ବିଦ୍ୟୁତ୍ ପ୍ରଭା ଦେବୀ

ଲେଖା: ଅମୃତେଶ ଖଟୁଆ

“ତୁମେ –
     ଆସିଲେ ଅଚିରାତେ,
     ଉଗ୍ର ପଦାଘାତେ
ବହ୍ନିଶିଖା ଜାଳି ଘୋଟଇ ଘୋର ତ୍ରାସ-
             ତୁମରି ପ୍ରତାପରେ,
             ବିଶ୍ଵ ଥରହରେ,
ନାଚଇ ବାଲୁ-ବୁକେ କୁହୁକ ଜଳାଭାସ।
ଯେଦିନ ପୁଣି ଆସ,
ଖେଲାଇ ଘନ ରାସ
ଧରଣୀ-କାନେ ପଡେ ବରଷା ଗୀତ ଝରି
   ତୁମେ ଗୋ ବାଅ ଧୀରେ,
   କଜଳ ମେଘ-ଶିରେ
ବଳର ଦୁନ୍ଦୁଭି ବିଜୁଳି-ବତୀ ଧରି।

ନିଟିଳେ ଶଶୀ ଟିକା, କଣ୍ଠେ ଶେଫାଳିକା
କରେ ଗୋ ହେରି ତବ ଚିତ୍ର-ତୂଳିକାଟି-
               ମରତ-ଯଉବନ,
               ହୁଅଇ ଛନଛନ,
ସୁଷମା-ହିଲ୍ଲୋଳେ ପୁଲକି ଉଠେ ମାଟି।
ତୁମେ ଯେ ଆସ ପୁଣି,
ଶିଶିର-ମୋତି ବୁଣି
କୁହୁଡି-ଓଢଣୀଟି ଘେରାଇ ଗିରି-ଶିରେ-
ପତର-ଝରା ବନୀ,
ଉଠଇ ସନସନି
ବିହଗ-ମଉଛବ ଲାଗଇ ସୁନାବିଲେ।”
(ଶାଶ୍ଵତୀ)

ସ୍ଵାଧୀନୋତ୍ତର ଓଡ଼ିଆ ନାରୀ-ଲେଖନୀର ଅନୁତ୍ତରିତ ସ୍ଥାନକୁ ପ୍ରପୂର୍ଣ୍ଣ କରିବାରେ ଏହି ମହୀୟସୀଙ୍କ ଭୂମିକା ଅନସ୍ଵୀକାର୍ଯ୍ୟ। ଦିବଙ୍ଗତ ସମାଲୋଚକ ତଥା ସାହିତ୍ଯିକ ନିତ୍ୟାନନ୍ଦ ଶତପଥୀଙ୍କ ମତରେ ୧୯୫୭ ମସିହା ପରେ ତାଙ୍କର କାବ୍ୟଧାରାର ବିଭଙ୍ଗିତ ଦୃଶ୍ୟ ସ୍ପଷ୍ଟ ହେଇଯାଇଥାଏ, ମାତ୍ର, ଶିଶୁ ସାହିତ୍ୟରେ ତାଙ୍କର ମନୋନିବେଶ ଫଳରେ ତାଙ୍କର ପୂର୍ବବତ୍ କାବ୍ୟିକତାର ଏକ ନୂତନ ଦିଗ ଉନ୍ମୋଚିତ ହୁଏ। ଶୈଶବ-ମନୋରମ-ପଲ୍ଲୀପରିବେଶ ମଧ୍ୟରେ ହୋଇଥିଲା ଅତିବାହିତ। ଓଡ଼ିଆ ସାହିତ୍ୟରେ ବୃନ୍ଦାବତୀ ଦାସୀମାଧବୀ ଦାସୀଙ୍କ ଭଳି ନାରୀଚରିତ୍ର ବିଶେଷ ପ୍ରଭାବ ପ୍ରତିପାଦିତ କରିଯାଇଛନ୍ତି।

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ଯରେ ନିରଳସ, ନିଷ୍କପଟ-ନିବେଦିତ ସଞ୍ଚୟନର ମାଲ୍ୟକର୍ତ୍ତ୍ରୀ ସେ ଥିଲେ। ତାଙ୍କ ଠାରେ କାବ୍ୟିକ କଳା କେବଳ ନାରୀର ସ୍ଵାଧୀନତା ପାଇଁ ନଥିଲା, ବରଂ ବିଭୁଦତ୍ତ ନୈସର୍ଗିକ କଳାକୁ ଆହୁରି ଉଚ୍ଚାଟିତ କରିବାରେ ତାଙ୍କ ଏକାତ୍ମ ଚେତନା ଥିଲା ସମର୍ପିତ। ଅନୁପମ କବିତା ଗୁଚ୍ଛ ମାଧ୍ୟମରେ ହୃଦୟର ଆବେଗ-ସ୍ତବକକୁ ଗୋଟି ଗୋଟି କରି ଯେପରି ଲୋଟି ଦେଇ ପାରିଛନ୍ତି ବିଭୁପାଦ-ପଦ୍ମରେ। ଅତିରଞ୍ଜନ ମଧ୍ୟରେ କୃତ୍ରିମତାକୁ ପରିହାର କରି ସତ୍ୟର ଅକପଟ ଅଭିବ୍ୟକ୍ତି ତାଙ୍କ କାବ୍ୟକଳାର ପ୍ରଧାନ ଭିତ୍ତିଭୂମି !

ଏପରିକି ପଲ୍ଲୀକବି ନନ୍ଦକିଶୋର ବଳଙ୍କ ପରବର୍ତ୍ତୀ ପଲ୍ଲୀସାହିତ୍ୟକୁ ଲୋକହୃଦୟରେ ମନଲୋଭା ପ୍ରଣବଧ୍ଵନି ମାଧ୍ୟମରେ ଅନୁରଞ୍ଚିତ କରିବାରେ ସେ ଥିଲେ ନିପୁଣା। କେନ୍ଦ୍ରାପଡାର ଆଳି ଅଞ୍ଚଳର ବ୍ରାହ୍ମଣୀ ନଦୀ, କାଣୀ ନଦୀ ଓ ନଦୀମାତୃକା-ବିଧୌତ ଗ୍ରାମାଞ୍ଚଳରେ ଶିଶୁମାନଙ୍କ କ୍ରୀଡା, ନାରୀମନର ସଂହତ ତଥା ସିକ୍ତ ଅନୁଭୂତି ଆହୁରି କରିଛି ରୋମାଞ୍ଚଭରା ଆଉ ମହନୀୟ। ଚିରସ୍ମରଣୀୟା ଏହି ମହୀୟସୀ ସାଧିକା ହେଉଛନ୍ତି ବିଶିଷ୍ଟ କବୀ ବିଦ୍ୟୁତ୍ ପ୍ରଭା ଦେବୀ। ଏହି ଅବିସ୍ମୃତ ସାଧିକା ଓଡ଼ିଆ ମାଟିର ଏକ ଅଭୁଲା ପ୍ରତିଭା !

ଜଗତସିଂହପୁର ଜିଲ୍ଲାର ଝଙ୍କଡ ନିକଟବର୍ତ୍ତୀ ତାଙ୍କ ମାମୁଁ ଘରେ ପିତା ନିମାଇଁ ଚରଣ ଦାସ ଓ ମାତା ରେଖା ଦେବୀଙ୍କ କୋଳମଣ୍ଡନ କରିଥିଲେ ବିଦ୍ୟୁତ୍ ପ୍ରଭା ଦେବୀ। ସେତେବେଳେ ୧୨ ଜୁଲାଇ, ୧୯୨୬, ପବିତ୍ର ରଥଯାତ୍ରା ଦିନ। ମାତ୍ର, ଜନ୍ମକାଳ ପରେ ସେ ବସବାସ କରିଛନ୍ତି କଟକ ସହରରେ। ସହରର ପାଣିପବନ ସହ ତାଙ୍କର ଯେତିକି ସମ୍ପର୍କ ଥିଲା, ତଦୁପରି ଗ୍ରାମ୍ଯ ରୁଚି ଓ ପ୍ରବୃତ୍ତିରେ ସେ ଥିଲେ ପ୍ରଲୁବ୍ଧା ! ଜୀବନର ପାଦଦେଶରେ ସେ ଏକାଧିକ ସାରସ୍ଵତ ପ୍ରତିଭାଙ୍କ ଦ୍ଵାରା ଅନୁପ୍ରାଣିତ ଓ ଅନୁପ୍ରେରିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପୂର୍ବକ “ଉତ୍କଳ ସାରସ୍ଵତ ପ୍ରତିଭା”ର ପ୍ରଣୟନ କରିଥିଲେ।

ବାଲ୍ୟକାଳରୁ ସେ ଥିଲେ ମୁକ୍ତ ଓ ଭୟଶୂନ୍ୟା। ଅନ୍ତରର ଉଦ୍ଦାମତା ଯେତିକି ଥିଲା, ତା’ଠାରୁ ସରି ଥିଲା ଅଧିକ ସ୍ଵଚ୍ଛ ସରଳତା। ସାତତାଳ ପଙ୍କ ବେଢି ସରସୀ ଫେଇ ଚାହିଁ ପକେଇଲେ ମୁକ୍ତାସମ ଯେଉଁ ପ୍ରତିହାସ ତାଙ୍କ ଭିତରୁ ଉଲ୍ଲାସ ରୂପରେ ଜନ୍ମ ନିଏ, ତାହା ହୁଏ ତାଙ୍କର ବ୍ୟଥା-ବେଦନାରୁ ଉଦ୍ଭୂତ ମଧୁରମୟୀ ଆବେଗସଞ୍ଚିତ ମମତ୍ଵବୋଧ। ସେତେବେଳେ କଟକର ବାଳିକା ବିଦ୍ୟାଳୟରେ ପଢୁଥିଲା ବେଳେ ସେ ନିର୍ଭୟରେ ସେତେବେଳେ ଘୋଡାଗାଡି ଚଢି ଝୁଲିଝୁମି ଅନାୟାସରେ ବାଟ ସରାଗକୁ ମେଲି ଦେଉଥିଲେ ! ସେତେବେଳେ ସିଏ ମାତ୍ର ଆଠ-ନ’ ବର୍ଷର ଛୋଟ ବାଳିକା ! ବିନା ଦ୍ଵିଧାରେ, ବିନା କୁଣ୍ଠାରେ ସେ କେତେ ମୈତ୍ର ବାନ୍ଧିଥିଲେ, ତାହା ଅଗଣ୍ୟ !

ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ ପଢୁଥିଲା ବେଳେ ତାଙ୍କର କୈଶୋର ଉପନୀତ। ସ୍ଵପ୍ନିଳ ଭବିଷ୍ୟତକୁ ବେଢି ରହିଛି ପରବର୍ତ୍ତୀ ରୂପପିପାସାର ଉନ୍ମାଦନା । ନବମ ଶ୍ରେଣୀରେ ସେ ପଢୁଥିଲା ବେଳେ ତାଙ୍କ ପୋଥିପତ୍ରରେ ବିଡା ପକାହେଲା । ପାଠପଢା ଯା’ର ଆପଣାର ସେ ତ୍ୟାଗ କରିପାରିନଥିଲେ ସେ ଜିଜ୍ଞାସା ହେବାର ଭୂମିକା – କି ସେ ଆବେଗ? କି ସେ ବିଷାଦ ଓ ଅବସାଦ? କେଉଁ ଏକ ଅଭିନବ ଚମକ ତାଙ୍କ ମନକୁ ପରଶ ପରଶ ଦେଇ ଚାଲିଯାଉଥାଏ ଅଜ୍ଞାତସାରରେ, ଆନ୍ଦୋଳିତ ଏଇ ପୁଷ୍ପିତ ସଂସାରରେ। ଏଥର ପାଦ ପଡେ ଗାଁରେ।

ଗାଁ ଛକମାନଙ୍କରେ ଦରପାଠୁଆ ଟୋକାଙ୍କର ପେଣ୍ଠସ୍ଥଳୀ ତ ଘରର କାର୍ମିକ ଜୀବନରେ ନାନା କାଇଦା କଟକଣା। ସେଇ ଗାଁ ଥିଲା କଟକ ଜିଲ୍ଲାର ସେଇ ଆଳି ଅଞ୍ଚଳର ତଳମାଳର ଧୋଇଆ ମୂଲକ। ବର୍ଷାଦିନେ ନଦୀମାନେ ସବୁ ଏଠି ସଙ୍ଗମ ପରି ମନେ ହୁଏ। ମାତ୍ର, ଏଇ ସବୁ ସତ୍ତ୍ଵେ ତଳମାଳର ସୁଖ ସ୍ଵାଚ୍ଛନ୍ଦ୍ୟ ଭାରି ଅନୁକୂଳ। ତା’ର ଐଶ୍ୱର୍ଯ୍ୟ ଓ ଗାରିମା ତଦନୁରୂପ ପବିତ୍ର। ତେଣୁ ତାହା ଥିଲା ଊର୍ବରତାର ଭଣ୍ଡାର। ଏହି ଅଞ୍ଚଳରେ ପ୍ରତ୍ଯହ ଜାକଜମକରେ ବିଶେଷତଃ ଅନୁଷ୍ଠିତ ହୁଏ ରଜ ଓ ଭାଲୁକୁଣୀ ଓଷା। ପୁଅଝିଅମାନଙ୍କ ଆନନ୍ଦର ସୀମା ସେତେବେଳେ ନଥାଏ। ସେଇ ସମୟରେ ଶଙ୍ଖ ଓ ହୁଳହୁଳିରେ ଦିଗବିଦିଗ କମ୍ପିତ ହୁଏ।

ସେ ଅଞ୍ଚଳରେ ରଜ ପାଳନର ବିଧି ବେଶ୍ ବିଚିତ୍ର। ଗାଁର ସବୁ ଝିଅଯାକ ଏକତ୍ର ହୋଇ “ରଜ ଘର” ବୋଲି ଗୋଟିଏ ସ୍ଵତନ୍ତ୍ର ଘରେ ତିନିଦିନ ଯାକ ରହି ଏବଂ ଖେଳକୌତୁକରେ ଏପରି ପୁଲକୋଚ୍ଛଳ ହେଇପଡନ୍ତି ଯେ ଦେଖିଲେ ଆତ୍ମହରା ହେଇଯାଉଥିଲେ। ନଥାଏ ସେଠି କେହି ରଙ୍କୁଣା, ସଣ୍ଠଣା, ଆତ୍ମପର – ସବୁ ଘରୁ ଘରୁ ଆଣି କେତେ ପ୍ରକାରର ପିଠାପଣା, ଆମ୍ଵ, ପଣସ, ସପୁରି ପରି କେତେ ଦ୍ରବ୍ୟ ଭେଟି ଦେଉଥିଲେ ପରସ୍ପରକୁ। ଆଉ ସେହି ଗ୍ରାମ୍ୟ-ଗୋଧୂଳିର ମଦିରିତ ଲଗ୍ନରେ ଉଦୟ ହୋଇଥିଲା ଏକ ଲୋହିତ ଛବିଳ ଦୃଶ୍ଯଲିପି, ଯା’ର ଅଙ୍କନ କରିଥିଲେ ବିଦ୍ୟୁତ୍ ପ୍ରଭା ଦେବୀ !

ପିତା ନିମାଇଁ ଚରଣଙ୍କ ଗ୍ରାମ୍ୟଭୂମି ତାଙ୍କ ପରିବାରକୁ ଆୟ ଦେବାରେ ଥିଲା ନିଅଣ୍ଟ। ଅନେକ ମକଦ୍ଦମା ସତ୍ତ୍ଵେ ସେ ମଧ୍ୟ ସାହିତ୍ୟିକ ତ କେତେବେଳେ ଶିକ୍ଷକତା କରି ନିଜର ପରିଚିତିକୁ ରକ୍ଷିତ କରାଇବାରେ ସହାୟ ହୋଇ ପାରିଛନ୍ତି। ମାଇନର ସ୍କୁଲ ଏବଂ ହାଇସ୍କୁଲର ନିମ୍ନ ଶ୍ରେଣୀରୁ ଉଚ୍ଚ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ଶିକ୍ଷାକୁ ଉପଯୋଗୀ କଲା ଭଳି ଅନେକ ପୁସ୍ତକ ସେ ରଚନା କରିଛନ୍ତି। ଏହି ପୁସ୍ତକ ସବୁକୁ ବିକ୍ରି କରି ସେ ପରିବାରର ଗୁଜୁରାଣ ମେଣ୍ଟାଇବାରେ ଅନେକ ସଂଘର୍ଷ କରି ମଧ୍ୟ ତାଙ୍କ ବ୍ୟକ୍ତିତ୍ଵ କେବେ ହେଲେ ହ୍ରାସ ପାଇନଥିଲା କି ନିଷ୍ପେସିତ ମଧ୍ୟ ହୋଇନଥିଲା।

ବାଲ୍ୟବୟସରୁ ବିଦ୍ୟୁତ୍ ପ୍ରଭା ପିତାଙ୍କୁ ସବୁବେଳେ ବିଚକ୍ଷଣ ଓ କୌତୂହଳପ୍ରଦ ବିଷୟ ପଚାରି ଚକିତ କରି ରଖୁଥିଲେ। ପୁଣି ଯେତେବେଳେ ତାଙ୍କ କନ୍ୟା ବିମୁଗ୍ଧ ହୋଇ କବିତା ପଢେ, ସେତେବେଳେ ତାଙ୍କ ସୁଲଳିତ କଣ୍ଠରେ କୋକିଳକଣ୍ଠୀ ଆନନ୍ଦ ଓ ଶୁଦ୍ଧତା ବାରି ହେଇପଡେ। ତାଙ୍କ ମନରେ ସେତେବେଳେ ସଞ୍ଚରି ଯାଇଥିଲା ସ୍ଵାଧୀନଲିପ୍ସୁ ଆବେଗ। ଦୁଷ୍ପ୍ରବୃତ୍ତିରୁ କିନ୍ତୁ ସତ୍ ପଥକୁ ଆସିବା ଓ ସେଇଠୁ ବିହଙ୍ଗସୁଲଭ ଉଡିଯିବାର ମୁକ୍ତବାଞ୍ଛା ପ୍ରବଳ ହେଉଥାଏ। ହେଲେ ପିତା ଥିଲେ ତାଙ୍କର ସମାଜର ଚୌହଦୀ ଭିତରେ ଥିବା ଭୟ ଓ ରକ୍ଷଣଶୀଳତାର ଜଣେ ବିବଶ ହେଲେ ହେଁ ସଂହତ ଚରିତ୍ର –

“ଦେଖ୍ ମା’ ! ଆମେ ଆତି ଗରିବ, ଆମର ଅବସ୍ଥାକୁ ଚାହିଁ ଆମକୁ ଚଳିବାକୁ ହେବ। ଆଗେଇବାକୁ ପଡିବ । ଯେତେ ହେଲେ ବି ତୋତେ ବାହା ହେବାକୁ ପଡିବ। ତୋତେ ଅଧିକ ପଢାଇଲେ ସେଇ ଅନୁସାରେ ତୋ ପାଇଁ ବର ଖୋଜିବାକୁ ପଡିବ। ତୋର ଏଇ ନିହାତି ଗରିବ ବାପ ପକ୍ଷରେ ତାହା କଣ ସମ୍ଭବ ହେବ ?

ତା’ ଛଡା ଅଧିକ ପଢିଲେ ସତରେ କଣ ଜୀବନରେ ଅଧିକ ଉନ୍ନତି ହୁଏ ? ନାରୀ ଜୀବନର ସବୁଠାରୁ ବଡ଼ କଥା ହେଲା ସୁଗୃହିଣୀ ହେବା । ତାହା ହିଁ ତା’ର ଚରମ ଉନ୍ନତି, ଚରମପ୍ରାପ୍ତି। ତୁ ଗୃହଲକ୍ଷ୍ମୀ ହେବୁ, ସୁଗୃହିଣୀ ହେବୁ, ସ୍ନେହମୟୀ ଜନନୀ ହେବୁ। ସ୍ଵାମୀ ଓ ସନ୍ତାନମାନଙ୍କୁ ଆଦର୍ଶ ପଥରେ ପରିଚାଳିତ କରିବୁ। ସେଥିରୁ ତୁ ପାଇବୁ ଅଶେଷ ଆନନ୍ଦ, ଅଶେଷ ସାର୍ଥକତା, ସେଥି ଲାଗି ବିଦ୍ୟାଠାରୁ ବୁଦ୍ଧି ଅଧିକ ଲୋଡା, ଚରିତ୍ରବତ୍ତା, ସଂଯମ, ଶୃଙ୍ଖଳାଜ୍ଞାନ ଅଧିକ ଆବଶ୍ୟକ, ଅଧିକ ଆବଶ୍ୟକ ଧୈର୍ଯ୍ୟ, ଉଦାରତା ଓ ତିତିକ୍ଷା । “

ବାପାଙ୍କ ମୁହଁରୁ ଏପରି କଥା ଶୁଣି ବିଦ୍ୟୁତ୍ ପ୍ରଭା ଏକାବେଳକେ ସ୍ତମ୍ଭିତ ! ବାପାଙ୍କ ଅର୍ବାଚୀନ ଭାବନା ଅବଶ୍ୟ ତାଙ୍କୁ କଷ୍ଟପ୍ରଦ ହୋଇଥିଲା, ହେଲେ ଅଲ୍ଯଳିର ଦୃଢ ଭରସା ଥିଲା ଯେ ବାପା ତାଙ୍କ ଜୀବନର ଲକ୍ଷ୍ୟକୁ ନିଶ୍ଚିତ ବୁଝିବେ, ଗୁରୁତ୍ଵ ପ୍ରଦାନ କରିବେ। ହେଲେ, ଏହି ଭାବନା-ବିଭାବନାରୁ ସ୍ଵର୍ଣ୍ଣିମ ଅବସରଟି ବର୍ତ୍ତମାନ ଉଦୀୟମାନ ଥାଏ, ସେତେବେଳେ ତାହା ସେହିପରି ଅନ୍ଧାରିତ ଥାଏ, କେବଳ ସେଇ ଉଦୀୟମାନ ଛବିଳ ଭବିତବ୍ଯର ଉଷାକାଳକୁ ଅବଗାହନ କରିବ ନିଜ ଭିତରେ ଥିବା ସେଇ ପ୍ରକୃତିକୁ। ତାଙ୍କର ସେହି ତଳମାଳର ନାଟରା ଗ୍ରାମରେ କବିତ୍ଵର ସ୍ଫୁରଣ ତ୍ଵରାନ୍ଵିତ ହୁଏ।

କବୀ ବିଦ୍ୟୁତ୍ ପ୍ରଭା ଦେବୀଙ୍କ କାବ୍ୟ ସବୁ ଥିଲା ଗୀତିମୟ, ଭାବମୟ ବିସ୍ମୟ ! ତାଙ୍କ ଚକ୍ଷୁଗତ ହୋଇଲେ ମଣିଷର ବ୍ୟଥା-ବେଦନା, ବିଶେଷତଃ ପିତୃମାତୃହୀନା ଦୀନା ନିରିମାଖି ଧନୀ ସନ୍ତାନର ଉପେକ୍ଷିତା ଅଲ୍ୟଳିଟେ ହେଉ ବା ଝିଅ ଘରକୁ ସଜାଡୁଥିବା ଅଶ୍ରୁସଜଳା ସ୍ନେହମୟୀ ଜନନୀ ହେଉ – ସେ ସମସ୍ତଙ୍କର ଦରଦଭରା ଚିତ୍ର ତାଙ୍କ କାବ୍ଯସତ୍ତ୍ଵ ଓ ସତ୍ତାରେ ଏତେ ମାତ୍ରାରେ ଜୀବନ୍ତ ହୋଇ ଉଠିଥିଲା ଯେ ସରଳ କାବ୍ୟରେ ଚମତ୍କୃତ କରିଲା ଭଳି ଭାବଧାରା ସନ୍ନିବେଶିତ ହୋଇଥାଏ। ଗାଁ ଗହଳିର ଅଭାଗୀ ଲଳିତା, ନିଧି ମଳିକ, କୁଲି, ରିକ୍ସାବାଲା ବା ‘କିରାନିବୋହୂ’ ମାନଙ୍କର ବେଦନାକ୍ତ ଜୀବନର ମୂର୍ତ୍ତମନ୍ତ ଚିତ୍ରଣ କରିଛନ୍ତି –
“ଏକାନ୍ତ ଆପଣାସମ ଗୁଗୁଚିଆ କାହିଁ
ଅଝଟ ଶିଶୁଟି ପରି କାନି ଛାଡୁନାହିଁ।”

ନିମାଇଁ ଚରଣ ଏବଂ ବଡ଼ଭାଇ ବୀକିଶୋର ଦାସ ବିଦ୍ୟୁତ୍ ପ୍ରଭା ଦେବୀଙ୍କର ଏହି ଚମତ୍କାରିତାରେ ଅଭିଭୂତ ହୋଇ ତାଙ୍କ ପାଇଁ କଟକରୁ ଅନେକ ପତ୍ରିକା ଆଣି ଭେଟି ଦେଉଥିଲେ। ନିଜର ଅଧ୍ୟବସାୟ, ସ୍ଵକୀୟ ଜିଜ୍ଞାସା-ପ୍ରବୃତ୍ତି ଏବଂ ରସବୋଧ ବଳରେ ସେ କାବ୍ୟିକ ପ୍ରୟୋଜନୀୟତାର ପ୍ରଥମ ସୋପାନ ଅତିକ୍ରମ କରିଛନ୍ତି। ନବଘନର ନବୀନ-ସ୍ନିଗ୍ଧ-କାନ୍ତି ଦେଖା ଗଲା। କୁହାଯାଏ, “A Silver Lining in the Dark Clouds”। ତାଙ୍କ ମନର ସେହି କାନ୍ତି ହେଉଛି କାବ୍ୟକବିତା ସମ୍ବନ୍ଧୀୟ ପୁଲକୋଚ୍ଛଳ ଅନୁଭୂତିର ଦିଗଲଂଘୀ କାନ୍ତି !

କଟକର ବାମ୍ଫିସାହିରେ ଥିଲା ବେଳେ ସେଠାକାର ନିଷ୍ପ୍ରାଣ କୋଠାବାଡିକୁ ଦେଖିଲା ପରନ୍ତୁ ପ୍ରକୃତରେ ସେଠାକାର ରସମୟତାର ସନ୍ଧାନ ପାଇ ପାରିନଥିଲେ। ବିଦ୍ୟୁତ୍ ପ୍ରଭା ଦେବୀ ଯେତେବେଳେ ନିଜଗ୍ରାମ, ନାଟରାରେ ଗ୍ରୀଷ୍ମତପ୍ତ ଅପରାହ୍ଣ ମଧ୍ୟରେ କାଣୀ ନଈକୁ ଏକାକୀ ଜଳଭାର ଧରି ଯାଉଥାଆନ୍ତି, ମଝିରେ ମଝିରେ ବତାସର ଉପକ୍ରମ ତାଙ୍କ ମନରେ ସୃଷ୍ଟି କରିଥିଲା ଉଦ୍ଦାମତା ଓ ଏକ ନିର୍ନିମେଷ ଅସ୍ତିତ୍ବ। ସେ “ଝଡ଼ ବତାସୀ” କବିତାରେ ଲେଖିଛନ୍ତି –

             “ନିଃଶ୍ବାସ ରୂପେ           ନାସାରେ ସଦା
                          ବହଇ ଯା’ଙ୍କ ଝଡ଼,
              ଅରୂପ ସେହି              ପୁରୁଷ ଏକା
                         ସବୁରି ଉପରେ ବଡ଼।

              ସେବକ ମାଟି             ପବନ ପାଣି
                         ଆକାଶ ଖରା ତାଙ୍କ,
               ତିଆରି ଛନ୍ତି              କରିବା ପାଇଁ
                         ସୃଷ୍ଟିର ବୋଲହାକ।

                          ଝଡ଼ ମୁଁ ମହା ଝଡ଼
              ମୋ ଦାଉ ସିଏ            ଖୁସିରେ ସହେ
                        ସେ ଜିଣେ ସବୁ ଗଡ଼।”

ବିଦ୍ୟୁତ୍ ପ୍ରଭା ଦେବୀ ଅନୁଭବ କରୁଥାଆନ୍ତି ଯେପରି କେହି ଅରୂପ ପୁରୁଷ ଏଇ ଝଡ଼ ରୂପେ ତାଙ୍କୁ ଅନୁସରଣ କରୁଛି। ସହସା ଯେପରି ସେ ସହାସ୍ଯ ଉଭା ହୁଅନ୍ତେ ସେ ପ୍ରିୟଦର୍ଶୀ ଲାବଣ୍ୟବତୀକୁ ଚାହିଁ ଦିଅନ୍ତା ମାଦକ ନୟନରେ ବାରେ ! ମୁହୂର୍ତ୍ତକ ପାଇଁ ହେଲେ ମଧ୍ଯ ଦୁଇଜଣଙ୍କ ମଧ୍ୟରେ ହୁଅନ୍ତା ସେହି ନିର୍ନିମେଷ ଦୃଷ୍ଟିର ବିନିମୟ। ତାଙ୍କ ସାରା ଅସ୍ତିତ୍ବରେ ଘନଘୋର ଶିହରଣ ଜାଗିଲା ବେଳକୁ – ଆଉ କେହି ନାହିଁ ! ସେ ଏକାକିନୀ, ଅଥଚ ସେ ଆଉ ଏକ କଳ୍ପିତ ସଭାର ଅମୃତ ପରଶରେ ଆବିଷ୍ଟ ହେଉଥା’ନ୍ତି, ଅଭିଭୂତ ହେଇ ପଡୁଥା’ନ୍ତି !

ଔପଚାରିକ ଶିକ୍ଷାଗତ ଯୋଗ୍ୟତା ପରିହରି ସେ ବିଷୟଗତ ତଥା ଭାଷାଜ୍ଞାନ ଆହରଣ କରି ଅଳଙ୍କାର ଶାସ୍ତ୍ର, କାବ୍ୟତତ୍ତ୍ଵ ଇତ୍ୟାଦି ପାଠ ପୂର୍ବକ ଛନ୍ଦ ପ୍ରୟୋଗ କଳାରେ  ସୁଚାରୁରୂପେ ନୈପୁଣ୍ୟ ଆହରଣ କରିଥଲେ କବୀ ବିଦ୍ୟୁତ୍ ପ୍ରଭା ଦେବୀ। ତାଙ୍କ କାବ୍ଯର ଛନ୍ଦମାଧୁରୀ ସହ ସେ ଜ୍ଞାତବ୍ୟ ବିଷୟକୁ ଚଟି ଖାତାରେ ଟିପି ରଖୁଥିଲେ। ଖାତା ଗୁଡିକ ନିଜ ହାତରେ ସୁନ୍ଦର ଭାବରେ ସିଲେଇ କରି ସୁଗଠିମ କରି ସୁନ୍ଦର ଅକ୍ଷରରେ ଲେଖି ରଖୁଥିଲେ। ଯାହାକି ପରବର୍ତ୍ତୀ ସମୟରେ ତାଙ୍କ ସ୍ଵାମୀ ପଞ୍ଚାନନ ମହାନ୍ତି ସଯତ୍ନ ସାଇତି ରଖୁଥିଲେ। ଆଉ ଏହି ସମୟରେ ତାଇ କବିତାରେ ମାତ୍ରାବୃତ୍ତ ଛନ୍ଦର ପ୍ରବର୍ତ୍ତନ ସ୍ପଷ୍ଟ ହେଇ ଆସିଛି।

କବିତା ଲେଖିବା ସକାଶେ ପ୍ରସ୍ତୁତିର ଅଗ୍ରଗତି ସଙ୍ଗେ ସଙ୍ଗେ ସୃଷ୍ଟିର କ୍ରିୟାଶୀଳତା ବଢୁଥାଏ। ମନଗହନର ନାନା ପ୍ରକାରର ଭାବଧାରା କେଉଁଠି ଦେଶର ଅତୀତ ଗୌରବ ସ୍ମୃତିଚାରଣ କରୁଛି ତ କେଉଁଠି ପ୍ରକୃତିର କୋମଳ ପରିବେଶ ମଧ୍ୟରେ ସୁଷମାହୃତ ହୋଇ ସୃଜନ-ସମ୍ଭାରକୁ ଆହୁରି ସମ୍ଭ୍ରମ ଏବଂ ବିଚିତ୍ରତର କରୁଥାଏ। ସେତେବେଳେ ତାଙ୍କ କବିତା ଅନେକ ପତ୍ରିକାରେ ପ୍ରକାଶିତ ହେଉଥିଲା। ଏଥି ସହ ତାଙ୍କୁ ସାଉଁଟି ଆଣୁଥିଲା ସ୍ଵୀକୃତି ଏବଂ ଖ୍ୟାତି। ସେତେବେଳର ଜଣେ କବି କୃଷ୍ଣଚନ୍ଦ୍ର କର ପିତା ନିମାଇଁ ଚରଣଙ୍କ ବନ୍ଧୁ ଏବଂ ମାୟାଧର ମାନସିଂହ ତାଙ୍କର ଘନିଷ୍ଠ ପରିଚିତ। ଦୁହେଁ ତାଙ୍କ କବିତ୍ଵରେ ମୁଗ୍ଧ ହୋଇ ତାଙ୍କୁ ପ୍ରେରଣା ଦେଇଥିଲେ। ଏଥି ସହ ବଡ଼ ଭଉଣୀ ବାସନ୍ତୀ ଦେବୀ ଏବଂ ବିଦ୍ୟୁତ୍ ପ୍ରଭାଙ୍କ ଯୁଗ୍ମ କାବ୍ୟ ପୁସ୍ତକ ରୂପେ ୧୯୪୪ ମସିହାରେ “ସବିତା” ପ୍ରକାଶ ପାଏ।

ମାତ୍ର, ଏକୋଇଶ ବର୍ଷ ବୟସରୁ ବିଦ୍ୟୁତ୍ ପ୍ରଭା ଦେବୀ ବିଭିନ୍ନ ପ୍ରକାରର ସୃଜନୀ-ବିଭାଗରେ ଲେଖନୀ ଚାଳନାରେ ଅନେକ ଅଭିଭୂତ ହେଇଯାଇଥିଲେ। ଆଉ ଏଥି ସହ ସାରସ୍ଵତ ପ୍ରତିଭାଙ୍କୁ ସମ୍ମାନ ଦେବା ସହ ବ୍ୟାସକବି ଫକୀରମୋହନଙ୍କୁ ଉପଲକ୍ଷ୍ୟ କରି ଲେଖିଛନ୍ତି –
             “ଚନ୍ଦ୍ରଭାନୁର ଅଗୁରୁଧୂପିତ
  ମଦିର ବାସର ରାତି,
             ଲାବଣ୍ୟବତୀ ପ୍ରଣୟ ସପନେ
  ତୁମେ ତ ଯାଇନ ମାତି।
             ତୁମେ ଦେଖି ନାହଁ ହାଟକବରଣା
  ନାଗରୀ ଛଟକ ଛଇ,
             ଦେଖିଅଛ ଖାଲି ପଲ୍ଲୀ ବିଧବା
  ବୁକୁତଳ କଇଁ କଇଁ।
             ଶୁଣିନାହଁ ତୁମେ ବରଷ ନିଶାର
  ବିରହୀ ଯକ୍ଷଗାନ,
             ପକ୍ଵ କେଦାରେ କୃଷାଣ କୁଳର
  ଗୀତକୁ ପାତିଛ କାନ।
             ଦୁର୍ଭାଗା ଶିରେ ଦେଖିଅଛ ତୁମେ
  ଲକ୍ଷ ଚରଣ ପାତ,
             ଅଇଁଠା ରଙ୍କ ଅନାଥ ଭିକାରୀ
  ନୀରବ ଅଶ୍ରୁପାତ ।”

ତାଙ୍କର ‘ସବିତା’ (୧୯୪୪), ‘ଉତ୍କଳ ସାରସ୍ଵତ ପ୍ରତିଭା’ (୧୯୪୭), ‘କନକାଞ୍ଜଳି’ (୧୯୪୮) ଓ ‘ମରୀଚିକା’ (୧୯୪୮) କାବ୍ଯଗ୍ରନ୍ଥର ମୁଖବନ୍ଧ ଯଥାକ୍ରମେ ଲେଖିଥିଲେ ଶଶୀଭୂଷଣ ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଡଃ ମାୟାଧର ମାନସିଂହ ଏବଂ ଛନ୍ଦକବି ରାଧାମୋହନ ଗଡ଼ନାୟକ। ଆଉ ତାଙ୍କ ବିବାହ ଓ ଯୌତୁକ ପ୍ରଥାକୁ ନେଇ ଚାଲିଥିବା ବାଦବିସମ୍ଵାଦ ମଧ୍ୟରେ ୧୯୪୮ ମସିହାରେ ‘ବିହାୟସୀ’ କାବ୍ଯଗ୍ରନ୍ଥ। ଏହାର ମଧୁରପ୍ଳୁତ ମନୋହର କବିତାସ୍ତବକ ସବୁ ଅନୁରୂପ ରସୋଦ୍ଦୀପକ ଏବଂ ରସଗ୍ରାହୀ।

ବିଦ୍ୟୁତ୍ ପ୍ରଭା ଦେବୀଙ୍କ ପତି ପଞ୍ଚାନନ ମହାନ୍ତି ଥିଲେ ଭଦ୍ରକରୁ। ଜଣେ ଅତ୍ୟନ୍ତ ମେଧାବୀ ଓ ଅଧ୍ୟବସାୟୀ ବ୍ଯକ୍ତି। କଟକରେ ଯୋଗାଣ ବିଭାଗରେ ଥିଲା ବେଳେ ସେଠାକାର କଦାକାର ଏବଂ ତୀବ୍ର ଦୁର୍ନୀତିସଙ୍କୁଳ ପରିବେଶ ତାଙ୍କ ଚରିତ୍ରସ୍ଖଳନ କରିପାରିନଥିଲା। ସେ ତାଙ୍କ ନୀତିଗତ ଜୀବନରେ ଥିଲେ ଅବିଚଳିତ ଓ ଅବିମୃଶ୍ୟ ବ୍ୟକ୍ତି। ୧୯୪୯ ମସିହାରେ ବିଦ୍ୟୁତ୍ ପ୍ରଭା ଦେବୀଙ୍କ ସହ ପାଣିଗ୍ରହଣ ଉତ୍ସବ ସମ୍ପନ୍ନ ହେବା ସହ ଭଦ୍ରକର କୁଆଁସମଡିଆ ଠାରେ ଥିବା ଘରେ ଅବସ୍ଥାନ କରିଥିଲେ। ସେଠାରେ ସେ ‘ସ୍ଵପ୍ନଦୀପ’ ଏବଂ ‘ଝରାଶିଉଳି’ କବିତା ପ୍ରକାଶ କରେଇଥିଲେ , ଯହୁଁ, ‘ସ୍ଵପ୍ନଦୀପ’ ତାଙ୍କ ଦାମ୍ପତ୍ୟ ଜୀବନର ପ୍ରଥମ ପର୍ବର କେତେକ ଘଟଣା ବର୍ଣ୍ଣନାକୁ ସ୍ଥାନ ଦେଇଛି।

ଏହି ‘ସ୍ବପ୍ନଦୀପ’ର ‘ଯାତ୍ରାପଥେ’ କବିତାରେ ବିଦ୍ୟୁତ୍ ପ୍ରଭା ଦେବୀ କୁଆଁସମଡିଆର ସୁଦୀର୍ଘ ମାତ୍ର ନିର୍ଜନ ଜାଙ୍ଗଳିକ ପଥର ବର୍ଣ୍ଣନା ଦେଇଛନ୍ତି। ସେଇ ପଥରେ ମନ୍ଥର ଗତିର ଶଗଡିଆର ନିଃସ୍ଵନ ଏବଂ ସ୍ଥାନେ ସ୍ଥାନେ ଝଙ୍କାଳିଆ ଜାମୁ ଗଛରୁ ଝୁଲୁଥାଏ ପେନ୍ଥା ପେନ୍ଥା ରସପୂର୍ଣ୍ଣ ଜାମୁକୋଳି –
           “ଏ ଜନ ବିଜନ ପଥେ
     ଶକଟର ମନ୍ଥର ଚଳନ,
           କରିଛି ନିର୍ଭୟ ଅତି
     ପତିଗୃହମୁଖୀ ବଧୂମନ।
           ଏକାନ୍ତ ନିଭୃତ ଦେଖି
     ସ୍ଥିର ନେତ୍ରେ ରହିଛି ଅନାଇ,
           ନବପ୍ରୀତି କୌତୂହଳେ
      ନର ବର ସନ୍ଦର୍ଶନ ପାଇଁ।”

ବିଦ୍ୟୁତ୍ ପ୍ରଭା ଦେବୀଙ୍କ ବିବାହ ପୂର୍ବରୁ ପ୍ରକାଶିତ କେତେକ କବିତା ‘ବନ୍ଦନିକା’ ଶୀର୍ଷକରେ ପ୍ରକାଶ ପାଇଛି। କାବ୍ଯପାଟବ ଅତ୍ୟନ୍ତ ମନୋହର। ନିଜସ୍ୱ ଅନୁଭୂତି-ନିଃସୃତ ଭାବଧାରାକୁ ସେ ଐକାନ୍ତିକ ପରିବେଶ ମଧ୍ୟରେ ଏକାଦିକ୍ରମେ ଛ’ ସାତ ମାସ କେବଳ ଏଇ ସମସ୍ତ ଭାବନାକୁ କାବ୍ଯାକୃତି ପ୍ରଦାନରେ ନିମଜ୍ଜିତ ରହିଥାଆନ୍ତି। ଆଉ ସବୁଠାରୁ ବଡ଼ କଥା ଥିଲା, ତାଙ୍କ ପିତାଙ୍କ ସେହି “ସୁଗୃହିଣୀ”ର ସଂଜ୍ଞାକୁ ମର୍ମେ ମର୍ମେ ପାଳନ କରି ପ୍ରବଳ ଆଗ୍ରହ ଓ ଆନ୍ତରିକତାର ସହ ପରିବାରର ଦାୟିତ୍ୱ ବହନ କରିଛନ୍ତି। ତାଙ୍କର ନିରାଡମ୍ଵର ଦାୟିତ୍ୱ ବହନ ଥିଲା ଆଦର୍ଶପ୍ରସୂ, ଯଦିଓ ଅଷ୍ଟମଙ୍ଗଳା ପରେ ସେ କିଛିଦିନ ପାଇଁ ବ୍ୟାଧିଗ୍ରସ୍ତା ରହିଲେ।

ଏପରିକି ସ୍ଵାସ୍ଥ୍ୟକ୍ରମରେ ସେ ଘରୋଇ ଉପଚାର ଓ ପ୍ରାଥମିକ ଚିକିତ୍ସା ଉପାୟରେ ଥିଲେ ସିଦ୍ଧହସ୍ତା । ସବୁ ସେ ଆଗତୁରା ସଂଗ୍ରହ କରି ନିଜ ପାଖରେ ସାଇତି ରଖିବା ସହ ଗାଁର ହରିଜନ ସାହିରୁ ଓ ଅନ୍ଯ ସାହିରୁ ଔଷଧ ସମ୍ଵନ୍ଧରେ ତାଙ୍କ ପାଖରୁ ପରାମର୍ଶ ଗ୍ରହଣ କରୁଥିଲେ। ପ୍ରତ୍ୟହ ବୋତଲେ ବୋତଲେ ଘିଅ ଓ ଗୁଡ ସଂଗ୍ରହ କରି ରଖୁଥିଲେ। ଏଥି ସହ ଘରର ସମସ୍ତ ଦାୟିତ୍ୱ ବହନ କାଳରେ ମଧ୍ୟ ମଧ୍ୟରାତ୍ର ପର୍ଯ୍ୟନ୍ତ ସେ ପଢାପଢି ଏବଂ ନିରତ କାବଲିଖନରେ ନିମଗ୍ନ ରହୁଥିଲେ। ଏପରିକି ଗାଁରେ ଅନେକେ ତାଙ୍କର ପରୋପକାରୀ ଗୁଣ ଓ ସେବାଭାବରେ ପ୍ରସନ୍ନ ଥିଲେ।

୧୯୫୦ ମସିହାରେ ବିଦ୍ୟୁତ୍ ପ୍ରଭା ଦେବୀଙ୍କର “ଉତ୍କଳ ସାରସ୍ଵତ ପ୍ରତିଭା” ପୁସ୍ତକ ହାଇସ୍କୁଲର ଦୁଇଶ୍ରେଣୀ ପାଇଁ ପଦ୍ୟ ସାହିତ୍ୟ ରୂପେ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵାରା ଅନୁମୋଦିତ ହୋଇଥିଲା। ଏପରିକି ୧୯୫୧ ମସିହାରେ ତାଙ୍କର ‘ମରୀଚିକା’ ପୁସ୍ତକଟି ଅଷ୍ଟମ ଶ୍ରେଣୀ ସକାଶେ ପଦ୍ୟ ସାହିତ୍ୟ ରୂପେ ସ୍ଵୀକୃତି ଲାଭ କରେ ତାଙ୍କର ପ୍ରଥମ ଶିଶୁ ସାହିତ୍ୟ ପୁସ୍ତକ ‘ଯାହାକୁ ଯିଏ’ ୧୯୫୫ ମସିହାରେ ପ୍ରକାଶ ପାଇବା ସହ ୧୯୫୬ ମସିହାରେ ଶ୍ରେଷ୍ଠ ଶିଶୁ ସାହିତ୍ୟ ପୁସ୍ତକ ରୂପେ ଭାରତ ସରକାରଙ୍କ ଦ୍ଵାରା ପୁରସ୍କୃତ ହୋଇ ଟ ୫୦୦/- ପାଇ ପାରିଥିଲା। “ମୋ ପେଁକାଳି ବଜେଇଦେ”, “ମୁଁ କେମିତି ପିଲା”, “ଗଛ ପତର” ପ୍ରକାଶ ପାଇ ୧୯୬୦ ମସିହାରେ ଓଡିଶା ରାଜ୍ୟ ଶିଶୁ ସାହିତ୍ୟ କମିଟି ଦ୍ଵାରା ପୁରସ୍କୃତ ହୋଇଥିଲା।

ବିଦ୍ୟୁତ୍ ପ୍ରଭା ଦେବୀଙ୍କ ଗ୍ରନ୍ଥାବଳୀ “ସଞ୍ଚୟନ” ନାମରେ ପ୍ରକାଶ ପାଇବା ସହ ବିଭିନ୍ନ ବଦାନ୍ୟ ସାହିତ୍ୟିକଙ୍କ ଦ୍ଵାରା ବିଭାଗୀକୃତ ହୋଇ ଶେଷରେ ୧୯୫୭ ମସିହାରେ ପ୍ରକାଶ ଲାଭ କରେ। ଆଉ ୧୯୬୨ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀର ଏକ ବିଶେଷ ଅଧିବେଶନରେ ପୁରସ୍କୃତ ହୁଏ। ୧୯୫୨ ମସିହାରେ ସେ ମାଆ ହେବା ପରେ ରାମକୃଷ୍ଣ ପରମହଂସ, ଶ୍ରୀଅରବିନ୍ଦ ଓ ଶ୍ରୀମା’ଙ୍କ ନିରଳସ ଜୀବନଶୈଳୀକୁ ଆଦର୍ଶ କରିଥିଲେ। ୧୯୬୩ ମସିହାରେ ନିଜର ଜଣେ ଘନିଷ୍ଠ ମୈତ୍ରଙ୍କ ପରାମର୍ଶରେ ସେ ପ୍ରଥମ ଥର ପାଇଁ ପଣ୍ଡିଚେରୀ ଗସ୍ତ କରି ଶ୍ରୀଅରବିନ୍ଦ ଆଶ୍ରମରେ ରହିଲେ।

୧୯୬୩ ମସିହାରେ ପତି ପଞ୍ଚାନନଙ୍କ ପଦୋନ୍ନତି ଖୋର୍ଦ୍ଧାକୁ ହେବା ପରେ ବିଦ୍ୟୁତ୍ ପ୍ରଭା ଦେବୀ ସେଠାରେ ଶ୍ରୀ ଅରବିନ୍ଦ ଓ ଶ୍ରୀମା’ଙ୍କ ମହିମା ପ୍ରସାର କରିବାରେ ଲାଗି ପଡିଥିଲେ। ଶେଷରେ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ସ୍ଵାମୀ ଓ ପିତାଙ୍କ ଦେହାବସାନ ପରେ ୧୯୭୭ ମସିହା ଜାନୁଆରୀ ୨୮ ତାରିଖରେ ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ଗତି କରି ଶେଷକୁ ଦେହାବସାନ ଘଟିଛି।

#ପୂଜ୍ୟପୂଜା

Leave a Comment

Your email address will not be published. Required fields are marked *

Scroll to Top