମ୍ଭେମାନେ ଅରଣ୍ୟମାର୍ଗରେ ଯାଇ ପୂର୍ଵୋକ୍ତ ପ୍ରଧାନ ସଡ଼କରେ ଉପସ୍ଥିତ ହେଲୁ ।
ଦେଵଗଡ଼ ଅତି ସୁନ୍ଦର, ପରିଷ୍କୃତ, କ୍ଷୁଦ୍ର ନଗର, ଉତ୍ତରରୁ ଦକ୍ଷିଣକୁ ପ୍ରସାରିତ । ସଡ଼କମାନ ସୁସଂସ୍କୃତ ଅଵସ୍ଥାରେ ପରିରକ୍ଷିତ ଏଵଂ ସମାନ୍ତରାଳ ପଯୁଃପ୍ରଣାଳୀଦ୍ୱାରା ପରିଶୋଭିତ । ଉତ୍ତର ପାର୍ଶ୍ଵରେ ଶ୍ୟାମାଙ୍ଗ #ପ୍ରଧାନପାଟ ଶୈଳ-ପ୍ରାଚୀର ପ୍ରାୟ ଦଣ୍ଡାୟମାନ, ଵକ୍ଷ ସ୍ଥଳରେ ସ୍ୱଚ୍ଛ ପ୍ରପାତ କୌସ୍ତୁଭମଣି’ ପ୍ରାୟ ଶୋଭା ପାଉଅଛି ।
ଉପସ୍ଥାପନା: ଶିଶିର ସାହୁ ମନୋଜ
ରାଧାନାଥ ରାୟ ଥିଲେ ଓଡ଼ିଆ ସାହିତ୍ୟରେ ବହୁ ବିଭାଗର ପ୍ରମୁଖ ଆଦ୍ୟକାର । ତାଙ୍କ ଆତ୍ମଜୀବନୀ ଯଦିଓ ସମ୍ପୂର୍ଣ୍ଣ ନୁହେଁ , ତଥାପି ଏହା ପ୍ରଥମ ବୋଲି ଧରାଯାଏ ।