ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
~ ଓଡ଼ିଆ ଭାଷାର ନିଆରା ଶବ୍ଦ ବାଇନ~
ଓଡ଼ିଆ ଭାଷାରେ ବାଇନ ବୋଲି ଶବ୍ଦଟିଏ ଅଛି କିନ୍ତୁ ଏ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇନାହିଁ କି ପୁରାତନ ସାହିତ୍ୟରେ ମଧ୍ୟ ବାଇନ ଶବ୍ଦ ଵ୍ୟଵହାର ହୋଇଥିଵା ଜଣାଯାଏ ନାହିଁ । ସମ୍ଭଵତଃ ପ୍ରାୟ ଶହେ ଵର୍ଷ ତଳେ ବାଇନ ଶବ୍ଦ ଏକ ଅଞ୍ଚଳ ଵିଶେଷରେ ପ୍ରଚଳିତ ଏକ ଅଲୋକପ୍ରିୟ ଓଡ଼ିଆ ଶବ୍ଦ ଥିଲା କିଂଵା ଏହା ଏଇ କେଇ ଦଶନ୍ଧି ଧରି ସୃଷ୍ଟି ହୋଇଥିଵା ଏକ ଆଧୁନିକ ଓଡ଼ିଆ ଶବ୍ଦ ହୋଇଥାଇପାରେ ।
ଵର୍ତ୍ତମାନ ସମୟର ଓଡ଼ିଆ ସାହିତ୍ୟରେ ଓ କଥିତ ଓଡ଼ିଆ ଭାଷାରେ ବାଇନ ଶବ୍ଦ ଵିଶେଷ ଭାବେ ପ୍ରଚଳିତ । ଅନେକ ଓଡ଼ିଆ ଲୋକଙ୍କ ନାମ ମଧ୍ୟ ବାଇନ ରଖାଯାଇଥିଵା ଦେଖାଯାଏ । ଏହି ବାଇନ ଶବ୍ଦଟି ଅଧୁନା ସ୍ନେହସୂଚକ ଓ ଵ୍ୟଙ୍ଗାତ୍ମକ ସମ୍ବୋଧନ ହେତୁକ ପ୍ରୟୋଗ କରାଯାଉଛି । ତେବେ ପ୍ରତ୍ୟେକ ଶବ୍ଦର କୌଣସି ନା କୌଣସି ଏକ ଉତ୍ସ ନିଶ୍ଚୟ ରହିଥାଏ । ବାଇନ ଶବ୍ଦର ମୂଳକୁ ନେଇ ବି ନାନାମତ ରହିଛି ।
ଆମ ଓଡ଼ିଶାରେ ପ୍ରାଚୀନ ସାହିତ୍ୟରେ ଅଵ୍ୟଵହୃତ ଗୋଟିଏ ଆଧୁନିକ ଓଡ଼ିଆ ଶବ୍ଦ ଦେଖିଲେ ପ୍ରଥମେ ଵୈଦେଶିକ ଭାଷାରେ ଉକ୍ତ ଶବ୍ଦକୁ ଉଣ୍ଡିଵାକୁ ଚେଷ୍ଟା କରନ୍ତି । ଓଡ଼ିଶାର କେତେକ ଲୋକ ମନେ କରନ୍ତି ଯେ ଓଡ଼ିଆ ଭାଷାରେ ପ୍ରଚଳିତ ବାଇନ ଶବ୍ଦଟି ଆରବୀ بَيْنَ (bayna) ଶବ୍ଦର ଓଡ଼ିଆ ରୂପ ହୋଇଥାଇପାରେ । କିନ୍ତୁ ଆରବୀରେ ପ୍ରଚଳିତ بَيْنَ (bayna) ଶବ୍ଦର ଅର୍ଥ ସହ ଓଡ଼ିଆ ଭାଷାରେ ଚଳୁଥିଵା ବାଇନ ଶବ୍ଦର ଵ୍ୟଵହାର ଆଦୌ ମିଶେ ନାହିଁ । ଆରବୀ ଭାଷାରେ بَيْنَ ଶବ୍ଦକୁ ମଧ୍ୟରେ,ଵିଭାଜିତ,(ଦୁଇଟି ଵସ୍ତୁ ମଧ୍ୟରେ) ଵ୍ୟଵଧାନ,ଅନ୍ତର,ଵିଯୋଗ ଅର୍ଥରେ ଵ୍ୟଵହାର କରାଯାଏ । ତେବେ ପ୍ରାଚୀନ ଆରବୀରେ بَيْنَ (bayna) ଶବ୍ଦଟି (ବନ୍ଧୁ ଵା ସାଥିମାନଙ୍କ) ସଙ୍ଘ ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଉଥିଵାର ଜଣାଯାଏ କିନ୍ତୁ ଏହି ଵ୍ୟଵହାର ଵର୍ତ୍ତମାନ ଅପ୍ରଚଳିତ ।
ଅନ୍ୟ ଏକ ମତରେ ବାଇନ ଶବ୍ଦଟି ଓଡ଼ିଆ ଭାଇନା ଶବ୍ଦର ଏକ ରୂପ ହୋଇଥାଇପାରେ ବୋଲି କିଛି ଲୋକ ମତ ଦେଇଥାନ୍ତି । ହେଲେ ଭାଇନା ଶବ୍ଦକୁ ପୂର୍ଵାଞ୍ଚଳରେ ଭିଣୋଇ ତଥା ଦକ୍ଷିଣ ଓଡିଶାରେ ବଡ଼ଭାଇଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରାଯାଏ । ଦକ୍ଷିଣ ଓଡ଼ିଶାରେ ଭ ଵର୍ଣ୍ଣ ଵର୍ଗ୍ୟ ବ ଉଚ୍ଚାରଣ ହେଉଥିଵାରୁ ଭାଇନା ଶବ୍ଦଟି ବାଇନା ଓ ଶେଷରେ ବାଇନ ହୋଇଥିଵା ଅନୁମାନ କରାଯାଏ ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବାଇମନ ଶବ୍ଦର ଏକ ସମ୍ବୋଧନଵାଚକ ଶବ୍ଦ ଭାବେ ଵ୍ୟଵହାର ହୋଇଥିଵା ଜଣାଯାଏ ।
ଅଚ୍ୟୁତାନନ୍ଦ ଦାସ ଏହି ଶବ୍ଦର ଅନେକ ସ୍ଥଳରେ ପ୍ରୟୋଗ କରିଛନ୍ତି । ଯଥା—
“ବାଇମନ ହୋ, ବସି ହଂସକୁ ଖେଳା
ହଂସ ଉଡିଗଲେ ବୁଡ଼ିବ ଭେଳା ।”
ଓ
“ବାଇମନ ହୋ। ତୁ ତ ଅବନାଵନ,
ଅବନା ବନିଲେ ଅମପା ମାପିଲେ
ଅଜପାରେ ଜପ ହୋଇବ ଧନ।”
ଆଜି ବି ଏ ଶବ୍ଦଟି ଭଜନ ଲେଖିଵା ସମୟରେ କଵି ଗୀତିକାରମାନେ ଵ୍ୟଵହାର କରିଥାନ୍ତି । ଵସ୍ତୁତଃ ବାଇମନ ଶବ୍ଦକୁ କଵି ନିଜର ସଂସାର ମୋହମାୟାରେ ବାୟା ହୋଇଥିଵା ମନପ୍ରତି ତଥା ସଂସାରୀପାଠକଙ୍କ ପ୍ରତି ସମ୍ବୋଧନ ହେତୁକ ଵ୍ୟଵହାର କରିଥାଏ ।
ଓଡ଼ିଆ ଲୋକସାହିତ୍ୟରେ ଆଉ ଏକ ଶବ୍ଦ “ବାଇଧନ” ରହିଛି ଯହିଁର ଵ୍ୟଵହାର ଠିକ୍ ବାଇନ ଶବ୍ଦ ଭଳି ହେଉଥିଲା ଅର୍ଥାତ୍ କାହାକୁ ସ୍ନେହସୂଚକ ସମ୍ବୋଧନ ପାଇଁ ଉକ୍ତ ଶବ୍ଦର ଵ୍ୟଵହାର କରାଯାଉଥିଲା । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ପୋତାମାଲକୁ ଓ ଦଣ୍ଡ ନାଟର ନାଟୁଆଙ୍କୁ ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳରେ ବାଇଧନ କୁହାଯାଏ ।
ବାଇଧନ ଶବ୍ଦଟି ପ୍ରିୟତମ ଵ୍ୟକ୍ତିକୁ ସ୍ନେହସୂଚକ ସମ୍ବୋଧନ ଭାବରେ ଵ୍ୟଵହାର କରାଯାଉଥିଵାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।
ପୂର୍ଵକାଳରେ କେଳାମାନେ ସାଧାରଣତଃ କେଳାଗୀତ ଗାଇଵା ସମୟରେ ଏହି ବାଇଧନ ଶବ୍ଦର ପ୍ରୟୋଗ କରି ଗାଉଥିଲେ . .
“ବାଇଧନ ତ!
ବାଇଧନ ଗଲେ ଵୃନ୍ଦାଵନ ତ।”
“ବାଇଧନ! ବାଇଧନ।
ବାଇଧନକୁ ମୁଁ ଛାଡ଼ି ଅଇଲି,
ଜାଗର ଯାତରା ଦିନ।”
“ମୋ ବାଇଧନ।
ପିଠା କରିଦେବି ପଅରଦିନ”
ଆମ ଓଡ଼ିଶାରେ ସାନମାନଙ୍କୁ ବଡ଼ମାନେ ସ୍ନେହରେ ‘ବାଇଆ’ ! ‘ବାୟା’ ! ‘ବାୟାଟା’ ! ଇତ୍ୟାଦି ସମ୍ବୋଧନ କରିଥାନ୍ତି ପୁଣି ମାଆବାପା ପୁଅକୁ ସ୍ନେହରେ ଧନ ସମ୍ବୋଧନ କରନ୍ତି । ଯୋଗିନ୍ଦ୍ର ଵିପ୍ରଙ୍କ ଟୀକା ଗୋବିନ୍ଦଚନ୍ଦ୍ରରେ ତହିଁର ଏକ ଉଦାହରଣ:
“ଗହନ ଵନସ୍ତ ପୋଡ଼ିଲେ ଧନରେ
ଜସ ଜଗତ ଜାଣନ୍ତି
ମାତା କ୍ଷୀରଵତୀ ହୃଦୟ ପୋଡ଼ିଲେ
ତାହା କେହି ନ ଜାଣନ୍ତି ।”
ଆଧୁନିକ ଯୁଗର ଓଡ଼ିଆ ସମାଜରେ ପତି ପତ୍ନୀ କିଂଵା ପ୍ରେମିକ ପ୍ରେମିକା ପରସ୍ପରକୁ ଇଂରାଜୀର dear ଭଳି ଧନ ସମ୍ବୋଧନ କରୁଥିଵା ଦୃଶ୍ୟ ହୋଇଥାଏ । କଵିସୂର୍ଯ୍ୟ ଵଳଦେଵ ରଥଙ୍କ ସମୟରେ ମଧ୍ୟ ଧନ ଶବ୍ଦକୁ ପ୍ରିୟତମ ଵା ପ୍ରିୟତମାକୁ ସମ୍ବୋଧନ କରିଵା ହେତୁକ ଵ୍ୟଵହାର ହେଉଥିଲା
ଖିଆଲ ପରି କି ଧନ ମନରେ ଭାଳିଲୁ ରେ,
ଖଳିକାର ନୋହିଁ କଳା ନାଗକୁ ଚାଳିଲୁରେ ।
(କିଶୋରଚନ୍ଦ୍ରାନନ୍ଦ ଖ ଚମ୍ପୂ)
ଭକ୍ତ ସାଲବେଗ ତ ସ୍ଵୟଂ ଶ୍ରୀଜଗନ୍ନାଥଙ୍କୁ ଧନ ସମ୍ବୋଧନ କରି ଗାଇଛନ୍ତି
“କାଳିଆ ଧନ,
ତୋ ଲାଗି ଯାଉ ଏ ଜୀବନ ।
ବାରେ ନ ଦେଲୁ ଦରଶନ ।”
ହୁଏତ ଏହି ବହୁ ପ୍ରଚଳିତ ଓ ପ୍ରାଚୀନ ବାଇଧନ ଶବ୍ଦଟି ଲୋକମୁଖରେ ବାଇନରେ ପରିଵର୍ତ୍ତିତ ହୋଇଯାଇଥିଵ । ବାଇନ ଶବ୍ଦର ମୂଳ ଯାହା ହୋଇଥାଉ ଏ ଶବ୍ଦ ଏବେ ଓଡ଼ିଶାର କଥିତ ଶୈଳୀରେ ଏଵଂ ଆଧୁନିକ ଓଡ଼ିଆ ସାହିତ୍ୟରେ ବହୁଳ ପରିମାଣରେ ଵ୍ୟଵହୃତ ହେଉଅଛି ଏଵଂ ଜନାଦୃତ ମଧ୍ୟ ହୋଇଛି ।