ଲେଖା: ଅମ୍ବିକା ପଟ୍ଟନାୟକ
~ ହାସ୍ୟସ୍ରଷ୍ଟା ନୀଳକଣ୍ଠ “ଫତୁରାନନ୍ଦ” ~
ଅନେକ ଦିନ ତଳେ ଭୁବନେଶ୍ୱରରେ ଜଣେ ଭଦ୍ରବ୍ୟକ୍ତି ପଚାରିଲେ “ଏ ରିକ୍ସା, ସଚିବାଳୟ ଯିବୁ କି?”
“ମୁଁ ରାସ୍ତା ଜାଣିନି ବାବୁ l”
“ଆରେ ସେକ୍ରେଟାରୀଏଟ କୋଉଠି ଜାଣିନୁ?”
“ଗଲା ଆଉ, ସେଇକଥା କହୁନା ବାବୁ, ତମେ ଇଂଲିଶ କହିଲେ ମୁଁ ବୁଝିବି କିପରି? “
ଆଜି ଯଦି ପ୍ରଶ୍ନ ହୁଏ “ଡାକ୍ତର ରାମଚନ୍ଦ୍ର ମିଶ୍ର କିଏ” ହୁଏତ ପାଞ୍ଚ ମିନିଟ ମୁଣ୍ଡ ଆଉଁସିବାକୁ ହେବ କିନ୍ତୁ “ଫତୁରାନନ୍ଦ କିଏ ପ୍ରଶ୍ନ ଆସିଲେ ହସି ଉଠି କହିହେବ” ଆରେ ବିଖ୍ୟାତ ବ୍ୟଙ୍ଗକାର ରସରାଜ ଫତୁରାନନ୍ଦ !!! ସେ କଥା କହୁନ”?
ଧାରରେ ପାଇଥିବା ନାମରେ ବିଖ୍ୟାତ ସେ ଫତୁରାନନ୍ଦ ହିଁ ନିଜର ଛଦ୍ମନାମ ରଖିପାରନ୍ତି “ଝାଡୁଦାର, ଥଣ୍ଟୁଆ ମୁନି, ଭାଣ୍ଡମୁନି, କବିନାକ, କବିଶୁଣ୍ଢ, ଦଣ୍ଡିମାଛ, ଶ୍ରୀନକଲିଆ, ଶ୍ରୀ ରାଧାଗେରସ୍ତ ରାୟ, ଭୁଷପଣ୍ଡିତ, ଶ୍ରୀ ଲଘୁଆ, ଲଘୁ ପତନକ, ଶ୍ରୀ କପିରାଜ, ଛୁ ଛମ ଛେ, ଶ୍ରୀ ଚଇଁପାଣି, ଗାତୁଆମୂଷା, ଶ୍ରୀ ଭେରେଣ୍ଡା, ଶ୍ରୀ ଛଡ଼ଉ କରଣ, ଇତିହାସ ଷଣ୍ଡ, ଜଣେ ଆବୁଆ ବାବାଜୀ ଭକ୍ତ” ପରି ବିଶିଷ୍ଟ ନାମ !
1 ଜୁନ 1915ରେ ଶ୍ରୀ ବିଦ୍ୟାଧର ମିଶ୍ର ଓ ସୁଭଦ୍ରା ଦେବୀଙ୍କ କୋଳ ମଣ୍ଡନ କରି ଆସିଥିଲେ “ଫତୁରାନନ୍ଦ” ରାମଚନ୍ଦ୍ର l ଡାକ୍ତରୀ ପାଠ ଶେଷ ହଉ ହଉ ଦୃଷ୍ଟିଶକ୍ତି ନଷ୍ଟ, ବେଡ଼ି ଉପରେ କୋରଡ଼ା ପରି ପରବର୍ତ୍ତୀ କାଳରେ କୁଷ୍ଠ l ଏଇ ଚିକିତ୍ସାବିଜ୍ଞାନ ଛାତ୍ର ରାମଚନ୍ଦ୍ର ପରବର୍ତ୍ତୀ ସମୟରେ ସାହିତ୍ୟ/ସାମାଜିକ ବ୍ୟାଧି ନିରାକରଣ ନିମିତ୍ତ ବ୍ୟଙ୍ଗ ଔଷଧ ପ୍ରୟୋଗ କରିଥିଲେ l
ବ୍ୟାସକବି ଫକୀରମୋହନଗୋପାଳ ପ୍ରହରାଜ ଲାଳିକା ପ୍ରୟୋଗର ଯେଉଁ ଧାରା ଆରମ୍ଭ କରିଥିଲେ ଫତୁରାନନ୍ଦଙ୍କ ହାତରେ ତାହା ପଲ୍ଲବିତ ପରିପକ୍ୱତା ଲାଭ କରିଥିଲା l ମନ କେତେ ଖରାପ ଥାଉ ପଢ଼ିଲେ କିଛି ନହେଲେ ମୁଚୁକୁନ୍ଦିଆ ହସଟିଏ ଓଠରେ ଲାଖିଯିବ l
1. କିଂ କାର୍ଯ୍ୟମ୍ ଚାକିରୀମ ଯଦି ନାସ୍ତି ଉପୁରିଂ
2.ଏକ ଚିଲମ୍ମେ କେସା କେସା,
ଦୂସରା ଚିଲମ ମେ ନିଶା
ତିନ ଚିଲମମେ ଆଖ ଝଲମଲ,
ଚାର ଚିଲମ ମେ ମଦନମୋହନ
3. ଉତ୍ତମା ଚଡକା ପାଡ଼ା8, ଟୁଁ ଟାଇଁ ଚ ମଧ୍ୟମା, ଫୁସି ନୀରବଂଶୀ, ଗୋଳାହା ପ୍ରାଣ ଘାତକା8..
4. ପାଚି ନାଲି ଟହ ଟହ ହୋଇତମ,
ଥଣ୍ଟୁଆ ମୁନି ତତ୍ର ଗତଂ,
ଥଣ୍ଟ ମାରିତମ,
ରସଂ ଗଳିତଂ ଥପମ୍ ଥପମ୍,
ସେ ରସାମୃତ ପାଠକେ ଭଲକରି ଚାଟିତଂ l
କିଛି ପେଟ ଖରାପ ନ ହୋଇତମ,
ବୁଦ୍ଧି ବଢ଼ିତମ l
ଫତୁରାନନ୍ଦ ନିଜେ ହିଁ “ବିଜୁଳି”, ନିଜେ ହିଁ “ଇନ୍ଦ୍ରଧନୁ” l ଏଣୁ ରୀତିଯୁଗୀୟ କବିଙ୍କୁ ସମାଲୋଚନା କରି ଲେଖିଲେ,
“ଗାଦୁଡ଼ୁ ଗାଦୁଡୁ ଗାଡୁ, ବାଗୁଡୁ ବାଗୁଡୁ ଭାଡୁ
ସାପୁଡ଼ୁ ସାପୁଡ଼ୁ ତାଡ଼ୁ, ହାପୁଡ଼ୁ ହାଡ଼ୁ l”
ଗାଦୁଡୁ ଅର୍ଥ ଆକାଶ ଓ ପୂର୍ଣ୍ଣିମା, ଗାଡ଼ୁ ଅର୍ଥ ଚନ୍ଦ୍ର, ବାଗୁଡୁ ଅର୍ଥ ପ୍ରେମିକ ଓ ପ୍ରେମିକା, ଭାଡୁ ଅର୍ଥ ଅଭିସାର l ଅର୍ଥ ବୁଝିବା ପାଇଁ କବି ପ୍ରଣୀତ ସ୍ୱତନ୍ତ୍ର ଅଭିଧାନ କିଣିବା ଉଚିତ l
ସ୍ପୁଟନିକ ପେଟେ ଦୁଇ ବିଶା ସାରୁ ଆଉ ବିଶାଏ କଖାରୁ,
ଭୂମିକମ୍ପେ କମ୍ପଇ ଈଗଲ l
ଓଡ଼ଶର ପ୍ରାଦୁର୍ଭାବ ମଶକ ଦଂଶନ,
ଇଲୋ ବୋପାଲୋ ହେଇ ଆସେ ଭାଲୁ,
ଜିଆର ଶରୀରେ ଶହେ ଡିଗ୍ରୀ ସେଣ୍ଟିଗ୍ରେଡ଼ ତାପ l
(ସ୍ପୁଟନିକ ଓ ସାରୁ କଖାରୁ ବିଜ୍ଞାନ ଓ ଶ୍ରମିକ ଶକ୍ତିର ପ୍ରତୀକ, ଈଗଲ ପୁଞ୍ଜିବାଦୀ ଆମେରିକା, ଓଡ଼ଶ ମଶକ – ପୁଞ୍ଜିପତି, ଭାଲୁ – ଶୋଭିଏଟ ରୁଷିଆ, ଜିଆ – ସର୍ବହରା)
“ବିଦୂଷକ, ହେରେସା, ନବଜିଆ, ଗମାତ” ପ୍ରଭୃତି କୋଡ଼ିଏ ଖଣ୍ଡ ହାସ୍ୟ ଗଳ୍ପ ସଂକଳନ l “ଆଦର୍ଶ ହିନ୍ଦୁ ହୋଟେଲ”, “ଆଦର୍ଶ ଶ୍ରେଷ୍ଠ ହାସ୍ୟ ଗଳ୍ପ” ଅନୁବାଦ ରଚନା l କରୁଣ ରସ “ନାକଟା ଚିତ୍ରକର” l “ଓଡ଼ିଶାର ସ୍ପିନ ବୋଲର” ଜୀବନୀ ମୋ ଫୁଟାଡଙ୍ଗାର କାହାଣୀ ଆତ୍ମଜୀବନୀ l ନବାକ୍ଷରୀ ବୃତ୍ତରେ “ଗୋଜ ଭାଗବତ” ତ ସାରଳା ଅନୁକରଣ “ସାହି ମହାଭାରତ”; ନି, ଲ, ଠା, କ, ବି ଆଦ୍ୟ ଅକ୍ଷରରେ କ୍ଷୁଦ୍ରକାବ୍ୟ “ନିଲଠା କବି” ସାହିତ୍ୟ ଓ ସାହିତ୍ୟିକଙ୍କୁ ନେଇ ରଚିତ “ମଙ୍ଗଳବାରିଆ ସାହିତ୍ୟ ସଂସଦ, ସାହିତ୍ୟ ଚାଷ, ସାହିତ୍ୟ ବେଉଷଣ, ସାହିତ୍ୟ ବଛାବଛି” ସାହିତ୍ୟ ବିଷୟରେ ଗଭୀର ଅନୁଶୀଳନି ଓ ମନନଶୀଳତାର ଦ୍ୟୋତକ l ସେ ହିଁ ସୃଷ୍ଟି କରି ପାରନ୍ତି “ଓଡ଼ିଆ ସାହିତ୍ୟରେ ଆମ୍ବୁଲାନ୍ସ ଯୁଗ”, “ମେଡିକାଲ କଲେଜରେ ମେହେର ଜୟନ୍ତୀ” ବା “ଲଣ୍ଡଟକ ସାହିନ୍ଦିର” l
“ଫମାଲୋଚନା” ଅଳ୍ପାଲୋଚିତ ଏକ ବିଲକ୍ଷଣ ସମାଲୋଚନା ଗ୍ରନ୍ଥ l ବହୁ ଆଦୃତ ବାଣୀ “ଦଣ୍ଡିବା ଶକ୍ତି ଯାର ଥାଇ”, “ଲକ୍ଷେ ଯୋଜନରେ ଗଜ”, “ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ”, “ଏଇ ସହକାର ତଳେ” ଏସବୁର ବିପରୀତ କିନ୍ତୁ ଶକ୍ତିଶାଳୀ ବ୍ୟାଖ୍ୟା ପଢ଼ି ହସୁଥିବା ପାଠକକୁ ହଠାତ ଆନମନା କରିଦିଏ l
“ଏ କାନ୍ଦୁରା ଦୁନିଆରେ ଆମେ ଯଦି ପାଞ୍ଚ ଜଣଙ୍କୁ ପାଞ୍ଚ ମିନିଟ ପାଇଁ ହସାଇ ପାରିବୁ, ତେବେ ଆମେ ଆତ୍ମସନ୍ତୋଷ ଲାଭ କରିବୁ” ଏଇ ଉକ୍ତିର ପ୍ରଣେତା ଏଇ ନୀଳକଣ୍ଠ ପ୍ରତିଷ୍ଠା କରିଥିଲେ “ସରସ ସାହିତ୍ୟ ସମାଜ” “ହାସ୍ୟ ବିକାଶ ପରିଷଦ” l ପ୍ରଥମରୁ ଗମ୍ଭୀର ଲେଖା ଲେଖୁଥିବା ଫତୁରାନନ୍ଦ କାନ୍ତକବିଙ୍କ ପ୍ରେରଣାରେ ହାସ୍ୟ ପତ୍ରିକା “ଡଗର” ସହ ସମ୍ପୃକ୍ତ ହୋଇ ନାରୀ ଚରିତ୍ର ବିବର୍ଜିତ ହାସ୍ୟ ଲେଖକ ହୋଇଗଲେ l ଏହାଙ୍କ ବଳିଷ୍ଠ ସମ୍ପାଦନାରେ “ଡଗର” ଭାରତର ଅନ୍ୟତମ ଦୀର୍ଘସ୍ଥାୟୀ ହାସ୍ୟ ପତ୍ରିକା ହୋଇ ପାରିଥିଲା l
କଟକ ସହରରେ ଜନ୍ମିତ ଫତୁରାନନ୍ଦ ନିଜ ହାସ୍ୟଗଳ୍ପ ସବୁରେ ଖାଣ୍ଟି କଟକୀ ଲୋକଭାଷାର ଅକୁଣ୍ଠ ପ୍ରୟୋଗ କରିଛନ୍ତି l “ବାବୁ ଚନ୍ଦା ଲବାକୁ ଆସିଛ, ହାମସାଇରେ ମାଦେବ ବନୁଛି” l କିନ୍ତୁ “ଆଦର୍ଶ ହିନ୍ଦୁ ହୋଟେଲ” ଭାଷା ସମ୍ପୂର୍ଣ୍ଣ ମାନକ l
ସାରଳା ସମ୍ମାନ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଏ ନିରଳସ ସାହିତ୍ୟ ସାଧକ ସାହିତ୍ୟ ନିମିତ୍ତ ନିଜର ସମସ୍ତ ଶ୍ରମ ଓ ଅର୍ଥ ବ୍ୟୟ କରି ନିଃସ୍ୱ ହୋଇ ଯାଇଥିଲେ ମଧ୍ୟ ଦୁଃଖୀ ହୋଇ ନ ଥିଲେ l
6 ନଭେମ୍ବର 1995 ରେ ପ୍ରୟାତ ସାହିତ୍ୟ ସାଧକ ଶ୍ରୀ ଫତୁରାନନ୍ଦଙ୍କ ତିରୋଧାନରେ ଓଡ଼ିଆ ଭାଷା ସାହିତ୍ୟ ଜଣେ ମହାନ ବ୍ୟଙ୍ଗକାରଙ୍କୁ ହରାଇଛି !
କୃତଜ୍ଞତା: ଶ୍ରୀ ଫତୁରାନନ୍ଦ, ଡକ୍ଟର ଚୌଧୁରୀ ହେମକାନ୍ତ ମିଶ୍ର, ଓ ଡ. ବିଜୟାନନ୍ଦ ସିଂହ
ଚିତ୍ର ସୌଜନ୍ୟ: ଗୁଗୁଲ ଓ ଉଇକିପେଡିଆ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

17 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago