ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
~ ଓଡ଼ିଶା, ଓଡ଼ିଆ ଓ ବାଘ ~
ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ‘ବାଘଡୁମ୍ମା’ ବୋଲି ଏକ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି, ❛❛ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା ଜଣାପଡ଼େ ନାହିଁ । ମୁଣ୍ଡନାଲି, ଆଖିନାଲି, ଦେହଯାକ ବଡ଼ବଡ଼ ରୁମ । ଲୋକେ କହନ୍ତି କେତେପ୍ରକାର ଶବ୍ଦକରେ ସେ। କୁନ୍ଥେଇଲା ପରି, ଗର୍ଜିଲା ପରି, କାଠ ଭାଙ୍ଗିଲା ପରି, ବାଘଡୁମ୍ମା ଡରାଇ ଡରାଇ ଖେଦେ ।❜❜
ତେବେ ଏହି ❛ବାଘଡ଼ୁମ୍ମା❜ କ’ଣ ?
ଓଡ଼ିଆ ଭାଷାରେ ଡୁମା ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ରହିଛି । ବଡ଼ଜାତିଆ ❛ଅଣ୍ଡିରା ଗୋଵରା ଚଢ଼େଇ❜କୁ ଆମ ଭାଷାରେ ❛ଡୁମା❜ କୁହାଯାଏ । ଗଡ଼ଜାତ ଅଞ୍ଚଳରେ ପ୍ରେତ, ମୃତଵ୍ୟକ୍ତିର ଆତ୍ମା, ଆତ୍ମା, ଅସୁର ଓ ଡାହାଣୀକୁ ଡୁମା କହିଥାନ୍ତି । ସେହିପରି ଅଵିଭକ୍ତ କୋରାପୁଟର କଥିତ ଦେଶିଆ କୋଟିଆ ଭାଷାରେ ଡୁମ୍ମାର ଅର୍ଥ ଭୂତ ଵା ପ୍ରେତ ଏଵଂ ଏହା ଦେଶିଆ ଓଡ଼ିଆରେ ପ୍ରଚଳିତ ଜନଜାତୀୟ ମୂଳର ଏକ ଓଡ଼ିଆ ଶବ୍ଦ ହୋଇଥିଵା ସମ୍ଭଵ କିଂଵା ତତ୍ସମ ❛ଦାନଵ❜ ଶବ୍ଦର ସ୍ଥାନୀୟ ରୂପ ହୋଇଥାଇପାରେ । ଏଣୁ ବାଘଡୁମ୍ମା ଶବ୍ଦର ଆକ୍ଷରିକ ଅର୍ଥ ବାଘର ଭୂତ ଅଟଇ ।
ଅଵିଭକ୍ତ କୋରାପୁଟ ଅଞ୍ଚଳରେ ଲୋକଵିଶ୍ଵାସ ରହିଛି ଯେ ଯେଉଁମାନେ ବଣଜଙ୍ଗଲରେ ବାଘର ଆକ୍ରମଣରେ ମରିଯାଆନ୍ତି, ସେମାନଙ୍କର ଆତ୍ମା ❛ବାଘଡୁମ୍ମା❜ ହୋଇଯାଏ । ସେପରି ନିହତ ହୋଇଥିଵା ମଣିଷର ଶଵକୁ କୋରାପୁଟରେ ❛ବାଗ୍ମଡ଼ା❜ କୁହାଯାଏ । ସେଇ ଶଵକୁ ଜଙ୍ଗଲରେ ହିଁ ପୋତି ଦିଆଯାଏ। କାଳେ ଡୁମ୍ମା ହୋଇ ସେ ମୃତାତ୍ମା ଜୀଵିତ ଲୋକଙ୍କୁ ହଇରାଣ କରିଵ ବୋଲି ଶଵ ପୋତିଵା ଜାଗାରେ ଲୁହାକଣ୍ଟା ପିଟାଯିଵାର ଚଳଣି ରହିଛି । ତେବେ ବାଗ୍ମଡ଼ା ଶବ୍ଦଟି ଏକ ଗାଳି ଭାବେ ❛❛ବାଘ ତୋତେ ମାରୁ❜❜ କିଂଵା ❛❛ତୁ ବାଘ ହାତରେ ମରି ମଡ଼ା ହୋଇଯା ଅର୍ଥାତ୍ ବାଗ୍’ମଡ଼ା ହୋଇଯାଆ❜❜ ଏହି ଅର୍ଥରେ ଵ୍ୟଵହାର କୁହାଯାଏ । ଏହା କୋରାପୁଟ ଜିଲ୍ଲାର ଏକ ଜଣାଶୁଣା ଗାଳି । ପଶ୍ଚିମ ଓଡ଼ିଶାରେ ସମାନ ଭାବେ ବାଘଧରା, ବାଘର୍ଚରା ଆଦି ଶବ୍ଦ ଗାଳି ଭାବେ ଵ୍ୟଵହୃତ ହୋଇଥାଏ ।
କୁହାଯାଏ ବାଘଡୁମ୍ମା କାହାଠେଇଁ ଲାଗିଲେ ସେ ଲୋକ ସହଜରେ ଭଲ ହୁଏନାହିଁ । କେହି କେହି ଝାଡ଼ାଵାନ୍ତିରେ ମୃତ୍ୟୁଵରଣ କରିଥାନ୍ତି । ଏହାର ପ୍ରତିକାରସ୍ଵରୂପ ସ୍ଥାନୀୟ ଲୋକେ ଗୁଣିଆ, ଦିଶାରୀ ଵା ଗୁରୁମାଈ ପ୍ରଭୃତିଙ୍କୁ ଡାକି ଝଡ଼ାଫୁଙ୍କା, ମନ୍ତ୍ରପାଠ ଇତ୍ୟାଦି କରିଵା ସହ ଡୁମାପୂଜା ମଧ୍ୟ କରିଥାନ୍ତି । ଏମାନେ ରୋଗୀକୁ କେତେକ ଗଛର ଚେରମୂଳ ଦେହରେ ବାନ୍ଧିଵା ପାଇଁ ଦେଇଥାନ୍ତି ଓ କେତେକ ଗଛର ବକଳକୁ ଛେଚି ତା’ର ରସ ପିଇଵାକୁ ଦେଇଥାନ୍ତି । ଏକ ପ୍ରକାର ଗଛର ଡାଳ ଵା ଝାଟିରେ ରୋଗୀର ଦେହକୁ ଝାଡ଼ାଯାଏ । ଏହିପରି ଝଡା଼ଫୁଙ୍କା ପଦ୍ଧତି ଓଡ଼ିଶାର ସମତଳ ଅଞ୍ଚଳରେ କାଳସୀ ଲାଗିଵା, ଚିରଗୁଣୀ, ହାଡ଼ବାଇ, ଡାହାଣୀ ଆଦି ଲାଗିଲେ ପ୍ରୟୋଗ କରାଯାଏ ।
ବାଘ ସହିତ ଆଉ ଏକ ଲୋକଵିଶ୍ଵାସ ଓଡ଼ିଶାର କନ୍ଧ ସମାଜ ମଧ୍ୟରେ ରହିଛି । କନ୍ଧମାନେ ଯେଉଁ ସ୍ଥାନରେ ମୁର୍ଦ୍ଦାର ପୋତନ୍ତି ସେହି ଚିତାଭସ୍ମ ଉପରେ ଉଠିଥିଵା ଗଛକୁ ‘ଖୁଣ୍ଟବାଘ’ କୁହାଯାଏ । କଥିତ ଅଛି, ଚରୁଥିଵା ଗୋରୁର ଦେହରେ ଏ ଗଛ ବାଜିଲେ ବାଘ ଧଇଲା ପରି ସେ ଗୋରୁ ବୋବାଳି ଛାଡ଼େ ଓ ସେ ସ୍ଥାନରୁ ଯାଇ ପାରେ ନାହିଁ। ରଖୁଆଳ ଗୋରୁର ସେହି ଅଂଶରେ ଦି ବାଡ଼ି ପାକାଇଲେ ଗୋରୁ ଚାଲିଯାଏ ଓ ସେହି ସ୍ଥଳରେ ଗୋଟିଏ କ୍ଷତ ହୁଏ। ସେହି କ୍ଷତରେ ଟୁଙ୍ଗାଚେର ଓ ମାଣସାରୁ ବୋଳିଲେ ଭଲ ହୋଇଯାଏ ।
ଆମ ଓଡ଼ିଶାରେ ଏହିପରି ଅନେକ ଲୋକ ଵିଶ୍ଵାସ ରହିଛି । ଯେହେତୁ ଆମ ଓଡ଼ିଶା ଜଙ୍ଗଲ ପାହାଡ଼ରେ ପୂର୍ଣ୍ଣ ଏକ ସୁନ୍ଦର ଅଞ୍ଚଳ ତେଣୁ ମାନଵ ଜନଵସତି ବଢି଼ଵା ପୂର୍ଵରୁ ବାଘଙ୍କ ପାଇଁ ଏହା ଥିଲା ଭୂସ୍ଵର୍ଗ । ଆଜି ସିନା ବାଘବଂଶ ଲୋପ ହେଵାକୁ ବସିଛି କିନ୍ତୁ ଏଇମାତ୍ର କିଛି ଦଶନ୍ଧୀ ତଳେ ଓଡ଼ିଶାରେ ହଜାର ହଜାର ସଂଖ୍ୟାରେ ଥିଲେ । ତେବେ ଏଇ ସୁନ୍ଦର ଜୀବଙ୍କ ସଂଖ୍ୟା ସମତଳ ଅଞ୍ଚଳ ଅପେକ୍ଷା ଓଡ଼ିଶାର ପାର୍ଵତ୍ଯ ଅଞ୍ଚଳ ଅପେକ୍ଷାକୃତ କମ୍ ଜନଵସତି କାରଣରୁ ନିଶ୍ଚିତ ଅଧିକ ଥିଲା । ଏମାନଙ୍କ ଵିଷୟରେ ଅନେକ କଥା ଆମ ଭାଷାର ଶବ୍ଦ, ଲୋକଗଳ୍ପ, ଲୋକଗୀତ ମଧ୍ୟରେ ଭରି ରହିଛି ।
ବାଘ ଯେତେବେଳେ ପାହାଡ଼ରୁ ଵା ଜଙ୍ଗଲରୁ ଆସି ସମତଳ ଅଞ୍ଚଳରେ ପଶିଯାଉଥିଲା କିଂଵା ଗ୍ରାମାଞ୍ଚଳରେ ବୁଲୁଥିଲା ତାକୁ ‘ବାଘ ଗଡି଼ଵା’ କୁହାଯାଉଥିଲା ।
ମନୁଷ୍ଯକୁ ଦେଖିଲେ ଭୟ ଉତ୍ପାଦନ କରିଵା ନିମନ୍ତେ ବାଘ ଗାଲଫୁଡ଼କି କରେ, ସ୍ବର ଓ ଅଙ୍ଗଭଙ୍ଗି ଆଦି କରିଥାଏ ତାକୁ ଆମ ଭାଷାରେ ‘ବାଘ ଭେଳିକି’ କୁହାଯାଏ । ଉକ୍ତ ‘ବାଘଭେଳିକି’ ଶବ୍ଦ କିଂକର୍ତ୍ତଵ୍ୟଵିମୂଢ଼ତା ଅର୍ଥରେ ମଧ୍ୟ ଵ୍ୟଵହାର ହେଉଥିଲା । ପୂର୍ଵକାଳରେ ଜଙ୍ଗଲ ଅଧିକ ଥିଵାରୁ ବାଘମାନଙ୍କ ସଂଖ୍ୟା ଅଧିକ ଥିଲା । ଆଗେ କୌଣସି ବାଘ ମଣିଷ ମାଂସ ଖାଇଲେ ନରଖାଦକ ପାଲଟୁଥିଲା । ତାକୁ ବାଘ ମାତିଵା କୁହାଯାଉଥିଲା । କୁହାଯାଏ ଅନ୍ଯମାନଙ୍କ ରକ୍ତ ଅପେକ୍ଷା ମନୁଷ୍ଯରକ୍ତ ସୁସ୍ବାଦୁ। ଯେଉଁ ବାଘ ଥରେ ମନୁଷ୍ଯ ମାରି ମନୁଷ୍ଯର ରକ୍ତର ସ୍ବାଦ ପାଇଥାଏ ସେ ନରରକ୍ତଲୋଲୁପ ହୁଏ ଓ ମଣିଷଖିଆ ବାଘ ବୋଲି ଵିଖ୍ଯାତ ହୋଇଥାଏ । ତାକୁ ଲୋକେ କହନ୍ତି ‘ଏ ବାଘ ରକ୍ତମୁଖା ହୋଇଛି’ ।
ବାଘ ଭେଳିକି ଦେଖାଇ ଲୋକମାନଙ୍କୁ ଭୟଭୀତ ଓ ଦ୍ଵନ୍ଦ୍ଵରେ ପକାଇ ମାରିଦିଏ । ସେଥିପାଇଁ ନିଜ ମୁହଁର ଭାଵଭଙ୍ଗୀ ଦ୍ଵାରା ମାନଵ ମନରେ ଦ୍ଵନ୍ଦ୍ଵ ଉତ୍ପନ୍ନ କରେ ବୋଲି ଏହି ଵିଚାରରୁ ଆଉ ଏକ ଓଡ଼ିଆ ଶବ୍ଦ ସୃଷ୍ଟି ହେଲା ‘ବାଘମୁହାଁ’ ଵା ‘ବାଘମୁହିଁ’ ।
ପୂର୍ଵକାଳରେ ଆଜିଭଳି ନିରପତ୍ତା ଆଇନ ଵ୍ୟଵସ୍ଥା ସୁଦୃଢ଼ ନଥିଵାରୁ ଚୋରଭୟ ଅଧିକ ଥିଲା । ତେଣୁ ଘର ଭିତରକୁ ପଶିଵା ଦୁଆର ଆଗରେ ଘର ମଧ୍ୟରେ ଗୋଟିଏ ଆଡ଼ିକାନ୍ଥ ଦିଆଯାଉଥିଲା । ତାକୁ ଆମ ଭାଷାରେ ‘ବାଘମୁହାଁ’ ଵା ‘ବାଘମୁହିଁ’ କୁହାଯାଉଥିଲା । ଏହି କାନ୍ଥ ଯୋଗୁଁ ଆଗନ୍ତୁକ ଵ୍ୟକ୍ତି ହଠାତ୍ ଗୃହମଧ୍ଯକୁ ପଶି ନ ପାରି ବାଉଳା ହେଉଥିଲା ଓ ଏ କାନ୍ଥ ପ୍ରତିବନ୍ଧକ ଥିଵାରୁ ବାହାରେ ଠିଆ ହେଵା ଲୋକକୁ ଘରର ଭିତର ଦେଖାଯାଉ ନଥିଲା ।ଘରର ଦୁଇ ଵିପରୀତ ଦିଗରେ ଦୁଆର ପରସ୍ପର ସମ୍ମୁଖରେ ବସି ନ ଥିଵା ଏଭଳି ଘରକୁ ଆଡ଼ମୁହଁ ଘର କୁହାଯାଉଥିଲା । ତେବେ ଏହି ସମାନ ସ୍ଥିତି ପୋଖରୀର ପଥର ପାହାଚମାନଙ୍କରେ ଦେଖାଯାଉଥିଲା । ତେଣୁ ପାହାଚର ମଝିରେ ମଝିରେ ପାଣି ଉପରକୁ ବାହାରିଥିଵା ପଥରଖଣ୍ଡକୁ ମଧ୍ୟ ଲୋକେ ❛ବାଘମୁହିଁ❜ କହୁଥିଲେ ।
ବାଘ ଭଳି ଦେଖାଯାଏ ବୋଲି ଓଡ଼ିଶାରେ ବିଲେଇକୁ ‘ବାଘର ମାଉସୀ’ କୁହାଯାଏ । ନିର୍ଭୀକ ଵ୍ୟକ୍ତି ଵିଶେଷତଃ ନାରୀମାନଙ୍କ ପ୍ରତି ମଧ୍ୟ ଏ ଶବ୍ଦର ପ୍ରୟୋଗ ହେଉଥିଲା ।
ବାଘ ମାଂସ ଖାଉଥିଵାରୁ ତା ପାଟି ଦୁର୍ଗନ୍ଧ କରିଵା ସ୍ଵାଭାଵିକ କଥା ତେଣୁ କଥା କହିଵା ସମୟରେ ଯେଉଁ ଲୋକଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଥିଲା ତାକୁ ଲୋକେ ‘ବାଘରାମୁହାଁ’ କହୁଥିଲେ । ଵିକଟ ଓ ବଡ଼ ମୁଖଯୁକ୍ତ ଲୋକକୁ ❛ବାଘା❜ କୁହାଯାଉଥିଲା । ଯେକୌଣସି ବଡ଼ ଓ ଆକ୍ରାମକ ପ୍ରଜାତିର ଜୀଵଜାତିକୁ ମଧ୍ୟ ବାଘୁଆ ଶବ୍ଦ ଯୁକ୍ତ କରି ଓଡ଼ିଆ ଭାଷାରେ ନାମିତ କରାଯାଉଥିଵା ଦୃଶ୍ୟ ହୋଇଥାଏ ଯଥା— ‘ବାଘୁଆ ମାଛି’, ‘ବାଘୁଆ ପୋକ’, ‘ବାଘୁଆ ବିରୁଡି଼’, ‘ବାଘୁଆ ମହୁମାଛି’, ‘ବାଘୁଆ କଙ୍କି’ ଇତ୍ୟାଦି ଇତ୍ୟାଦି । ସେହିପରି ଭୀଷଣ ଶୀତ ଵିଶେଷତଃ ମାଘମାସର ଶୀତକୁ ଓଡ଼ିଆ ଭାଷାରେ ‘ବାଘୁଆଶୀତ’ କୁହାଯାଏ । ସମ୍ଭଵତଃ ବାଘ ଦେଖିଲେ ମନୁଷ୍ୟ ଯେମିତି ଅତି ଭୟଭୀତ ହୋଇ ଥରେ ଠିକ୍ ସେହିପରି ଏହି ଶୀତ ହେଲେ ମନୁଷ୍ୟମାନେ ଥରୁଥିଵାରୁ ମାଘ ମାସର ଶୀତକୁ ‘ବାଘୁଆ ଶୀତ’ କୁହାଯାଉଥିଲା ।
ପୂର୍ଵକାଳରେ ବାଘଠାରୁ ଦୁଧ ଦୁହିଁକରି ଆଣିଵା କୌଣସି ସାଧାରଣ ମନୁଷ୍ଯ ପକ୍ଷରେ ଅସମ୍ଭଵ ଥିଲା ତେଣୁ ଓଡ଼ିଆ ଭାଷାରେ ଅସମ୍ଭଵ କଥା ଓ ଅପ୍ରାପ୍ୟ ଵସ୍ତୁକୁ ❛ବାଘଦୁଧ❜ ସହିତ ତୁଳନା କରାଯାଉଥିଲା ।
ଲୋକେ ❛ବାଘନଖ❜ର କେତେକ ଅଂଶକୁ ସୁନା ଵା ରୂପା ଛାଆଣି କରି ବେକର ହାରରେ, ହାତରେ, ବାଜୁବନ୍ଧରେ ବାନ୍ଧୁଥିଲେ ଵା ପିନ୍ଧୁଥିଲେ । ଶ୍ରୀଜିଉଙ୍କର ଏକ ଜାତୀୟ ସୁଵର୍ଣ୍ଣ ନିର୍ମିତ ଅଳଙ୍କାରକୁ ମଧ୍ୟ ବାଘନଖ କୁହାଯାଏ ।
ଏଇ ଜୀବ ସମ୍ବନ୍ଧୀୟ କେତେକ ଶବ୍ଦ ମଧ୍ୟ ଓଡ଼ିଆ ଭାଷାରେ ପ୍ରଚଳିତ ଥିଲା। ଯଥା—
- ଗୋରୁକୁ ବାଘ ଧଇଲେ ଗୋରୁ ପ୍ରାଣବିକଳରେ ଗଁ ଗଁ ହୋଇ ରଡ଼ି ଛାଡ଼ିଵାକୁ ‘ଗର ତୋଳିଵା’ କୁହାଯାଉଥିଲା ।
- ବାଘକୁ ପ୍ରଲୋଭିତ କରି ମଞ୍ଚା ନିକଟକୁ ଆଣିଵା ଲାଗି ବନ୍ଧା ଯାଇଥିଵା ଛେଳି ଆଦି ପଶୁଙ୍କୁ ❛ଗାରା❜ କୁହାଯାଉଥିଲା ।
- ବାଘ ଗର୍ଜନ କରିଵାକୁ ଆମ ଭାଷାରେ ❛ନାହାଳିଵା❜ କୁହାଯାଉଥିଲା ।
- ଏକପ୍ରକାରର ଅଭିମନ୍ତ୍ରିତ ଜଡ଼ିକୁ ❛ପତି❜ କୁହାଯାଉଥିଲା । ଶିକାରୀମାନଙ୍କ ମଧ୍ୟରେ ପୂର୍ଵେ ଏକ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଶ୍ବେତ ଅପରାଜିତା ପତ୍ରକୁ ଅଭିମନ୍ତ୍ରିତ କରି ବାଘର ଖୋଜକୁ ଉଣ୍ଡି ଅକ୍ଷତ ଖୋଜ ଚିହ୍ନ ଉପରେ ଉକ୍ତ ପତ୍ରକୁ ପକାଇଲେ ସେ ସେହି ବାଟେ ଫେରି ଆସୁଥାଇ ଓ ଶିକାରୀ ସେହି ବାଟକୁ ଜଗି ରହି ବାଘକୁ ମାରୁଥିଲେ ।
- ଏଇ ହିଂସ୍ର ଜୀବକୁ ଶିକାର କରିଵାକୁ ଶିକାରୀ ଜଗି ରହିଵା ପାଇଁ ଭୂମିରେ ଖୋଳାଯାଇ ଡାଳ ପତ୍ର ଆଦିରେ ଘୋଡା଼ଯାଇ ଭୂମିରେ ଖୋଲାଯାଇଥିଵା ଗାତକୁ ‘ପଲା’ କୁହାଯାଉଥିଲା ।
- ଏ ଜୀଵକୁ ଦେଖକି ଗାଈମଇଁଷି ଆଦି ହୁରୁଡ଼ିଵା ଓ ରାଵ କରିଵାକୁ ଆମ ଭାଷାରେ ‘ବିରିଜାଇଵା’ କହୁଥିଲେ ।
- ବାଘ, ଆଗରେ ଶିକାରକୁ ଦେଖି ଗାଲ ସାହାଯ୍ୟରେ ଵିକଟ ମୁଖଶବ୍ଦ କରିଵାକୁ ‘ଗାଲ ଫିଡ଼କା ମାରିଵା’ କୁହାଯାଉଥିଲା ।
- ହୁଣ୍ଟାରିଵା, ହେଣ୍ଟାଳ ମାରିଵା ଆଦି କ୍ରିୟାଶବ୍ଦ ଗର୍ଜନ କରିଵା ଅର୍ଥରେ ଵ୍ୟଵହୃତ ହେଉଥିଲା ।
- ଯେଉଁମାନେ ରାତିରେ ଜଙ୍ଗଲ ସୀମାକୁ ଜଗି ସକାଳେ ଶିକାରୀମାନଙ୍କୁ ବାଘ ଆଦି ଜନ୍ତୁଙ୍କର ଖବର ଦେଉଥିଲେ ସେମାନଙ୍କୁ ରଖିଆ କୁହାଯାଉଥିଲା ।
- ଗଡଜାତ ଅଞ୍ଚଳରେ ଶିକାରୀ ବନ୍ଧୁକ ଧରି ଦୁଇ ଜଣ ଲୋକଙ୍କ ସଙ୍ଗେ ଚନ୍ଦ୍ରପକ୍ଷ ରାତିରେ ଲୁଚି ଲୁଚି ଏ ଜୀଵକୁ ଶିକାର ଖୋଜିଵାକୁ ଲମରା ବୁଲା କୁହାଯାଉଥିଲା ।
- ଓଡ଼ିଆ ଭାଷାରେ ଵିଭିନ୍ନ ଜାତୀୟ ବାଘମାନଙ୍କର ନାନା ନାମକରଣ ମଧ୍ୟ କରାଯାଇଥିଲା ଯଥା— କେନ୍ଦୁଆ, ଘୋଡିଙ୍ଗ (ଏକ ଜାତୀୟ ଫିକା ହଳଦିଆ ରଙ୍ଗର ବାଘ), ଚିତାବାଘ, ହେଟାବାଘ, ଡୁର୍କା, ନେପାଳି ବାଘ, ନିମିଟି ବାଘ, ପଟାହାରିଆ ବାଘ (ମହାଵଳ), ପେଣ୍ଡରା (ହେଟା) ଓ କଲରାପତ୍ରିଆ ବାଘ ଆଦି . .
ଏ ଜୀଵର ପ୍ରଭାଵ ଓଡ଼ିଆ ସମାଜ ଉପରେ ଏତେ ଅଧିକ ଥିଲା ଯେ ଆମ ଓଡ଼ିଶାରେ କେଵଳ ତା’ ସମ୍ବନ୍ଧୀୟ ଶବ୍ଦ ହିଁ ନୁହେଁ ତା’କୁ ନେଇ ନାନା ପ୍ରକାରର ଖେଳ, ଢଗଢମାଳି, ଲୋକଗୀତ, ଲୋକଗଳ୍ପ ଓ ଲୋକଵିଶ୍ଵାସ ପ୍ରଚଳିତ ହୋଇଥିଲା। ‘ବାଘଛେଳି‘, ‘ବାଘବଜାରି’ ଓ ‘ପାନିଆଖେଳ’ (ତ୍ରିଭୂଜାକାର ବାଘଛେଳି ଖେଳ) ଭଳି ଖେଳ ମାଧ୍ଯମରେ ଆମ ପୂର୍ଵଜ ଆମକୁ ଛୋଟବେଳୁ ବାଘ କେମିତି ସୁଯୋଗ ପାଇଲେ ଛେଳି ଭଳି ଜୀଵଙ୍କୁ ମାରି ଖାଇପାରେ ତାହା ଜଣାଇ ବେଳହୁଁ ସାଵଧାନ କରେଇଵାରେ ସଫଳ ହୋଇଥିଲେ । କୌତୁକ ମଧ୍ୟରେ ବି ପିଲାଙ୍କୁ ଏ ଜୀଵଠାରୁ ସାଵଧାନ ରହିଵାର ଶିକ୍ଷା ଆମ ସମାଜରେ ନିଆରା ଢଙ୍ଗରେ ପ୍ରଚଳିତ ଥିଲା ।
ପୂର୍ଵେ କୌତୁକ ଦେଖିଵାକୁ ବୟସ୍କମାନେ ଶିଶୁମାନଙ୍କୁ ନିକଟକୁ ଡାକି ସେମାନଙ୍କ ମୁହିଁ ସାମନାରେ ଆପଣାର ମୁହଁକୁ ରଖି ପଚାରୁଥିଲେ . .
ପ୍ରଶ୍ନ—ତୋଟାକୁ ଯିବୁ ?
ଉତ୍ତର—ହଁ
ପ୍ରଶ୍ନ—ଆମ୍ବ ଖାଇବୁ ?
ଉତ୍ତର—ହଁ
ପ୍ରଶ୍ନ—ବାଘ ଦେଖିଲେ ତ ଡରିବୁ ନାହିଁ ?
ଉତ୍ତର—ନାଁ
ଶିଶୁ ଏହା କହିଵା ମାତ୍ରେ ଵୟସ୍କ ଵ୍ୟକ୍ତି ଶିଶୁର ଆଖିକୁ ହାପୁ ଵା ହାଫୁ କରି ଫୁଙ୍କି ଦେଉଥିଲେ ଏଵଂ ଶିଶୁ ଯଥାଶକ୍ତି ଚେଷ୍ଟା କଲେ ସୁଦ୍ଧା ତା ଆଖି ବୁଜି ହୋଇଯାଉଥିଲା । ତହୁଁ ଵୟସ୍କ ଵ୍ୟକ୍ତିଜଣକ କହୁଥିଲା “ତୁ ତ ଡରିଗଲୁ ! ତୋତେ ଆଉ ତୋଟାକୁ ନେବି ନାହିଁ” !
ପିଲାମାନଙ୍କୁ ଲୋକଗୀତ ଓ ଗଳ୍ପ ମାଧ୍ୟମରେ ମଧ୍ୟ ଏ ଜୀଵ ପ୍ରତି ଛୋଟବେଳୁ ସାଵଧାନ ରହିଵାକୁ ଶିକ୍ଷା ଦିଆଯାଉଥିଲା । ଏ କ୍ଷେତ୍ରରେ ❛ବଉଳା ଗାଈ❜ ଓ ❛ଟୁଆଁଟୁଇଁ❜ ଗପର ନାମ ଉଲ୍ଲେଖ ଯୋଗ୍ୟ ଅଟଇ । ଓଡ଼ିଆ ଭାଷାରେ ଏ ସମ୍ବନ୍ଧୀୟ ଅନେକାନେକ ଢଗଢମାଳି, ଵଚନ, ନ୍ୟାୟ ଓ ନାଁଦିଆ ମଧ୍ୟ ପ୍ରଚଳିତ ରହିଛି । ଯଥା—
‘ବାଘଛେଳି ଏକା ଘାଟରେ ପାଣି ପିଇଵା’
‘ବାଘ ଗଲେ(ଘରେ) ମିରଗ ନାଟ’
‘ବାଘ ନଦେଖିଲେ ବିଲେଇ ଦେଖ
ମା ନ ଦେଖିଲେ ମାଉସୀ ଦେଖ’
‘ପଇସା ଥିଲେ ବାଘ ଦୁଧ ମିଳେ’
‘କୁଅ ମୂଳେ ତେଲ ଘଡି
ବାଘ ନେଲା ଗେଲ କରି
ଚୁନ୍ ମୁନ୍ ଖଇର କାତି
ରଜା ବିଜେ କଲେ ଡଗର ହାତୀ’
‘ଡେଇଁ ଡେଇଁ ଗଲା ବଣି
ସଞ୍ଜ ଦେଉଥିଲା ନଣଦ କାଣିଲୋ
ବାଘ ନେଇଗଲା ଟାଣି ।’
‘ଅଣଖୁଆ କାହିଁ ଆଖୁ ହୋଇବ କି
ବଣଭୁଆଁ ହେବ ବାଘ ?
କଣ ଭୁଆସୁଣୀ ସଭାରେ ବସିବ
ଛଣ ଗୁଣ୍ଡି ହେବ ଶାଗ’ ।
(ଦନାଇ ଵଚନ)
‘ଅଠାକାଠି ଷୋଳ ପଞ୍ଜରା
ପେଟ ଭିତରେ ଅନ୍ତ ବୁଜୁଳା
ବ୍ରାହ୍ମଣ ନୁହଁଇ ପଇତା ଥାଏ
ବାଘ ନୁହଇଁ ଘୁମୁରୁ ଥାଏ
ତା ଅଇଁଠା ଯିଏ ନ ଖାଏ
ଲଙ୍ଗଳା ହେଇ ବୁଲୁଥାଏ’ ।
(ନାଁଦିଆ/ଉତ୍ତର—ଅରଟ)
‘ନାଗର ପୁଅ ନାଗ
ବାଘର ପୁଅ ବାଘ’
‘ପାଣିରେ କୁମ୍ଭୀର କୁଳରେ ବାଘ’
‘ଥିଲେ ବାଘ ବଦାରି,
ନ ଥିଲେ କରମ ଆଦରି’।
‘ଭୋଡୁଆ ମାସର ଖରା
ବାଘ୍ ନଯାଏ ଚରା’।
‘ଆଗପୁଅ ବାଘ’
‘ବାଘ ମଲା ଜନ୍ତାରେ
ଘିଡ଼ ଘିଡ଼ ଶବଦ କଲା
ସମୁଦ୍ର ପନ୍ତାରେ’।
(ତୁତୁଖେଳ ଶିଶୁଗୀତ)
‘କାଠ ହାଣୁ ଠୋ ଠୋ
ବାଘ ମାମୁଁ ତୁ ଅଳ୍ପେଇସିୟା’
(ଟିପାଟିପି କାହାଣୀ)
‘ବାଘ ବଳଦ ବାନ୍ଧିଲି ହଳେ।
ଚାଷ କଲି ମଇନ୍ଦର ମାଳେ’
(ଗଞ୍ଜାମ ରାଇଲ ଗୀତ/ମଇନ୍ଦର= ମହୀନ୍ଦ୍ରଗିରି)
‘ହଗା ଆଗରେ ବାଘର କି ଡ଼ର ଭୟ’
ଓଡ଼ିଶାରେ ‘ବାଘ’ ଓ ‘ବାଘସିଂହ ଉପନାମ ରହିଥିଵା ମଧ୍ୟ ଜଣାଯାଏ । ଉତ୍ତର ଓଡ଼ିଶାରେ ❛ବାଘ❜ ଓ ଦକ୍ଷିଣ ଓଡ଼ିଶାରେ ❛ବାଘସିଂହ❜ ଆଦି ଉପନାମ ଦୈହିକ ଵଳଶାଳୀ ଵ୍ଯକ୍ତି ପ୍ରତି ରାଜଦତ୍ତ ଉପାଧି ଭାବରେ ପ୍ରଦତ୍ତ ହୋଇଥିଲା ଯାହା ପରେ ସାଙ୍ଗିଆରେ ପରିଣତ ହୋଇଅଛି ।
ଦକ୍ଷିଣ ଓଡ଼ିଶାରେ ‘କୁଲାଡ଼ଗଡର ବାଘଦେଵୀ’ ଓ ‘ଗଞ୍ଜାମର ବାଘନାଚ’, ଓଡ଼ିଆ ସମାଜରେ ବାଘର ପ୍ରଭାଵ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସ୍ପଷ୍ଟ କରିଥାଏ । ସେହିପରି ପୂର୍ଵାଞ୍ଚଳର ଲୋକେ ଏ ଜୀଵକୁ ‘ମାମୁଁ’ ସଂଜ୍ଞା ଦେଇଥିଵାବେଳେ ଅଵିଭକ୍ତ କୋରାପୁଟର ଲୋକେ ଏକ ‘ଦେଵତା’ ଭାଵରେ ପୂଜା କରୁଥିଲେ । ସେହି ଦେଵତାର ପୂଜାକୁ ସ୍ଥାନୀୟ ଲୋକମାନେ ‘ବାଗ୍’ଯାତ୍ରା’ କହିଥାନ୍ତି ।
ଗୋରୁଗାଈ ଓ ମଣିଷଙ୍କୁ ବାଘଭାଲୁଙ୍କ କଵଳରୁ ରକ୍ଷା କରିଵାପାଇଁ ବାଘକୁ ଦେଵତା ରୂପେ ପୂଜା କରାଯାଏ । ଚିତାଲାଗି ଅମାଵାସ୍ୟା ପୂର୍ଵରୁ ଏହି ପୂଜା କରାଯାଇଥାଏ । ମାଈ କଳାକୁକୁଡ଼ା, ଛେଳି, ଅଣ୍ଡା, ନଡ଼ିଆ, ଗୁଡ଼ ଓ କ୍ଷୀର ଭୋଗ ଲଗାଇ ବଣରେ ❛ବାଘଦେଵତା❜ର ପୂଜା କରାଯାଏ ।
ଜୀଵଵିଜ୍ଞାନୀମାନେ ମହାବଳ ବାଘର ଵୈଜ୍ଞାନିକ ନାମ Panthera Tigris ରଖିଅଛନ୍ତି । ମୋଟ ପାଞ୍ଚଟି ଉପଜାତି ଵା Sub-species ମଧ୍ୟରେ ଅଧୁନା କେଵଳ Panthera Tigris (ଭାରତୀୟ ବାଘ) ଓ Panthera Sondaica (ସୁନ୍ଦା ବାଘ) ହିଁ ପୃଥିଵୀରେ ଦେଖାଯାଆନ୍ତି ଏଵଂ ବାଘ ଜାତୀୟ ତିନୋଟି ଉପଜାତି Panthera Acutidens (ୱାହ୍ନେସୀୟ ବାଘ), Panthera Soloensis (Ngandong ବାଘ) ଓ Panthera Trinilensis (ତ୍ରିନୀଲ ବାଘ) ଵର୍ତ୍ତମାନ ଲୁପ୍ତ ହୋଇ ସାରିଛନ୍ତି ।
ବାଘ ଏସିଆ ମହାଦେଶ ଵିଶେଷତଃ ଦକ୍ଷିଣ ପୂର୍ଵ ଏସିଆ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜର ଜୀଵ । ପ୍ରାଚୀନ କାଳରେ ବାଘମାନେ ତୁର୍କୀଠାରୁ ଜାପାନ ଯାଏଁ ଦେଖାଯାଉଥିଲେ । ଆଜିକାଲି ତନ୍ମଧ୍ୟରେ ମାତ୍ର ଛଅଭାଗ ଅଞ୍ଚଳରେ ହିଁ ବାଘ ଦେଖାଯାଆନ୍ତି ।
ଵିଭିନ୍ନ କାରଣରୁ ବାଘବଂଶ ଆଜି ପୃଥିଵୀରୁ ଲୁପ୍ତ ହେଵାକୁ ବସିଛି । ପୃଥିଵୀର ମୋଟ ବାଘ ମଧ୍ୟରେ ସତୁରୀଭାଗ ଭାରତରେ ଅଛନ୍ତି ଏଵଂ ଗତ କିଛି ଵର୍ଷ ହେଵ ଭାରତରେ ବାଘସଂଖ୍ୟା ସାମାନ୍ୟ ଵୃଦ୍ଧିପାଇଛି, କିନ୍ତୁ ଓଡ଼ିଶାରେ ଗତ ଛଅ ଵର୍ଷ ମଧ୍ୟରେ ବାଘସଂଖ୍ୟାରେ ଅନ୍ୟ ରାଜ୍ୟ ତୁଳନାରେ କୌଣସି ଵୃଦ୍ଧି ହୋଇନାହିଁ । ଦୃତଗତିରେ ଜଙ୍ଗଲକଟା ତଥା ଜନଵସତି ଵୃଦ୍ଧି ଯୋଗୁଁ ବାଘବଂଶ ଲୁପ୍ତ ହେଵାର ସମ୍ଭାଵନା ଵୃଦ୍ଧି ପାଇଛି । ଗତ ଦଶ ଵର୍ଷ ମଧ୍ୟରେ ଉତ୍ତର ଭାରତରେ ବାଘ ଆକ୍ରମଣର ମଧ୍ୟ ଘଟଣା ବଢି଼ଥିଵା ଜଣାଯାଏ ଏଵଂ ଏଥିଯୋଗୁଁ ବାଘମାନଙ୍କ ପ୍ରତି ଉତ୍ତର ଭାରତରେ ଜନ ଅସନ୍ତୋଷ ବୃଦ୍ଧି ହୋଇଛି ।
ଜନଵସତି ବୃଦ୍ଧି, ଜଙ୍ଗଲକଟା ଯୋଗୁଁ ବଣରେ ଖାଦ୍ୟାଭାଵ ତଥା ଲୁଚାଛପା ଶିକାର ଯୋଗୁଁ ବାଘଙ୍କ ସଂଖ୍ୟା ଗତ ପାଞ୍ଚ ଦଶ ଦଶନ୍ଧି ଧରି କ୍ରମାଗତ ହ୍ରାସ ହୋଇ ହୋଇ ଯାଇଛି । ମାନଵର ଏହି ଏକଛତ୍ରଵାଦୀ ଶାସନ ଯୋଗୁଁ ପୃଥିଵୀରେ ❛❛ପ୍ରାଣୀ ଜୀଵନଚକ୍ର❜❜ର ଏକ ଅପରିହାର୍ଯ୍ୟ ଅଙ୍ଗ ❛ବାଘ❜ ଦିନେ ଲୁପ୍ତ ହୋଇଯାଇ ପାରେ ବୋଲି ପ୍ରକୃତିପ୍ରେମୀ ସନ୍ଦେହ କରନ୍ତି ।