ଲେଖା: ଶ୍ରୀକାନ୍ତ ସିଂହ

~ ପୁରୀ ବାଗେଶ୍ୱରପୁର ଗ୍ରାମର ରାମେଶ୍ୱର ମନ୍ଦିର ~
ଗଙ୍ଗବଂଶୀୟ ଶାସନ କାଳରେ ଓଡ଼ିଶାରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାନ ନିର୍ମାଣ ହୋଇଥିଲା l ଏହି ମନ୍ଦିର ଗୁଡ଼ିକ ପ୍ରାୟତଃ ପୂର୍ଵ ଓଡ଼ିଶାର ଦୟା, ଭାର୍ଗବୀ, କୁଶଭଦ୍ରା ଓ ପୁଣ୍ୟତୋୟା ପ୍ରାଚୀ ନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା l ସମୟର ସ୍ରୋତରେ ସେ କାଳର କେତେକ ମନ୍ଦିର ଭାଙ୍ଗି ରୁଜି ଯାଇଥିଲେ ହେଁ ଆଉ କିଛି ଏବେ ବି ସଗର୍ବେ ଦଣ୍ଡାୟମାନ ହୋଇ ରହିଛି l ସେଇ ପରି ଏକ ପ୍ରାଚୀନ ଅନୁଷ୍ଠାନ ହେଉଛି, ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ବାଗେଶ୍ୱରପୁର ଗ୍ରାମରେ ଥିବା ସ୍ୱଳ୍ପ ପରିଚିତ କୀର୍ତ୍ତିରାଜି ରାମେଶ୍ୱର ମହାଦେବ ମନ୍ଦିର l
ପିପିଲି ଠାରୁ ଜଟଣୀ ଯିବା ରାସ୍ତାର ବାମ ଦିଗରେ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ବାଗେଶ୍ୱରପୁର ଗାଁ, ଆଉ ଏହି ଗାଁରେ ରହିଛି ପ୍ରାଚୀନ ରାମେଶ୍ୱର ଶୈବପୀଠ, ଯାହାକି ଏକ ପୁରାତନ ମନ୍ଦିରର ଭଗ୍ନାବଶେଷ ଉପରେ ପରବର୍ତ୍ତୀ ସମୟରେ ନିର୍ମିତ ଏକ ପୀଢ଼ ଶୈଳୀର ମନ୍ଦିର l
ଆମର ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା କାର୍ଯ୍ୟକ୍ରମ ଯୋଜନା ଅନୁଯାୟୀ, ସେଦିନ ସକାଳୁ ଯାଇ ପିପିଲିରେ ପହଞ୍ଚି ଯାଇଥିଲି l ପିପିଲିରେ ରହୁଥିବା ନୃସିଂହ ଭାଈ ଓ ମୁଁ ଦୁହେଁ ସାଙ୍ଗ ହୋଇ ଐତିହ୍ୟ ଦର୍ଶନରେ ବାହାରି ପଡିଥିଲୁ l ବିଶେଷକରି ବୁଢ଼ାପଡ଼ାର ଚୂଡ଼ାଖିଆ ସୋମନାଥ ମନ୍ଦିରକାକୁଡ଼ିଆ ଗ୍ରାମର ଗୋପୀନାଥ ମନ୍ଦିର ଦର୍ଶନର ଯୋଜନା ଥିଲା l ମାତ୍ର ଯିବା ବାଟରେ ବାଗେଶ୍ୱରପୁର ଗ୍ରାମର ରାମେଶ୍ୱର ମନ୍ଦିର ଓ ମନ୍ଦିର ଜଗମୋହନରେ ଥିବା ସୁକ୍ଷ୍ମ କାରୁକାର୍ଯ୍ୟ ବିମଣ୍ଡିତ ଗୋପୀନାଥଙ୍କ କମନୀୟ ପ୍ରତିମାକୁ ଦେଖିବାର ସୁଯୋଗ ଜୁଟିଥିଲା l
ରାମେଶ୍ୱର ମନ୍ଦିର ଜଗମୋହନରେ ଥିବା ପ୍ରାୟ ଚାରିଫୁଟ ଉଚ୍ଚର ଏହି ଗୋପୀନାଥ ପ୍ରତିମାଟି ଗଙ୍ଗଶାସନ କାଳୀନ କଳିଙ୍ଗ ବାସ୍ତୁକଳାର ଏକ ଶ୍ରେଷ୍ଠ ନିର୍ମାଣ l ପ୍ରତିମାର ଉପରିଭାଗଟି କୌଣସି ସମୟରେ ବିଧର୍ମୀ ଆକ୍ରମଣରେ ଭାଙ୍ଗି ଯାଇଥିଲା ଏବଂ ପରେ ଏହାର ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି l ମରାମତି ହୋଇଥିବା ମୁଖମଣ୍ଡଳ ଓ ବଂଶୀଧାରୀ ହସ୍ତ ଆଦିରେ ପ୍ରାଚୀନ ପ୍ରତିମା ସହିତ ଥିବା କୌଣସି ସାମଞ୍ଜସ୍ୟ ପରିଦୃଷ୍ଟ ହୁଏ ନାହିଁ l
ମୂର୍ତ୍ତିଟିର ନିମ୍ନ କଟିଦେଶରେ ଖୁବ୍ ସୁନ୍ଦର ସୁକ୍ଷ୍ମ କାରୁକାର୍ଯ୍ୟମାନ ଦେଖିବାକୁ ମିଳେ l ପଦ୍ମବେଦୀପରେ ତ୍ରିଭଙ୍ଗୀ ଠାଣୀରେ ଦଣ୍ଡାୟମାନ ଗୋପୀନାଥ ଓ ତାଙ୍କ ଛନ୍ଦାୟିତ ପଦଯୁଗଳର ଉଭୟ ପାର୍ଶ୍ୱରେ ଚାମର ସେବିକା ଅଷ୍ଟଗୋପୀ, ଗରୁଡ଼, ଗୋବତ୍ସାଦି ଓ ପ୍ରଣାମ ମୁଦ୍ରାରେ କିଛି ଭକ୍ତଙ୍କୁ ଦେଖିବାକୁ ମିଳିଥାଏ, ଯାହାକି ପ୍ରତିମାଟିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ l ଗୋପୀନାଥଙ୍କ ପଦଯୁଗଳରେ ଥିବା ଚରଣପାଦୁକା, ପଦ ଅଳଙ୍କାର, ଅଙ୍ଗବସ୍ତ୍ର ଓ ଅଙ୍ଗ ଆଭୂଷଣର ନିର୍ମାଣ ଶୈଳୀରେ ସୁକ୍ଷ୍ମ କାରିଗରୀ ସ୍ପଷ୍ଟ ବାରିହୋଇ ପଡ଼େ l ଅଷ୍ଟ ଗୋପୀକାଙ୍କ ମୁଖମଣ୍ଡଳର ସ୍ମିତହାସ୍ୟ ଖୁବ୍ ଚମତ୍କାର ଓ ମନଲାଖି l
ପ୍ରାଚୀନ ବାଗେଶ୍ୱରପୁର ରାମେଶ୍ୱର ମନ୍ଦିରଟିର ଅବଶେଷ କେବଳ ନିମ୍ନ ଭାଗରେ ଦେଖିବାକୁ ମିଳେ l ଏବେବି କେତେକ ସୁକ୍ଷ୍ମ କାରୁକାର୍ଯ୍ୟ, ଯେମିତିକି ନାଗ ଓ ନାଗକନ୍ୟା, ଅଷ୍ଟ ଦିଗପାଳଙ୍କ ପ୍ରତିମା ସହିତ ଛୋଟ ଛୋଟ ରେଖମୁଣ୍ଡି, ମଗରମୁଖ, ଶାସକଙ୍କ ପାଷାଣ ପ୍ରତିମା ଆଦି ଦୃଷ୍ଟି ଗୋଚର ହୁଏ l ଗର୍ଭ ଗୃହରେ ବୃତ୍ତାକାର ଯୋନିପୀଠରେ ପ୍ରାଣ ପ୍ରତିଷ୍ଠିତ ଶିବାଲିଙ୍ଗ ସହିତ ମନ୍ଦିର ପରିସରରେ ଉମାମହେଶ ଓ ଭୈରବାଦି ପ୍ରତିମା ଦେଖିବାକୁ ମିଳେ l
ଅନାଲୋଚିତ ବାଗେଶ୍ୱରପୁର ରାମେଶ୍ୱର ମନ୍ଦିରର ନିର୍ମାଣ କାଳ ସମ୍ପର୍କରେ କୌଣସି ସଠିକ ତଥ୍ୟ ସ୍ଥାନୀୟ ଲୋକ ତଥା ସ୍ଥାନୀୟ ପୂଜକଙ୍କ ଠାରୁ ମିଳି ପାରିଲା ନାହିଁ l ପ୍ରାଚୀନ ମନ୍ଦିରଟି ହୁଏତ ଗଙ୍ଗ ଶାସନର ପ୍ରାରମ୍ଭ କାଳ ବା ଏହାର ପୂର୍ବବର୍ତ୍ତୀ କୌଣସି ସମୟରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago