ଲେଖା: ଅମ୍ବିକା ପଟ୍ଟନାୟକ

~ ବଉଳ: ବିଲୁପ୍ତି ପଥେ ବନ୍ଧୁତ୍ୱର ଅନନ୍ୟ ପରମ୍ପରା ~

“ଆ ବଉଳ ବୋହୁବୋହୁକା ଖେଳ ଖେଳିବା
ମିଛି ମିଛିକା ବାଡ଼ୁଅ ସୁତା ସଜ କରିବା l
***    ***    ***    ***    ***   
ତୋ କୁଲେଇ ମୋ କୁଲେଇ ପେଡ଼ିରେ ସାଇତି ଦେବା
ପୁଅ ବାହାଘରେ ଝିଅ ବାହାଘରେ ଯାନିଯଉତୁକ ଦେବା”

ଗାଳ୍ପିକ ବନ୍ଧୁ ହେମନ୍ତ କୁମାର ଘୋଷlଲଙ୍କୁ ଏକ ମନ୍ତବ୍ୟରେ କହିଥିଲି “ଟୋପାଏ ଲୁହରେ ଦେଉଳଟିଏ ଭସାଇ ଦେବାର ଶକ୍ତି କେବଳ କବି ପାଖରେହିଁ ଥାଇ ପାରେ, ଗାଳ୍ପିକ/ଔପନ୍ୟାସିକ ଏଥି ପାଇଁ ଭରା ନଦୀର ଉଛୁଳା ବନ୍ୟା ଦରକାର କରନ୍ତି” l
     
୧୯୭୮ ମସିହାର ଓଡ଼ିଆ ସିନେମା “ତଅପୋଇ”ର ଏକ ଅତ୍ୟନ୍ତ ଲୋକପ୍ରିୟ ଗୀତର ପଂକ୍ତି “ଆ ବଉଳ” l ଦଶ ବାର ଧାଡିର ଏଇ ଗୀତରେ ଶହ ଶହ ବର୍ଷର ସାମାଜିକ ଚଳଣି ଚୁମ୍ବକରେ ବର୍ଣ୍ଣନା କରାହୋଇଛି l
   
ପ୍ରାୟ ୧୯୮୦ ପର୍ଯ୍ୟନ୍ତ ଗ୍ରାମ୍ୟ ଓଡିଶାରେ ଛୋଟ ପୁଅମାନଙ୍କ ବାହ୍ୟଖେଳ ଥିଲା ଗୁଚିତାଣ୍ଡୁ/ପିଲବାଡ଼ି/ଡାବଳପୁଆ, ବଲ ଧରି ପରସ୍ପରକୁ ଫିଙ୍ଗିବା, ଟାୟାର ଗଡେଇବା, କବାଡି, ହାଇସ୍କୁଲ ପିଲା  ଭଲି ବା ଫୁଟବଲ l କ୍ରିକେଟ ସ୍ବପ୍ନ ଥିଲା l ଝିଅମାନଙ୍କ ଖପରାଡିଆଁ, ପୁଚି ଖେଳ, ଦଉଡିଡିଆଁ, ଛୋଟିପାରା, ଗୋଟେ ଗୋଡ଼ରେ ଡେଇଁ ଡେଇଁ ଅନ୍ୟକୁ ଛୁଇଁବା ଉଭୟଲିଙ୍ଗି ଥିଲା l

ତେବେ ଛୋଟ ଝିଅମାନଙ୍କ ବହୁ ପ୍ରଚଳିତ ଖେଳ ଥିଲା, “ବୋହୁବୋହୁକା”, କୁନି କୁନି ଝିଅମାନେ ସ୍ୱୟଂସମ୍ପୂର୍ଣ୍ଣା ଗୃହିଣୀ ପରି ବ୍ୟବହାର କରୁଥିଲେ l ଅର୍ଥାତ ସେଇ ଛୋଟବେଳରୁ ହିଁ ପିଲାମାନେ ଜାଣିଯାଉଥିଲେ ଯେ ଦିନେ ନା ଦିନେ ସେମାନେ ବାପଘର ଛାଡି ବୋହୁ ହୋଇ ଶ୍ୱଶୁରଘର ଚାଲିଯିବେ ଆଉ ଘର ସମ୍ଭାଳିବେ l ଗଞ୍ଜାମରେ ତ ଝିଅ ଆଠ ନ’ ବର୍ଷ ହେଲେ ମା’ ର ଅଧାକାମ ସମ୍ଭାଳି ନେଉଥିଲା l ତାର ମା’ ପିଣ୍ଡାରେ ବସି ପଡୋଶୀ ପଚାରୁ ଥିବ “ହଁଗୋ ଟୁନୁବୋଉ ଆଉ କିଅଣ କରୁଛ ବା . . ” “ନାଇଁ ବା ରୁନିବୋଉ ତମର ସିନା ପୁଅକୁ ପକା, ଝିଅ ଥିଲେ ମୋର ନକ୍ଷେ ଟଙ୍କା, ପାରିଲା ଝିଅ ହାତକୁ ଗୋଡ଼କୁ ହଉଚି, ମୋର ତ ଅଣ୍ଡିରୀ ପୁଅ ଉଦ୍ଧବ, ଏଇଟା କରେ ସେଇଟା କରେ, ତମେ ବଡ଼ କପାଳିଆ” l

“ଆଉ କପାଳ ବୋଇଲେ, ପାଞ୍ଚ ସାତ ବର୍ଷ ପରେ ଶାଶୁଘରେ ଖଟିବ, କେତେ ପଇସା ଖର୍ଚ୍ଚ l ତମର ତ ଘରେ ପଶିବ, ଖାଲି ବୋହୁ ପରସା ଖାଉଥିବ “l

“ହଁ ଲୋ ବୋହୁ ପରସା . . ! ଏତେ ସପନକୁ ରାତି ନାଇଁ ବା !”
   
ତେବେ ସାଧାରଣତଃ ବାଲେଶ୍ୱର ଜିଲ୍ଲାର ମା’ମାନେ “ମୋ ଝିଅ ଶାଶୁଘରେ କାମ କରିବ, ବାପଘରେ ଆରାମ କରୁ “ଏ ଚିନ୍ତାଧାରା ରଖୁଥିଲେ, ଏବଂ ବାଲେଶ୍ୱରରେ ଯୌତୁକ ପ୍ରଥା ଏତେ ଉତ୍କଟ ନଥିଲା l
  
ନିଜ ନିଜ ଭିତରେ କେହି କେହି ପୁଅ “ସଙ୍ଗାତ” ବା “ମଇତ୍ର” ବସୁଥିଲେ l ଝିଅ ମାନେ “ବଉଳ “, “ଗୋଲାପ”,  “ଆମ୍ବକଷି”, “ତୁଳସୀ” ଆଉ ଗଞ୍ଜାମର ପ୍ରସିଦ୍ଧ ଡାକ  “ମକର”, ମକର ସଂକ୍ରାନ୍ତି ଦିନ ମକର ଚାଉଳ ଖୁଆଇ ମକର ବସୁ ଥିଲେ l କାହ୍ନୁଚରଣଙ୍କ ଲେଖାରେ “ଗୋଲାପ” ଓ ପ୍ରତିଭା ରାୟଙ୍କ ଗଳ୍ପରେ “ଆମ୍ବକଷି” ବ୍ୟବହୃତ l
   
ତେବେ ଥରେ ସମ୍ପର୍କ ସ୍ଥାପିତହୋଇ ଗଲେ ଆଉ ନାଁ ଧରି ଡାକିବା ନିଷେଧ l କେବଳ ସଙ୍ଗାତ, ମଇତ୍ରେ, ବଉଳ, ମକର ପ୍ରଭୃତି ସମ୍ବୋଧନ ରହିଯାଏ l ଘରେ ମଧ୍ୟ  ଏଇ ସଙ୍ଗାତ ବା ବଉଳ ବା ମକର, ଏମାନଙ୍କୁ ବିଶେଷ ସମ୍ମାନ ଦିଆଯାଏ l ପର୍ବପର୍ବାଣିରେ ପୁଅ ଝିଅ ସହ ସଙ୍ଗାତ ବଉଳ ପାଇଁ ମଧ୍ୟ ପୋଷାକପତ୍ର କିଣା ହୁଏ l ପ୍ରତ୍ୟେକ ଉତ୍ସବରେ ବଉଳ/ମକର ଉପସ୍ଥିତି ଅନିବାର୍ଯ୍ୟ l ଆଗେ ତ ଏଇ ସଙ୍ଗାତ ବଉଳ ନିଜ ନିଜ ମଧ୍ୟରେ ପରସ୍ପରର ପୁଅ ଝିଅକୁ ବାହା କରାଇ ଦେବାର ଶପଥ ମଧ୍ୟ ନେଇ ଯାଉଥିଲେ, ନିଜ ବନ୍ଧୁତା ଆଉ ଏକ ପୀଢ଼ି ଆଗେଇ ଯାଉ ଥିଲା l
    
ଦୁଃଖର କଥା ! କ୍ରମଶଃ ବନ୍ଧୁତ୍ୱର ଏଇ ସୁନ୍ଦର ପରମ୍ପରା ଆସ୍ତେ ଆସ୍ତେ ତାର ଚମକ ମହକ ହରେଇ ଆସୁଛି ! ସମୟ ସହ ପରମ୍ପରା ବି ଆସ୍ତେ ଆସ୍ତେ ବଦଳି ଯାଉଛି ! 

Spread the love
admin

View Comments

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago