ଭାଇଜିଉଁତିଆ ଓଷା

ଲେଖା: ଦେଵ ତ୍ରିପାଠୀ
ଚମ୍ପାବତୀ ନଗରୀର ମହାମନ୍ତ୍ରୀ ବୀରସେନ ଓ କମଳାଙ୍କ ପୁତ୍ର ମଦନସୁନ୍ଦର ଏକଦା ଘୋଡାଚଢି ଫେରୁଥିବା ସମୟେ ତୃଷାତୁର ହୋଇ ଜଳପାନ ଆଶାରେ ରାଜଉଦ୍ୟାନରେ ପହଞ୍ଚିଲେ । ଉଦ୍ୟାନସ୍ଥ ପୋଖରୀ କୂଳରେ ରାଜଜେମା ବସି ଫୁଲଗୁନ୍ଥୁଥିବା ରାଜଜେମା ଅରୁଣାଙ୍କୁ ଦେଖି ମନ୍ତ୍ରୀପୁଅଙ୍କ ମନେ ହେଲା ସତେ ଯେମିତି ମର୍ତ୍ତ୍ୟରେ ଉଇଁଛି ସରଗର ଶଶି । ସରସୀରୁ ଜଳପାନ କରୁ କରୁ ମଦନସୁନ୍ଦର ଓ ଅରୁଣାଙ୍କ ମଧ୍ୟରେ ମନର ଆଦାନ ପ୍ରଦାନ, ପରବର୍ତ୍ତୀ ସମୟରେ ମୁଦ୍ରିକା ଓ ବରଣମାଳା ବିନିମୟ ମଧ୍ୟରେ ସ୍ଥାପିତ ହେଲା ଗୋପନ ପରିଣୟ ।
ତେବେ ରାଜଜେମାଙ୍କ ବିବାହ ସ୍ଥିର କି ରାଜା ପ୍ରସ୍ତୁତ ହେଉଥିବାବେଳେ, ମଦନସୁନ୍ଦରଙ୍କୁ ପତିରୂପେ ବରଣ କରିଥିବା କଥା ରାଜକନ୍ୟା ପ୍ରକାଶ କରନ୍ତେ ଉତକ୍ଷିପ୍ତ ରାଜା ମଦନସୁନ୍ଦରଙ୍କୁ ହତ୍ୟା ପାଇଁ ରଚିଲେ ତୀବ୍ର ଷଡଯନ୍ତ୍ର !
ରାଜଜେମା ଅରୁଣାଙ୍କ ଅପୂର୍ବ ଭକ୍ତି ଓ ଦେବୀ ଦୁର୍ଗାଙ୍କ ଆରାଧନା ମଦନସୁନ୍ଦରକୁ ବାରମ୍ବାର ମୃତ୍ୟୁ ମୁଖରୁ ରକ୍ଷା କରୁଥିଲେ ମଧ୍ୟ କୁଚକ୍ରୀ ରାଜାଙ୍କ ଆକ୍ରୋଶର ଶୀକାର ହୋଇ ସେ ବିଷଗ୍ରସ୍ତ ହୋଇପଡ଼ିଲେ ।
ଇତ୍ୟବସରରେ ମଦନସୁନ୍ଦରଙ୍କ ଭଉଣୀ ଓ ମା’ ଆରମ୍ଭ କରନ୍ତି ଦେବୀ ଦୁର୍ଗାଙ୍କ ଆରାଧନା । ଘଟ ଉପରେ ନାରିକେଳ, ଆମ୍ବପତ୍ର, ରକ୍ତଝିନ ବସ୍ତ୍ର ଓ ଉପରେ ଫୁଲ ଚନ୍ଦନ ଦେଇ ଶୁଭ ହୁଳହୁଳି କରି ଜାଗର ଜାଳି ଷୋହଳ ଉପଚାରରେ ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି । ବେଲପତ୍ର, ଫଳ, ଅଁଳା ଡ଼ାଳ, ରକ୍ତ ମନ୍ଦାର ମାଳଟିଏ ପିନ୍ଧାଇ ଫୁଲ ଓ ଦୁବରେ ବ୍ରତକାର୍ଯ୍ୟ ସମାପନ କରି ମଦନସୁନ୍ଦରଙ୍କ ମଙ୍ଗଳ କାମନା କରନ୍ତି । ଭଉଣୀ ମାଳତୀ ଭାଇର ଶୁଭ ମନାସି ପୁଷ୍ପାଞ୍ଜଳି ଦେଇ ପ୍ରାର୍ଥନା କରେ, “ଦେବୀ ମା’, ଭାଇକୁ ମୋର ସର୍ବସୁଖରେ ରଖିଥାଆ . . “
କହିବା ବାହୁଲ୍ୟ, ମା’ ଭଗବତୀଙ୍କ କରୁଣା ହିଁ ଦୂରକରେ ଭକ୍ତର ଆତଙ୍କ, ସ୍ବପ୍ନାଦେଶ ପାଇ ରାଜା ବିକ୍ରମସେଣ ଓ ପାଟ ମହାଦେଇ ମଦନାବତୀ ରାଜକନ୍ୟାଙ୍କ ସହ ମଦନସୁନ୍ଦରଙ୍କ ବିବାହ ସମାପନ କରନ୍ତି ।
ତେବେ ଏପରି କେତେ କେତେ ଲୋକକଥାକୁ ନେଇ ସେ ଓଷାଟି ପାଳନ ହୁଏ ଆମ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ସେ ଓଷାଟି ଭାଇର ମଙ୍ଗଳ କାମନା ପୂର୍ବକ ଭଉଣୀର କୁଚ୍ଛ୍ର ତପସ୍ୟା ! ଏହା କେବଳ ସମ୍ଭବ ହୁଏ ଉତ୍କଳ ଭୂମିରେ ! ଆଶ୍ୱିନର ଶୁକ୍ଳ ଅଷ୍ଟମୀର ସର୍ବମଙ୍ଗଳମୟ ତିଥିରେ ହିଁ ଭାଇର ରିଷ୍ଟ ଖଣ୍ଡନ ପାଇଁ ଏଇ ଭାଇଜିଉଁତିଆ ଓଷା ଧାରଣ କରେ ସ୍ନେହମୟୀ ଭଉଣୀ ।
ଆମ ସମାଜରେ ପ୍ରତିଷ୍ଠିତ ଏହି ପୂଜାର ବିଧି ଅନୁସାରେ ଶହେଆଠ ଅକ୍ଷତ ଦୁବରେ ପୂଜା କରି ଉପବାସ କଲେ ଭାଇର ଆୟୁଷ ୧୦୮ ବର୍ଷ ହୁଏ । ସ୍ବର୍ଣ୍ଣ କମଳ ବଦଳରେ କୁଷ୍ମାଣ୍ଡ ଫୁଲରେ ଭାଇଜିଉଁତିଆ ଓଷା ପୂଜା ସମାପନ କଲେ, ଏହା ଲକ୍ଷେ ସ୍ବର୍ଣ୍ଣ ପଦ୍ମର ଫଳ ପ୍ରାପ୍ତି ଦେଇଥାଏ । ସୀତାଫଳ ଦେଇ ପୂଜାକରିବା ବିଧି ଦ୍ଵାରା ସୀତାଙ୍କର ସ୍ମୃତି ଚାରଣ ହୁଏ । ଫଳରେ ଭାଇର ଦୁଃଖ ଓ ଚିନ୍ତା ଦୂରହୋଇ ସୁଖବୃଦ୍ଧି ହୁଏ । ନାରିକେଳ, ଚମ୍ପା, କଦଳୀ, ନଡ଼ିଆ, ସୀତାଫଳ, ଆତ, ଆଖୁ, ପାଣିକଖାରୁ ଫୁଲ, ବେଲପତ୍ର, ଦୁର୍ବାକ୍ଷ, ବରକୋଳିପତ୍ର, ଦହି, କ୍ଷୀର,ଛେନା ଆଦି ଆଠ ପ୍ରକାର ଫୁଲଫଳ ଦେଇ ଏଇ ଭାଇଜିଉଁତିଆ ଓଷା ପାଳନ କରାଯାଏ ।
କୁମାରୀ ଓ ବିବାହିତା ଭଉଣୀମାନେ ମହାଷ୍ଟମୀ ଦିନ ନିର୍ଜଳା ଉପବାସ କରିଥାନ୍ତି । ଅଷ୍ଟମୀ ସନ୍ଧ୍ୟାରେ ସ୍ନାନ ସାରି ଭଉଣୀମାନେ ସାତମୁଠା ବାଲି ସଂଗ୍ରହ କରି ପୋଖରୀ ହିଡରେ ବେଦୀ ତିଆରି ବାଲୁକାପୂଜା କରିଥାନ୍ତି । ଏହି ବେଦୀର ଚାରି ଦିଗରେ ସାତଟି କାଠି ପୋତି ବେଦୀ ଉପରେ କାକୁଡ଼ି, ହଳଦୀ, ଅରୁଆ ଚାଉଳ, ବଟା ଅଁଳା ଦେଇ ପୂଜା କରାଯାଏ ।
ରାତିରେ ଝିଅବୋହୂଏ ଘରେ ମହାଷ୍ଟମୀ ଦେବୀଙ୍କୁ ଆରାଧନା କରି ଭାଇଜିଉଁତିଆ ଓଷା କାହାଣୀ ପାଠ କରିଥା’ନ୍ତି । ନବମୀ ଦିନ ଭୋରରୁ ସ୍ନାନ ସାରି ନୂଆ ଲୁଗା ପରିଧାନ ପୂର୍ବକ ପୋଖରୀ ତୁଠରେ ଦହି ଓ ମହୁ ମିଶ୍ରିତ ସାତୋଟି ଚଣା ଓ ଅରୁଆ ଚାଉଳ ଖାଇ ଭାଇଜିଉଁତିଆ ବ୍ରତ ବାନ୍ଧି ଘରକୁ ଫେରି ଭାଇ ମାନଙ୍କୁ ମହାଷ୍ଟମୀ ଦିନରେ ଦେବୀଙ୍କୁ ଚଢାଯାଇଥିବା ୧୦୮ ଅରୁଆ ଚାଉଳ ବନ୍ଦାଇ ସେମାନଙ୍କ ସର୍ବଶୁଭ ମନାସି ଥା’ନ୍ତି । ଏହି ଦୁବକୁ ସେମାନେ ଭାଇ ମୁଣ୍ଡରେ ସାତଥର ଛୁଆଁଇ ଥା’ନ୍ତି ।
ଦୁର୍ଗାଷ୍ଟମୀ ବ୍ରତ ଭାବେ ପରିଚିତ ଏଇ ଭାଇଜିଉଁତିଆ ଓଷା ଓଡ଼ିଶାର ପଶ୍ଚିମାଞ୍ଚଳରେ ଏକ ପାରମ୍ପରିକ ବୈଶିଷ୍ଟ୍ୟପୂର୍ଣ୍ଣ ମହୋତ୍ସବ, ମାତ୍ର ପରିବର୍ତ୍ତିତ ସମୟର ଧାରାରେ ଆଜି ସ୍ଵକୀୟ ଆଭା ହରାଇ ବସିଛି ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago