ଲେଖା: ଦେବୀ ପ୍ରସାଦ ଦାସ
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ଆଜୀବନ ଗାନ୍ଧୀବାଦୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ବୈଶାଖ ମାସ ବୁଦ୍ଧ ପୂର୍ଣ୍ଣିମା ତିଥୀରେ ପିତା ନାରାୟଣ ପଟ୍ଟନାୟକ ଓ ମାତା କୁମୁଦିନୀ ଦେବୀଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଗ୍ରାମ ଥିଲା ପୁରୀ ଜିଲ୍ଲାର ନିମାପଡ଼ା ଅନ୍ତର୍ଗତ ଅଣ୍ଢେଇ ଗ୍ରାମ ।
ପିତା ନାରାୟଣ ଥିଲେ ଜଣେ ମୋହରିର । ପିତାଙ୍କ ଆଦର୍ଶ ଓ ପରପୋକାର ଏବଂ ମାତାଙ୍କ ଧର୍ମପରାୟଣାତାର ପ୍ରଭାବ ଭବାନୀଙ୍କୁ ବାଲ୍ୟକାଳରୁ ପ୍ରଭାବିତ କରିଥିଲା । ସେ ଜଣେ ଆଦର୍ଶ ଛାତ୍ର ଥିଲେ । ପାଠ, ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେ ସବୁବେଳେ ଆଗଭର ଥିଲେ । ୧୯୩୮ମସିହାରେ ସେ ନିଜ ପିତାଙ୍କୁ ହରେଇଥିଲେ ।
ପିଲାଦିନରୁ ଭବାନୀ ଚରଣ ଦେଶସେବା ପ୍ରତି ଆକୃଷ୍ଟ ଥିଲେ ଓ ଅନ୍ୟାନ୍ୟ ଅନୀତିର ବିରୋଧୀ ଥିଲେ । ୧୯୩୨ମସିହାରେ ନିମାପଡ଼ା ପ୍ରାକ୍ଟିସିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିବାବେଳେ, ତାଙ୍କ ବିଦ୍ୟାଳୟକୁ ଇଂଲଣ୍ଡ ସମ୍ରାଟ ପଞ୍ଚମ ଜଜ୍ ପରିଦର୍ଶନରେ ଆସିଥିଲେ । ସେଥିପାଇଁ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ପଞ୍ଚମ ଜଜଙ୍କ ଜୟଧ୍ୱନୀ ପରିବର୍ତ୍ତେ ଭବାନୀ ଚରଣଙ୍କ ସହ ୨/୩ଜଣ ଛାତ୍ର ଗାନ୍ଧିଜୀଙ୍କ ଜୟଧ୍ୱନୀ ଦେଇ ସ୍କୁଲ ଶିକ୍ଷକଙ୍କଠାରୁ ଛାଟ ପ୍ରହାର ପାଇଥିଲେ । ୧୯୩୮ ମସିହାରେ ଅନ୍ୟ ଏକ ଘଟଣାରେ, ସ୍କୁଲ ଖେଳ ପଡିଆକୁ ଜମିଦାରଙ୍କ ଜବରଦଖଲରୁ ମୁକୁଳାଇବାରେ ଭବାନୀ ଚରଣ ସଫଳ ହୋଇଥିଲେ ।
ଗାନ୍ଧୀ, ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭବାନୀ ଚରଣ ୨୦ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୪୨ମସିହାରେ ଭବାନୀ ଚରଣଙ୍କ ନେତୃତ୍ୱରେ ନିମାପଡ଼ା ଥାନା ଦଖଲ କରାଯାଇଥିଲା । ସେଠାରେ ପୁଲିସ ଗୁଳିଚାଳନାରେ ୨୭ଜଣ କର୍ମୀ ରକ୍ତାକ୍ତ ଆହାତ ହୋଇଥିଲେ ଓ ୫୫ ବର୍ଷ ବୟସ୍କ ଉଚ୍ଛବ ମଲିକ ସହିଦ ହୋଇଥିଲେ । ଭବାନୀ ଚରଣଙ୍କୁ ସମେତ ୪୩ଜଣ କର୍ମୀ ଗିରଫ ହୋଇଥିଲେ । ତାଙ୍କୁ ୩ବର୍ଷ ୮ ମାସ କାଳ ପୁରୀ ଓ କଟକ ଜେଲରେ ବନ୍ଦୀ କରି ରଖାଯାଇଥିଲା । ୧୯୪୨ ସେପ୍ଟେମ୍ବର ୨୦ ତାରିଖରୁ ୧୯୪୬ ମେ ୧ ତାରିଖ ପର୍ଯ୍ୟନ୍ତ ସେ କାରାବରଣ କରିଥିଲେ ।
ଭବାନୀ ଚରଣ ପଟ୍ଟନାୟକ କେବଳ ନିମାପଡ଼ା ଅଞ୍ଚଳରେ ନିଜକୁ ସୀମିତ ନରଖି, ସମଗ୍ର ଓଡ଼ିଶାର ଜଣେ ସମାଜସେବକ ଭାବରେ ଉଭା ହୋଇଥିଲେ । ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ୩ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୧ରୁ ୧୯୭୨ ଓ ୧୯୭୮ରୁ ୧୯୮୪ ପର୍ଯ୍ୟନ୍ତ ସେ ରାଜ୍ୟସଭାର ଏମପି ଭାବରେ କାର୍ଯ୍ୟ କରିଛନ୍ତି ।
ବହୁ ସାମାଜିକ ଅନୁଷ୍ଠାନ ଯଥା, ଓଡ଼ିଶା ସେବାଦଳର ମୁଖ୍ୟ ସଂଗଠକ, ଭାରତ ସେବକ ସମାଜର ପ୍ରଥମ ଛାତ୍ର ସଂଗଠକ, ସେଣ୍ଟ ଜୋନ୍ ଆମ୍ବୁଲାନ୍ସର ସଭାପତି, ଜୁନିୟର ରେଡକ୍ରସର ସଭାପତି, ଓଡ଼ିଶା ରେଡକ୍ରସ ସଂଗଠନର ସଂଗଠକ ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତିତ ସେ ଉଚ୍ଛବ ମଲ୍ଲିକ ଶହୀଦ ସ୍ମୃତି ସଂସଦର ସଭାପତି, ରାଜ୍ୟ ସରକାରଙ୍କ ସଂଗ୍ରାମୀ ପେନସନ ବୋର୍ଡ଼ର ସଭାପତି, କଳିଙ୍ଗ ଫାଉଣ୍ଡେସନର ଅଧ୍ୟକ୍ଷ, ଗୋପବନ୍ଧୁ ଦରିଦ୍ର ନାରାୟଣ ଖଦୀ ଗ୍ରାମୋଦୟ ସଂଗଠନର କର୍ମକର୍ତ୍ତା ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ। ଏପରିକି ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବାକୁ ମଧ୍ୟ ତାଙ୍କ ୯୯ତମ ଜନ୍ମଦିନରେ ନିଷ୍ପତ୍ତି ନେଇଥିଲେ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago