ଲେଖା: ଦେଵ ତ୍ରିପାଠୀ
୧୯୪୨ ମସିହା ଅଗଷ୍ଟ ୧୫ ତାରିଖ । ରେଭେନ୍ସା ମହାବିଦ୍ୟାଳୟ, କଟକ ।
କଂଗ୍ରେସ ଅଧିବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହେଲା ଏବଂ ଗାନ୍ଧିଜୀ ବ୍ରିଟିଶମାନଙ୍କୁ ଭାରତ ଛାଡ଼ିବା ପାଇଁ ଡାକରା ଦେଇଥା’ନ୍ତି । ଦେଶକୁ ସ୍ବାଧୀନ କରିବା ପାଇଁ ‘କର ବା ମର’ ଆହ୍ୱାନରେ ପ୍ରମାଦ ଗଣିଲେ, ଦେଶର ବଡ଼ ବଡ଼ ନେତା ମାନଙ୍କୁ ଧରି ନେଇ ଜେଲରେ ଭରିଦେଲେ । ଦେଶରେ ସୃଷ୍ଟି ହେଲା ଉତ୍ତେଜନାପୂର୍ଣ୍ଣ ବାତାବରଣ ! ରାଜନୀତିକ କ୍ଷେତ୍ରରେ ଓଡ଼ିଶା ମାଟିର ଏକମାତ୍ର ଚଳଚଞ୍ଚଳ ଶିକ୍ଷାନୁଷ୍ଠାନ ରେଭେନ୍ସା ମଧ୍ୟ ଏଥିରୁ ବାଦ୍ ଯାଆନ୍ତା କିପରି ?
ମହାବିଦ୍ୟାଳୟ କାର୍ଯ୍ୟାଳୟରେ ନିଆଁ ଲାଗିଲା ! ପାଚେରୀ ଉପରେ ଠିଆ ହୋଇ ଜଣକ ପରେ ଜଣେ ଦେଇ ଚାଲିଥିଲେ ଅଗ୍ନିବର୍ଷୀ ଭାଷଣ, ସରକାରଙ୍କ ବିରୁଦ୍ଧରେ ! ହସି ହସି ଗ୍ରହଣ କରି ନେଉଥିଲେ ପୁଲିସ୍’ର ଲାଠିପ୍ରହାର ! କାହାରି ମନରେ ଦୁଃଖ କି ଅନୁଶୋଚନା ନ ଥିଲା, ବରଂ ଥିଲା ଏକ ଅଜଣା ପୁଲକ । ଦେଶ ପାଇଁ ଗିରଫ ହେବାରେ ସେତେବେଳେ ଗର୍ବରେ ଛାତ୍ରମାନଙ୍କର ଛାତି ଫୁଲି ଉଠୁଥିଲା । ତେବେ ସେହି ଛାତ୍ରମାନଙ୍କ ନେତୃତ୍ବ ନେଉଥିଲା ୨୦ ବର୍ଷର ଯୁବକ ଜଣେ ! ସୁରେନ୍ଦ୍ରନାଥ ଦ୍ବିବେଦୀଙ୍କ ଠାରୁ ପତ୍ରଟିଏ ପାଇବା କ୍ଷଣି ହୃଦୟରେ ବ୍ରିଟିଶ ସରକାର ଉପରେ ପ୍ରଚଣ୍ଡ କ୍ରୋଧ ଓ ଗାନ୍ଧିଜୀଙ୍କ ଉପରେ ଅସୀମ ଭକ୍ତିଭାବ ଧରି ସେ ଡ଼େଇଁ ପଡ଼ିଥିଲା ବିପ୍ଳବର ନିଆଁକୁ। ବ୍ରିଟିଶ ସରକାରଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ଗୋପନରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେଥିରେ ସକ୍ରିୟ ଭାବରେ ସାମିଲ ଥିଲା ସେଇ ତେଜୋଦୀପ୍ତ ଯୁବକ । କହିବା ବାହୁଲ୍ୟ, ଏଭଳି ବୈପ୍ଳବିକ ଚେତନାରେ ମଣ୍ଡିତ ଯୁବକ ଜଣକୁ ସହଜରେ ଗ୍ରହଣ କରିପାରିଲେନି ସରକାର ! ଫଳତଃ ୩ ବର୍ଷର କାରାଦଣ୍ଡ ଭୋଗିଲା ଯୁବକଟି !
ଯୁବକଟିର ଶୈଶବ ମହକି ଉଠିଥିଲା ଗାନ୍ଧୀମହାତ୍ମାଙ୍କ ଆଦର୍ଶରେ ! ୧୧ ବର୍ଷର ବାଳୁତ ସମୟରେ ଗାନ୍ଧୀଙ୍କ ଭାଷଣ ଶୁଣି ଭାବାନ୍ତର ସୃଷ୍ଟି ହୋଇଥିଲା ୧୧ ବର୍ଷୀୟ ବାଳୁତର ମନରେ । ଦେଶସେବା ପାଇଁ ଜୀବନପଣ କଲା ସେ, ସ୍ଵପ୍ନ ଦେଖିଲା ସ୍ବାଧୀନ ଭାରତର । ଗାନ୍ଧୀଙ୍କ ସହ ସାକ୍ଷାତ ଥିଲା ସେଇ ପିଲାଟି ଜୀବନରେ ପଟ୍ଟ ପରିବର୍ତ୍ତନର ସମୟ ।
ଏବେ ତିନି ବର୍ଷର ଜେଲଜୀବନ ମଧ୍ୟ ବନିଗଲା ଗାନ୍ଧୀଆଦର୍ଶର ପ୍ରୟୋଗଶାଳା ! କାରାଗୃହ ପାଲଟିଗଲା ଏକ ବିଶ୍ଵବିଦ୍ୟାଳୟ ! ସେଇ ଯୁବକଟି ପାଇଁ ! ଜେଲଜୀବନରେ ହିଁ ଯୁବକଟିର ମନରେ ଉନ୍ମେଷ ହେଲା ମାନବବାଦର ଚିନ୍ତାଧାରା ! ବିକଶିତ ହେଲା ମାନବିକ ମୂଲ୍ୟବୋଧ ! ସ୍ବାଧୀନତା ସଂଗ୍ରାମରୁ ଜୀବନ ଜୀଇଁବା ଶିଖିଥିବା ସେଇ ଯୁବକ ଶେଷକୁ ବନିଗଲା ପ୍ରକୃତି କୋଳରେ ମଣିଷର ଆଶ୍ରା ଖୋଜୁଥିବା ଜୀବନବାଦୀ ନିଆରା ସମାଜସେବୀ ତଥା ରାଜନୀତି ଓ ପରିବେଶର ପ୍ରତୀକ ବାଙ୍କବିହାରୀ ଦାସ (Bankbihari Das)।
ଜେଲଜୀବନ ଉପରାନ୍ତେ ବାଙ୍କବିହାରୀ ପୁଣି ଆସି ପହଞ୍ଚିଲେ କଟକ ମାଟିରେ ! ଉପରେ ଅନନ୍ତ ଆକାଶ, ତଳେ ବିଶାଳ ପୃଥିବୀ ! କୁଆଡ଼େ ବା ସେ ଯିବେ ! କଟକ କେନ୍ଦୁପାଟଣାରେ ରମାଦେବୀଙ୍କ ପରିଚାଳନାରେ ଚାଲୁଥାଏ ଖଦୀକେନ୍ଦ୍ରଟିଏ । ସୂତାକଟା, ଖଦିବୁଣା, ଅରଖ ଚଲା ! ସେଇଠି ରହିଗଲା ବାଙ୍କବିହାରୀ ! ସାମ୍ବାଦିକ ଜୀବନର ମୂଳଦୁଆ ପଡ଼ିଲା ସେଇଠି ! ରାଜନୀତିକ ଜୀବନର ମୋଡ଼ ପରିବର୍ତ୍ତନ ହେଲା ସେଇଠୁ ! ‘ଦୈନିକ ଆଶା’ ଏବଂ ଇଂରାଜୀ ଖବରକାଗଜ ‘ନିଉଓଡ଼ିଶା’ରେ ନିୟମିତ ଲେଖି ସାମ୍ବାଦିକ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ !
ରାଜା ଜମିଦାର, ସାହୁକାରମାନଙ୍କ ଶୋଷଣରୁ ଦୀନଦୁଃଖୀଙ୍କୁ ମୁକ୍ତ କରିବା ପାଇଁ ବାଟ ଖୋଜିଲେ ବାଙ୍କବିହାରୀ ! ଭୂମିହୀନ ଚାଷୀ ଓ ଭାଗଚାଷୀମାନଙ୍କୁ ସଂଗଠିତ କରିବା ପାଇଁ କୃଷକ ଆନ୍ଦୋଳନର ପୁରୋଭାଗରେ ରହିଲେ ସେ !
ଜମିଦାରୀ ପ୍ରଥାର ଉଚ୍ଛେଦ, ଜମିର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ଏବଂ ପ୍ରକୃତ ଚାଷୀ ହାତରେ ଚାଷଜମି ଅର୍ପଣର ଦାବି ନେଇ ସେ ଗଢ଼ିତୋଳିଲେ ‘ଓଡ଼ିଶା କୃଷକ ମହାସଂଘ’ ପରି ଏକ ସ୍ବାଧୀନ ସଂଘ ! ସେହି ସଙ୍ଗଠନର ସଭାପତି ଭାବେ ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀମାନଙ୍କୁ ସଙ୍ଗଠିତ କରି ସେମାନଙ୍କର ସମସ୍ୟାର ସମାଧାନ ସହିତ କୃଷିଉତ୍ପାଦନ ବୃଦ୍ଧି ସମ୍ପର୍କରେ ମଧ୍ୟ ସଚେତନ କରିଚାଲିଲେ । ଏହି ଉଦ୍ଦେଶ୍ୟରେ ବାଙ୍କବିହାରୀ ଦାସ ‘କୃଷକର ଆହ୍ବାନ’ ନାମକ ଏକ ମାସିକ ପତ୍ରିକା ମଧ୍ୟ ପ୍ରକାଶ କଲେ ।
ଭାଗଚାଷୀମାନଙ୍କୁ ଜମି ଦେବା ପାଇଁ ଏବଂ ଜଳକର ହାର ହ୍ରାସ କରିବା ଲାଗି ଆନ୍ଦୋଳନ କରି ଓଡ଼ିଶାରୁ ଜମିଦାରୀ ପ୍ରଥାର ଉଚ୍ଛେଦ କରାଇଲେ ବାଙ୍କବିହାରୀ । ୧୯୪୮ ମସିହାରେ ପରିବହନ କର୍ମଚାରୀମାନଙ୍କୁ ସଙ୍ଗଠିତ କରି ସେ ଗଠନ କଲେ ‘କଟକ ମୋଟର ୱାର୍କରସ୍ ୟୁନିୟନ୍’ ।
୧୯୫୫ ମସିହାରେ କାଠଯୋଡ଼ି ନଦୀର ଦଳାଇ ଘାଇ ଭାଙ୍ଗିଲା । ସୁଆର ଘାଇ ହୋଇ କଟକ ଜିଲ୍ଲା ଯାଜପୁର ସବ୍ଡିଭିଜନର ଅଧିକାଂଶ ଅଞ୍ଚଳ ପ୍ରଳୟଙ୍କରୀ ବନ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା । ବାଙ୍କବିହାରୀଙ୍କ ହୃଦୟ ବିଗଳିତ ହେଲା । କଟକରୁ ଯାଇ କେଉଁଠି ଡଙ୍ଗାରେ, କେଉଁଠି ପାଣିରେ ପହଁରି ସାରା ବିଞ୍ଝାରପୁର ବନ୍ୟାଞ୍ଚଳର ପ୍ରତ୍ୟେକ ଗ୍ରାମରେ ପହଞ୍ଚିଥିଲେ । ମାସାଧିକ କାଳ ଡଙ୍ଗାରେ ବୁଲି ରିଲିଫ୍ ବାଣ୍ଟିଥିଲେ । ଏହି ଜନହିତକର କାର୍ଯ୍ୟ ଯୋଗୁଁ ଲୋକପ୍ରିୟ ହୋଇ ସେ ଅନାୟାସରେ ୧୯୫୬ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପାଞ୍ଚବର୍ଷ କାଳ ବିଧାୟକ ହିସାବରେ ବିରୋଧୀ ଦଳରେ ରହି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୧୯୬୧ ମସିହାର ପ୍ରଳୟଙ୍କରୀ ବନ୍ୟାରେ ମାସ ମାସ କାଳ ମୁଣ୍ଡରେ ଠେକାଟିଏ ବାନ୍ଧି ବାଡ଼ି ଖଣ୍ଡେ ଧରି ଗାଁ ଗାଁ ସାହି ସାହି ବୁଲିଲେ । ବନ୍ଧୁଭଳି ପ୍ରତ୍ୟେକ ପରିବାରକୁ ସଙ୍ଖୋଳିଥିଲେ ବାଙ୍କବିହାରୀ । ଆଜିପର୍ଯ୍ୟନ୍ତ ବରୀ ଅଞ୍ଚଳର ଲୋକେ ଭୁଲିନାହାନ୍ତି ସେକଥା ! ବରଂ ସେଇ ତ୍ୟାଗ ପାଇଁ ବାଙ୍କବିହାରୀ ଦାସ ଅମର ହୋଇଯାଇଛନ୍ତି “ବନ୍ୟାଞ୍ଚଳର ବନ୍ଧୁ” ଭାବେ, ବରୀବାସୀଙ୍କ ହୃଦୟରେ !
ରାଜ୍ୟସଭାର ସଭ୍ୟ ହିସାବରେ ସେ ଓଡ଼ିଶାର ସ୍ୱାର୍ଥରକ୍ଷା ଦିଗରେ ପ୍ରମୁଖ ଭୂମିକା ନେଇଥିଲେ । ଭାରତର ପାଞ୍ଚଶହରୁ ଉର୍ଦ୍ଧ୍ବ ପୂର୍ବତନ ରାଜରାଜୁଡ଼ାଙ୍କୁ ଅନାବଶ୍ୟକ ଭାବେ ପ୍ରଦାନ କରାଯାଉଥିବା କୋଟି କୋଟି ଟଙ୍କାର ଭତ୍ତା ଓ ସୁବିଧା ସୁଯୋଗ ବିରୋଧରେ ସଂଗ୍ରାମ କରି ଏକ ବେସରକାରୀ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବାରୁ ସରକାର ବାଧ୍ୟ ହୋଇ ସମ୍ବିଧାନ ସଂଶୋଧନ କରିଥିଲେ ସେ।
ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ଓ ପ୍ରଶାସନିକ ଦକ୍ଷତା ଯୋଗୁଁ ମହାନ ଜନନେତା ବାଙ୍କବିହାରୀ ଦାସ ଓଡ଼ିଶା ବିଧାନସଭାରେ ଭୂସଂସ୍କାର ବିଲ ପାସ୍ କରାଇଥିଲେ ।
ଜଣେ ଦକ୍ଷ ସାମ୍ବାଦିକ ଓ ସଫଳ ଲେଖକ ଭାବରେ ବାଙ୍କବିହାରୀ ଦାସ ଓଡ଼ିଶା ଓ ଓଡ଼ିଶା ବାହାରେ ସୁପରିଚିତ ଥିଲେ । ‘ଭାରତୀୟ ଅର୍ଥନୀତି ଓ ସମାଜବାଦ’ ଶୀର୍ଷକ ଇଂରାଜୀ ଭାଷାରେ ରଚିତ ତାଙ୍କର ଏକ ପୁସ୍ତକ ୧୯୭୦ ମସିହାରେ ପ୍ରକାଶିତ ହୋଇ ତାଙ୍କୁ ଆଣିଦିଏ ଅଜସ୍ର ଖ୍ୟାତି । ସେ ଦେଶର ଅର୍ଥନୀତି, କୃଷକର ସମସ୍ୟା ଓ ପରିବେଶ ସମ୍ପର୍କରେ ଲେଖାମାନ ନିୟମିତି ଇଂରାଜୀ ଓ ଓଡ଼ିଆ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶ କରି ସେ ନିଜର ସମାଜବାଦୀ ଚେତନାର ପରିଚୟ ଦେଇଛନ୍ତି ।
୧୯୨୨ ସନ ଶାମ୍ବଦଶମୀ ତିଥିରେ କଟକ ଜିଲ୍ଲା ବିଞ୍ଝାରପୁରର (ଅଧୁନା ଯାଜପୁର ଜିଲ୍ଲା) କଲ୍ୟାଣପୁର ଗାଁରେ ଜନ୍ମିତ ବାଙ୍କବିହାରୀଙ୍କ ସେବା, ସଂଗ୍ରାମ ଓ ସ୍ବପ୍ନର ଗାଥା ଅସୁମାରୀ ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…