ଲେଖା: ଷ୍ଟାଲିନ୍ କୁମାର ରାଉତ
ସେ କାଳର କଥା । ଆଜକୁ ପ୍ରାୟ ୪୦୦ ବର୍ଷ ପୂର୍ବେ ଓଡ଼ିଶାରେ ଗଜପତି ପ୍ରତାପରୁଦ୍ରଦେବ ଶାସନ କରୁଥିଲେ । ତାଙ୍କର ଜଣେ ମନ୍ତ୍ରୀ ଥିଲେ ସୋମନାଥ । ଏହି ମନ୍ତ୍ରୀଙ୍କର ପୁଅ ଥିଲେ ପଞ୍ଚସଖାଙ୍କ ମଧ୍ୟରୁ ଅନନ୍ୟ ସଖା ମହାପୁରୁଷ ତଥା ଜଗନ୍ନାଥଙ୍କର ଅଭିମାନି ଭକ୍ତ ବଳରାମ ଦାସ ।
ଓଡ଼ିଶାରେ ବଳରାମ ଦାସଙ୍କୁ କିଏ ଅବା ନ ଜାଣେ । ତାଙ୍କ ଲିଖିତ ଜଗମୋହନ ରାମାୟଣ ଓଡ଼ିଆମାନେ କେତେ ଆଦରରେ ପଢ଼ିଥାଆନ୍ତି । ବଳରାମ ଦାସ ତ ଜଗନ୍ନାଥଙ୍କର ଭାରି ଭକ୍ତ ଥିଲେ । ମହାପ୍ରଭୁ ଜଗନ୍ନାଥ ଏବଂ ବଳରାମ ଦାସଙ୍କ ଭିତରେ ଥିଲା ଅଜା-ନାତିର ସମ୍ପର୍କ ଓ ବାପା-ପୁଅ ସମ୍ପର୍କ । ଜଗନ୍ନାଥଙ୍କୁ ଦର୍ଶନ ନ କଲେ ଜଳ ତୁଳସୀ ବି ବଳରାମ ଆଦୌ ଛୁଉଁ ନ ଥିଲେ । ବଳରାମ ଦାସ ନିଜ ଭକ୍ତିବଳରେ ଜଗନ୍ନାଥଙ୍କୁ ଏପରି ମନାଇ ରଖିଥିଲେ ଯେ, ତାଙ୍କ ସହିତ ସେ କଥା ମଧ୍ୟ ହେଉଥିଲେ ।
ବଳରାମ ଥିଲେ ବଡ଼ ଖିଆଲି ଭକ୍ତ । ସେ ସବୁଦିନ ଲକ୍ଷ୍ମୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ତାଙ୍କୁ ଅତି ଭକ୍ତିରେ ପ୍ରଣାମ ବି ଜଣାନ୍ତି । ମାଆ ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ ହେଉଛନ୍ତି ଟେରୀ । ବଳରାମ କହନ୍ତି ହେ ଟେରୀ ମା’ ମୋର ଅପରାଧ କ୍ଷମା କର ।
ଲକ୍ଷ୍ମୀଙ୍କୁ ସବୁଦିନ ଟେରୀ ମା’ ବୋଲି ଡାକିବାରୁ ଲକ୍ଷ୍ମୀ ବଳରାମକୁ ଭୁଲ୍ ବୁଝିଲେ । ସେ ବିଚାରିଲେ, ବଳରାମ ଜଗନ୍ନାଥଙ୍କର ଅତି ଆପଣାର ହୋଇଛି ବୋଲି ସେ ଇନ୍ଦ୍ରଚନ୍ଦ୍ର କାହାକୁ ବି ଆଦୌ ମାନୁନାହିଁ । ସତକୁ ସତ, ଜଗାବଳିଆ ଯାହାର ସହାୟ, ସେ ଆଉ କାହାକୁ କାହିଁକି ବା ଡ଼ରିବ !!
ଦିନେ ସକାଳ ଆଳତି ବେଳେ ବଳରାମ ଲକ୍ଷ୍ମୀଙ୍କୁ ‘ଟେରୀ ମା’ କହି ତାଙ୍କୁ ପ୍ରଣାମ କଲାବେଳେ ଲକ୍ଷ୍ମୀ ହଠାତ୍ ରାଗିଯାଇ ବଳରାମକୁ ଅଭିଶାପ ଦେଲେ – “ବଳରାମ, ତୁ ମତେ ଅପମାନ କଲୁ, ତେଣୁ ତୋତେ କେବେହେଲେ ବି ଶ୍ରୀକ୍ଷେତ୍ର ଯୋଗ ହେବ ନାହିଁ ।”
ସତକୁ ସତ ଲକ୍ଷ୍ମୀଙ୍କ ସେ ଅଭିଶାପଟି ଫଳିଗଲା । ଖୁବ୍ ଅଳ୍ପଦିନ ମଧ୍ୟରେ ମହାରାଜା ପ୍ରତାପରୁଦ୍ରଦେବ କୌଣସି କାରଣରୁ ବଳରାମଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପରୁଆନା ଜାରି କଲେ ଯେ, ‘ବଳରାମଙ୍କୁ ପୁରୀରୁ ନିର୍ବାସନ ଦଣ୍ଡ’ ।
ଏକଥା ଶୁଣି ବଳରାମ ବଡ଼ ବିକଳ ହୋଇ ଖାଲି ପ୍ରଭୁ ଜଗନ୍ନାଥଙ୍କୁ ଡାକିଲେ । ‘କାଳିଆ ଠାକୁର, ତୁ ଏ କ’ଣ କଲୁ ? ତୋତେ ମୁଁ ଆଉ ଦର୍ଶନ କରିପାରିବି ନାହିଁ ।’
ଅତ୍ୟନ୍ତ କାନ୍ଦି କାନ୍ଦି ଶେଷରେ ବଳରାମ ପୁରୀ ଛାଡ଼ିଲେ । ପୁରୀଠାରୁ ଅଳ୍ପ ଦୂରରେ ଗୋଟିଏ ଗାଁରେ ବଳରାମ ଅତ୍ୟନ୍ତ ଦୁଃଖରେ ଦିନ ବିତାଉଥାଆନ୍ତି । କେବଳ ଜଗନ୍ନାଥଙ୍କୁ ଝୁରି ଝୁରି ବଳରାମଙ୍କର ଆଖିରୁ ଅନବରତ ଲୁହ ଝରୁଥାଏ । ଲକ୍ଷ୍ମୀ ମା’ ଭୁଲ୍ ବୁଝି ତାଙ୍କୁ ତ ଅଭିଶାପ ଦେଲେ । ତେଣୁ ବଳରାମ ପ୍ରଭୁ ଜଗନ୍ନାଥଙ୍କୁ ନିଜର ସମସ୍ତ ଦୁଃଖ ଜଣାଇ ସବୁବେଳେ ଖାଲି ତାଙ୍କୁ ପ୍ରାର୍ଥନା କରୁଥାଆନ୍ତି ।
ଶ୍ରୀକ୍ଷେତ୍ର ଧାମ ପୁରୀରେ ତ ୧୨ ମାସରେ ୧୩ ଯାତ୍ରା । ସେଇ ଗାଁ ପାଖ ଜଗନ୍ନାଥ ସଡ଼କରେ ଯାତ୍ରୀମାନେ ପୁରୀ ଯିବାର ଦୃଶ୍ୟ ବଳରାମ ଦାସ ଦେଖନ୍ତି । ତେଣୁ ବଳରାମଙ୍କର ମନ ମଧ୍ୟ ଖାଲି ଉଡ଼ି ବୁଲୁଥାଏ ଜଗନ୍ନାଥଙ୍କ ପାଖକୁ । ମାତ୍ର ଏବେ ଆଉ ତାଙ୍କର ଉପାୟ ବା କ’ଣ ? ପୁଣି ରାଜାଙ୍କର ଆଦେଶକୁ କିଏ ଅବା ଭାଙ୍ଗି ପାରିବ ?
କଥାରେ ତ ଅଛି ଚିନ୍ତା ଖାଏ ଗଣ୍ଡି । ଦୁଃଖ ଆଉ ଅନୁତାପରେ ବଳରାମ ରୋଗରେ ପଡ଼ି ଶେଷରେ ଶେଯ ଧରିଲେ । ସେ ବି ଆଉ ଉଠି ବସିପାରିଲେ ନାହିଁ । ଏଥର ବଳରାମ ଠିକ୍ ବୁଝିପାରିଲେ, ତାଙ୍କର ଦିନକାଳ ସରି ଆସୁଛି । ସେ ଏଣିକି ଆଉ ଅଧିକ କାଳ ବଞ୍ଚିବେ ନାହିଁ ।
ତେଣୁ ବଳରାମ କେବଳ ପ୍ରଭୁ ଜଗନ୍ନାଥଙ୍କୁ ଜଣାଣ କରୁଥାଆନ୍ତି – ‘ଚକାଡୋଳା ଜଗନ୍ନାଥ ! ମୋତେ ଏ ଦୁଃଖରୁ ଉଦ୍ଧାର କର । ଜୀବନର ଏହି ଶେଷ ଅବସ୍ଥାରେ ମୋତେ ଦୟାକରି ଦର୍ଶନ ଦିଅ । ମୋର ଏହା ଛଡ଼ା ଆଉ କିଛି ବି ମାଗୁଣି ନାହିଁ ।
ଚାହୁଁ ଚାହୁଁ ସେଇ ଶେଷଦିନଟି ଆସି ପହଁଚିଗଲା । ଭକ୍ତ ବଳରାମ ଦାସ ତ ଖାଲି ପ୍ରଭୁ ଜଗନ୍ନାଥଙ୍କୁ ଝୁରି ହେଉଥାଆନ୍ତି । ତେଣେ ରତ୍ନସିଂହାସନରେ ପ୍ରଭୁଙ୍କର ମନ ଖୁବ୍ ବିକଳ ହେଲା । ପ୍ରଭୁ ତ ଭକ୍ତର ଅଧୀନ । ସେ ଆଉ ସମ୍ଭାଳୁଛନ୍ତି କେମିତି ! ତେଣୁ ଲକ୍ଷ୍ମୀଦେବୀଙ୍କୁ ସାଙ୍ଗରେ ଧରି ପ୍ରଭୁ ଜଗନ୍ନାଥ ବଳରାମ ରହୁଥିବା ଗାଁରେ ଯାଇ ପହଁଚିଲେ । ବଳରାମଙ୍କୁ ଜଣାଗଲା ଯେ, ତାଙ୍କ ଘରଟିରେ ହଠାତ୍ ଆଲୁଅ ବିଛାଡ଼ି ହୋଇପଡ଼ିଲା । ଚାରିଆଡ଼େ କେତେ ଧୂପ ଆଉ ଫୁଲର ମହକ ! ତା’ପରେ ଯାଇ ବଳରାମ ନିଜ ଆଖି ଖୋଲିଲେ । ସତକୁ ସତ ତାଙ୍କର ପ୍ରଭୁ ଜଗନ୍ନାଥ ଆଉ ମା’ ଶ୍ରୀଲକ୍ଷ୍ମୀ ଦେବୀ ତାଙ୍କ ଶେଯ ପାଖରେ ବସିଛନ୍ତି । ଏସବୁ ଦେଖି ବଳରାମଙ୍କର ଜୀବନ ଧନ୍ୟ ହୋଇଗଲା । କାଳିଆ ତାଙ୍କର ଡ଼ାକ ଶୁଣି ନିଜେ ପଳାଇ ଆସିଛି । ତା’ପରେ ଜଗନ୍ନାଥ କେତେ ଆଦରରେ ବଳରାମଙ୍କ ଦେହରେ ହାତ ବୁଲାଇ ଆଣିଲେ । ସେହିକ୍ଷଣି ହିଁ ବଳରାମଙ୍କର ସବୁ କଷ୍ଟ କୁଆଡ଼େ ଉଭେଇ ଗଲା ।
ଏସବୁ ଲକ୍ଷ୍ମୀଙ୍କୁ ଖାଲି ତାଟକା ଲାଗୁଥାଏ । ସତରେ ପ୍ରଭୁ ତାଙ୍କର ବଳରାମଙ୍କୁ କେତେ ଆଦର ନ କରନ୍ତି । ଲକ୍ଷ୍ମୀ କିନ୍ତୁ ପୂର୍ବକଥା ଆଦୌ ଭୁଲି ନ ଥିଲେ । ତେଣୁ ଲକ୍ଷ୍ମୀ କହିଲେ, ବଳରାମ ! ମୁଁ କ’ଣ କହିଥିଲି ! ତୋତେ ଆଉ ଶ୍ରୀକ୍ଷେତ୍ର ଯୋଗ ହେବ ନାହିଁ ବୋଲି ।
ଏପରି କଥା ଶୁଣି ବଳରାମ ଦାସ ଟିକେ ମୁରୁକେଇ ହସିଲେ । ତା’ପରେ ଆପେ ଆପେ ହାତ ଦୁଇଟି ଯୋଡ଼ି ହୋଇ ଯାଉଥାଏ ବଳରାମଙ୍କର । ବଳରାମ କହିଲେ – “ପ୍ରଭୁ ହେ ! ମୋ ଟେରୀ ମା’ ତଥାପି ବି କିଛି ଜାଣିପାରିଲା ନାହିଁ । ଯେଉଁଠାରେ ପ୍ରଭୁ ଜଗନ୍ନାଥ ଏବଂ ମାତା ଲକ୍ଷ୍ମୀ ବିରାଜମାନ, ସେଇ ତ ଶ୍ରୀକ୍ଷେତ୍ର । ଆଉ ମୁଁ ପାଇଲି ନାହିଁ କ’ଣ ?”
ଏତିକି କହୁ କହୁ ସବୁଦିନ ପାଇଁ ବଳରାମଙ୍କର ଆଖି ମୁଦି ହୋଇଗଲା । ନୀଳାଚଳପତି ପ୍ରଭୁ ଜଗନ୍ନାଥ ଯାହାର ସହାୟ, ତାର କ’ଣ ମୁକ୍ତିର ଅଭାବ ଅଛି ?
admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago