ଲେଖା: ଶ୍ରୀକାନ୍ତ ସିଂହ
ଭୁବନର ଅଧିଶ୍ୱର “ଭୁବନେଶ୍ୱର” ସୃଷ୍ଟି ସ୍ଥିତି ଓ ପ୍ରଳୟର ସର୍ବ ନିଅନ୍ତା ତଥା ଭୂତ ଭବିଷ୍ୟ ଓ ବର୍ତ୍ତମାନର ମୂଳ କାରଣ l
ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନ ଜଗତସିଂହପୁର ନିକଟରେ ବିଲୁଆଖାଇ ନଦୀଗର୍ଭରେ ଅନନ୍ୟ ଏକ ପ୍ରାଚୀନ ଶୈବପୀଠ ହେଉଛି ଭୁବନେଶ୍ୱର ମହାଦେବ ମନ୍ଦିର (Bhubaneswar Mahadev Temple) l
ପତ୍ନତାତ୍ଵିକ ଦୃଷ୍ଟିକୋଣରୁ ଏହି ମନ୍ଦିରଟି ବହୁ ପ୍ରାଚୀନ l ଏହାର ନିର୍ମାଣକର୍ତ୍ତା କିଏ ତାହାର କୌଣସି ସୂଚନା ପ୍ରାପ୍ତ କରିପାରି ନ ଥିଲେ ବି ପୁରୋହିତଙ୍କ କହିବାନୁସାରେ ଭୁବନେଶ୍ୱର ମହାଦେବ ମନ୍ଦିର ଏଗାର ଶହ ବର୍ଷରୁ ଅଧିକ ପୁରୁଣା ହେବ ବୋଲି ପତ୍ନତତ୍ତ୍ୱ ବିଭାଗର କର୍ମକର୍ତ୍ତାମାନେ କୁହନ୍ତି l
ମନ୍ଦିରଟି ଶାନ୍ତ ଶୀତଳ ତଥା ବୃକ୍ଷଲତା ପରିବେଷ୍ଟିତ ବିଲୁଆଖାଇ ନଦୀଗର୍ଭରେ ଅବସ୍ଥିତ l ସ୍ଥାନଟି ଭଗବତୀ ପୀଠ ନାମରେ ସ୍ଥାନୀୟ ଲୋକଙ୍କ ପାଖରେ ଅଧିକ ପରିଚିତ l ଏହି ଠାରେ ଜଗଦ୍ଧାତ୍ରୀ ଭଗବତୀଙ୍କର ଏକ ଛୋଟିଆ ମନ୍ଦିରଟିଏ ବି ରହିଛି । ଏ ମନ୍ଦିର ଆଧୁନିକ ଶୈଳୀରେ ନିର୍ମିତ ହୋଇଥିଲେ ବି ମା’ଙ୍କ ମୂର୍ତ୍ତିଟି ବହୁ ପ୍ରାଚୀନ ଓ ଦିବ୍ୟ l
ଭୁବନେଶ୍ୱର ମହାଦେବ ମନ୍ଦିର କଳା ପଥରରେ ନିର୍ମିତ ହୋଇଥିବାବେଳେ, ଗର୍ଭଗୃହସ୍ଥ ଶିବଲିଙ୍ଗଟି ମୁଗୁନି ପଥରରେ ନିର୍ମିତ ହୋଇଥିବା ଜଣାପଡ଼େ l ଏଠାରେ ଜଗମୋହନ ଓ ନାଟମଣ୍ଡପ ନାହିଁ l ମନ୍ଦିରର ମୁଖ୍ୟ ବିମାନ କେବଳ ରହିଛି l ମନ୍ଦିର ପାର୍ଶ୍ୱରେ ମହିଷାମର୍ଦ୍ଦିନୀ ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ବତୀ, ଗଣେଶ, କାର୍ତ୍ତିକେୟ ତଥା ନୃତ୍ୟରତା ନର୍ତ୍ତକୀଙ୍କ ମୂର୍ତ୍ତି ମଧ୍ୟ ଖୋଦିତ ହୋଇଛି l
ଏହି ମନ୍ଦିରର ବିଶେଷତ୍ୱ ହେଲା ଏଠାରେ ଭଗବାନ ଶିବଙ୍କର ଭୁବନମୋହନ ରୂପ ଦେଖିବାକୁ ମିଳେ, ଅର୍ଥାତ ଅବସର ବିନୋଦନ କାଳୀନ ବୀଣାବାଦନରତ ହର ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦେଖିବାକୁ ପାଇପାରିବେ l ମନ୍ଦିରର ସମ୍ମୁଖ ଭାଗରେ ଥିବା ରାହୁମୁଖ ତଳେ ଏହି ଦିବ୍ୟ ମୂର୍ତ୍ତିଟି ଖୋଦିତ ହୋଇଥିବା ଦେଖାଯାଏ l ଠିକ ଏହାରି ତଳକୁ ଗାୟତ୍ରୀଙ୍କ ଏକ ଛୋଟିଆ ମୂର୍ତ୍ତି ବି ରହିଛି l
ଭୁବନେଶ୍ୱର ମହାଦେବ ମନ୍ଦିରର ଉଚ୍ଚତା ଅତିବେଶୀରେ ଦଶ ଏଗାର ଫୁଟ ହେବ l ମାତ୍ର ଭୂମି ପତନ ଠାରୁ ପାଞ୍ଚ ଛଅ ଫୁଟ ତଳେ ପଥର ପ୍ରାଚୀର ପରିବେଷ୍ଟନୀ ଭିତରେ ମନ୍ଦିରଟି ନିର୍ମିତ ହୋଇଛି l ଭୂମି ଉପରେ ଥାଇ ପ୍ରାଚେରୀ ପରିବେଷ୍ଟିତ ଦେଉଳଟିକୁ ଦେଖିଲେ ତାହା ଏକ ଶିବଲିଙ୍ଗାକୃତି ପରି ଦେଖାଯାଏ l
ଏହି ମନ୍ଦିର ପାଖରେ ଆଧୁନିକ ଶୈଳୀର ଏକ ସୁନ୍ଦର ଏବଂ ସୁଉଚ୍ଚ ମନ୍ଦିର ଦେଖିପାରିବେ ଯେଉଁଠି ପ୍ରଭୁ ଶ୍ରୀରାମ ଓ ଭକ୍ତ ଶ୍ରେଷ୍ଠ ହନୁମାନ ବିରାଜମାନ କରିଛନ୍ତି l କହିବାକୁ ଗଲେ ଏହି ସ୍ଥାନଟି ଶାକ୍ତ, ଶୈବ ଓ ବୈଷ୍ଣବାଲମ୍ବୀଙ୍କ ପାଇଁ ଏକ ପ୍ରମୁଖ କ୍ଷେତ୍ର ଅଟେ l
ଏହି ସ୍ଥାନକୁ ବର୍ଷର ସବୁ ସମୟରେ ବୁଲି ଆସି ହେବ l ମାତ୍ର ବର୍ଷା ଦିନେ ନଦୀରେ ପାଣି ଆସିଲେ ମନ୍ଦିର ପରିସରଟି ଜଳାର୍ଣ୍ଣବ ହୁଏ ବୋଲି ପୁରୋହିତ କୁହନ୍ତି l
କଟକରୁ ଜଗତସିଂହପୁର ଗଲାବେଳେ, ବାଲିଆ ଛକରୁ ଡାହାଣକୁ ଚାରି କିଲୋମିଟର ପଥ ଅତିକ୍ରମ କଲାପରେ ବାଲିଆ ଗୋପୀନାଥପୁର ଗାଁରେ ଉତ୍କଳୀୟ କଳାର ଶ୍ରେଷ୍ଠ ନିଦର୍ଶନ ଏହି ପ୍ରାଚୀନ ଭୁବନେଶ୍ୱର ମହାଦେବ ମନ୍ଦିରଟିକୁ ଦେଖିପାରିବେ l
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…
~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…
~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି…