ଲେଖା: ଦେଵ ତ୍ରିପାଠୀ
~ ବଟେଶ୍ୱର ମନ୍ଦିର ~
ଦିନେ ସାରା ଶ୍ୟାମଳ ଭୂଇଁରେ ଥିଲା ସୃଷ୍ଟିର ଉଦ୍ଦାମତା ! ତରୁଲତାରେ ମଣ୍ଡିତ ଥିଲା ନବପତ୍ର, ପେନ୍ଥା ପେନ୍ଥା ଫୁଲରେ ମହୁର ଫୁଆରା ! ଶସ୍ୟ ଅମଳ ପରେ ପୁଣି ଏକ ସୃଜନ ପ୍ରକ୍ରିୟାର ପ୍ରସ୍ତୁତିରେ ଗାଁ ମାନ ଥିଲେ ଉତ୍ସବ ମୁଖରିତ ! ନୂତନ ଭାବେ କର୍ଷିତ କୃଷିକ୍ଷେତ୍ରରେ ଲହଡ଼ି ଭାଙ୍ଗୁଥିଲା ଜହ୍ନର ମୁକୁଳା ମାୟା ! ଜୀବନ ଯଉବନ ସୁରଭିତ ଏଇମିତି ଚଳଚଞ୍ଚଳ ମୁହୂର୍ତ୍ତରେ କେତେ ଶତାବ୍ଦୀ ପୂର୍ବେ #ମଞ୍ଜୁଳ_ଶ୍ୟାମତରଙ୍ଗା#ରତ୍ନହାରା#ଚିତ୍ରୋତ୍ପଳା ନଦୀ ତୀରରେ ଆଧ୍ୟାତ୍ମିକତାର ବାର୍ତ୍ତାଵହ ରାଜନ୍ୟବୃନ୍ଦ ! ଦେବପୂଜନ ଓ ଦିବ୍ୟସନ୍ଦେଶ ଜନମାନସରେ ସୃଷ୍ଟି କରୁଥିଲା ଏକ ଅଦ୍ଭୁତ ଆଲୋଡ଼ନ, ଜୀବନର ଦୈଵିକ ଦିଗ ପ୍ରତି ସଚେତନ ହୋଇ ଦିବ୍ୟତ୍ୱ ସନ୍ଧାନରେ ବାହାରି ଆସୁଥିଲେ ଭୂଖଣ୍ଡର ଅଗଣିତ ପ୍ରଜା !
(କ୍ଷୁଦ୍ର ଅଥଚ ପ୍ରାଚୀନତାର ପ୍ରମାଣ ଦିଏ ଏଇ ଦେଉଳ)
ସେଇ ଆଧ୍ୟାତ୍ମିକତାର ପ୍ରୟୋଗ, ପରୀକ୍ଷା, ପ୍ରେରଣାର ଉଠାଣି ଗଡ଼ାଣିରୁ ମୁକ୍ତ ନ ଥିଲା ଏବର #ସାଲେପୁର ଏବଂ ଆଖପାଖର ଅଞ୍ଚଳ ! ସାଲେପୁର ସମେତ #ସତ୍ୟଭାମାପୁର, #ମାହାଙ୍ଗା, #ନିଶ୍ଚିନ୍ତକୋଇଲି ତଥା ଆଧୁନିକ #କଟକ ମହାନଗର ଅଞ୍ଚଳରେ ସେଇ ସମୟର ସ୍ମୃତିବହନ କରୁଥିବା ପ୍ରାଚୀନ ଭଗ୍ନାବଶେଷ, କୀର୍ତ୍ତିରାଜି, ଧ୍ୱସ୍ତ ଦେବାଳୟ, ଖଣ୍ଡିତ ଦେଵପ୍ରତିମା ତା’ର ପ୍ରମାଣ ! #ସିଂହମାପୁର ଠାରୁ ବୀରଭଦ୍ରେଶ୍ୱର ଯାଏଁ ଆଧ୍ୟାତ୍ମିକତାର ପରିବ୍ୟାପ୍ତି ଲକ୍ଷ୍ୟରେ ସ୍ଥାପିତ ଦିବ୍ୟକୀର୍ତ୍ତିମାନ ଥିଲେ ପ୍ରମୂର୍ତ୍ତ, ପ୍ରଲମ୍ବିତ !
(ଅନନ୍ୟ କାରୁକାର୍ଯ୍ୟ ମଣ୍ଡିତ ଗଣେଶଙ୍କ ପ୍ରତିମା)
ଶେଷ ପଉଷର ଶୀତୁଆ ଶନିବାର ! କଟକ ଜଗତପୁର ଛାଡ଼ିଲା ବେଳକୁ ସେ ସକାଳର ସେ ଜାଡ଼ ଚାହୁଁ ଚାହୁଁ ଅଧା ବାଟରେ ପୋଛି ହୋଇଗଲା ! ତେବେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ଅତିକ୍ରମି ଚିତ୍ରୋତ୍ପଳା ନଦୀ ପାର୍ଶ୍ଵ ଦେଇ ଗଲାବେଳକୁ ଅନୁଭବ କରିହେଲା ଯେପରି ଆକାଶ ଓ ସୂର୍ଯ୍ୟ ଆମକୁ ସଙ୍ଖୋଳି ନେବାକୁ ବ୍ୟଗ୍ର – ଆମ ଇପ୍ସିତ ଯାତ୍ରାପଥରେ ! ସର୍ପିଳ ପିଚୁ ସଡ଼କ, ସଡ଼କ ଧାରରେ ଶ୍ୟାମଳୀ ଢେଉ, ଲାଗୁଥିଲା ସତେ ଅବା ମାତୃତ୍ଵରସରେ ଏବେ ସମଗ୍ର ବହୁଧା ଭରପୁର !
(ପାର୍ବତୀ)
ଘନ ଜନବସତି ପୂର୍ଣ୍ଣ #ବଟେଶ୍ୱର ଗାଁଟା କିନ୍ତୁ ଲାଗୁଥିଲା ଯେମିତି ନିର୍ଜନ ଦ୍ବୀପଟେ ପରି ! ନୂଆ ନୂଆ ତିଆରି ଘର ବାରଣ୍ଡାରେ ବୃଦ୍ଧା ଜଣେ ମୋବାଇଲରେ ଗୀତ ଶୁଣିବାରେ ମଗ୍ନ ! କେଉଁ ଘର ଦାଣ୍ଡରେ ଉଦଣ୍ଡ ଯୁବକଙ୍କ ଅଶ୍ଳୀଳ ବାର୍ତ୍ତାଳାପ ! ଆଉ କେଉଁ ଘର ଭିତରୁ ଭାସି ଆସୁଛି ବେସୁରା ଆଧୁନିକ ସଙ୍ଗୀତ ! ଓଳିତଳେ ଜିଭ କାଢ଼ି ଧକଉଥିବା କୁକୁର, ପଘାରେ ବନ୍ଧା ପାକୁଳିକରା ଗାଈ, ପିଣ୍ଡା ଉପରେ କାଠ ପାନିଆରେ ଭୁଆସୁଣୀ ବୋହୂର କେଶ ବିନ୍ୟାସ କରୁଥିବା ପୌଢା଼ଟିଏ ! ସବୁଠିଁ ଏକ ଥମ୍ ଥମ୍ ନୀରବତା ! ଶବ୍ଦହୀନ ମୂଲକ, କିନ୍ତୁ ଜୀବନଯାତ୍ରା ଅବ୍ୟାହତ !
(ମୂଳ ଦେଉଳର ଭଗ୍ନାବଶେଷ ବିଶାଳ ପ୍ରସ୍ତର ଖଣ୍ଡମାନ)
ଆମ ବିସ୍ମୟକୁ ଦ୍ଵିଗୁଣିତ କରୁଥିଲା ଗାଁର ଭଗବତୀ ମନ୍ଦିର ! ମନ୍ଦିରକୁ ପ୍ରବେଶ କରନ୍ତେ ଦୃଷ୍ଟିକୁ ଆସେ ଭଗ୍ନ, ଲୁପ୍ତପ୍ରାୟ କ୍ଷୁଦ୍ର ଅଥଚ ପ୍ରାଚୀନ ମହାଦେବ ମନ୍ଦିର ! ଅବହେଳା, ଅନାଦରକୁ ସହିଚାଲିଛି ସ୍ଥିତପ୍ରଜ୍ଞ ସନ୍ନ୍ୟାସୀଟି ପରି ! ଦେଉଳର ପ୍ରତି ଶିଳାଖଣ୍ଡ କିନ୍ତୁ ସୂଚାଇଦିଏ ତା’ର ପ୍ରାଚୀନତା ! ଆଉ ଧିକ୍କାରେ ଆମର ନିର୍ଲଜପଣକୁ !
ବଟେଶ୍ୱର ମନ୍ଦିର ପରିସରରେ ଐତିହ୍ୟ ଅଣ୍ଡାଳୁଥିବା ଆଖି ଖୋଜିପାଏ ଅସୁମାରୀ ଭଗ୍ନଖଣ୍ଡିତ ପ୍ରସ୍ତରମୂର୍ତ୍ତି ! କିଛି ପୂଜିତ, କିଛି ଅବା ଅପାଙ୍କ୍ତେୟ ଭାବେ ! ନିରାସକ୍ତ ପୂଜକ ଓ ଗ୍ରାମବାସୀଙ୍କର ଯତ୍ନଶୀଳତାର ଅଭାବ ଅନୁଭୂତ ହୁଏ ସେସବୁ ପ୍ରାଚୀନ କୀର୍ତ୍ତିରାଜି ଦେଖି ! ବିଷର୍ଣ୍ଣତାର ବଉଦଟିଏ ଯେପରି ଆଚ୍ଛନ୍ନ କରିଗଲା ମନକୁ ! ଦେବଭୂମି ଓଡ଼ିଶା ମାଟିରେ ଦେବାଳୟଟିଏ ଆଜି ଏତେ ଅଲୋଡ଼ା ?
(ବିଷ୍ଣୁ ବିଗ୍ରହ)
ସାଲେପୁର ଆଖପାଖର ଅନ୍ୟ ପ୍ରାଚୀନ ଦେବାଳୟଗୁଡ଼ିକ କଥା ଉଠିଲେ ଆମ ଆଖି ଆଗରେ ନାଚି ଉଠେ ତୃତୀୟ #ଅନଙ୍ଗଭୀମ ଦେବଙ୍କ କଥା ! କଟକରେ ରାଜଧାନୀ ପ୍ରତିଷ୍ଠା କରି ତାଙ୍କ ଶାସନରେ ବିରୂପା, ଚିତ୍ରୋତ୍ପଳାମହାନଦୀ କୂଳ ଉପତ୍ୟକା ଅଞ୍ଚଳରେ ଅନେକ ଗୁଡ଼ିଏ ଶୈବ ଓ ବୈଷ୍ଣବ ମନ୍ଦିର ମାନ ନିର୍ମାଣ କରିଥିଲେ ସେ ! ସେ ଦୃଷ୍ଟିରୁ ଏଇ ବଟେଶ୍ୱର ଓ ଭଗବତୀ ମନ୍ଦିର ମଧ୍ୟ ତାଙ୍କ ଦ୍ୱାରା ନିର୍ମାଣ ହୋଇଥିବା କଥା ସହଜରେ ଅନୁମେୟ ! ତେବେ ଖଣ୍ଡିତ ଶିଳାରାଜି ଏବଂ ପ୍ରତିମା ଗୁଡ଼ିକର କାରୁକାର୍ଯ୍ୟ ଅବଲୋକନ କଲେ ଜଣାପଡ଼େ ଏ କୀର୍ତ୍ତି ହୁଏତ ବହୁ ପୂର୍ବର ! ହୁଏତ କେହି #ସୋମବଂଶୀ ରାଜନ୍ୟଙ୍କ କରକମଳରେ ସ୍ଥାପିତ !
ବଟେଶ୍ୱର ମନ୍ଦିର ପରିସର ବାହାରେ ଅରମା ଭିତରେ ଶୋଭା ପାଉଛି ଏକ ତ୍ରିଶୂଳଧାରୀ ଦଣ୍ଡାୟମାନ ଶିବପ୍ରତିମା ! ପୂଜକ ଚନ୍ଦନଟିପାଟି ମାରି ନିତି ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି କେବଳ !
(ନଦୀକୂଳରେ ମୂଳ ମନ୍ଦିରର ଭଗ୍ନାବଶେଷ ଇତସ୍ତତଃ ବିକ୍ଷିପ୍ତ)
ରତ୍ନହାରା ପୂତ ଚିତ୍ରୋତ୍ପଳା ନଦୀକୂଳରେ କିନ୍ତୁ ଦିନେ ଥିଲା ମୂଳ ବଟେଶ୍ୱର ମନ୍ଦିର ! କାଳର କରାଳ ସ୍ରୋତରେ ଅବା କଳାପାହାଡ଼ର ଆକ୍ରୋଶରେ ଧରାଶାୟୀ ହେଇଛି ସେ ବିଶାଳ ଭବ୍ୟ ଦେଉଳ ! ଅନ୍ତରଙ୍ଗ କଳିଙ୍ଗର ସୁଧୀବୃନ୍ଦ କଟକରୁ ମାତ୍ର ୨୫ କି.ମି. ଦୂରର ନଦୀକୂଳରେ ବିକ୍ଷିପ୍ତ ଭାବେ ଦୃଶ୍ୟମାନ ବିଶାଳ ଶିଳାଖଣ୍ଡ ଗୁଡ଼ିକ ଦେଖିନିଅନ୍ତୁ ! ଲୁପ୍ତ ଦେବାଳୟର ଭବ୍ୟତା ଏବଂ ବିଶାଳତା ଅନୁମାନ କରିପାରିବେ ନିଶ୍ଚୟ !
(ପ୍ରତିଟି ଶିଳାଖଣ୍ଡ ଦେଉଳର ପ୍ରାଚୀନତାର କଥା କହେ)
ବଟେଶ୍ୱର ମନ୍ଦିର ଗର୍ଭଗୃହରେ ଦେବୀ ଭଗବତୀଙ୍କ ଦର୍ଶନ କାଳରେ ଭାବୁଥିଲି, ପ୍ରତିଦିନ ପ୍ରଭାତ ଓ ଗୋଧୂଳି କାଳରେ ସୁଗନ୍ଧିତ ଧୂପ, ଦୀପ, ଝୁଣା, କର୍ପୁରର ସଞ୍ଚରିତ ମହକ, ସ୍ତିମିତ ଆଲୋକ ମଧ୍ୟରେ ଘଣ୍ଟଘଣ୍ଟାର ତାଳେ ତାଳେ ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ଦେଉଳ ପରିବେଶକୁ ହୁଏତ ଅନିର୍ବଚନୀୟ ଅବିସ୍ମରଣୀୟ କରୁଥିବ ! ପୁଣି ଭାବୁଥିଲି, ଆଧୁନିକ ମଣିଷର ବ୍ୟସ୍ତତାପୂର୍ଣ୍ଣ ଜୀବନରେ ଆଉ ସମୟ କାହିଁ ପ୍ରାଚୀନ ଦେଉଳରେ ଆଧ୍ୟାତ୍ମିକତାର ମହକ ସାଉଁଟିବାକୁ ! ଦେଉଳର କାୟା ଓ ଆତ୍ମା ସହ ଜଡ଼ିତ ଅଛନ୍ତି କେତେ ଜଣ ?
ଚେତନାର ଏ ପ୍ରକାର ସ୍ଖଳନ ପାଇଁ ଦାୟ ଖୋଜିବା ଅନାବଶ୍ୟକ ! ହୁଏତ କେହି କେବେ ବିବେକର ତାଗିଦ ଅନୁଭବ କରିନାହାଁନ୍ତି ଦେଉଳର ପ୍ରାଚୀନତାକୁ ଅକ୍ଷୁର୍ଣ୍ଣ ରଖିବାକୁ ! ନା ଗ୍ରାମବାସୀ ନା ଭଗବତୀ ମନ୍ଦିର ଉନ୍ନୟନ ଟ୍ରଷ୍ଟ !
(ମା’ ଭଗବତୀ)
ଜରାଜୀର୍ଣ୍ଣ ଜେଜେବାପାଙ୍କ ପରି ପଡ଼ିରହିଛି ବଟେଶ୍ୱର ଗାଁର ଭଗବତୀ ମନ୍ଦିର ! ତା’ ଭଙ୍ଗାଦେହ କିନ୍ତୁ ଅପେକ୍ଷା କରିଛି, ଦିବ୍ୟତ୍ୱ, ପ୍ରକୃତି ଓ ଜୀବନକୁ ପୁଣିଥରେ ଭଲ ପାଇ ଶିଖିବ ମଣିଷ ! ତେବେ ସଭ୍ୟ ମଣିଷର ଚେତନା ପରିବର୍ତ୍ତନ ଆଉ କେତେ ଉଛୁର, କେତେ କାଳ ନିସ୍ପନ୍ଦ କେଜାଣି ?
© ଅନ୍ତରଙ୍ଗ କଳିଙ୍ଗ
admin

View Comments

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

2 years ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago