ଲେଖା: ରବୀନ୍ଦ୍ର କୁମାର ରଣା

ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀ କୂଳରେ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ ପ୍ରାଚୀନ ଭୀମନଗରୀ (Bhimanagari) ବା ଏବେକାର ନାଧରା। ଢେଙ୍କାନାଳ ବଜାରରୁ ୨୦ କିମି ଏବଂ ଗୁଡ଼ିଆକାଟେଣି ବଜାରରୁ ମାତ୍ର ୫ କିମି ଦୂରରେ ଏହି ପ୍ରାଚୀନ ଅଞ୍ଚଳଟି ଅବସ୍ଥିତ।

ଇତିହାସର ତଥ୍ଯ ଅନୁସାରେ ଦିନେ ଏହି ଭୀମନଗରୀ ଅଞ୍ଚଳଟି ସୋମବଂଶୀ, ଗଙ୍ଗବଂଶୀ, ସୂର୍ଯ୍ୟବଂଶୀ ଏବଂ ତାଳଚେର ଓ ଢେଙ୍କାନାଳ ଗଡ଼ଜାତ ରାଜ୍ୟର ରାଜାମାନଙ୍କର ପ୍ରମୁଖ ଶାସନ କେନ୍ଦ୍ର ଥିଲା। ଆଉ ମଧ୍ୟ ରସକଲ୍ଲୋଳର ରଚୟିତା ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସାଧନା ପୀଠ ଏହି ଅଞ୍ଚଳ ଥିଲା।

ଇତିହାସ କହେ ଗଙ୍ଗବଂଶୀ ରାଜା ତୃତୀୟ ଅନଙ୍ଗଭୀମଦେବ ପଶ୍ଚିମ ଓଡ଼ିଶାର ଶାସନକୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ ଏକ ଦୁର୍ଗ ନିର୍ମାଣ କରିଥିଲେ ତେଣୁ ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳ ଭୀମନଗରୀ ନାମରେ ନାମିତ। ଦ୍ଵାଦଶ ଶତାବ୍ଦୀରେ ଏହି ଗଙ୍ଗରାଜା ଏଠାରେ ପ୍ରାଚୀନ ଦୁର୍ଗ ଓ ସମ୍ପ୍ରତି ନାଧରାର ରାମଚଣ୍ଡୀମନ୍ଦିର  ନିର୍ମାଣ କରିଥିଲେ।


ନାଧରାର ରାମଚଣ୍ଡୀ ମନ୍ଦିର, କନକେଶ୍ୱରେ ମନ୍ଦିର, ରଣେଶ୍ୱର ମନ୍ଦିର ଓ ଏକଘରିଆର ଶରଣ ଶ୍ରୀକ୍ଷେତ୍ର ଏବେ ଏହି ପ୍ରାଚୀନ ଭୀମନଗରୀର ଐତିହ୍ୟ ବହନ କରୁଛନ୍ତି। ବ୍ରାହ୍ମଣୀ ନଦୀ ବନ୍ଧକୁ ଲାଗି ଏହି ପ୍ରାଚୀନ ପୀଠ ଗୁଡ଼ିକ ଥିବାରୁ ଅତୀତର ବନ୍ୟାରେ ଦୁର୍ଗ ଓ ମୂଳ ମନ୍ଦିର ଆଦି ଭଗ୍ନ। ଏବେକାର ମନ୍ଦିର ମୂଳ ମନ୍ଦିର ଉପରେ ନିର୍ମିତ କିନ୍ତୁ ଅନେକ ପ୍ରାଚୀନମୂର୍ତ୍ତି ଏବେ ମଧ୍ୟ ରହିଛି।


ନାଧରାର ରାମଚଣ୍ଡୀ ପୀଠରେ ମହିଷାମର୍ଦ୍ଧିନୀ ମା ଦୁର୍ଗା ରାମଚଣ୍ଡୀ ରୂପେ ପୂଜା ପାଉଛନ୍ତି। ଏହି ମନ୍ଦିରର ପଛପଟେ ଥିବା ବିଶାଳ ସମତଳ ଅଞ୍ଚଳରେ ଭୀମନଗରୀ ଦୁର୍ଗ ଅବସ୍ଥିତ ଥିଲା କିନ୍ତୁ ଏହା ଏବେ ସଂପୂର୍ଣ୍ଣ ଭଗ୍ନ। ଗଙ୍ଗମାନଙ୍କ ପୂର୍ବରୁ ମଧ୍ୟ ଏଠାରେ କେଶରୀ ବଂଶ ରାଜାମାନଙ୍କ ଶାସନ ଥିଲା। କର୍ଣ୍ଣ କେଶରୀ କନକେଶ୍ୱର ମନ୍ଦିର, ରଣକେଶରୀ ରଣେଶ୍ଵର ମନ୍ଦିରଚନ୍ଦ୍ରକେଶରୀ ଚାନ୍ଦପୁର ଗ୍ରାମରେ ପ୍ରସିଦ୍ଧ ହରିହର ମନ୍ଦିର ନିର୍ମାଣ କରିଥିଲେ।


ହରିହର ମନ୍ଦିରଟି ସମ୍ପୂର୍ଣ ଭଗ୍ନ କିନ୍ତୁ ହରିହରଙ୍କ ସେହି ପ୍ରାଚୀନ କମନୀୟ ମୂର୍ତ୍ତି ଏବେ ରାମଚଣ୍ଡୀ ମନ୍ଦିର ପୀଠରେ ଏକ ଆମ୍ବଗଛ ତଳେ ପଦ୍ମାକୃତି ଏକ ପିଣ୍ଡି ଉପରେ ରଖି ପୂଜା କରାଯାଉଛି। ହରିହରଙ୍କ ମୂର୍ତ୍ତିର ଦକ୍ଷିଣଭାଗ ଶିବ ଓ ବାମଭାଗ ବିଷ୍ଣୁଙ୍କ ଯୁଗଳ ମୂର୍ତ୍ତି। ମୂର୍ତ୍ତିରେ ଦକ୍ଷିଣଭାଗର ତଳେ ନନ୍ଦୀ ଓ ବାମଭାଗର ତଳେ ଗରୁଡ଼ ଶୋଭା ପାଉଛନ୍ତି। ତ୍ରିଭଙ୍ଗି ଠାଣିରେ ଠିଆ ହୋଇଥିବା ଏହି ହରିହରଙ୍କ ମୂର୍ତ୍ତି ବହୁତ ସୁନ୍ଦର। 


ଇତିହାସର ତଥ୍ଯ ଅନୁସାରେ ସମ୍ପ୍ରତି ଢେଙ୍କାନାଳରେ ଥିବା ବଳରାମ ମନ୍ଦିରର ବଳରାମଙ୍କ ମୂର୍ତି ଏକଦା ତଳମୂଳରୁ ଅଣାଯାଇ ଏହି ଭୀମନଗରୀରେ ପୂଜା କରାଯାଉଥିଲା। ତୃତୀୟ ଅନଙ୍ଗଭୀମଦେବ ଏହି ମୂର୍ତ୍ତିଙ୍କୁ ହାତୀ ପିଠିରେ ପୁରୀକୁ ନେଇଯିବା ସମୟରେ ସ୍ଵପ୍ନାଦେଶ ହେବାରୁ ସେ ଦିଅଁଙ୍କୁ ଡେଙ୍ଗିବୋରେଇ (ଅଧୁନା ବଳରାମପୁର) ଗ୍ରାମରେ ରଖିଥିଲେ। ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ଢେଙ୍କାନାଳ ରାଜା ସେଠାରୁ ବଳରାମଙ୍କ ପ୍ରାଚୀନ ମୂର୍ତ୍ତିଙ୍କୁ ନେଇ ଢେଙ୍କାନାଳର ବଳରାମ ମନ୍ଦିରରେ ସ୍ଥାପନା କରିଥିଲେ। ତେବେ ଭୀମନଗରୀରେ ୧୪୭୧ ମସିହାରେ ସୂର୍ଯ୍ୟବଂଶୀ ରାଜା ନରହରି ସିଂହ ଶାସନ କରିଥିଲେ। ଏହି ବଂଶର ନବମ ରାଜା ପଦ୍ମନାଭ ବୀରବର ହରିଚନ୍ଦନ ୧୫୯୮ରେ ଢେଙ୍କାନାଳ ରାଜାଙ୍କ ଠାରୁ ପରାସ୍ତ ହେବା ପରେ ସେ ନିଜ ରାଜଧାନୀକୁ ତାଳଚେର ଠାରେ ସ୍ଥାପନା କରିଥିଲେ। କ୍ରମେ ଭୀମନଗରୀ ଢେଙ୍କାନାଳ ରାଜାଙ୍କ ଶାସନାଧୀନ ହେଲା।


ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଅନ୍ତିମ ଜୀବନ ଏହି ଭୀମନଗରୀ ର ବ୍ରାହ୍ମଣୀ ନଦୀ କୂଳରେ ଅଧୁନା ଏକଘରିଆ ଗ୍ରାମରେ କଟିଥିଲା। ସେ ଢେଙ୍କାନାଳ ରାଜା ବଳରାମ ସାମନ୍ତସିଂହାରଙ୍କ ପୃଷ୍ଠପୋଷକତାରେ ଅନେକ ସୁନ୍ଦର କାବ୍ୟ ରଚନା କରିଥିଲେ। 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago